Categories
ଆଜିର ଖବର ମନୋରଂଜନ

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ ।‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ଭୁବନେଶ୍ୱର ର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକାର୍ପଣ ଉତ୍ସବ ରେ ଜୀ ସାର୍ଥକ ଚାନେଲର ଚିଫ୍ ଚାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ଉପସ୍ଥିତ ଥିଲେ l

ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେ କୌଣସି ବିଷକୁ କାଟି ପାରିବ କିନ୍ତୁ ସେହି ଫର୍ମୁଲା ମନ୍ଦ ଉଦ୍ଦେଶ୍ୟ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ ଓ ଭୋଳାଶଙ୍କରଙ୍କ ଅଶୀର୍ବାଦରୁ କାଳକ୍ରମେ ପୁଅ ବଡ ହେଇଛି, ନାଁ ଅଛି ଶଙ୍କର ଓ ତା ପାଖରେ ଅଛି ଚମତ୍କାର ଶକ୍ତି ।

ଏହି ଶକ୍ତି ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି । ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି ଓ ସେ ଅନୁସନ୍ଧାନ କରି ଜାଣିଛନ୍ତି ଶଙ୍କର କିଏ ଓ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଥିବା ଫର୍ମୁଲା କୋଉଠି ଅଛି ଓ ୨୫ ବର୍ଷ ତଳୁ ଫର୍ମୁଲା ଖୋଜିବାକୁ ସେ ଲାଗିପଡିଛନ୍ତି ।

ହେଲେ ଫର୍ମୁଲା କୋଉଠି ଅଛି, ଡାକ୍ତର ରୟ କେମିତି ଜାଣୁଛନ୍ତି ଡାକ୍ତର ପ୍ରଭାକର କଥା, ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି, ଡାକ୍ତର ପ୍ରଭାକର ଓ ଶଙ୍କର କ’ଣ ଫର୍ମୁଲା ବଞ୍ଚାଇପାରୁଛନ୍ତି । ଏମିତି କିଛି ନିଆରା କାହାଣୀକୁ‌ ନେଇ ଏପ୍ରିଲ୍ ୯ ସନ୍ଧ୍ୟା ୬:୩୦ରେ ଜୀ-ସାର୍ଥକ ରେ ପ୍ରସାରିତ ହେବ ‘ପାରିକରିବେ ଭୋଳାଶଙ୍କର ୨’ ।

ପ୍ରିୟବ୍ରତଙ୍କ କାହାଣୀ ‘ପାରିକରିବେ ଭୋଳାଶଙ୍କର ୨’ ରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଲିପିକା ସେନାପତି ଅପର୍ଣ୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ରାକେଶ ଦେଓ ଓ ଅନ୍ୟମାନଙ୍କ ଭିତରେ ଅଛନ୍ତି ଲୋକପ୍ରିୟ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ।

ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି) । ଫିଲ୍ମ ର ମନଛୁଆଁ ଗୀତ ଗୁଡିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟମ ପାଢୀ, ସତ୍ୟଜିତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ସୁପରହିଟ୍‌ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ ।

ଫିଲ୍ମ ର କାହାଣୀଟିରେ ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ରହିଛି । ତେବେ ଦର୍ଶକଙ୍କୁ ଆଶା ଓ ବିଶ୍ବାସର ଏହି କାହାଣୀ ଛୁଇଁବ ନିଶ୍ଚୟ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ l

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ ରେ କେବଳ ଜୀ-ସାର୍ଥକରେ ଦେଖିପାରିବେ। ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ୍ ରେ ଚଳଚ୍ଚିତ୍ର “ବନ୍ଦିନୀ” ର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଜୀସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍,ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ,ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ରୀୟା, କଣ୍ଠଶିଳ୍ପୀ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଲିପ୍ସା ମହାପାତ୍ର, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି, ଗାଇଛନ୍ତି ସ୍ଵୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ଓଡିଆ ଚଳଚିତ୍ର ଜଗତର ଦୁଇଜଣ ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ରିୟା ଦେ ଙ୍କୁ ଏକାଠି ଏହି ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ। ଏହି ଦୁଇଜଣଙ୍କ ଛଡ଼ା ଓଡ଼ିଶାର ଆହୁରି ଅନେକ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଓ ମନୀଷା ରଥ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବେ। ଏକ ଭିନ୍ନ ସ୍ୱାଦ ଓ ସସ୍ପେନ୍ସ ଚଳଚ୍ଚିତ୍ର ଯାହା ବିଭିନ୍ନ ରୂପରେ ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କ ଦେଖାଉଥିବା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି।

କାହାଣୀ ଆରମ୍ଭ ହେଉଛି ଭଉଣୀ ବାହାଘର ପାଇଁ ପାରୋଲରେ ଜେଲରୁ ଆସୁଥିବା ନନ୍ଦିନୀ ଠାରୁ ହେଲେ। ବାହାଘରରେ ନ ପହଞ୍ଚି, ସମୟକ୍ରମେ ସେ ପହଞ୍ଚୁଛି ଶୁଭମ୍ ଘରେ ଓ ସେଠାରେ ଏହି ଦୁଇଜଣଙ୍କୁ ଶୁଭମ୍ ର ପରିବାର ବିବାହ ବନ୍ଧନରେ ବାନ୍ଧିବାକୁ ପୁରା ପ୍ରସ୍ତୁତ ହେଲାବେଳ କାହାଣୀରେ ଆସୁଛି ଏକ ଆକସ୍ମିକ ମୋଡ। କାହାଣୀରେ ପ୍ରବେଶ କରୁଛି ଜସ୍ମିନ୍। ସେ ପ୍ରତିଶୋଧ ନେବାକୁ ନନ୍ଦିନୀର ଅତୀତ ଜୀବନ ବିଷୟରେ ଖୋଜିବା ଆରମ୍ଭ କରେ ଆଉ ଯେଉଁ ତଥ୍ୟ ମିଳେ ତାହା ଅଦ୍ଭୁତ। ହେଲେ କାହିଁକି ଜସ୍ମିନ୍ ପ୍ରତିଶୋଧ ନେଉଛି, କାହିଁକି ନନ୍ଦିନୀ ଜେଲରେ ଥିଲା ? ନନ୍ଦିନୀଙ୍କ ସହିତ କ’ଣ ହେବ? ସେ ପୁଣି ଜେଲକୁ ଯିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ କ୍ଲାଇମାକ୍ସରେ ହିଁ ମିଳିବ।

ବାହାଘର ପରେ ରିୟାଙ୍କର ଏହା ପ୍ରଥମ ଚଳଚିତ୍ର ଭାବରେ ରିଲିଜ୍ ହେବ ତେଣୁ ସେ ବହୁତ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ରିଲିଜ୍ ପାଇଁ ଓ ଆଶା କରିଛନ୍ତି ଦର୍ଶକ ମାନେ ଏହି ଚଳଚିତ୍ରଟିକୁ ମନଭରି ଉପଭୋଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଜୀ ସାର୍ଥକ ଫିଲ୍ମସର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏଇ ଅଡିଓ ଲୋକାର୍ପଣ ଅବସରରେ ଅଭିନେତ୍ରୀ ଜସ୍ମିନ ରଥ, ବିକ୍ରମ ମହାନ୍ତି, କଣ୍ଠ ଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ ଦାଶ, ଶୁଭାଶିଷ ଲେଙ୍କା, ସମେତ ଜୀ- ସାର୍ଥକ ଚାନେଲ ର ମୁଖ୍ୟ ପ୍ରତୀକ ସିଲ, ନନ୍ ଫିକ୍ସନ ହେଡ଼ ତନ୍ମୟ ମିଶ୍ର, ପ୍ରଯୋଜକ କବିର ଦାସ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଅଡିଓ ଲୋକାର୍ପଣ ଓ ପୋଷ୍ଟର ଉନ୍ମୋଚନ କରିଥିଲେ।

ଶାଶୁ-ବୋହୂ ସମ୍ପର୍କର ଅଦ୍ଭୁତ କାହାଣୀ ସହିତ ଜୀ-ସାର୍ଥକରେ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ ଚଳଚ୍ଚିତ୍ର ‘କନ୍ୟାଦାନ’। ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଏଥର ସେହି ଚିରାଚରିତ ଶାଶୁ- ବୋହୂଙ୍କର ଝଗଡ଼ା ନୁହେଁ ବରଂ ଜଣେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ କରୁଛନ୍ତି ତାକୁ ନେଇ ଏକ ଦମଦାର କାହାଣୀ ସହ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘କନ୍ୟାଦାନ’ ର ଅଡ଼ିଓ ଜାନୁୟାରୀ ୨୦ ରେ ଲୋକାର୍ପିତ ହୋଇଛି ଏବଂ ଆଗାମୀ ୨୯ ଜାନୁଆରୀରେ ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ।

ପ୍ରିୟବ୍ରତଙ୍କ କାହାଣୀ ତଥା କବିର ଦାସଙ୍କ ପ୍ରଯୋଜନା ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ପ୍ରଶାନ୍ତ ପାଢ଼ୀ ଗୀତଗୁଡ଼ିକ ସଙ୍ଗୀତରେ ସଜେଇଛନ୍ତି। ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢ଼ୀ, ଦେବାଂଶୀ ଦାଶ ଓ ଶୁଭାଶିଷ ଲେଙ୍କା ଏଥିରେ କଣ୍ଠ ଦାନ କରିଛନ୍ତି। ‘କନ୍ୟାଦାନ’ରେ ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ବେତା ରାୟ, ଜସ୍ମିନ ଓ ବିକ୍ରମ ଅଭିନୟ କରିଛନ୍ତି। ଏକ ଭିନ୍ନ ସ୍ୱାଦ ଓ ସମାଜରେ ବର୍ତ୍ତମାନ ସ୍ଥିତି ଉପରେ ଏହି କାହାଣୀ ସହ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।

ସିନେ ଜଗତର ପରିଚିତା ‘ଗୌରିନାନୀ’ ଶ୍ରୀମତୀ ରାୟ ଦୀର୍ଘ ସମୟ ଧରି ଓଡିଆ ତଥା ବେଙ୍ଗଲୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ବହୁମୁଖୀ ଅଭିନୟ ପାଇଁ ସେ ଓଡିଆ ସିନେମାର ଜଣେ ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜଣାଶୁଣା। କିମ୍ବଦନ୍ତୀ ଅଭିନେତା ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସଙ୍କ ସହ ‘ଶେଷ ଶ୍ରାବଣ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ପୁଣି ଦର୍ଶକ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ଜୀ-ସାର୍ଥକର ‘ସରଗମ୍’ ଧାରାବାହିକ ସହିତ ପ୍ରଥମ ଡେବ୍ୟୁ କରିଥିବା ଜସ୍ମିନ୍ ରଥ ଏବେ “ମା ଯାହାର ସାହା “ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।

ଏଥିସହ ସୋସିଆଲ ମିଡିଆରେ ଜଣେ ପରିଚିତ ମୁହଁ। ଓଡିଆ ଭାଷାରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି। ସେ ଜଣେ ଦକ୍ଷ ଏବଂ ପରିଶ୍ରମୀ ଅଭିନେତ୍ରୀ ଏବଂ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ଅଭିନୟ ପ୍ରତି ତାଙ୍କର ଉତ୍ସାହ। ବିଭିନ୍ନ ଓଡିଆ ଧାରାବାହିକରେ ନିଜ ଅଭିନୟର ଜାଦୁ ଦେଖାଇସାରିଥିବା ବିକ୍ରମ୍ ଏହି ଚଳଚିତ୍ରର ଏକ ଖାସ ଅଙ୍ଗ। ଏହି କାହାଣୀରେ ତାଙ୍କର ଆହୁରି ଉତ୍କୃଷ୍ଠ ହୋଇଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍

ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “ପୋଲିସ ବାବୁ” ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଥିବା ତିନିଟି ଯାକ ଗୀତ ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ହୋଇଛି। ୧୧ ଡ଼ିସେମ୍ବର ସନ୍ଧ୍ୟା ୬.୩୦ ରେ ରିଲିଜ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ୍ ବାବୁ’। ମନଛୁଆଁ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ରାମା ଓ କମେଡିରେ ଭରପୂର ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ‘ପୋଲିସ୍ ବାବୁ’ ଟିମ୍ ପକ୍ଷରୁ କୁହାଯାଇଛି। ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଡ. ରଜନୀ ରଞ୍ଜନ।

ଏଥିରେ ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଛନ୍ତି ଏବଂ ଗୁଡ୍‌ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଣ୍ଠଦାନ କରିଛନ୍ତି ଲିପ୍ସା, କୁଲଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ। ଚୁଲବୁଲି ନାୟିକା ସାୟଲ ଓ ହ୍ୟାଣ୍ଡସମ୍ ନାୟକ ଶୁଭାଶିଷ ଓରଫ ମଣ୍ଟୁ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଜୀ- ସାର୍ଥକର ଅନେକ ସଫଳ ଚଳଚ୍ଚିତ୍ର ପରି ଏହି ଚଳଚ୍ଚିତ୍ରଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

ସବୁଠୁ ବଡ଼କଥା ହେଉଛି ଉଭୟ ଟେଲି ଧାରାବାହିକ ଓ ଚଳଚ୍ଚିତ୍ରରେ ଲୋକପ୍ରିୟ ହେଇଥିବା ମଣ୍ଟୁ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ଦେଖିବାକୁ ମିଳିବେ ଏବଂ କମେଡି ବି କରିବେ। କିଛିଦିନ ପୂର୍ବରୁ ଜୀ ସାର୍ଥକ ଚ୍ୟାନେଲ୍ “ଏଇ ରାକ୍ଷୀ ତୋ ରକ୍ଷ୍ୟା କବଚ”,“ପାରି କରିବେ ମୋ ଭୋଳାଶଙ୍କର” ଓ “ଦିଦି ନମସ୍କାର” ଭଳି ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କ ପ୍ରିୟଭାଜନ ହୋଇଛି। ଏଥର ଶୁଭାଶିଷ ଓରଫ ମଣ୍ଟୁ ଏବଂ ସାୟଲ୍ ‘ପୋଲିସ୍ ବାବୁ’ ମାଧ୍ୟମରେ ପୁଣି ଦର୍ଶକଙ୍କ ମନ ଜିଣିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ ସାର୍ଥକ ଫିଲ୍ମସରେ ଖୁବ ଶୀଘ୍ର ଆସୁଅଛି ରାକ୍ଷୀ ସ୍ପେଶାଲ ମୁଭି ‘ଏଇ ରାକ୍ଷୀ ତୋ ରକ୍ଷା କବଚ’

ଭୁବନେଶ୍ବର: ଜୀ ସାର୍ଥକ ଫିଲ୍ମସରେ ରାକ୍ଷୀ ପୂର୍ଣ୍ଣିମା ଅବସରେ ନୂଆ ସିନେମା ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ଏକ ସୁନ୍ଦର ରୂପରେ ଅବତାରଣା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଛି। କ୍ଷୀରୋଦ ପଟ୍ଟନାୟକ ଏଥିରେ ପ୍ରଯୋଜନା କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର।

ଗିମିକ ମାଷ୍ଟର ସଂଜୟ ନାୟକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ରାକ୍ଷୀକୁ ନେଇ ସଂଜୟ ନିର୍ମାଣ କରିଛନ୍ତି ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’। ଯେଉଁଥିରେ ସ୍ୱର୍ଗତ ମିହିର ଦାସଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା। ତେଣୁ ଏହି ଚଳଚ୍ଚିତ୍ରରେ ଗିମିକ ମାଷ୍ଟର ସଂଜୟ କଣ ନୂଆ କରିବାକୁ ଯାଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ହ୍ୟୁମାନ ସାଗର, ନେହା, ନିହାରିକା, କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ କବି, ଶୁଭାଶିଷ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତ ଗୁଡିକ ନିହାର ପ୍ରିୟାଶୀଷ ଓ ଡା. ଶୁଭ ଦାସ ଲେଖିଥିବା ବେଳେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚିତ୍ରର ଗୀତ ଗୁଡି଼କ ବହୁତ ସୁମଧୁର ହୋଇଛି ଯାହାକି ଦର୍ଶକମାନେ ବହୁତ ପସନ୍ଦ କରିବେ ଓ ଏହି ରାକ୍ଷୀ ପୂର୍ଣ୍ଣିମାରେ ଏହାର ଅଡିଓ ରିଲିଜି କରାଯାଇଛି।

ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନନ୍ୟା,ରିଷି ଓ ବିକ୍ରମ ଏବଂ ତାଙ୍କ ସହ ରାଜଦୀପଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ। ରାକ୍ଷୀକୁ ନେଇ ଅନେକ ଓଡିଆ ଚଳଚ୍ଚିତ୍ର ପରଦାକୁ ଆସିଛି। କିନ୍ତୁ ଗତ କିଛି ବର୍ଷ ହେବ ରାକ୍ଷୀକୁ ବଡପରଦାରେ ଦେଖିବାକୁ ମିଳିନଥିଲା। ଅନେକ ଦିନ ପରେ ରାକ୍ଷୀକୁ ନେଇ ଓଡିଆ ସିନେମା ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଉଛି।