Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରୁ ଜିଆର‌ଏସଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ଧାତୁକିମାଲ ଗ୍ରାମ ନିକଟ ରାସ୍ତା କଡ଼ରୁ ଘୋଷରାମାଲ ପଞ୍ଚାୟତର ଜି‌ଆର‌ଏସଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଜି‌ଆର‌ଏସ ଜଣଙ୍କ ହେଲେ ନାକଟିଦେଉଳ ଗ୍ରାମର ପ୍ରଦ୍ୟୁମ୍ନ ଦାଶ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତରର ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସ ସବୁଦିନ ପରି ଗତକାଲି ମଧ୍ୟ ଘୋଷରାମାଳ ଗ୍ରାମକୁ ଯାଇ ନିଜର ଫିଲଡ୍ କାମ କରିଥିଲେ। ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘର ବୁଲିଦେଖିଥିଲେ। ଫଟୋ ମଧ୍ୟ ଉଠାଇଥିଲେ।

ସଂଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ନ ଫେରିବାରୁ ପରିବାର ତାଙ୍କ ମୋବାଇଲକୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା। ପରିବାର ଲୋକେ ଘୋଷରାମାଳ ଆସି ବହୁ ସମୟ ଖୋଜା ଖୋଜି କରିବା ପରେ ଝାଟୁକିମାଳ ନିକଟସ୍ଥ ରାସ୍ତା କଡରୁ ମୃତଦେହ ପାଇଥିଲେ।

ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା। ମୃତକଙ୍କ ମୁଣ୍ଡରେ ଏବଂ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଦ୍ୟୁମ୍ନ ବାଇକ୍ ରୁ ପଡି ଛାତିରେ ଆଘାତ ବାଜିଥିବାରୁ ମୃତ୍ୟୁ ହୋଇଥିବା ପୋଲିସ୍ କହିଛି।

ଆଜି ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରିଫେରି ଯାଇଛି। ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପି ଓ ପ୍ରଶାନ୍ତ ମେହେର, ରେଢାଖୋଲ ଥାନାଅଧିକାରୀ ସମେତ ପୋଲିସ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ।

ପୋଲିସ୍ ଏହାର ତଦନ୍ତ କରୁଥିବା ବେଳେ କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ୍ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କା ବାଟ ମାରଣା ଅଭିଯୋଗ: ଦୋଷ ସ୍ୱୀକାର କରିଥିବା ଜିଆରଏସଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ବର୍ତ୍ତମାନ ଭିନ୍ନ ମୋଡ଼ ନେବାରେ ଲାଗିଛି। ହିତାଧିକାରୀମାନଙ୍କୁ ବାରମ୍ବାର ପୋଲିସ ଡ଼ାକି ପଚରା ଉଚୁରା ଜାରି ରଖିଥିବା ବେଳେ, ହିତାଧିକାରୀ ଶ୍ରମିକମାନଙ୍କୁ ଅଭିଯୁକ୍ତ ମାନେ ବନ୍ଧାହୋଇ ଫେରିଲା ପରେ ଆକ୍ରମଣ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ

ରାମପୁର ଥାନା କେସ୍ ନମ୍ବର ୪୩/୨୦୨୧ ଅନୁଯାୟୀ ୪୨୦, ୪୬୭, ୪୬୮ ଏବଂ ୩୪ ଆଇପିସି ଧାରାରେ ୩ଜଣ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ୨୦ ଲକ୍ଷ ଟଙ୍କା କେମିତି ହଡ଼ପକାରୀମାନଙ୍କ ଠାରୁ ଆଦାୟ କରାଯିବ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଏପରି ସ୍ଥଳେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଜିଆରଏସ ତଥା ଗ୍ରାମ ରୋଜଗାର ସେବକ ଆଦବାରୁ ମାଝୀ ଅନାୟାସରେ ଘୁରି ବୁଲୁଛନ୍ତି। ତାଙ୍କର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ତାଙ୍କ ପାଖକୁ ଆଇନର ଲମ୍ବାହାତ କିପରି ପହଞ୍ଚି ପାରୁ ନାହିଁ ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ସମ୍ପୂର୍ଣ୍ଣ ଘଟଣାବଳୀକୁ ନିରିଖେଇ ଦେଖିଲେ ଜିଆରଏସ ଆଦବାରୁ ମାଝୀଙ୍କ ଭୂମିକା ସନ୍ଦେହ ଘେରରେ ରହିଥିବା ଜଳ ଜଳ ହୋଇ ବାରିହୋଇ ପଡୁଥିବା ବେଳେ ପ୍ରଶାସନ କାହିଁକି ହାତବାନ୍ଧି ବସିଛି ତାହା ବୁଝା ପଡୁନାହିଁ।

ଅନ୍ୟପକ୍ଷେ ଜିଆରଏସ ଆଦବାରୁ ମାଝୀ ନିଜେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଦୋଷ ସ୍ୱୀକାର କରିଥିବା ସ୍ଥଳେ କାହିଁକି ପୋଲିସ ବିଭାଗ ନୀରବି ଗଲେ ତାହାନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଜିଆରଏସ ଆଦବାରୁ ମାଝୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ କେବେ ଗରିବ ଲୋକମାନେ ତାଙ୍କ ପାରିଶ୍ରମିକ ମଜୁରୀ ଫେରି ପାଇବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।