Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କର ଦୁଇଦିନିଆ କର୍ମଶାଳା ଉଦଯାପିତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସ୍ଥିତ ଓସେପାର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କର ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍‌ଯାପିତ ହୋଇଅଛି । ଏହି କାର୍ଯକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ, ଅଶ୍ୱଥୀ.ଏସ. ଯୋଗଦେଇ ବିଦାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ମାଧ୍ୟମିକ ଶିକ୍ଷା ପରିଷଦ, କଟକ, ମଧ୍ୟାହ୍ନଭୋଜନ କାର୍ଯାଳୟ, ମୋ ସ୍କୁଲ, ସମଗ୍ର ଶିକ୍ଷା ଓ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଅଧିନରେ କାର୍ଯକାରୀ ହେଉଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ ।

ଏହି ଅବସରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ‘ମୋ ସ୍କୁଲ୍‌’ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ, ବିଦ୍ୟାଳୟ ପୋଷ୍ୟଗ୍ରହଣ କାର୍ଯ୍ୟକ୍ରମ ଏବଂ ହାଇସ୍କୁଲ୍‌ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ‘ମୋ ସ୍କୁଲ୍‌’ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା ବିଭିନ୍ନ ଜିଲ୍ଲାର ପ୍ରକଳ୍ପ ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଉପସ୍ଥାନ କରିବା ପରେ ତାହାର ସମୀକ୍ଷା କରାଯାଇଥିଲା । ଅଧିକରୁ ଅଧିକ ସ୍କୁଲ୍‌ ‘ମୋ ସ୍କୁଲ୍‌’ ସହ ଯୋଡ଼ିବାକୁ ବିଭାଗୀୟ ଶାସନ ସଚିବ ଅଶ୍ୱଥି ଏସ୍‌. ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିଭଳି ହାଇସ୍କୁଲ୍‌ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ୍‌ସ୍ତରରେ ଡିପିଆର୍‌ ପ୍ରସ୍ତୁତି ପାଇଁ ପ୍ରଧାନଶିକ୍ଷକ, ବ୍ଲକ୍‌ ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲ୍‌ଗୁଡ଼ିକରେ ଯେପରି ଶୈକ୍ଷିକ ପରିବେଶରେ ଉନ୍ନତି ଅଣାଯାଇପାରିବ ତାହା ଉପରେ ଦୃଷ୍ଟି ଦେବାକୁ ସେ କହିଥିଲେ ।

ରୂପାନ୍ତରିତ ସ୍କୁଲ୍‌ଗୁଡ଼ିକରେ ଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିଜନିତ କିମ୍ବା ଅନ୍ୟାନ୍ୟ କୌଣସି ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଲେ ତାହାକୁ ତୁରନ୍ତ ‘ମୋ ସ୍କୁଲ୍‌’ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ବିଭାଗୀୟ ସଚିବଙ୍କ ଦୃଷ୍ଟିକୁ ଆଣିବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କୁହାଯାଇଥିଲା ।

ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନୂତନ ମୂଲ୍ୟାୟନ ପଦ୍ଧତି, ମଧ୍ୟାହ୍ନ ଭୋଜନର ସୁପରିଚାଳନା, ସମଗ୍ର ଶିକ୍ଷା କ୍ଷେତ୍ରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା, ଛାତ୍ରୀ ହଷ୍ଟେଲ ନିର୍ମାଣ, ଶିକ୍ଷକ ପ୍ରଶିକ୍ଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ବିଦ୍ୟା ସମୀକ୍ଷା କେନ୍ଦ୍ର, ପାଠାଗାର, ଷ୍ଟାର ପ୍ରକଳ୍ପ, ଶିଶୁ ମହୋତ୍ସବ ସୁରଭି ଓ କଳାତ୍ମକ ଉତ୍ସବ ଉପରେ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ଓ ଏହା ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କନ୍ଦର୍ପ ବେହେରା
ରେଢାଖୋଲ: ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକ ତଥା ଅନ୍ୟାନ୍ୟ ପଦବୀ ଓ ଶ୍ରେଣୀ ପ୍ରକୋଷ୍ଠ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ସୂଚନା ଦେଇଥିଲେ। ଶିକ୍ଷକମାନେ ଅନଲାଇନ୍‌ରେ ପିଲାମାନଙ୍କୁ ପାଠପଢାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ବିଦ୍ୟାର୍ଥୀ କିପରି ଭାଗ ନେଇ ପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ।

ବିଦ୍ୟାଳୟରେ ଚାଲି ଥିବା କୋଠା ଓ ଅନ୍ୟାନ୍ୟ ନିର୍ମାଣ କାମର ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିଦର୍ଶନ ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ଚନ୍ଦନ ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ଯୋଗଦେଇଥିଲେ।