Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ପ୍ରଥମ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ପ୍ରଥମ ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉପଭୋକ୍ତା ମାନଙ୍କ ଅଧିକାର ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। ଉପଭୋକ୍ତା ମାନଙ୍କ ଅଧିକାର ଓ ଦାୟିତ୍ବ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକତା ରହିଛି। ବଜାରରୁ ବିଭିନ୍ନ ସାମଗ୍ରୀ କ୍ରୟବେଳେ ଉପଭୋକ୍ତା ମାନେ ଏହାର ମାନ, ଗୁଣବତ୍ତା, ବ୍ୟବହାର୍ଯ୍ୟ ତାରିଖ ଆଦି ଯାଞ୍ଚ କରିବା ନିମନ୍ତେ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଖୋରଧା ମାନ୍ୟବର ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ଯୋଗଦେଇ ଉପଭୋକ୍ତା ମାନଙ୍କ ଥିବା ବିଭିନ୍ନ ଅଧିକାର ସଂପର୍କରେ ଆଲୋଚନା କରିଛନ୍ତି। ଖାଉଟି ବଜାରର ପରିସୀମା ସମୟକ୍ରମେ ବ୍ୟାପକ ହେଉଥିବାରୁ ଅନେକ ନକଲି ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନେ ସଚେତନ ହେବା ନେଇ ମତାବ୍ୟକ୍ତ କରିଥିଲେ। ଖାଉଟି ମାନେ କୌଣସି ସ୍ଥାନରେ ଠକାମିର ଶିକାର ହେଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିପାରିବେ ବୋଲି ଶ୍ରୀ ମିତ୍ର ମତବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ସମସ୍ତ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ। ଉପଭୋକ୍ତା ମାନେ ସାମଗ୍ରୀ କ୍ରୟ ବେଳେ ବୈଧ ରସିଦ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିଭଳି ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ ଯୋଗଦେଇ ବିଭିନ୍ନ ସାମଗ୍ରୀ କ୍ରୟ ବେଳେ ସରକାରଙ୍କ ପକ୍ଷରୁ ସ୍ବୀକୃତି ଥିବା ଚିହ୍ନକୁ ଯାଞ୍ଚ କରିବା ଆବଶ୍ୟକତା ରହିଥିବା କହିଥିଲେ। ଖାଉଟି ମାନେ ସଚେତନ ହେଲେ ଶଠ ସଂସ୍ଥା ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଉପସ୍ଥିତ ଏସଡିପିଓ ଦିଲ୍ଲିପ କୁମାର ଦାସ, ବୈଧ ଓଜନ ମାପ ବିଜ୍ଞାନ ଅଧିକାରୀ, ଭାରତୀୟ ତୈଳ ନିଗମ ପ୍ରତିନିଧି, ଓକିଲ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବୁଦ୍ଧିଜିବୀ ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ଓ ସୁରକ୍ଷା ଉପରେ ମଧ୍ୟ ମତବ୍ୟକ୍ତ କରିଥିଲେ।