Categories
ଆଜିର ଖବର ରାଜ୍ୟ ଖବର

୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ ନିଜ ନିଜ ଜିଲ୍ଲାର ପଦାଧିକାରୀମାନଙ୍କ ସହ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଥାଉକି, ବିଭିନ୍ନ ସମସ୍ୟା ନେଇ ସବୁବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘ ଦିନ ହେବ ସରକାରଙ୍କୁ ନିଜର ଦାବି ଜଣାଇ ଆସୁଛନ୍ତି। ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ସମଗ୍ର ତିରିଶଟି ଜିଲ୍ଲାରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶାଳ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିରହିଥିଲେ। ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା।

ଏଥିରେ ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀବୃନ୍ଦ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରାଯାଇଛି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ଏବଂ ଚାକିରୀ ସର୍ତ୍ତାବଳୀ ପ୍ରଦାନ, ୨୯୯ ଓ ୩୨୬ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୬୧୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୧୧୦ ବାଳିକା ବିଦ୍ୟାଳୟକୁ ସରକାରୀ କରଣ,  ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ,  ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ କରିବା ଓ ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟର କାର୍ଯ୍ୟକାରୀ କମିଟି ଓ ପଦାଧିକାରୀ ଓ ଅନ୍ୟ ନେତୃତ୍ୱକାରୀ ସାଥୀମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଯଦି ସରକାର ଏହି ବିଷୟରେ ଆସନ୍ତା ୬ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ଆଗମୀ ଫେବୃୟାରୀ ୭ ତାରିଖରେ ରାଜଧାନୀର ରାଜରାସ୍ତାରେ ଓଷ୍ଟାର ଅହୋରାତ୍ର ଧାରଣା ଜାରି ରହିବ ଓ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଲିକା ଓ ବାଣପୁର ବ୍ଲକର ୫-ଟି ବିଦ୍ୟାଳୟ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଚିଲିକା ଓ ବାଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଶ୍ରୀ ତରାଇ ୫-ଟି ଉପକ୍ରମରେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ଯ ସମୀକ୍ଷା ସହ ଶିକ୍ଷା ବ୍ଯବସ୍ଥାର ଅନୁଧ୍ଯାନ କରିଥିଲେ।

ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକମାନଙ୍କର ଉପସ୍ଥାନ,ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଓ ମଧ୍ଯାହ୍ନ ଭୋଜନର ମାନ ଆଦି ନିରିକ୍ଷଣ କରିବା ସହ ୫-ଟି ମାଧ୍ୟମରେ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଗମ୍ଭାରୀମୁଣ୍ଡା ସ୍ଥିତ ସରକାରୀ ଆଦର୍ଶ ବିଦ୍ୟାଳୟ,ଅଲାଇଡିହ ୫-ଟି ବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ଶିକ୍ଷାରେ ଛାତ୍ରଛାତ୍ରୀ ମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ନିର୍ମାଣାଧିନ କୋଠା କାର୍ଯ୍ୟକୁ ଶିଘ୍ର ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମହାରଣା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଭାବେ ଚିଲିକା ବ୍ଲକର କାଳୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ ଅଧିକାରୀ। ଉକ୍ତ ଗସ୍ତ ସମୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ରହି ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଯଥାସାଧ୍ୟ ପ୍ରସ୍ତାବ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ।