ନୟାଗଡ଼: ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ, ଅଣସଂଗଠିତ ଶ୍ରମିକମାନଙ୍କୁ ସଶକ୍ତ କରିବା ନିମନ୍ତେ ଏବଂ ତାଙ୍କର ପାରିବାରିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ଦ୍ବି-ପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ୬୮ଲକ୍ଷ ୬୩ ହଜାର ୮୦୦ଟଙ୍କାର ସହାୟତା ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି।
ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ୪ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ୯୦ହଜାର ଟଙ୍କା, ୨୮ଜଣ ମୃତ୍ୟୁବରଣ କରିଥିବା ହିତାକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୫ଲକ୍ଷ ୬ହଜାରଟଙ୍କା, ୨୨ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ବାବଦରେ ୧ଲକ୍ଷ ୧୦ହଜାରଙ୍କା ଏବଂ ୧୭ଜଣ ହିତାଧିକାରୀଙ୍କ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ୧ଲକ୍ଷ ୫୩ହଜାର ୮୦୦ଟଙ୍କା ପ୍ରଦାନ କରାଯାଇଥିଲା।
ଏତଦ୍ ବ୍ୟତିତ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ତରଫରୁ ୪ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୮୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଭାରପ୍ରାପ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଞ୍ଜନ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେବା ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ସତ୍ୟବ୍ରତ ପାଇକରାୟ,ଅନିଲ କୁମାର ମହାରଣା, ପ୍ରକାଶ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।