Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ଼ ଝଟକା: ଆହ୍ଲାବାଦ ହାଇକୋର୍ଟ ଖାରଜ କଲେ ୫ଟି ଆବେଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଥିବା ଜ୍ଞାନବାପି ମସଜିଦ ମାମଲା ଏବେବି ଚର୍ଚ୍ଚାର ବିଷୟ ପାଲଟିଛି। ସୋମବାର ଏଏସଆଇ ପକ୍ଷରୁ ଜ୍ଞାନବାପିର ବୈଜ୍ଞାନିକ ସର୍ଭେ ରିପୋର୍ଟ ଜିଲ୍ଲା ଜଜ୍ ଡାକ୍ତର ଅଜୟ କୃଷ୍ଣ ବିଶ୍ୱେଶଙ୍କ ଅଦାଲତରେ ଦାଖଲ କରାଯାଇଛି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧ରେ ହେବ। ସେପଟେ ମଙ୍ଗଳବାର ସମସ୍ତଙ୍କ ନଜର ଏବେ ଆହ୍ଲାବାଦ ହାଇକୋର୍ଟ ଉପରେ ରହିଥିଲା।

ସୂଚନାଯୋଗ୍ୟ, ଜ୍ଞାନବାପି ସମ୍ପର୍କିତ ୫ଟି ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ଚାଲିଛି। ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଡିସେମ୍ବର ୮ରେ ସମସ୍ତ ୫ଟି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ସକାଳେ ଜଷ୍ଟିସ ଅଗ୍ରୱାଲ ଏହି ୫ଟି ମାମଲାରେ ରାୟ ଶୁଣାଇଛନ୍ତି। ମୁସଲମାନ ପକ୍ଷ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ୫ଟି ଆବେଦନ ମଧ୍ୟରୁ ୩ଟି ୧୯୯୧ମସିହାରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାରଯୋଗ୍ୟତା ସହ ଜଡ଼ିତ ଥିଲା। ଏଏସଆଇ ସର୍ଭେ ବିରୋଧରେ ଆଉ ଦୁଇଟି ପିଟିସନ ଦାଖଲ ହୋଇଥିଲା। ଏବେ ଏହି ୫ଟି ଆବେଦନ ଖାରଜ ହୋଇଯାଇଛି।

ହାଇକୋର୍ଟରୁ ମୁସଲମାନ ପକ୍ଷକୁ ବଡ ଝଟକା

ଆହ୍ଲାବାଦ ହାଇକୋର୍ଟ ମୁସଲମାନ ପକ୍ଷକୁ ବଡ଼ ଝଟକା ଦେଇଛନ୍ତି। ବାରାଣସୀର ଜ୍ଞାନବାପି ଓ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ଶୁଣାଇଛନ୍ତି। ମୁସଲମାନ ପକ୍ଷର ସମସ୍ତ ୫ଟି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ୧୯୯୧ମସିହାରେ ହିନ୍ଦୁ ପକ୍ଷଦ୍ୱାରା ଦାୟର ମାମଲାର ରାୟ ପ୍ରକାଶ ପାଇଛି। ୧୯୯୧ରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର ଯୋଗ୍ୟତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ। ଏଏସଆଇ ସର୍ଭେକୁ ନେଇ ଦାୟର ହୋଇଥିବା ମାମଲା ଖାରଜ ହେବା ପରେ ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ହେବ।

୧୯୯୧ ଆଇନର କାର୍ଯ୍ୟକାରିତା ନେଇ ନିଷ୍ପତ୍ତି

୧୯୯୧ ମସିହାରେ ଭଗବାନ ଆଦି ବିଶ୍ୱେଶ୍ୱର ବିରାଜମାନଙ୍କ ଭକ୍ତମାନେ ବାରଣାସୀ ଜିଲ୍ଲା ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ଜ୍ଞାନବାପି ମସଜିଦ ଉପରେ ହିନ୍ଦୁ ପକ୍ଷଦ୍ୱାରା ଦାବି କରାଯାଇଥିଲା। ବିବାଦୀୟ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। ସେଠାରେ ପୂଜା ଅଧିକାର ଲୋଡ଼ାଯାଇଥିଲା। କୋର୍ଟରେ ଏହି ମାମଲା ଚାଲିଥିବା ନେଇ ଲଗାତାର ପ୍ରଶ୍ନ ଉଠିଛି। ଏବେ ବାରଣାସୀ କୋର୍ଟ ଏହି ମାମଲାର ଶୁଣାଣି କରିପାରିବେ କି ନାହିଁ ତାହା ହାଇକୋର୍ଟ ଆଜିର ରାୟରେ ନିଷ୍ପତ୍ତି ନେବେ। ଏହି ମାମଲାର ବିଚାରଯୋଗ୍ୟତାକୁ ନେଇ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଛନ୍ତି। ବାସ୍ତବରେ ମୁସଲମାନ ପକ୍ଷ ୧୯୯୧ର ପୂଜାସ୍ଥଳୀ ଆଇନକୁ ଉଦାହରଣ ଦେଇ ଆଦି ବିଶ୍ୱେଶ୍ୱର ମହାଦେବଙ୍କ ଆବେଦନର ଶୁଣାଣି ହୋଇନାହିଁ ବୋଲି ଦାବି କରୁଛନ୍ତି।

ମୁସଲମାନ ପକ୍ଷ ପକ୍ଷରୁ ଜ୍ଞାନବାପି ମସଜିଦର ଇନ୍ତେଜାମିଆ କମିଟି ପକ୍ଷରୁ ୩ଟି ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ପକ୍ଷରୁ ୨ଟି ପିଟିସନ ଦାଖଲ କରାଯାଇଥିଲା। ଶୁଣାଣି ପରେ ଡିସେମ୍ବର ୮ତାରିଖରେ ଚତୁର୍ଥ ଥର ପାଇଁ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ମଙ୍ଗଳବାର କୋର୍ଟ ଏହାର ରାୟ ଶୁଣାଇଛନ୍ତି। ସେହିପରି ଏଏସଆଇ ଅଧୀକ୍ଷକ ଅବିନାଶ ମହାନ୍ତିଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ବାରଣାସୀ ଜିଲ୍ଲା କୋର୍ଟରେ ୧୫୦୦ ପୃଷ୍ଠାର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ କରିବ: ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସର ସହ ଜଡ଼ିତ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ଜ୍ଞାନବାପି ମସଜିଦ ପରିସରରେ ଏଏସଆଇ ସର୍ଭେ କରିବାକୁ ବାରଣାସୀ ଜିଲ୍ଲା ଅଦାଲତ ଦେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ଗୁରୁବାର କାର୍ଯ୍ୟକାରୀ କରିଛନ୍ତି। ଏହି ସର୍ଭେ ବିରୋଧରେ ମୁସଲମାନ ପକ୍ଷ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏବେ କୋର୍ଟଙ୍କ ରାୟ ପରେ ତୁରନ୍ତ ଜ୍ଞାନବାପିରେ ସର୍ଭେ ଆରମ୍ଭ ହେବ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲମାନ ପକ୍ଷ ଏବେ ସୁପ୍ରିମକୋର୍ଟକୁ ଆବେଦନ କରିବେ।

ଅଦାଲତଙ୍କ ରାୟ ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଏକ ବିବୃତି ଦେଇ କହିଛନ୍ତି ଯେ କୋର୍ଟ ଏହି ସର୍ଭେକୁ ଅନୁମୋଦନ କରିଛନ୍ତି। ଏଏସଆଇ ତାଙ୍କ ସତ୍ୟପାଠ ଦାଖଲ କରିଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଓକିଲ କହିଛନ୍ତି ଯେ କୋର୍ଟ ମୁସଲିମ ପକ୍ଷର ଯୁକ୍ତିକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ସର୍ଭେରୁ ସତ ସାମ୍ନାକୁ ଆସିବ, ରାମ ମନ୍ଦିର ସ୍ଥିର ହେବା ମାତ୍ରେ ଏହା ମଧ୍ୟ ସ୍ଥିର ହେବ। ଏବେ ସମସ୍ତ ଶିବ ଭକ୍ତଙ୍କ ମନସ୍କାମନା ପୂରଣ ହେବ।

ଜିଲ୍ଲା ଜଜ୍ ଏଏସଆଇ ସର୍ଭେ ନିର୍ଦ୍ଦେଶ ଦେଇଥିଲେ

ହିନ୍ଦୁ ପକ୍ଷଙ୍କ ଆବେଦନର ଶୁଣାଣି କରି ବାରଣାସୀ ଜିଲ୍ଲା ଓ ଦୌରା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶ ଜ୍ଞାନବାପି ମସଜିଦ୍ ପରିସରର ସର୍ଭେ ପାଇଁ ଅନୁମତି ଦେବା ସହ ଅଗଷ୍ଟ ୪ ସୁଦ୍ଧା ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୨୪ ରେ ସାୱନର ତୃତୀୟ ସୋମବାରରେ ଏଏସଆଇର ୩୨ ଜଣିଆ ଟିମ୍ ବିଶ୍ୱନାଥ ଧାମରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଏହି ସର୍ଭେକୁ ବହିଷ୍କାର କରି ସୁପ୍ରିମକୋର୍ଟରେ ଅବମାନନା ପିଟିସନ ଦାୟର କରିଥିବାବେଳେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତୁରନ୍ତ ଏହି ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇବା ସହ ମୁସଲମାନ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ।

ପରିସର କ୍ଷତିଗ୍ରସ୍ତ ହେବ; ମୁସଲମାନ ପକ୍ଷର ଓକିଲ

ଅଦାଲତରେ ଯୁକ୍ତି ଉପସ୍ଥାପନ କରି ମୁସଲମାନ ପକ୍ଷର ଓକିଲ ଏସଏଫଏ ନକଭି ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଅଦାଲତଙ୍କ ଆଦେଶ ମାଧ୍ୟମରେ ଜ୍ଞାନବାପିର ବୈଜ୍ଞାନିକ ସର୍ବେକ୍ଷଣ ମୌଳିକ ଢାଞ୍ଚାକୁ କ୍ଷତି ପହଞ୍ଚାଇବ। ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗାଯିବା ପରେ ଦେଶ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। ସିଭିଲ୍ ମାମଲାରେ ସ୍ଥାୟୀତାର ବିନ୍ଦୁ ନିର୍ଦ୍ଧାରଣ ନ କରି ତରବରିଆଭାବେ ସର୍ଭେ ଏବଂ ଖନନ ନିଷ୍ପତ୍ତି ମାରାତ୍ମକ ହୋଇପାରେ। ତେବେ ଏଏସଆଇ ମୁସଲିମ ପକ୍ଷର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସର୍ଭେ ପାଇଁ ବ୍ୟବହୃତ ଟେକ୍ନୋଲୋଜି ଜ୍ଞାନବାପିର ମୌଳିକ ଢାଞ୍ଚାକୁ ମଧ୍ୟ ଖରାପ କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଜ୍ଞାନବାପି ମସଜିଦ ପରେ ଟିପୁ ସୁଲତାନଙ୍କ ସମୟରେ ନିର୍ମିତ ମସଜିଦକୁ ନେଇ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବାପୀ ମସଜିଦକୁ ନେଇ ବିବାଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। କିନ୍ତୁ ସେହି ସମୟରେ ଦୂରଦୂରାନ୍ତ କର୍ଣ୍ଣାଟକରେ ମଧ୍ୟ ସମାନ ବିବାଦ ଉପୁଜିଛି। ଯାହା ପରେ ଏବେ କର୍ଣ୍ଣାଟକ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ବାସ୍ତବରେ ଏହି ବିବାଦ ଟିପୁ ସୁଲତାନଙ୍କ ଶାସନ କାଳରେ କର୍ଣ୍ଣାଟକରେ ନିର୍ମିତ ଏକ ମସଜିଦ ବିଷୟକୁ ନେଇ ଆରମ୍ଭ ହୋଇଛି। ଯେଉଁଠାରେ ମସଜିଦ ଅବସ୍ଥିତ ସେହି ସ୍ଥାନରେ ହନୁମାନ ମନ୍ଦିର ଥିବା ଦାବି କରାଯାଉଛି।

ସୂଚନା ଯୋଗ୍ୟ ଯେ କର୍ଣ୍ଣାଟକର ଶ୍ରୀରଙ୍ଗପଟନ ନାମକ ସ୍ଥାନରେ ଏକ ଜାମା ମସଜିଦ ଅବସ୍ଥିତ। ଏହା ଟିପୁ ସୁଲତାନଙ୍କ ଦ୍ୱାରା ନିର୍ମିତ ହୋଇଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ କିଛି ହିନ୍ଦୁ ସଂଗଠନ ଦାବି କରିଛନ୍ତି ଯେ, ପୂର୍ବରୁ ସେଠାରେ ଏକ ମନ୍ଦିର ଥିଲା। ଯାହା ଟିପୁ ସୁଲତାନ ଭାଙ୍ଗି ତାଙ୍କ ସ୍ଥାନରେ ଏକ ମସଜିଦ ନିର୍ମାଣ କରିଥିଲେ। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ଆରମ୍ଭ ହୋଇଯାଇଛି। ହିନ୍ଦୁ ସଂଗଠନ ସେହି ମସଜିଦରେ ପୂଜାପାଠ କରିବାକୁ ଦାବି କରିଛନ୍ତି। ହିନ୍ଦୁ ସଂଗଠନ ଦାବି କରିଛି ଯେ, ଉପଲବ୍ଧ ଦଲିଲଗୁଡ଼ିକ ପ୍ରମାଣ କରେ ଯେ ସେଠାରେ ଏକ ହନୁମାନ ମନ୍ଦିର ଥିଲା। ଏହା ମଧ୍ୟ ଦାବି କରାଯାଉଛି ଯେ, ମସଜିଦର କାନ୍ଥରେ ହିନ୍ଦୁ ଶିଳାଲେଖ ମିଳିଛି, ଯାହା ସେଠାରେ ଏକ ମନ୍ଦିର ଥିବା ପ୍ରମାଣ କରିବାକୁ ଯଥେଷ୍ଟ।

ଆମେ ଆପଣଙ୍କୁ କହିରଖୁଛୁ ଯେବେଠାରୁ ଶ୍ରୀରଙ୍ଗପଟନଠାରେ ଅବସ୍ଥିତ ଜାମା ମସଜିଦର ଏକ ମନ୍ଦିର ଥିବା ଦାବି ବୃଦ୍ଧି ପାଇବାରେ ଲାଗିଛି, ସେହି ଦିନଠାରୁ ସୁରକ୍ଷା ବଢାଇବାକୁ ମସଜିଦ ପାର୍ଶ୍ୱରୁ ଏକ ଦାବି ରହିଛି। ତେବେ ଏ ପର୍ଯ୍ୟନ୍ତ କର୍ଣ୍ଣାଟକ ସରକାର କିମ୍ବା ଅନ୍ୟ କେଉଁ ବଡ ସଂଗଠନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।