ଭୁବନେଶ୍ବର: ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଡକ୍ୟୁ ଫିଲ୍ମ ‘ମିଶନ ଶକ୍ତି’ କୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା ମିଳିଛି।
ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀରେ ଓଡ଼ିଶା ଅଂଶ ଗ୍ରହଣ କରିବା ସହ 3.22 ମିନିଟର ‘ମିଶନ ଶକ୍ତି’ ଶୀର୍ଷକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏହାକୁ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।
ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(SHG) କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ ବିଚାରକ ମଣ୍ଡଳୀ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେବା ସହ ଅଭିଭୂତ ହୋଇଥିଲେ। ସେଥିପାଇଁ ଜାତିସଂଘ ପକ୍ଷରୁ ମିଶନ ଶକ୍ତି-ଡକ୍ୟୁ ଫିଲ୍ମ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଥିଲା। ଏନେଇ ପ୍ରଶଂସା ପତ୍ର ଓ ଉପଢୌକନକୁ ପ୍ରଦାନ କରାଯାଇଛି।
ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମତ୍ସ୍ୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ତାହାକୁ ଗ୍ରହଣ କରିଛନ୍ତି। ଏହାର ନିର୍ମାଣ ସହ ନିର୍ଦ୍ଦେଶନା ଜିତେନ୍ଦ୍ର ପଟ୍ଟନାୟକ ଦେଇଥିବାରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ଦେଇ ସାଧୁବାଦ ଦିଆଯାଇଛି।
ତେବେ ଉକ୍ତ କ୍ଷୁଦ୍ର ପ୍ରମାଣିକ ଚଳଚିତ୍ରରେ ସାବିତ୍ରୀ ଫିଲ୍ମର ପ୍ରଯୋଜକ ଜିତେନ୍ଦ୍ର ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ ସେମାନେ ହେଉଛନ୍ତି ଅନିତ୍ୟ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ପିଣ୍ଟୁ ମିଶ୍ର, ମାନସ ରଞ୍ଜନ ପାତ୍ର, ନିଲୁ ଓ ପତିତ।