Categories
ଆଞ୍ଚଳିକ ସଂସ୍କୃତି

ଜଗତସିଂହପୁର ଜିଲ୍ଲାପ୍ରଶାସନ ତରଫରୁ ନୂଆଖାଇ ଭେଟଘାଟ୍ ଉତ୍ସବ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୁଆଖାଇ ଭେଟ୍‌ଘାଟ୍ ଉତ୍ସବ ପାଳିତ ହୋଇଯାଇଛି। ନୁଆଖାଇ ପର୍ବ ଏକ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ, ଅର୍ଥନୈତିକ ଚେତନାର ପର୍ବ। ଏହି ପର୍ବରେ ତିନି ଠାକୁରାଣୀ ସମଲେଶ୍ୱରୀ, ପାଟେଣେଶ୍ୱରୀ ଓ ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ। ଏହି ଗଣପର୍ବ ୧୫ଦିନ ଧରି ପାଳନ କରାଯାଏ। ରାଜ୍ୟସରକାର ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନୁଆଖାଇ ପର୍ବକୁ ସାରା ରାଜ୍ୟରେ ପାଳନ କରିବାକୁ ଯେଉଁ ପ୍ରୟାସ କରିଛନ୍ତି ଏହାଦ୍ୱାରା ପଶ୍ଚିମ ଓଡିଶା, ଉପକୂଳ ଓଡିଶା ଭେଦଭାବ ଦୂରହେବା ସହ ସାଂସ୍କୃତିକ ଭାଇଚାରା ସୃଷ୍ଟି ହେବ। ଏହି ପର୍ବଦିନ ଚାଷୀ ମାନେ ସେମାନଙ୍କର ଶସ୍ୟକୁ ଆରାଧ୍ୟ ଦେବୀଙ୍କ ପାଖରେ ଅର୍ପଣ କରିବା ପରେ ପରିବାର ସହିତ ନବାନ୍ନ ଭକ୍ଷଣ କରନ୍ତି। ପଶ୍ଚିମ ଓଡିଶାର ଲୋକମାନେ ଅତିଥି ସତ୍କାର କରିବାକୁ ବହୁତ ଭଲ ପାଆନ୍ତି।

ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଲେ ନୂଆଖାଇ ପର୍ବ ପାଳନ ଦ୍ୱାରା ସାଂସ୍କୃତିକ ଭାବର ଆଦାନପ୍ରଦାନ ହୋଇଥାଏ। ପଶ୍ଚିମ ଓଡିଶାର ଭାଦ୍ରବ ମାସରେ ଧାନ ଅମଳ ହୁଏ ଓ ଦେବୀଙ୍କୁ ଅର୍ପଣ କଲାପରେ ନବାନ୍ନ ଭକ୍ଷଣ କରାଯାଏ। ଏହିପର୍ବ ସମାଜରେ ସାମାଜିକ ଚେତନା ଆଣେ। ସାନମାନେ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି, ଜୁହାର ହୁଅନ୍ତି। ଯାହା ମନୋମାଳିନ୍ୟ ଥାଏ ଏହି ପର୍ବ ପାଳନ ଦିନ ତାହା ଦୂରେଇ ଯାଇଥାଏ।

ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଲେ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବି ପଶ୍ଚିମ ଓଡିଶାର ଗଣପର୍ବ ବଦଳରେ ଓଡିଶାର ଗଣପର୍ବ ପାଳନ କରୁଛନ୍ତି। ଏହା ଏକ କୃଷି ଭିତ୍ତିକ ପର୍ବ। ସମ୍ବଲପୁରୀ ନୃତ୍ୟ,ଗୀତ,ପୋଷାକ ପରିପାଟୀ ଅତ୍ୟନ୍ତ ଆକର୍ଷନୀୟ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଚିନ୍ମୟୀ ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ନୂଆଖାଇ ପର୍ବ ପାଳନ ବେଳେ ଉପକୂଳ ଓଡିଶାରେ ନୂଆ ଚୁଡା ଭୋଗ କରାଯାଏ। ଜିଲ୍ଲା ସଂସ୍କୃତି ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ପ୍ରଥମେ ଅତିଥିମାନେ ମା ସମଲାଇ ଓ ମା’ଶାରଳାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ୱଳନ କରି ନୁଆଖାଇ ଭେଟ୍ ଘାଟର ଶୁଭ ଉଦ୍‌ଘାଟନ କରିଥିଲେ। କଳାକାର ମାନେ ସମ୍ବଲପୁରୀ ସ୍ୱାଗତସଙ୍ଗୀତ ପରିବେଷଣ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଅଧ୍ୟକ୍ଷତା କରି ନୂଆଖାଇ ପର୍ବ ପାଳନ ଅବସରରେ ଏକ ପୋଡପିଠା କାଟି ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, କଳାକାର, ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସ୍ପିଟାଲରେ ଜଣେ ମହିଳାଙ୍କୁ କରୋନା: ହସ୍ପିଟାଲକୁ ସିଲ କଲା ଜିଲ୍ଲାପ୍ରଶାସନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କରୋନା ଚିହ୍ନଟ ମହିଳା ଜଣଙ୍କ ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲକୁ ସିଲ କରିଦିଆଯାଇଥିବା ଜଣାପଡିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ଯେ, ଗତ ଜୁଲାଇ ୯ ତାରିଖ ଦିନ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ପରବର୍ତ୍ତୀ ସମୟରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ଆଜି ସେହି ରିପୋର୍ଟ ପଜିଟିଭ ଆସିବା ପରେ ସେହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିପରି ଉକ୍ତ ହସପିଟାଲର ଆଉଟଡୋର ପରୀକ୍ଷଣ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ସେହି ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ଏବଂ ହସ୍ପିଟାଲରେ ସେବା ଯୋଗାଇଥିବା କର୍ମଚାରୀ ମାନଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡିଛି।

ଅପରପକ୍ଷରେ ଆଜି (ଶନିବାର) ୪ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ତିନିଜଣ ପୁରୁଷ ଓ ଜଣେ ମହିଳା। ସେମାନଙ୍କ ମଧ୍ୟରୁ ୨ ଜଣ ହାଇଦ୍ରାବାଦରୁ କଳାହାଣ୍ଡି ଫେରିବା ପରେ କଲମପୁର ବ୍ଲକସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିଲେ। ଗତ ଜୁଲାଇ ୭ ତାରିଖ ଦିନ ସେମାନଙ୍କୁ କରୋନା ସନ୍ଦେହରେ ଭବାନୀପାଟଣାସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୯ ତାରିଖ ଦିନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା।

ସେହିପରି ତୃତୀୟ ଜଣକ ପଶ୍ଚିମବଙ୍ଗରୁ ଫେରିବା ପରେ କେସିଙ୍ଗା ବ୍ଲକ ରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ଚତୁର୍ଥ ଜଣକ ଆନ୍ଧ୍ର ପ୍ରଦେଶର ତିରୁପତିରୁ ଫେରି ଗତ ଜୁନ ୨୮ ତାରିଖ ଠାରୁ କେସିଙ୍ଗା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସମସ୍ତ ଚାରିଜଣ ଯାକ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଭବାନୀପାଟଣା କୋଭିଡ ହସପିଟାଲରେ ରଖାଯାଇଥିବା ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ।