Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଡକ ନିରାପତ୍ତା, ଜରୁରୀକାଳୀନ ସେବା ପରିଚାଳନାରେ ଜିଆଇଏସ ର ଗୁରୁତ୍ବପୂର୍ଣ୍ଣ ଭୂମିକା

ସନ୍ଦେଶ ନାୟକ, ଆଇଏଏସ

ବିକାଶଶୀଳ ରାଷ୍ଟ୍ରରେ ସଡକ ଦୁର୍ଘଟଣା ଏବଂ ତତ୍‌ଜନିତ ଜରୁରୀ ସୂଚନା ତଥା ସେବାର ଅଭାବ ଲୋକଙ୍କ ଜୀବନହାନିର ପ୍ରମୁଖ କାରଣ। ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିଥାଏ। ତେଣୁ ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସେ ଖବର ପାଇ ଆହତକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା ଯୋଗାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ସଡକ ଦୁର୍ଘଟଣାରେ ଆହତଙ୍କୁ ଯଥା ସମ୍ଭବ ଶୀଘ୍ର ଉଦ୍ଧାର କରି ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାର ପ୍ରସ୍ତୁତି ଓ ବ୍ୟବସ୍ଥା ତଥା ତତ୍‌ସଂକ୍ରାନ୍ତ ଟେକ୍‌ନୋଲୋଜିର ଉପଲବ୍ଧତା ବିଶେଷ ଗୁରୁତ୍ୱ ରଖେ। ଏହା ଦ୍ୱାରା ଆହତମାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇବା ସହିତ ଅନେକଙ୍କୁ ସ୍ଥାୟୀଭାବେ ବିକଳାଙ୍ଗ ହେବାରୁ ରକ୍ଷା କରାଯାଇପାରେ। ତେଣୁ ସଡକ ଦୁର୍ଘଟଣାରେ ଆହତକୁ ତତ୍‌କାଳ ପ୍ରାଥମିକ ଚିକିତ୍ସା ବା ଫାଷ୍ଟଏଡ୍ ସେବା ଦେବା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଏଥିପାଇଁ “ଫାଷ୍ଟ ଏଡ୍‌” ଉପକରଣ ଓ ସାମଗ୍ରୀ ଉପଲବ୍ଧ କରାଇବା ବିଶେଷ ଗୁରୁତ୍ୱ ରଖେ। ଏହାବ୍ୟତୀତ ଜରୁରୀକାଳୀନ ଚିକିତ୍ସା ଯୋଗାଣ ସୁବିଧା ଏ କ୍ଷେତ୍ରରେ ମଧ୍ୟ ଉଲ୍ଲେଖଯୋଗ୍ୟ। ଦୁର୍ଘଟଣାସ୍ଥଳରୁ ଜରୁରୀକାଳୀନ ଚିକିତ୍ସା ଯୋଗାଣ କେନ୍ଦ୍ର ଓ ହସ୍‌ପିଟାଲର ଦୂରତ୍ୱ କେତେ ଏବଂ କେତେ ସମୟ ମଧ୍ୟରେ ଆହତଙ୍କୁ ସେଠାରେ ପହଞ୍ଚାଇ ହେବ ତାହା ଉପରେ ମଧ୍ୟ ଆହତଙ୍କ ଜୀବନ ମୃତ୍ୟୁ ପ୍ରସଙ୍ଗ ନିର୍ଭରଶୀଳ। ବିଳମ୍ବରେ ହସ୍‌ପିଟାଲରେ ପହଞ୍ôଚବା ବେଳକୁ ଅନେକ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଥାଏ କିମ୍ବା ସେମାନେ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଥାନ୍ତି।

ରାଜସ୍ଥାନରେ ସଡକ ଦୁର୍ଘଟଣାରେ ମୃତ୍ୟୁହାର ହ୍ରାସ କରିବାରେ ଭୌଗୋଳିକ ସୂଚନା ସେବା(ଜୋଗ୍ରାଫିକ୍ ଇନ୍‌ଫରମେସନ ସିଷ୍ଟମ ବା ଜିଆଇଏସ୍‌)କିପରି ସହାୟକ ହୋଇଛି ତାହା ଏହି ପରିପ୍ରେକ୍ଷୀରେ ବିଚାର୍ଯ୍ୟ। ରାଜସ୍ଥାନର ପରିବହନ ବିଭାଗର ତଥ୍ୟ ଅନୁସାରେ ୨୦୧୮ରେ ରାଜ୍ୟରେ ୨୧,୭୪୩ ସଡକ ଦୁର୍ଘଟଣାରେ ୧୦, ୪୪୪ ଲୋକଙ୍କର ମୃତ୍ୟୁ ଘଟିଥିଲା। ରାଜସ୍ଥାନରେ ମୋଟ ସଡକ ବ୍ୟବସ୍ଥାରେ ୩.୮ ଶତାଂଶ ଜାତୀୟ ରାଜପଥ।

ତେବେ ଜାତୀୟ ରାଜପଥରେ ହିଁ ଦୁର୍ଘଟଣା ଓ ମୃତ୍ୟୁହାର ତୁଳନାତ୍ମକ ଭାବେ ବହୁ ଅଧିକ। ତଥ୍ୟ ଅନୁସାରେ ରାଜସ୍ଥାନରେ ଘଟୁଥିବା ସଡକ ଦୁର୍ଘଟଣା ମଧ୍ୟରୁ ଜାତୀୟ ରାଜପଥରେ ୩୦.୯ ଶତାଂଶ ଘଟିଥାଏ ଏବଂ ସେଥିରେ ମୃତ ଲୋକଙ୍କ ଅନୁପାତ ୩୭.୫ ପ୍ରତିଶତ। ଆଞ୍ଚଳିକ ବା ପ୍ରାଦେଶିକ ସଡକରେ ଜାତୀୟ ରାଜପଥ ତୁଳନାରେ କମ୍ ଦୁର୍ଘଟଣା ସେଠାରେ ଘଟେ। ୨୦୧୮ରେ ରାଜ୍ୟରେ ଘଟିଥିବା ସଡକ ମୋଟ ଦୁର୍ଘଟଣା  ମଧ୍ୟରୁ  ୨୪ ଶତାଂଶ କେବଳ ବିଭିନ୍ନ ଛକ ଜାଗାରେ ଘଟିଥିଲା। ରାଜ୍ୟର ରାଜଧାନୀ ଜୟପୁରରେ ସଡକ ଦୁର୍ଘଟଣା ହାର ସର୍ବାଧିକ ଏବଂ ଏଥିରେ ମୃତକ ସଂଖ୍ୟା ସେ ବର୍ଷ ଥିଲା ୧୨. ୩୨ ପ୍ରତିଶତ।

ଜିଆଇଏସ୍ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବାରେ ବିଶେଷ ଉପଯୋଗୀ ମାଧ୍ୟମ ସାବ୍ୟସ୍ତ ହୋଇଛି। କାରଣ ନିକଟବର୍ତ୍ତୀ ହସପିଟାଲକୁ ତୁରନ୍ତ ଏହା ଠାବ କରି ଆହତକୁ ସେଠାରେ ଯଥାଶୀଘ୍ର ପଠାଇବା କ୍ଷେତ୍ରରେ ସହାୟକ ହେଉଛି। ସଡକ ସମୂହରେ ବିଭିନ୍ନ ସ୍ଥାନରେ ବ୍ଲାକସ୍ପଟ୍ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଥାଏ। ସେଠାରେ ବାରମ୍ବାର ଦୁର୍ଘଟଣା ଘଟିଥାଏ। ତେଣୁ ଏସବୁ ବ୍ଲାକସ୍ପଟର ଅନତି ଦୂରରେ ଜରୁରୀକଳୀନ ଚିକିତ୍ସା ସୁବିଧା ବ୍ୟବସ୍ଥା ରହିବା ଉଚିତ।

ଏହାଛଡା ଏହି ସ୍ଥାନରୁ ସବୁଠୁ ପାଖରେ କେଉଁଠି ହସ୍‌ପିଟାଲ ଅଛି  ତାହା ଜାଣିବାକୁ ଏବଂ ଅବିଳମ୍ବେ ଆହତଙ୍କୁ ସେଠାକୁ ନେବାରେ ଜିଆଇଏସ୍ ତଥ୍ୟ ମାଧ୍ୟମରେ ସହାୟତା ଯୋଗାଉଛି। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯିବ ଓ ଜରୁରୀକାଳିନୀ ଚିକିତ୍ସା ସେବା ଯୋଗାଇ ଦେଇ ହେବ, ଆହତଙ୍କ ମୃତ୍ୟୁ ଓ ପଙ୍ଗୁ ହାର ସେତେ କମିବ।

ସଡକର ସ୍ଥିତି ଏବଂ ଏଥି ସହିତ ସମ୍ପୃକ୍ତ ବିଭିନ୍ନ କାରଣଗୁଡିକୁ ଭଲଭାବେ ବୁଝିବାରେ ଜିଆଇଏସ୍ ବିଶେଷ ସହାୟକ ହୋଇଥାଏ। ଜିଆଇଏସ୍ ଟୁଲ୍ସରେ ସଡକ ସଂକ୍ରାନ୍ତ ବିଭିନ୍ନ ତଥ୍ୟାବଳୀ ଉପଲବ୍ଧ ହୋଇଥାଏ। କେଉଁଠି ରାସ୍ତା ବିପଦ ସଙ୍କୁଳ, ଦୁର୍ଘଟଣାର ଆଶଙ୍କା   ଅଧିକ ରହିଛି, ସେସବୁ ତଥ୍ୟ ସ୍ପଷ୍ଟଭାବେ ଏହି ବ୍ୟବସ୍ଥାରୁ ମିଳିଥାଏ । ଆହୁରି ମଧ୍ୟ ଦୁର୍ଘଟଣା ଘଟିବା ମାତ୍ରେ ଜିଆଇଏସ୍ ଭିତ୍ତିକ ଆପ୍ ତୁରନ୍ତ ଜରୁରୀକାଳୀନ ଯାନ ସେବାକୁ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର ମାଧ୍ୟମରେ ସତର୍କ ସୂଚନା/ ଏସ୍‌ଓଏସ୍ ପଠାଇଥାଏ । ‘ଅଭୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର’ ଭଳି କେନ୍ଦ୍ରମାନ ଜରୁରୀକାଳୀନ ଉଦ୍ଧାରକାରୀ ଯାନକୁ ସବୁଠୁ ଦ୍ରୁତ ଓ ପ୍ରତିବନ୍ଧକ ହୀନ ମାର୍ଗରେ ଯିବାକୁ ବାଟ ବତାଇଥାଏ ।

ଆହୁରି ମଧ୍ୟ ଜିଆଇଏସ୍‌କୁ ପରିବହନ ବ୍ୟବସ୍ଥା ମଧ୍ୟରେ ରୁଟ୍ ପ୍ଲାନିଂ କ୍ଷେତ୍ରରେ ଏକ ଅତ୍ୟାବଶ୍ୟକ ଉପଯୋଗ(ଆପ୍ଲିକେଶନ) ଭାବେ ବ୍ୟବହାର କରି ହେବ ।ରାସ୍ତାରେ ଥିବା ପ୍ରତିବନ୍ଧକ ଯାନ ଚଳାଚଳରେ ଅନାବଶ୍ୟକ ବିଳମ୍ବ ଓ କ୍ଷତି ଘଟାଇଥାଏ । ଅତଏବ ବ୍ୟବସାୟ ଓ ଗମନାଗମନ ପାଇଁ କେଉଁ ସଡକ/ରାସ୍ତା ସୁବିଧାଜନକ ତଥା ନିରାପଦ ସେ କଥା ଲୋକେ ଜିଆଇଏସ୍ ଆପ୍ଲିକେସନରୁ ଆଗୁଆ ଜାଣି ସେ ରାସ୍ତା ବ୍ୟବହାର କରିବାର ସୁବିଧା ପାଇଥାନ୍ତି। ଏହି ବ୍ୟବସ୍ଥା  ବି ଲୋକଙ୍କୁ ନିରାପଦ ଯାତ୍ରାର ସୁଯୋଗ ଦେବା ସହିତ ସେମାନଙ୍କର ସମୟ ଓ  ଅର୍ଥ ବଂଚାଇବାରେ ସହାୟକ ହୋଇଥାଏ।

ସଡକ ନିରାପତ୍ତା କ୍ଷେତ୍ରରେ ଜିଆଇଏସ୍ ଏକ ଶକ୍ତିଶାଳୀ ନିଷ୍ପତ୍ତିଗ୍ରହଣକାରୀ ଟୁଲର ଭୂମିକା ନିର୍ବାହ କରିବାକୁ ସମର୍ଥ। ଏହା ଦ୍ୱାରା ସଡକ ନିରାପତ୍ତା ଅଧିକ ସୁରକ୍ଷିତ ହୋଇପାରିବ। ଜିଆଇଏସ୍ ଭିତ୍ତିକ ଆପ୍ଲିକେସନରୁ ଲବ୍ଧ ଡାଟା ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ତ୍ୱରିତ ଏବଂ ସଫଳ ନିଷ୍ପତ୍ତି ନେଇ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରାଯାଇପାରିବ। ଆହୁରି ମଧ୍ୟ ସଡକ ପଥରେ ଗମନାଗମନ ବ୍ୟବସ୍ଥାକୁ ସହଜ ଓ ନିରାପଦ କରିବାରେ ଏହାର ଡାଟା ଓ ଇନ୍‌ସାଇଟ୍ ସହାୟକ ହୋଇପାରିବ। ଏହି ତଥ୍ୟକୁ ଆଧାର କରି ସରକାର ସଡକର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ସହଜରେ କରିପାରିବେ। ଏହାଫଳରେ ସଡକ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବ।

ବିଭିନ୍ନ ସରକାରୀ ବିଭାଗରେ ଦୁର୍ଘଟଣାଜନିତ ତଥ୍ୟାବଳୀ ଉପଲବ୍ଧ। ସମ୍ପୃକ୍ତ ବିଭାଗଗୁଡିକ ଏହି ତଥ୍ୟାବଳୀ ବା ଡାଟାକୁ ବୃହତ୍ତର ଜନସ୍ୱାର୍ଥ ପାଇଁ ସେୟାର କରିପାରିବେ। ଏହି ତଥ୍ୟକୁ ମଧ୍ୟ ବ୍ୟାବସାୟିକ କାମରେ ଲଗାଇ ସରକାର ଆୟ କରିବାର ସୁଯୋଗ ପାଇବେ। ଏହାବ୍ୟତୀତ ଏହି ସବୁ ଦୁର୍ଘଟଣାଜନିତ ତଥ୍ୟ ଆଧାରରେ ସରକାର ସଡକଗୁଡିକର ବ୍ଲାକସ୍ପଷ୍ଟ /ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକକୁ ସହଜରେ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା କରିବା ସହିତ ଗମନାଗମନର ସୁବିଧା ପାଇଁ ଗୁଗୁଲ, ହିୟର, ମ୍ୟାପ୍ ମାଏଁ ଇଣ୍ଡିଆ ଭଳି ସେବା ପ୍ରଦାନକାରୀ ସଂସ୍ଥାକୁ ତଥ୍ୟ ଯୋଗାଇପାରିବେ।

ଏସବୁ ତଥ୍ୟ ନିୟମିତଭାବେ ପେଡ୍‌/ଫ୍ରି ଟୁ ୟୁଜ୍ ଏପିଆଇ/ ଘରୋଇ ସେବା ପ୍ରଦାନକାରୀଙ୍କୁ ଯୋଗାଇ ଦେଇ ହେବ। ସମ୍ପୃକ୍ତ ସେବା ପ୍ରଦାନକାରୀ ସଡକ ନିରାପତ୍ତା ପାଇଁ ଏହି ତଥ୍ୟାବଳୀକୁ ଜନହିତରେ ଜାରି କରିପାରିବେ। ଏହି ଡାଟାରେ ନିମ୍ନଲିଖିତ ତଥ୍ୟାବଳୀକୁ ଅନ୍ତର୍ଭୁକ୍ତ କରାଯାଇପାରିବ, ଯାହା ସଡକ ସୁରକ୍ଷା ଏବଂ ଡ୍ରାଇଭର ଆସିଷ୍ଟାଣ୍ଡ ସଲ୍ୟୁସନ୍ସ ଆକାରରେ ଉପଲବ୍ଧ ହୋଇପାରିବ।

ସେଗୁଡିକ ହେଲା-

  • ଦୁର୍ଘଟଣା ପ୍ରବଣ ଅଞ୍ଚଳ/କ୍ଷେତ୍ର, ସଡକ ଓ ଛକର ସୂଚନା ପ୍ରଦାନ
  • ପ୍ରତ୍ୟେକ ସଡକ ପାଇଁ ଗାଡିର ବେଗ ନିର୍ଦ୍ଧାରଣ କରି ତାହାକୁ କାର୍ଯ୍ୟକାରୀ କରିବାକୁ ସୁପାରିସ ।
  • ବିଭିନ୍ନ ଋତୁରେ ସଡକଗୁଡିକର ପ୍ରକାର ଏବଂ ସେଗୁଡିକର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ ।
  • ଟ୍ରାଫିକ ସାଇନ ଓ ସିଗ୍‌ନାଲ ସୂଚନା ପ୍ରଦାନ ଇତ୍ୟାଦି ।

ସଡକ ବିକାଶ ଯୋଜନାରେ ଜିଆଇସିର ତଥ୍ୟକୁ ବ୍ୟବହାର କରି  ଭିତ୍ତିଭୂମି ଓ ଉନ୍ନତୀକରଣ କାର୍ଯ୍ୟ କରାଯାଇପାରିବ। ରାସ୍ତା/ସଡକରେ ବର୍ତ୍ତମାନ ଅବସ୍ଥା ଓ ସମସ୍ୟାବଳୀ ସଂକ୍ରାନ୍ତ ତଥ୍ୟ ଜିଆଇସିରୁ ମିଳିପାରିବ ଏବଂ ତାହାକୁ ବିଚାରକୁ ନେଇ ନୂଆ ଯୋଜନା କରି ହେବ। ଏହା ମଧ୍ୟ ସଡକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହୋଇପାରିବ। ସଡକର ବିକାଶ ଓ ରକ୍ଷଣାବେକ୍ଷଣ କାମରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ  ଅବଦାନ ଯୋଗାଇବ।

ସର୍ବୋପରି ସରକାର ଜିଆଇଏସ୍ ଡାଟାକୁ ବ୍ୟବହାରକରି ସଡକ ଭିତ୍ତିଭୂମି ନିର୍ମାଣର ରଣନୀତି ପ୍ରସ୍ତୁତ କରିପାରିବେ ଏବଂ ଏଥିରେ ସଫଳ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବ। ରାଜ୍ୟ ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚଏ ଆଇ) ଜିଆଇଏସ୍  ଡାଟାକୁ ବ୍ୟବହାର କରି ସଡକ ଯୋଜନା, ନିର୍ମାଣ, ବିକାଶ, ଏହାର ରକ୍ଷଣାବେକ୍ଷଣ କାମ ସହଜରେ କରିପାରିବେ।

ଜିଆଇଏସ୍ ଆପ୍ଲିକେସନ ମାଧ୍ୟମରେ ସଂଗୃହୀତ ଡାଟା ପୂର୍ତ୍ତବିଭାଗ (ପିଡବ୍ଲ୍ୟୁଡି) ପାଇଁ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହି ତଥ୍ୟ ଆଧାରରେ ପିଡବ୍ଲ୍ୟୁଡି ସଡକ ନିର୍ମାଣ ଯୋଜନା, ଏହାର ନିର୍ମାଣ କାମ, ରକ୍ଷଣାବେକ୍ଷଣ ଆଦି ସହଜରେ କରିପାରିବ । ଏହି ତଥ୍ୟକୁ ଜୟପୁର ବିକାଶ ପ୍ରାଧିକରଣ, ଯୋଧପୁର ବିକାଶ ପ୍ରାଧିକରଣ ଭଳି ସଂସ୍ଥା ବ୍ୟବହାର କରି ରାଜ୍ୟ ଓ ଅଞ୍ଚଳର ସଡକ ବିକାଶ କାର୍ଯ୍ୟକୁ ସୁଗମ କରିପାରିବେ।

ଜିଆଇଏସ୍ ଦ୍ୱାରା ସଂଗୃହୀତ ଦୁର୍ଘଟଣାଜନିତ ତଥ୍ୟକୁ ଭିତ୍ତିକରି ସଡକର ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ପ୍ରତିକାର ବ୍ୟବସ୍ଥା କରାଯାଇପାରିବ। ଏହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ। ସବୁ ରାଜ୍ୟ ଏବଂ  କେନ୍ଦ୍ର ସରକାରଙ୍କ ପାଇଁ ଏହି ତଥ୍ୟ ବିଶେଷ ଗୁରୁତ୍ୱ ବହନ କରେ।

(ଲେଖକ ଜଣେ ଆଇଏଏସ୍ ଅଧିକାରୀ ଏବଂ ରାଜସ୍ଥାନ ସରକାରଙ୍କ ଆଇଟି ଆଣ୍ଡ ସିର କମିଶନର ତଥା ଆର୍‌ଆଇଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ।)