ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜିକା ଭୂତାଣୁ ସଂକ୍ରମଣର କିଛି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଡକ୍ଟର ଅତୁଲ ଗୋଏଲ ରାଜ୍ୟମାନଙ୍କୁ ଏକ ଉପଦେଶାବଳୀ ଜାରି କରି ଦେଶରେ ଜିକା ଭୂତାଣୁର ସ୍ଥିତି ଉପରେ ନିରନ୍ତର ନଜର ରଖିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି।
ଯେହେତୁ ଜିକା ଭୁତାଣୁ ପ୍ରଭାବିତ ଗର୍ଭବତୀ ମହିଳାଙ୍କ ଭ୍ରୁଣର ମାଇକ୍ରୋସେଫାଲି ଏବଂ ସ୍ନାୟବିକ ପରିଣାମ ସହିତ ଜଡିତ, ତେଣୁ ରାଜ୍ୟ ଗୁଡ଼ିକର ଡାକ୍ତରମାନଙ୍କୁ ଅତି ସତର୍କତାର ସହିତ ଏହାର ତଦାରଖ କରିବା ପାଇଁ ପରାମର୍ଶ ଦିଆଯାଇଛି । ଜିକା ଭୂତାଣୁ ସଂକ୍ରମଣ ପାଇଁ ଗର୍ଭବତୀ ମହିଳା ମାନଙ୍କର ଯାଂଚ କରିବା, ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ଭାବରେ ଚିହ୍ନଟ ହୋଇଥିବା ଗର୍ଭବତୀ ମାଆଙ୍କ ଭ୍ରୂଣର ବିକାଶ ଉପରେ ନଜର ରଖିବା ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ପ୍ରଭାବିତ ଅଞ୍ଚଳରୁ ଆସୁଥିବା ମାଆ ମାନଙ୍କର ଭଲ ଭାବରେ ଯାଂଚ କରିବାକୁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । ଏଡିସ ମଶା ମୁକ୍ତ ରଖିବା ପାଇଁ ତଦାରଖ ଏବଂ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଜଣେ ନୋଡାଲ ଅଫିସର ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ କେନ୍ଦ୍ର/ ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦେବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଆବାସିକ ଅଞ୍ଚଳ, କର୍ମକ୍ଷେତ୍ର, ବିଦ୍ୟାଳୟ, ନିର୍ମାଣ ସ୍ଥଳ, ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ସୁବିଧାରେ କୀଟ ବିଜ୍ଞାନ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ଭେକ୍ଟର ନିୟନ୍ତ୍ରଣ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟଗୁଡ଼ିକ ଗୁରୁତ୍ୱାରୋପ କରିବାକୁ କୁହାଯାଇଛନ୍ତି । ଜିକା ଭୂତାଣୁର ସଂକ୍ରମଣ ଅନ୍ୟ ଯେ କୌଣସି ଭୂତାଣୁ ସଂକ୍ରମଣ ପରି ହୋଇଥିବାରୁ ଏବଂ ଅଧିକାଂଶ ମାମଲା ଲକ୍ଷଣ ବିହୀନ ତଥା ସାମାନ୍ୟ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଏ ବାବଦରେ ଆତଙ୍କକୁ କମ୍ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ପ୍ଲାଟଫର୍ମରେ ସତର୍କତାମୂଳକ ଆଇଇସି ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି । ଯଦିଓ ଏହା ମାଇକ୍ରୋସେଫାଲି ସହ ଜଡ଼ିତ ବୋଲି କୁହାଯାଉଛି, କିନ୍ତୁ ୨୦୧୬ ପରଠାରୁ ଦେଶରେ କୌଣସି ଜିକା ସମ୍ବନ୍ଧିତ ମାଇକ୍ରୋସେଫାଲିର ରିପୋର୍ଟ ସାମ୍ନାକୁ ଆସିନାହିଁ ।
\ଯେ କୌଣସି ସମ୍ଭାବ୍ୟ ସଂକ୍ରମଣ/ପ୍ରକୋପକୁ ଠିକ୍ ସମୟରେ ଚିହ୍ନଟ ଏବଂ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ସତର୍କ, ପ୍ରସ୍ତୁତ ଏବଂ ସମସ୍ତ ସ୍ତରରେ ଉପଯୁକ୍ତ ଲଜିଷ୍ଟିକ୍ ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହିତ ଏ ବାବଦରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଏବଂ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ (ଏନସିଭିବିଡିସି)କୁ ତୁରନ୍ତ ରିପୋର୍ଟ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି ।
ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)ରେ ଜିକା ପରୀକ୍ଷା ସୁବିଧା ଉପଲବ୍ଧ ରହିଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଦିଲ୍ଲୀ ଏବଂ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର କିଛି ଚୟନ ହୋଇଥିବା ଭୂତାଣୁ ଗବେଷଣା ଏବଂ ନିଦାନ ପରୀକ୍ଷାଗାରରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେଉଛି । ଏହାର ମଧ୍ୟ ଉଚ୍ଚ ସ୍ତରରେ ସମୀକ୍ଷା କରାଯାଉଛି ।
ଡିଜିଏଚଏସ୍ ମଧ୍ୟ ଏ ସମ୍ପର୍କରେ ଏପ୍ରିଲ ୨୬ ତାରିଖରେ ଏକ ଉପଦେଶାବଳୀ ଜାରି କରିଥିଲା ଏବଂ ଏନସିଭିବିଡିସି ନିର୍ଦ୍ଦେଶକ ୨୦୨୪ ଫେବୃଆରୀ ଏବଂ ଏପ୍ରିଲରେ ଭେକ୍ଟର ମଶା ଦ୍ୱାରା ସଂକ୍ରମିତ ଜିକା, ଡେଙ୍ଗୁ ଏବଂ ଚିକୁନଗୁନିଆ ଉପରେ ରାଜ୍ୟମାନଙ୍କୁ ଦୁଇଟି ଉପଦେଶାବଳୀ ଜାରି କରିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ପୃଷ୍ଠଭୂମି:
ଜିକା ଡେଙ୍ଗୁ ଓ ଚିକୁନଗୁନିଆ ଭଳି ଏଡିସ ମଶାବାହିତ ଭୂତାଣୁ ଜନିତ ରୋଗ । ଏହା ଏକ ଅଣ-ପ୍ରାଣଘାତୀ ରୋଗ । ତେବେ ପ୍ରଭାବିତ ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ଶିଶୁମାନଙ୍କର ମାଇକ୍ରୋସେଫାଲି (ମୁଣ୍ଡର ଆକାର ହ୍ରାସ) ସହିତ ଜିକା ଜଡିତ , ଯାହା ଏହାକୁ ଏକ ବଡ଼ ଚିନ୍ତାର କାରଣ ଭାବରେ ପରିଣତ କରିଛି ।
୨୦୧୬ରେ ଗୁଜରାଟ ରାଜ୍ୟରୁ ଭାରତରେ ପ୍ରଥମ ଜିକା ଭୂତାଣୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ।
୨୦୨୪ରେ (ଜୁଲାଇ ୨ତାରିଖ ସୁଦ୍ଧା ) ମହାରାଷ୍ଟ୍ରର ପୁଣେ (୬), କୋହ୍ଲାପୁର (୧) ଏବଂ ସାଙ୍ଗମନେର (୧) ରୁ ୮ଟି ମାମଲା ସାମ୍ନାକୁ ଆସିଛି ।