Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୋପୀନାଥ ମହାରଣା

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଉପାଧ୍ୟକ୍ଷ ପାଇଁ ନିର୍ବାଚନ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୩୦ ଟି ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ଏହି ନିର୍ବାଚନ କରାଯାଇଛି। ମୋଟ ୩୦ ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେଡ଼ି ଦଳର ୨୮ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ମାତ୍ର ୨ ଟି ଜୋନରେ ବିଜେପି ଜିତିପାରିଥିଲା।

ତେବେ ଆଜିର ଏହି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜେପିର ଉଭୟ ଜିଲ୍ଲାପରିଷଦ ସଭ୍ୟ ଅଂଶ ଗ୍ରହଣ କରିନଥିଲେ। କିନ୍ତୁ ବିଜେଡ଼ି ପକ୍ଷରୁ ସମସ୍ତ ୨୮ ଜିଲ୍ଲାପରିଷଦ ସଭ୍ୟ ଏଥିରେ ଭାଗ ନେଇଥିଲେ। ଏହି ୨୮ ଜଣଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବାଣପୁର ବ୍ଲକ ଅନ୍ତର୍ଗତ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ଉପାଧ୍ୟକ୍ଷ ପାଇଁ ମନୋନୀତ କରାଯାଇଥିଲା। ଗୋପୀନାଥଙ୍କ ନାମକୁ ବିଜେଡ଼ିର ଜିଲ୍ଲା ପଲିଟିକାଲ ଏଜେଣ୍ଟ ବିଭୁତି ଭୂଷଣ ବଳବନ୍ତରାୟ ଉପସ୍ଥାପନା କରିବା ପରେ ଗୋପୀନାଥ ଉକ୍ତ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ତେବେ ଗୋପୀନାଥଙ୍କୁ ଦଳର ବାକି ୨୭ ଜଣ ସଦସ୍ୟ ସମର୍ଥନ ଦେଇଥିଲେ। ଯାହାଫଳରେ ଗୋପୀନାଥ ନିର୍ଦ୍ଵନ୍ଦ୍ଵରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ଘୋଷଣା ହେବା ପରେ ଚିଲିକା ବିଜେଡ଼ି ପକ୍ଷରୁ ଆନନ୍ଦର ଲହରୀ ଖେଳିଯାଇଛି। ଏହା ସହିତ କମ ବୟସରେ ଗୋପୀନାଥ ରାଜନୀତି କ୍ଷେତ୍ରରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବାରୁ ସମର୍ଥକମାନେ ତାଙ୍କୁ ଅଭିବାଦନ ଜଣାଇଛନ୍ତି।