Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ଆଜି କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଶେଷ ଦିନ ଥିଲା। ଲୋକସେବା ଭବନ କନଫ୍ରେନସ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇଥିଲେ। ସେ ଯାହା କହିଛନ୍ତି ତାହା ହେଲା…

ସର୍ବ ପ୍ରଥମେ ମୁଁ ଓଡିଶା ପୋଲିସକୁ ଧନ୍ୟବାଦ ଦେବି ଏବଂ ମୋର କହିବାରେ ତିଳେମାତ୍ର ଦ୍ଵିଧା ନାହିଁ ଯେ ମୋଟାମୋଟି ଭାବେ ଓଡିଶା ପୋଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୋଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୋଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ ପୋଲିସର ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡିଶା ନିରନ୍ତର ଭାବେ ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି।

ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟର ସଂରଚନାର ସଂକଳ୍ପକୁ ସାକାର କରିବାରେ ସ୍ଵରାଷ୍ଟ୍ର ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ଏବଂ ଆପଣମାନେ ଏହି ବିଭାଗର ମେରୁଦଣ୍ଡ ସଦୃଶ ନିଜର ଦାୟିତ୍ୱ ତୁଲାଉଥିବାରୁ ମୁଁ ଆପଣ ସମସ୍ତଙ୍କୁ ସାଧୁବାଦ ଜଣାଉଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବିଗତ ଦିନରେ ପୋଲିସର ପ୍ରଭାବଶାଳୀ ଓ ସକ୍ରିୟ ଭୂମିକାଯୋଗୁଁ ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଦୀର୍ଘ ବର୍ଷ ପରେ ନିର୍ବାଚନ ଅଘଟଣ-ମୁକ୍ତ ଥିଲା। ଏହା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ପୋଲିସର ସୁବନ୍ଦୋବସ୍ତ ଫଳରେ ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହୋଇଥିଲା । ଏଥିପାଇଁ ମୁଁ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଉଛି ।

ଦିନ ଥିଲା ଆମ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଭାଗ ମାଓବାଦୀ ଏବଂ ନକ୍ସଲବାଦୀ ହିଂସାର ଶିକାର ହୋଇଥିଲା। ଅନେକ ଜିଲ୍ଲାରେ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଥିଲା। କିନ୍ତୁ, ରାଜ୍ୟ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତାରେ ଓଡ଼ିଶାକୁ ଏହି ହିଂସା ରୂପକ ଭାଇରସରୁ ମୋଟା ମୋଟି ଭାବେ ମୁକ୍ତ କରିପାରିଛି। ଏଥିପାଇଁ ଅନେକ ତ୍ୟାଗ ଓ ବଳିଦାନ ମଧ୍ୟ ଦେବାକୁ ପଡିଛି ରାଜ୍ୟ ପୋଲିସକୁ। ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ପକ୍ଷରୁ ଓଡିଶା ପୋଲିସର ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କିନ୍ତୁ ଏହି ଲଢେଇ ସମାପ୍ତ ହୋଇନାହିଁ। ଯଦିଓ ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି, ତଥାପି ଆଜି ବି ରାଜ୍ୟର କିଛି ଅଞ୍ଚଳରେ ପରିସ୍ଥିତି ଆହ୍ଵାନପୂର୍ଣ୍ଣ ରହିଛି |

ଗତ ମାସ ୨୪ ତାରିଖ ଛତିଶଗଡ଼ର ରାୟପୁର ଠାରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନକ୍ସଲ ପ୍ରଭାବିତ ରାଜ୍ୟ ମାନଙ୍କର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦେଶକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ଆମ ସରକାର କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲବାଦକୁ ନିର୍ଧାରିତ ସମୟ ମଧ୍ୟରେ ଓଡିଶାରୁ ନିପାତ କରିବା ପାଇଁ ଦୃଢ ସଂକଳ୍ପବଦ୍ଧ । ଏହା ପାଇଁ ପୋଲିସ ବାହିନୀକୁ ସୁଦୃଢ କରିବାକୁ ଆବଶ୍ୟକୀୟ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହନ ଯଥା ଶୀଘ୍ର ଯୋଗାଇ ଦିଆଯିବ । ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ଆରକ୍ଷୀ ଅଧିକ୍ଷକମାନେ ମାଓ ଦମନ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାଓବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ ।

ପ୍ରାୟ ସପ୍ତାହେ ତଳେ କିଛି ମାଓ ହିଂସା ପୀଡିତଙ୍କୁ ଭେଟିବା ଅବସରରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀ କହିଛନ୍ତି ଯେ ମାଓବାଦ ଜନିତ ହିଂସା ଅତି ବେଶୀରେ ୩୧ ମାର୍ଚ୍ଚ ୨୦୨୬ ଦିନ ସୁଦ୍ଧା ତା’ର ଶେଷ ନିଶ୍ଵାସ ତ୍ୟାଗ କରିବ। ତେଣୁ ମୁଁ ଏହି ମଞ୍ଚରୁ ମାଓବାଦୀଙ୍କୁ ପରାମର୍ଶ ଦେବି ସେମାନେ ହିଂସା ତ୍ୟାଗକରି ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ, ନ ହେଲେ ସେମାନଙ୍କ ପାଇଁ ପରିଣାମ କ’ଣ ହେବ ସେମାନେ ଠିକ ଭାବେ ଜାଣିଛନ୍ତି। ମାଓ ହିଂସାକୁ ଦମନ କରିବା ପାଇଁ ରାଜ୍ୟ ପୁଲିସ ଏବଂ ସୁରକ୍ଷା ବଳ ପାଇଁ ସରକାରଙ୍କ ତରଫରୁ ବ୍ଳାଙ୍କ ଚେକ (blank check) ପ୍ରଦାନ କରାଯାଇଛି।

ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ତାଙ୍କର ଦୃଢ ନେତୃତ୍ଵ ଓ ମାର୍ଗଦର୍ଶନରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବିରୋଧରେ ଘଟୁଥିବା ଅପରାଧର ତୁରନ୍ତ ସମାଧାନ ଏବଂ ତ୍ଵରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୋଷୀକୁ କଠୋର ଦଣ୍ଡବିଧାନ କରିବା ଆମ ସରକାର ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି । ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଅପରାଧରେ ଶିକାର ହେଉଥିବା ପୀଡ଼ିତା ମାନଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଅପରାଧୀ ଯେ କୌଣସି ପଦମର୍ଯ୍ୟାଦାରେ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହିଳାମାନଙ୍କ ବିରୁଦ୍ଧରେ ଘଟୁଥିବା ମାମଲାଗୁଡିକରେ ନିରପେକ୍ଷ ତଦନ୍ତ କରିବା ନିତାନ୍ତ ଆବଶ୍ୟକ ।

ମୁଁ ଆଉ ଗୋଟିଏ ଦିଗକୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଗତ ୨୨ ବର୍ଷ ଅର୍ଥାତ ୨୦୨୨ ସୁଦ୍ଧା ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନର ହାର ହେଉଛି ପ୍ରାୟ ୯.୭୩ ପ୍ରତିଶତ ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ଏହା ଯେ କୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ। ଏହାର କେବଳ ଦୁଇଟି ଅର୍ଥ – ପୋଲିସର ତଦନ୍ତ ଠିକ ଭାବେ ହେଉନାହିଁ କିମ୍ବା ତ୍ଵରିତ ଦଣ୍ଡ ବିଧାନ ପାଇଁ ଆନ୍ତରିକତା ନାହିଁ। କିନ୍ତୁ ଆମ ସରକାର ଏହାକୁ କୌଣସି ପ୍ରକାରେ ବରଦାସ୍ତ କରିବେ ନାହିଁ।

ମୁଁ ପୋଲିସ ମହାନିର୍ଦ୍ଦେଶକଙ୍କୁ କହିବି ମହିଳା ହିଂସା ସମ୍ବନ୍ଧରେ ଜିଲ୍ଲାୱାରୀ ଓ ହିଂସା ପ୍ରକାର-ୱାରୀ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହିତ ପ୍ରତି ଜିଲ୍ଲାରେ ଦଣ୍ଡ ବିଧାନ (conviction) ତଥା ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ ଓ ତାହାର କାରଣ ବିଷୟରେ ଏକ ସପ୍ତାହ ମଧ୍ୟରେ ତଥ୍ୟ ଦେବେ। ଏହାକୁ ସଠିକ ଭାବେ ଅନୁଧ୍ୟାନ କରିସାରିବା ପରେ ଆଇନ ବିଭାଗ ସହିତ ବିଚାର ବିମର୍ଶ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ବିଗତ ବର୍ଷ ଗୁଡିକର ରେକର୍ଡ ଦେଖିଲେ ମୋ ମନକୁ ଗଭୀର ଆଘାତ ଲାଗିଛି। ମହିଳାଙ୍କ ବିରୁଦ୍ଧରେ ଅସଦାଚରଣ ଯାହାକୁ ସାଧାରଣ ଭାବେ ଇଭ ଟିଜିଙ୍ଗ (Eve Teasing) କୁହାଯାଏ ଓଡିଶାରେ ଦୁର୍ଭାଗ୍ୟବଶତଃ ବହୁତ ଅଧିକ। ମୁଁ ଏଥିନେଇ ମର୍ମାହତ। ତେଣୁ ପୋଲିସ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଏବଂ ନିଶ୍ଚିତ କରିବା ଦରକାର ଆମ ରାଜ୍ୟର ଛାତ୍ରୀ, ଯୁବତୀ ଏବଂ ମହିଳା ଭାବେ ଅବାଧରେ ସ୍ବଇଚ୍ଛାରେ ବିଚରଣ କରି ପାରିବେ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯାହାସବୁ କରିବା ଆବଶ୍ୟକ ତୁରନ୍ତ କରନ୍ତୁ। ଏକ ସଭ୍ୟ ସମାଜରେ ଏ ପ୍ରକାର ଘୃଣ୍ୟ କାର୍ଯ୍ୟର କୌଣସି ସ୍ଥାନ ନାହିଁ ।

ଥାନାକୁ ନ୍ୟାୟ ପାଇଁ ଆସୁଥିବା ଲୋକମାନଙ୍କ ପ୍ରତି ବିଶେଷକରି ମହିଳାଙ୍କ ପ୍ରତି ସୌଜନ୍ୟତା ଓ ଶୃଙ୍ଖଳାର ସହ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ତଥା ସେମାନଙ୍କ ଅଭିଯୋଗକୁ ଧର୍ଯ୍ୟର ସହ ଶୁଣିବା ଏକାନ୍ତ ଆବଶ୍ୟକ । ସେମାନେ ଦିନବେଳା ଆସନ୍ତୁ, ସନ୍ଧ୍ୟା ଅଥବା ରାତିର ଆସନ୍ତୁ। ସେମାନେ ଯେପରି ପୋଲିସ ଠାରୁ ଉତ୍ତମ ବ୍ୟବହାର ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏତଦବ୍ୟତୀତ, ପ୍ରତି ମାସରେ ଜିଲାୱାରୀ ହେଉଥିବା ଅପରାଧ ସମୀକ୍ଷା ସଭାରେ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ସଚେତନ କରାଯିବା ଉଚିତ। ଜନସଚେତନତା ସୃଷ୍ଟି କରିବା ସହ ପୁଲିସ ଜନସାଧାରଣଙ୍କ ବନ୍ଧୁ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ଥାନା ଗୁଡିକରେ ଥିବା ମହିଳା ଓ ଶିଶୁ ଡ଼େସ୍କ କୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ଅଛି, ଫଳରେ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଘଟୁଥିବା ବିଭିନ୍ନ ଅପରାଧ ଗୁଡିକର ସଫଳ ତଦନ୍ତ ନିମନ୍ତେ ପଦକ୍ଷେପ ନିଆଯାଇ ପାରିବ ।
ଓଡିଶା ପୋଲିସର ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ତେଣୁ, ପୋଲିସ କେବଳ ନ୍ୟାୟପୂର୍ଣ୍ଣ ବ୍ୟବହାର କଲେ ଯଥେଷ୍ଟ ହେବ ନାହିଁ, ଏହାକୁ ସାଧାରଣ ଲୋକ ଅନୁଭବ ମଧ୍ୟ କରିବା ଉଚିତ। ଯେମିତି ଇଂରାଜିରେ କୁହାଯାଏ, ‘Not only giving justice, but should be seen to be giving justice’. ଆଶା କରୁଛି, ଏହି ଦିଗପ୍ରତି ପୋଲିସକୁ ବିଭିନ୍ନ ସ୍ତରରେ ନେତୃତ୍ଵ ଦେଉଥିବା ଅଧିକାରୀମାନେ ଦୃଷ୍ଟି ଦେବେ।

ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅନଲାଇନ୍ ନିର୍ଯ୍ୟାତନାକୁ ପ୍ରତିହତ କରିବା ପାଇଁ ସାଇବର୍ କମ୍ପ୍ଲେକ୍ସ , ଭୁବନେଶ୍ୱର ଠାରେ ଶିଶୁ ଓ ମହିଳା ଅନଲାଇନ୍ ନିର୍ଯ୍ୟାତନା ମନିଟରିଂ ୟୁନିଟ୍ ( Children and Women Abuse Monitoring Unit) କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକ ସୁଦୃଢ ତଥା ଏହାର ସଫଳ ରୂପାୟନ ପାଇଁ ମୁଁ ଆଶା ବ୍ୟକ୍ତ କରୁଛି । Cyber Crimeକୁ ରୋକିବା ପାଇଁ ପୋଲିସ ନିଜେ ଟେକନୋଲଜିକୁ ବହୁଳ ଭାବେ ବ୍ୟବହାର କରିବା ଉଚିତ। ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସର ଭୂମିକା ପ୍ରଶଂସନୀୟ ।

ବେଆଇନ ନିଶା କାରବାରକୁ ବନ୍ଦ କରିବା କାମକୁ ମିଶନ ମୋଡରେ କରାଯାଉ ଯାହାଦ୍ୱାରା ଆମ ଯୁବବର୍ଗଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ପୋଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ବଜାୟ ରଖିବା ଦିଗରେ ଯେପରି କୌଣସି ନାଗରିକ ହଇରାଣ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ଉଚିତ । ପୁଲିସ ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ଅବଲମ୍ବନ କରିବା ଦରକାର ଏବଂ ଥାନାଗୁଡ଼ିକ ଏପରି ଏକ ପରିବେଶ ସୃଷ୍ଟି କରିବା ଉଚିତ ଯାହାଦ୍ଵାରା ନାଗରିକମାନଙ୍କୁ ଥାନାରେ ପ୍ରବେଶ କରିବା ସମୟରେ ସାହାଯ୍ୟର ପ୍ରତିଶ୍ରୁତି ମିଳିବ ବୋଲି ସେମାନଙ୍କ ମନରେ ଭାବନା ସୃଷ୍ଟି ହେବ ।
ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଆସିଛି। ଶାସନରେ ପରିବର୍ତ୍ତନ ଆସିଛି। ତାକୁ ଆଧାର କରି ଆମକୁ ଆଗକୁ ବଢିବାକୁ ପଡିବ। ସମସ୍ତ ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ପଡିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡିଶାକୁ ବିକାଶର ରେଳ ଇଞ୍ଜିନର ପ୍ରଥମ ବଗି କରିବାକୁ ଚାହୁଁଛନ୍ତି। ସେଥିପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ। ସମସ୍ତଙ୍କର ଏଥିପାଇଁ ସହଯୋଗ ଦରକାର। ଆମ ସରକାରରେ ସମାଜର ଶେଷ ଧାଡିର ଲୋକଙ୍କ ସମସ୍ୟା, ଅଭିଯୋଗ ଶୁଣାଣିକୁ ପ୍ରାଥମିକତା ଦିଆଯାଉଛି। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଆମର କର୍ତ୍ତବ୍ୟ। ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବା ଆମର ଦାୟିତ୍ୱ।
ଆମର ମନେ ରଖିବା ଉଚିତ ଯେ ଥାନାକୁ କୌଣସି ଅପରାଧୀ ନ୍ୟାୟ ପାଇଁ ଯାଇ ନ ଥାନ୍ତି। ଅପରାଧୀଙ୍କ ଦ୍ଵାରା ପୀଡିତ ବ୍ୟକ୍ତି କିମ୍ବା କୌଣସି ଅସୁବିଧାରେ ପଡିଥିବା ବ୍ୟକ୍ତି ହିଁ ପୋଲିସକୁ ନ୍ୟାୟ ମାଗିବା ପାଇଁ ଯାଇଥାନ୍ତି। ସେହି ସମୟରେ ସେମାନେ କେଉଁ ପ୍ରକାର ମାନସିକ ଓ ଶାରୀରିକ ପରିସ୍ଥିତିରେ ଥିବେ ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ, ଯେତେବେଳେ ସେ ଥାନାକୁ ଆସେ, ତାର ଭରସା ଥାଏ ଯେ ପୋଲିସ ଠାରୁ ନ୍ୟାୟ ପାଇବ, ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ସେହି ସାଧାରଣ ଲୋକଟିର ଭରସାକୁ ବଜାୟ ରଖି ଉପଯୁକ୍ତ ପଦକ୍ଷେପ ନେବା।

ଦେଢଶହ ବର୍ଷର ଔପନିବେଶବାଦର ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ବ୍ରିଟିଶ ଅମଳର ଅପରାଧିକ ଆଇନକୁ ପରିବର୍ତ୍ତନକରି ଜୁଲାଇ ୧ ତାରିଖ ପରେ ପ୍ରଣିତ ହୋଇଥିବା ଭାରତୀୟ ନ୍ୟାସ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ନ୍ୟାୟ ଓ ନାଗରିକକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ପରିବର୍ତ୍ତିତ ନ୍ୟାୟ ବ୍ୟବସ୍ଥା ତଥା ଆଜିର ସୋସିଆଲ ମିଡିଆ ଯୁଗରେ ଯେତେବେଳେ ପ୍ରତି କ୍ଷେତ୍ରରେ ପୋଲିସ ଓ ସରକାର ସାଧାରଣ ଜନତାଙ୍କ ମୋବାଇଲରେ ଆବଦ୍ଧ ହୋଇଯାଉଛନ୍ତି, ପ୍ରତି ପଦକ୍ଷେପରେ ସାଧାରଣ ଜନତାଙ୍କ ଦ୍ଵାରା scrutinize ହେଉଛନ୍ତି, ଆମେ ମଧ୍ୟ ନିଜକୁ ସେହି ପ୍ରକାରେ ପ୍ରସ୍ତୁତ କରିବା ଆବଶ୍ୟକ।

ତେଣୁ, ମୁଁ ଚିନ୍ତା କରୁଛି ଏହି ବିଷୟରେ ଅତି କମରେ IIC ସ୍ତରୀୟ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଆବଶ୍ୟକ। ଏହି ପ୍ରଶିକ୍ଷଣରେ ସାଧାରଣ ଜନତା ଓ ଅଭିଯୋଗକାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର ଏବଂ ଆଇନକୁ letter ଓ sprit ସହ ପାଳନ କରିବା ବିଷୟକୁ ମଧ୍ୟ ସାମିଲ କରାଯାଇପାରେ। ଏ ବିଷୟରେ ମୁଁ ବରିଷ୍ଠ ପ୍ରଶାସକଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀର ସୁରକ୍ଷା ଓ ନିରାପତ୍ତା ପାଇଁ ପୁରୀ ଠାରେ ୧୦୮୩ ଗୋଟି ବିଭିନ୍ନ ବର୍ଗର ପଦବୀକୁ ନେଇ ଗୋଟିଏ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାର ପ୍ରକ୍ରିୟା ସରକାର ଆରମ୍ଭ କରିଅଛନ୍ତି। ଏହା ମଧ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ ହେବ।

ଥାନାମାନଙ୍କରେ କର୍ମଚାରୀମାନଙ୍କର ମନୋବଳ ବଢାଇବା ସହିତ ସେମାନଙ୍କ କାମ କରିବାର ସୁବିଧା ଉଦ୍ଦେଶ୍ୟରେ ଆବଶ୍ୟକୀୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ଯୋଗାଇଦେବା ପାଇଁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରାୟ ୯ ହଜାର ଦୁଇ ଚକିଆ ଯାନ ଥାନାମାନଙ୍କୁ ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ ରହିଛି। ଆହୁରି ମଧ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା ୧୦ଟି ଓଡ୍ରାଫ ୟୁନିଟ୍‌ କାର୍ଯ୍ୟକାରୀ ହେବ। ପ୍ରତି ଜିଲ୍ଲାରେ ଓଡ୍ରାଫ ଟିମ୍‌ ରହିବ। ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଭୁବନେଶ୍ଵରର ବରମୁଣ୍ଡା ବସ ଟର୍ମିନାଲ ଠାରେ ଏକ ନୂତନ ଫାଣ୍ଡି ଏବଂ ରାଜ୍ୟର ୧୦ ଟି ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲଠାରେ ୧୦ ଗୋଟି ନୂତନ ଫାଣ୍ଡି ପ୍ରତିଷ୍ଠା କରାଯିବ ଏବଂ ଏହା ଦ୍ଵାରା ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ। ଏକ ପ୍ରଭାବୀ ପୋଲିସ ବଳ ପାଇଁ ଯାହାସବୁ ସମ୍ବଳ, ମାନବ ସମ୍ବଳ ଆବଶ୍ୟକ ସରକାର ପ୍ରଦାନ କରାଇବା ପାଇଁ ବଦ୍ଧପରିକର।

ଅପରାଧ ଓ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ Emergency Response Support System (ERSS) କାର୍ଯ୍ୟକାରୀ ହେଉଅଛି। ଯେଉଁଥିରେ , ଏକକ ଟୋଲ୍ ଫ୍ରୀ ନମ୍ବର “ ୧୧୨ “ ଦ୍ଵାରା ପୁଲିସ ସେବା , ଅଗ୍ନିଶମ ସେବା,ଆମ୍ବୁଲାନ୍ସ ସେବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଉପଲବ୍ଧ ହେଉଅଛି । ଉପରୋକ୍ତ ସେବାକୁ ଅଧିକ ସୁଦୃଢ କରିବା ପାଇଁ ଆମ ସରକାର ସଙ୍କଳ୍ପବଦ୍ଧ ।

ବାଂଲାଦେଶରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ହେତୁ ଅନେକ ବାଂଲାଦେଶୀ ଜଳପଥରେ ଓଡିଶାରେ ଅନୁପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ଥିଲା। ରାଜ୍ୟ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀର ସତର୍କତା ମୂଳକ ପଦକ୍ଷେପ ଯଥା ୨୪ ଘଣ୍ଟିଆ ପେଟ୍ରୋଲିଂ ଓ ଅନ୍ୟାନ୍ୟ ସମୟୋଚିତ ପଦକ୍ଷେପ ଯୋଗୁଁ ଏହି ଅନୁପ୍ରବେଶକୁ ରୋକାଯାଇ ପାରିଥିଲା। ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ର ଆରକ୍ଷୀ ଅଧିକ୍ଷକମାନେ ଆଗାମୀ ଦିନରେ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

ଆପଣମାନଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ । ବରିଷ୍ଠ ଅଧିକାରୀ, ବିଶେଷ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିୟମିତ ଭାବେ ବିଭିନ୍ନ ଥାନାକୁ ଗସ୍ତ କରି ସେଠାକାର ଆନୁଷଙ୍ଗିକ ଭିତ୍ତିଭୂମି, କର୍ମଚାରୀଙ୍କର କାର୍ଯ୍ୟଶୈଳୀକୁ ତଦାରଖ କରିବା ଉଚିତ। ଯାହାଦ୍ୱାରା ପୋଲିସ ଶାସନ ଆହୁରି ଦୃଢ ଓ ବ୍ୟବସ୍ଥିତ ହୋଇପାରିବ। ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ବିବେଚନା କରିବା ସହିତ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନବାନ ହେବାକୁ ପଡିବ ।

ଥାନାମାନଙ୍କରେ ପଦବୀ ପୂରଣ ପାଇଁ ଆମ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ପୋଲିସ୍ ବିଭାଗରେ ବିଭିନ୍ନ ବର୍ଗରେ ଖାଲି ଥିବା ୨୯୨୨ ପଦବୀକୁ ପ୍ରତ୍ୟେକ୍ଷ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ ଶୀଘ୍ର ଏଗୁଡିକ ପୂରଣ ହେବ। ଆଉ ଗୋଟିଏ ବିଶେଷ ଦିଗକୁ ମୁଁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ସଂଯୋଜନ ବା Convergence। ଗତକାଲି ଲୋକକଲ୍ୟାଣ ପାଇଁ ଏହାର ଉପଦେୟତା ବିଷୟରେ ମୋର ମତ ରଖିଥିଲି। ଆଜି ଆଇନ ଶୃଙ୍ଖଳା ପାଇଁ ଏହାର ଆବଶ୍ୟକତା ବିଷୟରେ ଦୁଇପଦ କହିବି।

ଗୋଟିଏ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ହେଉଛନ୍ତି ଶାସନ ପ୍ରଶାସନର ଦୁଇଟି ଖମ୍ବ ଯାହାଉପରେ ସଂପୂର୍ଣ୍ଣ ଜିଲ୍ଲାର ପ୍ରଶାସନିକ ଭାର ରହିଥାଏ। ଆମର ଶାସନ ବ୍ୟବସ୍ଥା ଅନୁସାରେ ଭିନ୍ନ ପ୍ରକ୍ରିୟା ଦ୍ଵାରା ସେମାନେ ନିଯୁକ୍ତ ହୋଇଥାନ୍ତି। କିନ୍ତୁ, ଥରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲାପରେ ଏହାର କିଛି ମହତ୍ତ୍ଵ ନାହିଁ, ସେମାନେ ନିଜ ନିଜ ପଦ ଏବଂ ଦାୟିତ୍ଵପ୍ରତି ଉତ୍ତରଦାୟୀ। ଏହି ପରିପେକ୍ଷୀରେ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗୋଟିଏ ଟିମ ଭାବେ କାମ କରିବା ଉଚିତ, ଅନ୍ୟଥା ବିଭ୍ରାଟ ସୃଷ୍ଟି ହେବ। ଅତୀତରେ ଉଭୟ ଅଧିକାରୀଙ୍କ ମଧ୍ୟରେ କିଛି ମତାନ୍ତର ଏପରିକି ମନାନ୍ତର ନଜିର ରହିଛି। କିନ୍ତୁ, ବର୍ତ୍ତମାନ ସେ ସବୁକୁ ପ୍ରଶ୍ରୟ ଦିଆଯିବ ନାହିଁ । ତେଣୁ ସମସ୍ତଙ୍କୁ ମୋର ନିବେଦନ, ସରକାରଙ୍କ ପ୍ରଶାସନିକ ପ୍ରତିନିଧି ଭାବେ ସଂଯୋଜନ ବା convergence mode ରେ କାର୍ଯ୍ୟ କରିବେ।

ଗୋଟିଏ popular ହିନ୍ଦୀ ଫିଲ୍ମ ର ସଂଳାପ ମୋର ମନେ ପଡେ, ‘A Soldier is never off duty’ । ମୁଁ ମଧ୍ୟ ଗର୍ବର ସହ କହିପାରିବି ଯେ ଓଡିଶା ପୋଲିସର ଅଫିସର ଓ ଯବାନ ମଧ୍ୟ କେବେ ବି off-dutyରେ ରୁହନ୍ତି ନାହିଁ। ସମାଜର ସେବା କରିବା ପାଇଁ ଆପଣମାନେ ସବୁବେଳ ତତ୍ପର।

ଶେଷରେ ଗୃହ ବିଭାଗର ମୁଖ୍ୟଭାବେ ମୁଁ ସମସ୍ତଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ସରକାର ପୋଲିସ ବଳ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି। କିନ୍ତୁ, ସେହି ସମାନ ଗୁରୁତ୍ଵ ପ୍ରଦାନ କରି ଏହା ମଧ୍ୟ କହୁଛି ଯେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଦୁରୁପଯୋଗକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ହୁଏତ, ଅଳ୍ପ କିଛି ଅଧିକାରୀ ଏହା କରୁଥାଇ ପାରନ୍ତି। କିନ୍ତୁ, ଯେପରି କୁହାଯାଏ, ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଚାଲିଯାଏ’, ସେଥିପ୍ରତି ଆମେ ସମସ୍ତେ ଧ୍ୟାନ ରଖିବା ଉଚିତ।

ଏଠାରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଏହି ପ୍ରସଙ୍ଗକୁ ହୃଦୟଙ୍ଗମକରି ପଦକ୍ଷେପ ନେବା ପାଇଁ ସକ୍ଷମ। ଆଶା କରୁଛି, ପୋଲିସ ନିଜର theme ‘ସେବା ଓ ସୁରକ୍ଷା’ ସ୍ଲୋଗାନକୁ କାୟ ମନୋବାକ୍ୟରେ ପାଳନ କରିବେ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେତେ ରାତିରେ ଶୁଅନ୍ତି, ଜିଲ୍ଲାପାଳ ସମ୍ମିଳନୀରେ ଖୋଲାଖୋଲି କହିଦେଲେ

ଭୁବନେଶ୍ବର: ଆଜି ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋଲମ ଖୋଲା କଥା ହୋଇଛନ୍ତି। ସେ ତାଙ୍କର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନିଜେ କେତେଘଣ୍ଟା କାମ କରନ୍ତି ତାହା ଉପସ୍ଥିତ ଜିଲ୍ଲାପାଳ ତଥା ଏସପିମାନଙ୍କୁ କହିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଠ ଘଣ୍ଟା ଡିୟୁଟିରେ ନାହାଁନ୍ତି। ସେହିପରି ଆପଣମାନେ ମଧ୍ୟ ଦିନକୁ ଆଠଘଣ୍ଟା କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ରୁହନ୍ତୁ ନାହିଁ।

ମୁଖ୍ୟମନ୍ତ୍ରୀ ନିଜ କଥା ଉଦାହରଣ ଦେଇ କହିଥିଲେ ଯେ, ମୁଁ ନିଜେ ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରୁ ରାତି ୧୨ଟା ରେ ବାହାରୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ। ଏମିତି କହି ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ଏସ୍‌ପିଙ୍କୁ ତାଗିଦ୍ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ, ପ୍ରତି ତିନି ମାସରେ ବିଭିନ୍ନ ଯୋଜନା ସମୀକ୍ଷା କରିବାକୁ  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏହା ଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନିୟମିତତା, ଦୁର୍ନୀତି ଓ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପ୍ରକଳ୍ପର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ତେଣୁ, ସବୁ ଯୋଜନା ଯେପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ, ଏଥିପାଇଁ ଜିଲ୍ଲାପାଳମାନେ ନିତି ଦିନିଆ ଭାବେ ନିଜ ନିଜ ଜିଲ୍ଲାରେ ଆର୍ଥିକ ତଥା ଫିଜିକାଲ ପ୍ରୋଗ୍ରେସ୍ ଉପରେ ଦୃଷ୍ଟି ରଖିବା ଆବଶ୍ୟକ। ଏହା ସହିତ ପ୍ରତ୍ୟେକ ଯୋଜନାର ବ୍ଲକୱାରୀ ତ୍ରୈମାସିକ ସମୀକ୍ଷା କରିବା ମଧ୍ୟ ଆବଶ୍ୟକ। ଏହି ତ୍ରୈମାସିକ ସମୀକ୍ଷାରୁ ଆପଣମାନେ ସବୁ ସମସ୍ୟା ଜାଣିପାରିବେ ଏବଂ ସଠିକ୍ ପଦକ୍ଷେପ ନେଇ ଯୋଜନାକୁ ଠିକ୍ ବାଟରେ ଆଗେଇ ନେଇପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସରକାର ଯଦି ଟଙ୍କାଟିଏ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି, ତାହା ସେମାନଙ୍କ ପାଇଁ ଟଙ୍କାଟିଏ ଆୟ।’

ଏହି ତିନି ମାସ ମଧ୍ୟରେ ମୁଁ ଗତ ସରକାର ସମୟରେ ହୋଇଥିବା ଅନେକ ଅନିୟମିତତା ବିଷୟରେ ଅବଗତ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, “ଆପଣମାନେ ଅନୁଧ୍ୟାନ କରନ୍ତୁ, ଯଦି ସେପରି କିଛି ଅନିୟମିତତା ଆପଣଙ୍କ ଦୃଷ୍ଟିକୁ ଆସୁଛି, ସେ ସବୁକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ଆପଣମାନଙ୍କ ପାଖରେ ସେ ଅଧିକାର ଅଛି, ତାକୁ ବ୍ୟବହାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୋର ବିଶ୍ବାସ”। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୌଣସି ପ୍ରକାରେ, କୌଣସି ସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। “This can be as clear a message as possible from me”.

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାପାଳମାନେ ହେଉଛନ୍ତି ସରକାରଙ୍କ ପାଇଁ ତୃଣମୂଳ ସ୍ତରର ସେତୁ (last mile connectivity)। ଲୋକକଲ୍ୟାଣ ପାଇଁ ସରକାର ଉତ୍ତମ ରୁ ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରି ପାରିବେ। କିନ୍ତୁ ଏହି ସବୁ ଯୋଜନାକୁ ଅନ୍ତିମ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଆପଣ ଯଦି ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡି ଦେବେ ବାକି ସବୁ ଠାରେ ସରକାର କହିଲେ ଲୋକେ ଜିଲ୍ଲାପାଳଙ୍କୁ ବୁଝନ୍ତି, କାରଣ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ ଜିଲ୍ଲା ସ୍ତରରେ ହୋଇଥାଏ। ତେଣୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁ ଦାୟିତ୍ଵ ହେଉଛି ଆପଣମାନଙ୍କ କାନ୍ଧରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯୋଜନାର ସଫଳ ରୂପାୟନ ହେଲେ, ତାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ। ସଫଳ ରୂପାୟନର ଦାୟିତ୍ଵ ଆପଣମାନଙ୍କ ହାତରେ। ସରକାରଙ୍କ ଯେତେ ଯୋଜନା ରହିଛି, ତାହାର ସୁଫଳ ରୂପାୟନ ହେଲେ, ଆମ ରାଜ୍ୟରୁ ଦାରିଦ୍ର୍ୟ ଘୁଞ୍ଚିଯିବ, ଲୋକମାନଙ୍କ ମୁହଁରେ ହସ ଫୁଟି ଉଠିବ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କହିଥିଲେ “ମୁଁ ଜଣେ ସାଧାରଣ ଲୋକଟିଏର ପ୍ରଶାସନଠାରୁ ଆଶା କରୁଥିବା ଦୃଷ୍ଟିଭଙ୍ଗୀ ବିଷୟରେ ମୋର ଅନୁଭୂତି ଆଧାରରେ ମୋର କିଛି କଥା କିଛି ବ୍ୟଥା ଆପଣଙ୍କୁ କହିବି ଏବଂ ଆଶା କରିବି ଯେ ନୂତନ ସରକାରରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଆମେ ନିଜ ନିଜ ସ୍ତରରେ କାର୍ଯ୍ୟକରିବା।”

ଆମ ସରକାର ଲୋକଙ୍କ ସରକାର। ଲୋକମାନଙ୍କ ସୁଖଦୁଃଖରେ ଆମେ ଭାଗୀଦାର, ରାଜ୍ୟର ବିକାଶ ପାଇଁ ଆମେ ପ୍ରତିଶୃତିବଦ୍ଧ। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ମହିଳାମାନଙ୍କର ଉନ୍ନତି ଭଳି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଓ ରାଜ୍ୟର ଆର୍ଥିକ ବିକାଶର ଗତିକୁ ତ୍ବରାନିତ କରିବାପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି । ଆପଣ ମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଦ୍ଵାରା ହିଁ ସବୁ ପଦକ୍ଷେପର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆମ ରାଜ୍ୟ ଏକ ନମ୍ବର ରାଜ୍ୟ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ବରିଷ୍ଠ ଅଧିକାରୀ ସମ୍ମିଳନୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କଲା ମାର୍ଗଦର୍ଶନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ଫେବୃଆରି ୧୪ ଓ ୧୫ ତାରିଖରେ ଯଥାକ୍ରମେ ଭୁବନେଶ୍ୱରସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ର ଓ କୋଣାର୍କଠାରେ ଦୁଇଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହେବ। ବିଭିନ୍ନ ଅଭିନବ ଉପାୟ ଓ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଏକତ୍ରୀତ କରାଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାଥାନନ, ଯାଜପୁର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ବିଏମସି କମିଶନର ଶ୍ରୀ ବିଜୟ କୁଲାଙ୍ଗେ ରାଜ୍ୟର ସମସ୍ତ ୧୧୫ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନାଗରିକମାନଙ୍କ ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଗୋଷ୍ଠୀ ଭାଗୀଦାରି ମାଧ୍ୟମରେ ସହରାଞ୍ଚଳ ସେବାର ପ୍ରଭାବଶାଳୀ ବିତରଣ ଉପରେ ଏକ ଉପସ୍ଥାପନା କରିଥିଲେ।

ଗୋଷ୍ଠୀ ଭାଗୀଦାରି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ପରିଚାଳିତ ସହରାଞ୍ଚଳବାସୀଙ୍କ ଜୀବନଧାରଣର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣ ବିଷୟରେ ବରିଷ୍ଠ ଅଧିକାରୀମାନେ ବୁଝାଇଥିଲେ।

ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାର ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ନିରନ୍ତର ଅଭିଯାନ ଚାଲିଛି। ଅବହେଳିତ ସମ୍ପ୍ରଦାୟ ଉପରେ ବିଶେଷ ଧ୍ୟାନ ଦେଇ ସେମାନଙ୍କୁ ରହିବା ଯୋଗ୍ୟ ବାସସ୍ଥାନ, ବିଶୁଦ୍ଧ ପାନୀୟ ଜଳ ଏବଂ ଜୀବିକାର ସୁଯୋଗ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରାଯାଉଛି। ବିଶ୍ୱର ସର୍ବବୃହତ ବସ୍ତି ଜମି ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଜାଗା ମିଶନ ଭଳି ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରମୁଖ ପଦକ୍ଷେପ ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି।

ସେହିଭଳି ମୁକ୍ତା ଅଧୀନରେ ଗରିବ ଓ ଅବହେଳିତ ଲୋକଙ୍କୁ ଜୀବିକା ସୁରକ୍ଷିତ ରଖିବା ପାଇଁ ମଜୁରି ସୁଯୋଗ ଯୋଗାଇ ଦିଆଯାଉଛି। ଭାରତର ପ୍ରଥମ ସହର ଭାବେ ପୁରୀବାସୀଙ୍କୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇ ଓଡ଼ିଶା ଇତିହାସ ସୃଷ୍ଟି କରିବା ସହିତ ଆଇଏସ୍‌ଓ ୧୦୫୦୦ ଗୁଣାତ୍ମକ ଜଳ ନିଶ୍ଚିତ କରିଛି। ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ପଦକ୍ଷେପ।

ବସ୍ତିବାସିନ୍ଦାମାନେ ସହରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେମାନଙ୍କ ଉଚ୍ଛେଦ ପରିବର୍ତ୍ତେ ସୁରକ୍ଷା ପାଇଁ ଯୋଗ୍ୟ ବୋଲି ସରକାରଙ୍କ ବିଶ୍ୱାସକୁ ବିଶ୍ୱସ୍ତରରେ ସ୍ୱୀକାର କରାଯାଇ ପୁରସ୍କୃତ କରାଯାଇଛି। ୨୦୨୧ ମସିହାରେ ଓଡ଼ିଶାକୁ ରାଜ୍ୟ ଦ୍ୱାରା ଶ୍ରେଷ୍ଠ ନୀତି ପଦକ୍ଷେପ ପାଇଁ ପିଏମଏାଇ-ୟୁ ପୁରସ୍କାର ଏବଂ ୨୦୨୩ରେ ମିଳିତ ଜାତିସଂଘ-ଆବାସ ଦ୍ୱାରା ସମ୍ମାନଜନକ ୱାର୍ଲï ହେବିଟାଟ୍‌ ବ୍ରୋଞ୍ଜ ପୁରସ୍କାରରେ ରାଜ୍ୟକୁ ଦ୍ୱିତୀୟ ଥର ପାଇଁ ସମ୍ମାନିତ କରାଯାଇଥିଲା।

ସେହିଭଳି ମୁକ୍ତାର ଅସାଧାରଣ ପ୍ରୟାସକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିଛି, ଯେଉଁଥିରେ ୨୦୨୧ରେ ସହରାଞ୍ଚଳ ଉଦ୍ଭାବନ ପାଇଁ ଗୁଆଙ୍ଗଝୋ ପୁରସ୍କାର ଏବଂ ୨୦୨୧-୨୨ ପାଇଁ ସମ୍ମାନଜନକ ୱାର୍ଲï ରିସୋର୍ସ ଇନଷ୍ଟିଚ୍ୟଟ ପୁରସ୍କାର ମିଳିଛି। ଏହାବ୍ୟତୀତ, ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପାଇଁ ୱାଟକୋ ଭଳି ଅନୁଷ୍ଠାନ ସୃଷ୍ଟି ଓ ବିସ୍ତାର କରିବାରେ ସରକାରଙ୍କ ସଫଳତାକୁ ସ୍ପେନରେ ଅନୁଷ୍ଠିତ ଗ୍ଲୋବାଲ ୱାଟର ଲିଡର ଆୱାର୍ଡସ ୨୦୨୨ ରେ ଷ୍ଟ୍ରିଙ୍କସନ ଅଫ୍‌ ଗ୍ଲୋବାଲ ୱାଟର ଲିଡର ଆୱାର୍ଡସ ୨୦୨୨ ରେ ପୁରସ୍କୃତ କରାଯାଇଛି।

ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତିବାସିନ୍ଦା ସଂଘ ମାଧ୍ୟମରେ ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ବ୍ୟାପକ ଯୋଗାଯୋଗ ମାଧ୍ୟମରେ ସମଗ୍ର ଓଡ଼ିଶାର ସହରଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ବ୍ୟାପକ ସଫଳ ରୂପାୟନ ଏବଂ ପ୍ରଭାବକୁ ସୁନିଶ୍ଚିତ କରାଯାଉଛି।

ଆଲୋଚନାରେ ଅଂଶଗ୍ରହଣ କରି ଡିଜିଟାଲ ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବେ ଗ୍ରହଣ କରିବା ଦ୍ୱାରା କିପରି ସେବା ପ୍ରଦାନର ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ଓଡ଼ିଶାର ବିଭିନ୍ନ ସହର ଓ ସହରରେ ନାଗରିକଙ୍କ ସନ୍ତୋଷ ବୃଦ୍ଧି ପାଇଛି ସେ ସମ୍ପର୍କରେ ଜିଲ୍ଲାପାଳମାନେ ଆଲୋକପାତ କରିଥିଲେ।

ଉପସ୍ଥାପନା ସମୟରେ ଅନ୍ତର୍ଭୁକ୍ତ ହୋଇଥିବା କେତେକ ଟେକ୍ନୋଲୋଜି ଉପକରଣ ଏବଂ ଆପ୍ଲିକେସନ୍‌ ମଧ୍ୟରେ ୧୧୫ଟି ସହରରେ ଏସ୍‌ଡବ୍ଲ୍ୟìଏମ ପାଇଁ ଆମ ସହର, ଭୁବନେଶ୍ୱର ମହାନଗର ନିଗମର ସଫା ଆପ୍ଲିକେସନ୍‌, ସହରାଞ୍ଚଳ ସେବା ପ୍ରଦାନ ପାଇଁ ଓଡ଼ିଶାର ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ, ସ୍ମାର୍ଟ ୱାଟର ମ୍ୟାନେଜମେଣ୍ଟ ସିଷ୍ଟମ ଏବଂ ବିଜୁ ଆଦର୍ଶ କଲୋନୀ ପୋର୍ଟାଲ – ଜାଗା ମିଶନର ଅଗ୍ରଗତି ଟ୍ରାକ୍‌ କରିବା ଏବଂ ସହରାଞ୍ଚଳ ଗରିବ ସମୁଦାୟରେ ସମ୍ପତ୍ତି ଏବଂ ସେବାଗୁଡିକର ମ୍ୟାପିଂ କରିବାରେ ସାହାଯ୍ୟ କରିଥିଲା।

ମୁକ୍ତା ଅଧୀନରେ ଦେୟ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ମୁକ୍ତା ସଫଫ ଆପ୍‌ ଏବଂ ସହରଗୁଡିକ ପାଇଁ ଡିଜିଟାଲ ଦ୍ୱାର ଏବଂ ରାସ୍ତା ନମ୍ବରିଂ ଭଳି ପଦକ୍ଷେପ ଆଗାମୀ ଦିନରେ ସହରାଞ୍ଚଳ ଶାସନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ମଧ୍ୟ ସୂଚନା ଦିଆଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ ହେବା ପରେ ଜିଲ୍ଲାପାଳଙ୍କ ସହିତ କଲେ ପ୍ରଥମ ବୈଠକ, ଜାଣନ୍ତୁ କଣ କହିଲେ

ଭୁବନେଶ୍ବର, ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ବିଷୟରେ ସନ୍ତୋଷ ସୃଷ୍ଟି ହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ ।

କୋଭିଡ୍ ଅନଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପ ଗୁଡ଼ିକର ତ୍ୱରିତ କାର୍ଯ୍ୟନ୍ୱୟନ ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ  ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ୟାନ ଚାଷ, ପଶୁପାଳନ , ସମନ୍ୱିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ, ରାସ୍ତା ଘାଟ ନିର୍ମାଣ ଆଦି ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର‌୍ୟ୍ୟାନ୍ୱୟନ କୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ କାର‌୍ୟ୍ୟର ବାସ୍ତବ ସ୍ଥିତି ବିଷୟ ପ୍ରତି ସପ୍ତାହରେ ଅନୁଧ୍ୟାନ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେ ଆହୁରି କହିଥିଲେ ଯେ ପ୍ରତି ଜିଲ୍ଲାର ପ୍ରାକୃତିକ ପରିବେଶ, ଜଳବାୟୁ ଓ ମାନବ ସମ୍ବଳ ର ସ୍ୱାତନ୍ତ୍ୟ ଅଛି । ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପ୍ରକାର କୃଷି-ଭିତ୍ତିକ ଫାର୍ମ ଓ କୃଷି ଉଦ୍ୟୋଗର ମଧ୍ୟ ସମ୍ଭାବନା ଅଛି । ଏହିସବୁ ସମ୍ବଳ ଓ ସମ୍ଭାବନାର ଅନୁଧ୍ୟାନ କରି ଅଭିନବ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏ ପ୍ରକାର ଅଭିନବ ପ୍ରକଳ୍ପ ନିମନ୍ତେ ଅର୍ଥର ଅଭାବ ହେବ ନାହିଁ । ଅର୍ଥ ସହ ଆବଶ୍ୟକୀୟ ବୈଷୟିକ କୌଶଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶୃତି ଦେଇଥିଲେ ।

ଆସନ୍ତା ୧୦ ଦିନ ମଧ୍ୟରେ ନିଜ ନିଜ ଜିଲ୍ଲାରେ ବିଭିନ୍ନ ବିଭାଗ ମାନଙ୍କ ମାଧ୍ୟମରେ କାର‌୍ୟ୍ୟକାରୀ କରାଯାଇଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନ ଗୁଡ଼ିକ ଚିହ୍ନଟ କରିବା ନିମନ୍ତେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାକି ରହିଯାଇଥିବା ଦିଗ ଓ ଏବଂ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସମନ୍ୱୟ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନ ଗୁଡ଼ିକ ଚିହ୍ନଟ କରି ତଦନୁଯାୟୀ ପ୍ରକଳ୍ପ ପରାମର୍ଶ ଦେବାକୁ ଜେନା ନିର୍ଦ୍ଦେଶ ଦେଇଥିଲେ ।

କୃଷି, ପଶୁପାଳନ, ମତ୍ସ୍ୟଚାଷ, ଉଦ୍ୟାନ ଚାଷ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ରାଜ୍ୟ ଆର୍ଥିକ ବ୍ୟବସ୍ଥାର ଏକ ନିରନ୍ତର ଉତ୍ସ ବୋଲି କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା କହିଥିଲେ । ଏସବୁ ମାଧ୍ୟମରେ ଲୋକଙ୍କ ଖାଦ୍ୟ ନିରାପତ୍ତା, ନିଯୁକ୍ତି ଓ ଜୀବନ ଧାରଣ ମାନର ବିକାଶ ସହ ଆର୍ଥିକ ବ୍ୟବସ୍ଥାର ଦୃତ ଅବିବୃଦ୍ଧି ହେବ । ତେଣୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ନୂତନ ପ୍ରକଳ୍ପ ପ୍ରସ୍ତୁତ ଉପରେ ଶର୍ମା ଗୁରୁତ୍ୱ ଆରୋପ କରିଥିଲେ ।

ଲୋକମାନଙ୍କର ଅଭିଯୋଗ ଶୁଣାଣୀ ଏବଂ ସେଗୁଡ଼ିକର ଯଥୋଚିତ ସମାଧାନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ ଯେ ଜିଲ୍ଲାପାଳ ଲୋକମାନଙ୍କୁ ସହଜଲବ୍ଧ ହେବା ଦରକାର । ବିଭିନ୍ନ ସେବା ପ୍ରଦାନକାରୀ ଅଧିକାରୀ ଓ କର୍ମଚାରୀ ମାନେ ଧୈର‌୍ୟ୍ୟ ଏବଂ ସହୃଦୟ ଭାବେ ଲୋକମାନଙ୍କର ସମସ୍ୟା ଶୁଣି ସେସବୁର ସମାଧାନ ନିମନ୍ତେ ଯତ୍ନବାନ ହେବା ଉଚିତ । ଏଥିରେ ଅବହେଳା ଗ୍ରହଣୀୟ ନୁହେଁ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଇତି ମଧ୍ୟରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ମାଧ୍ୟମରେ ଯୋଗାଯାଉଥିବା ଅନେକ ପ୍ରକାର ସେବା ଅନ୍ଲାଇନ୍ରେ ଉପଲବ୍ଧ ହେଉଛି। ଜାତି, ଆୟ, ଆବାସିକ ଆଦି ପ୍ରମାଣ ପତ୍ର ଅନ୍ଲାଇନ୍ରେ ମିଳିପାରୁଛି । କେତେକ ସ୍ଥାନରେ ଜମି ସୀମା ଚିହ୍ନଟ, ନାମଜାରୀ କାର‌୍ୟ୍ୟ ଆଦି ପାଇଁ ଲୋକଙ୍କୁ ତହସିଲକୁ ଦୌଡିବାକୁ ପଡ଼ୁଛି । ଜମିଜମା ବିବାଦ ମଧ୍ୟ ବଢୁଛି । ଗ୍ରାମ ଓ ପଂଚାୟତ ଓ୍ୱାରୀ କାର‌୍ୟ୍ୟନିର୍ଘଣ୍ଟ ପ୍ରସ୍ତୁତ କରି ଜମିଜମା ବିବାଦ, ଚିହ୍ନଟ ବଣ୍ଟନ ଓ ନାମଜାରି ଆଦି କାର‌୍ୟ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ହେଲେ ଲୋକମାନଙ୍କ ମଧ୍ୟରେ ବିବାଦ କମିବା ସହ ମାନସିକ ସନ୍ତୋଷ ମଧ୍ୟ ବଢ଼ିବ ।

ଜମି ଜମା ମାଲିକାନା ନିର୍ଦ୍ଦିଷ୍ଟ ହେଲେ ଲୋକମାନେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ବା ବିପଣୀ ନିମନ୍ତେ ବ୍ୟାଙ୍କ ଋଣ ଓ ସହକାରୀ ସହାୟତା ଆଦି ସୁବିଧାରେ ପାଇ ପାରିବେ । ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରାଙ୍କ ସମେତ ସମସ୍ତ ରାଜସ୍ୱ ଡିଭିଜନ୍ର ଆର.ଡି.ସି ; ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଏହି ଭିଡ଼ିଓ କନ୍ଫେରେନ୍ସିଂ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।