Categories
ବିଶେଷ ଖବର

ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ଓ କେଭିଙ୍କ ଫଟୋ ଦେଖାଇ କଟାକ୍ଷ କଲେ ଅରୁଣ ସାହୁ

ଭୁବନେଶ୍ଵର: ଜାଲ୍ ସାର୍ଟିଫିକେଟ୍ ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ସହିତ ଫଟୋ ଦେଖାଇ ବିଜେଡି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଜେପି ଓ କଂଗ୍ରେସ ନେତାମାନେ ଆଜି ନିଜ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଫଟୋ ଦେଖାଇବା ସହ ଏଭଳି ଦୁଇ ବିରୋଧୀଦଳକୁ କଟାକ୍ଷ କରିଛନ୍ତି। ନରସିଂହ ମିଶ୍ରଙ୍କ ଭଳି ଜଣେ ସମ୍ମାନାସ୍ପଦ ବରିଷ୍ଠ ନେତା ଏଭଳି ନିମ୍ନ ମାନର ଫଟୋ ରାଜନୀତି କରୁଥିବାରୁ ସେ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ ଜାଲ୍ ସାର୍ଟିଫିକେଟ ମାମଲା ପଦାକୁ ଆସିବା ପରେ ଓଡ଼ିଶା ପୁଲିସ ଏହାର ଜୋରଦାର ତନାଘନା କରୁଛି। ତଦନ୍ତରୁ ଯିଏ ଦୋଷୀ ବାହାରିବ, କୋଠର ଦଣ୍ଡ ପାଇବ। ମାତ୍ର ଏଭଳି ଏକ ମାମଲାକୁ ନେଇ ବିରୋଧୀ ଦଳର ବିଧାୟକମାନେ ଶସ୍ତା ଫଟୋ ରାଜନୀତି କରୁଛନ୍ତି। ଗତକାଲି ବିଧାନସଭାରେ ସେମାନେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ବରିଷ୍ଠ ବିଜେଡି ନେତାଙ୍କ ଫଟୋ ଦେଖାଇଥିଲେ। ଆଜି ମୁଁ ସେହି ଅଭିଯୁକ୍ତ ସହିତ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା କେ.ଭି. ସିଂଦେଓଙ୍କ ଫଟୋ ଦେଖାଉଛି। ନରସିଂହ ବାବୁ ଅଭିଯୁକ୍ତର ବିଭିନ୍ନ କାର‌୍ୟ୍ୟକ୍ରମରେ ବାରମ୍ବାର ଯୋଗ ଦେଇଛନ୍ତି। ଉଭୟ ଗୋଟିଏ ମହମବତୀ ଧରି ଦୀପ ଜାଳୁଛନ୍ତି। ଏହା ବ୍ୟତୀତ ମୁକେଶ ମହାଲିଙ୍ଗ ଭଳି ଆହୁରି କେତେଜଣ ବିଜେପି ବିଧାୟକଙ୍କ ସହ ମଧ୍ୟ ଅଭିଯୁକ୍ତର ଲିଙ୍କ୍ ରହିଛି। ଏହିସବୁ ନେତାମାନଙ୍କ ମାଳମାଳ ଫଟୋ ଓ ଭିଡିଓ ବଜାରରେ ଘୂରି ବୁଲୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଭିଯୁକ୍ତ ସହିତ ସେମାନଙ୍କର ଯେଉଁ ନିବିଡ଼ ସଂପର୍କ ରହିଛି, ତଦନ୍ତରୁ କାଳେ ତାହା ପଦାକୁ ଆସିଯିବ ସେହି ଭୟରେ ସେମାନେ ଟାଣିଓଟାରି ବିଜେଡି ନେତାଙ୍କ ନାଁ ନେଉଛନ୍ତି ଏବଂ ଏଭଳି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ କେହି ଭୁଲ୍ କଲେ ଆମ ମୁଖ୍ୟମନ୍ତ୍ରୀ ବରଦାସ୍ତ କରନ୍ତି ନାହିଁ। ନିରପେକ୍ଷ ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦିଅନ୍ତି। ତେଣୁ ଏହି ମାମଲାରେ ମଧ୍ୟ ତଦନ୍ତ ଚାଲିଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ କଡ଼ା କାର‌୍ୟ୍ୟାନୁଷ୍ଠାନ ହେବ।