Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋରୁ ବୋଝେଇ ଗାଡ଼ିକୁ ଜବତ କଲା ଟାଙ୍ଗୀ ପୋଲିସ, ଛଅ ଜୀବନ୍ତ ଗାଈ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୋଲିସ। ସୂଚନା ମୁତାବକ ପାଟ୍ରୋଲିଂ ସମୟରେ ଭୂଷଣ୍ଡପୁର ଅଞ୍ଚଳ ଆଡକୁ ଦୃତ ଗତିରେ ଏକ ଗୋରୁ ବୋଝଇ ପିକ ଅପ ଭ୍ୟାନଟି ଯାଉଥିବାର ଟାଙ୍ଗୀ ପୋଲିସ ଦେଖିବାକୁ ପାଇଥିଲା। ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପାଟ୍ରୋଲିଂ ଗାଡ଼ିଟି ଉକ୍ତ ସନ୍ଦିଗ୍ଧ ଗାଡିର ପିଛା କରିଥିଲା। କିଛି ବାଟ ଅତିକ୍ରମ କଲା ପରେ ଗାଡ଼ି ଚାଳକ ଗାଡିକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲା।

ପୋଲିସ ଗାଡିକୁ ଜବତ କରିବା ସହ ୬ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିଛି। ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନା ପୋଲିସ କେସ ନମ୍ବର ୪୪୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ସିଝୁଆ ସ୍ଥିତ ଗୋଶାଳାକୁ ଜିମା ଦେଇଥିବାର ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି।

ସୂଚନା ଥାଉ କି ରାକ୍ଷୀ ପୂର୍ଣ୍ଣିମା ଦିନ ଟାଙ୍ଗୀ ପୋଲିସ ୧୦୧ ଗୋରୁଙ୍କୁ ଉଦ୍ଧାର କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପୁଣି ସକ୍ରିୟ ହେଲେ ଗୋରୁ ମାଫିଆ: ଗାଡି ସମେତ ଦୁଇ ଅଟକ, ୭ ଜୀବନ୍ତ ଗାଈଙ୍କୁ ଉଦ୍ଧାର କଲା ବାଘମାରୀ ପୋଲିସ

ଖୋର୍ଦ୍ଧା:  କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ କମିଥିବାବେଳେ ପୁଣିଥରେ ଗୋରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଗତକାଲି ନାଚୁଣୀରୁ ୪ ଗୋଟି ଗୋରୁକୁ ପୋଲିସ ଉଦ୍ଧାର କରିଥିବାବେଳେ ଆଜି ପୁଣି ୭ ଗୋଟି ଗୋରୁଙ୍କୁ ବାଘମାରୀ ପୋଲିସ ଉଦ୍ଧାର କରିଛି। ଏହା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ଆଜି ସଂଧ୍ୟାରେ ଏକ ବେଆଇନ ଗୋରୁ ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ସୂଚନା ମିଳିଥିଲା। ଗୋରୁ ବୋଝେଇ ଟାଟା ଏସି ଗାଡ଼ି (ଓଡ଼ି-୦୨-୧୪୦୯) କଟକ ଜିଲ୍ଲା ବାଙ୍କୀ ଥାନା ନରଗଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତରତୁଆ ଗ୍ରାମକୁ ଯାଉଥିବାର ଆଇଆଇସିଙ୍କୁ ଖବର ମିଳିଥିଲା। ବିଳମ୍ବ ନକରି ତୁରନ୍ତ ଆଇଆଇସି ଏବଂ ଟିମ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରଖିଥିଲେ। ପରିଶେଷରେ ସାରୁଅ ବ୍ରିଜ ନିକଟରୁ ଉକ୍ତ ଗାଡିକୁ ପୋଲିସ ଠାବ କରିଥିଲା। ଉକ୍ତ ଗାଡ଼ିରୁ ୭ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରାଯାଇଛି।

ଅନୁରୂପ ଭାବେ ଗାଡ଼ି ଚାଳକ ମୁନିର ଖାନ (୨୦) ଏବଂ ହେଲ୍ପର ଇନାମ ଖାନ (୩୫) ଙ୍କୁ ପୋଲିସ ଅଟକ ରଖିବା ସହ ଗାଡ଼ି ଟିକୁ ଜବତ କରିଛି। ଅଟକ ଅଭିଯୁକ୍ତଙ୍କ ବିରୋଧରେ ବାଘମାରି ଥାନାରେ କେସ ନମ୍ବର ୫୧/୨୧ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ସାମିଲ ଥିଲେ।