Categories
ଆଞ୍ଚଳିକ

କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ, କବିତା ପାଠୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): “ଉଠ କଙ୍କାଳ” ପରି କାଳଜୟୀ ଉଦବୋଧନୀ କବିତାର ରଚୟିତା , “ନିଆଁଖୁଣ୍ଟା” ପରି ପ୍ରତିଷ୍ଠିତ ବ୍ୟଙ୍ଗ ପତ୍ରିକାର ସଂପାଦକ, ମାଗୁଣିର ଶଗଡ଼, ନୀଳମାଷ୍ଟ୍ରାଣୀ, ପରି ଖ୍ୟାତି ସଂପର୍ଣ୍ଣ ମାନବବାଦୀ ଗଳ୍ପର ଗାଳ୍ପିକ, ଔପନାସିକ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସହିତ ଶତାଧିକ ପ୍ରତିଷ୍ଠିତ କବିମାନଙ୍କ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବ ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟକୁମାର ଶତପଥୀ, ମୁଖ୍ୟ ବକ୍ତା ସୁସାହିତ୍ୟିକ ନାଟ୍ୟକାର ସୁବାସ ଚନ୍ଦ୍ରମହାପାତ୍ର, ସମ୍ମାନନୀୟବକ୍ତା ଗାଳ୍ପିକ ଶିବ ମିଶ୍ର ଓ ନୃସିଂହ ପ୍ରସାଦ ମିଶ୍ର ଯୋଗଦାନ କରି ମହାପାତ୍ର ସାହିତ୍ୟର ପୁଙ୍ଖା ନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ତାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ବ୍ୟଙ୍ଗ, ସମାଲୋଚନା, ସଂସ୍କାର ଧର୍ମୀ ଓ ମାନବ ବାଦୀ ଗଳ୍ପ କବିତା ଚିରକାଳ ଧରି ଓଡ଼ିଆସାହିତ୍ୟର ପାଠକଙ୍କ ହୃଦୟରେ ଜାଜୁଲ୍ୟମାନ ହେଉଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଏବଂ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବରେ ଲବ୍ଧ ପ୍ରତିଷ୍ଠ କବି ଓମପ୍ରକାଶ ଅଗ୍ରୱଲା, ଭିକାରୀଚରଣ ପ୍ରଧାନ, ମଦନ ମୋହନ ମହାପାତ୍ର, ଆନନ୍ଦଚନ୍ଦ୍ରସେନାପତି,ରଙ୍କ ନାଥ ସେଠୀ, ରମେଶ ଚନ୍ଦ୍ର ମହାପାତ୍ର, ରଶ୍ମିତା ମିଶ୍ର, ପ୍ରିୟ ଦର୍ଶିନୀ ମହାରଣା, ସୁଶାନ୍ତ ଦାଶ, ଶିଶିର ଦାସ, ଶେଷଦେବ ମହାରଣା, ରାଜେନ୍ଦ୍ର ରଥ, ଗୋଲକ ବିହାରୀ ପରୀଡ଼ା, ବୈରାଗୀ ବଳ, ରବିମାନସିଂ ,ଡଃ ନୃସିଂହ ପ୍ରଧାନ, ଦେବା ଶୀଷ ପଟ୍ଟନାୟକ, ସମେତ ଶତାଧିକ ସାରସ୍ଵତ ପ୍ରତିଭା ସ୍ଵରଚିତ କବିତା ଆବୃତ୍ତି କରି ଗୋଦାବରୀଶ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅଧ୍ୟାପକ ଡଃ କୈଳାସ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଅଧ୍ୟାପକ ଡଃ ଲକ୍ଷ୍ମୀ ଧରସୁବୁଦ୍ଧି ଧନ୍ୟବାଦାର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଦେଶବାସୀଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟର କଥା କହିଛନ୍ତି। ଦାୟିତ୍ୱ ନେଲେ ହିଁ ଅନେକଙ୍କ ଅଧିକାର ସୁରକ୍ଷିତ ରହିବ। ଜଣେ ବ୍ୟକ୍ତି ଦାୟିତ୍ୱ ନେଲେ ୫ ଜଣଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଭୁବନେଶ୍ୱର ଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍ୱର୍ଗତ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଗତିବାଦୀ ଅନୁଷ୍ଠାନକୁ ଓଡ଼ିଆ ସାମ୍ବାଦିକତା ଜଗତରେ ୫୦ ବର୍ଷର ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ। ଦାୟିତ୍ୱ ନେବା ବହୁତ ବଡ଼ କଥା ନୁହେଁ। ବରଂ ଛୋଟ ଛୋଟ କଥାରେ ମଧ୍ୟ ଦାୟିତ୍ୱର କଥା ରହିଛି। ଲାଇଟ୍ ଓ ପଙ୍ଖା ବନ୍ଦ କରି ବିଦ୍ୟୁତ ଅପଚୟକୁ ରୋକିବା କିମ୍ବା ପାଣି ଟ୍ୟାପ୍ ବନ୍ଦ କରି ଜଳ ସଂରକ୍ଷଣ କରିବାର ଦାୟିତ୍ୱ ନେଲେ ହିଁ ଅନେକ ଲୋକଙ୍କ ଅଧିକାର ସୁରକ୍ଷିତ ହୁଏ।

ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ ସୁଦ୍ଧା ୨୫ ବର୍ଷ ପରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଆଗାମୀ ୧୩ ଓ ୨୫ ବର୍ଷ ପାଇଁ ଆମର ଦାୟିତ୍ୱ କଣ ରହିବ ଓ ଓଡ଼ିଶାର ଚିତ୍ର କଣ ହେବ ଏ ଦିଗ ଉପରେ କଳ୍ପନା କରିବା ଦରକାର  ଏହି ସମୟରେ ସାମାଜିକ ଦାୟିତ୍ୱ କଣ ହେବ ଓ ଓଡ଼ିଶାର ଅର୍ଥନୀତି କେଉଁ ଅବସ୍ଥାରେ ଥିବ, ଚାଷ କ୍ଷେତ୍ରର ଭିତ୍ତିଭୂମି ଓ ଯୁବକର ସ୍ୱପ୍ନ କଣ ରହିବ, ଏହା ଆଧାରରେ ସଂକଳ୍ପ ନେବାକୁ ପଡ଼ିବ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେହିପରି ସନ୍ଥ କବି ଭୀମ ଭୋଇଙ୍କ ଲିଖିତ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି। ଏହି ବିଚାର, ପୃଥିବୀରେ ଓଡ଼ିଆ ଜାତି ଓ ଜନଜୀବନର ଲୋକକଥାର ପ୍ରସ୍ପୁଟିତର ପ୍ରତିଫଳନ। ଏଥିରୁ ଓଡିଆ ଜାତିର ମୌଳିକ କ୍ଷମତାର ଗଭୀରତା ଅନୁମେୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଆ ସମାଜର ପ୍ରବାଦ ପୁରୁଷ, ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଓ ରାଜନୀତିର ପ୍ରତୀକ ଭାବେ ଜଣାଶୁଣା ସ୍ୱର୍ଗତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜିକ, ରାଜନୈତିକ ଏବଂ ସାମ୍ବାଦିକତା ଜଗତର ମୂଲ୍ୟବୋଧର ପ୍ରତୀକ ଥିଲେ। ପର୍ଯ୍ୟାବରଣର ସୁରକ୍ଷା, ଗରିବ ଲୋକଙ୍କୁ ତାଙ୍କ ହକ୍ ଓ ଅଧିକାର ପ୍ରଦାନ କରିବା ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ବିଚାର ଉଚ୍ଚକୋଟ୍ଟୀର ଥିଲା। ଏହିପରି ଭାବରେ ଓଡ଼ିଆ ସ୍ୱାଭିମାନକୁ ନିଜ ଦୃଷ୍ଟିରେ ପରିପ୍ରକାଶ କରିବାରେ ସେ ନୂଆ ବେଞ୍ଚମାର୍କ ସ୍ଥାପନ କରିଥିଲେ। ତାଙ୍କ ଜୟନ୍ତୀ ଅବସରରେ ସ୍ୱର୍ଗତ ବଳଙ୍କ ଦ୍ୱାରା ସ୍ଥାପିତ ବେଞ୍ଚମାର୍କ ଆଧାରରେ ଆମେ ଓଡ଼ିଆ ଲୋକମାନେ ଆଗକୁ ବଢିବା ପାଇଁ ଦାୟିତ୍ୱ ନେବା ସହ ପରିଶ୍ରମ କରିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଛାତ୍ର ସଂଗଠନ ଦାୟିତ୍ୱରେ ଥିବା ସମୟରେ ସ୍ୱର୍ଗତ ବଳଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଉଭୟଙ୍କ ବୈଚାରିକ ଅସହମତ ସତ୍ତ୍ୱେ ସେ ମୋତେ ବହୁତ ସ୍ନେହ ଓ ଆଦର କରିଥିଲେ। ପ୍ରଦ୍ୟୁମ୍ନ ବଳଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଗତିବାଦୀ’ ଗୋଟିଏ ବିଚାର ଓ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ। କେବଳ ପ୍ରଶଂସା ନୁହେଁ ବରଂ ଏକ ସମାଲୋଚକ ଭାବେ ଖବର ପ୍ରକାଶିତ କରେ। କାରଣ, ସମାଲୋଚନା ଦ୍ୱାରା ହିଁ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଉତ୍କୃଷ୍ଟତା ସାଧିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ଅମୃତ ସଂକଳନ’କୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିବା ସହ ଏହି ପତ୍ରିକା ଯୁବପିଢିଙ୍କୁ ପ୍ରେରିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଗୋପବନ୍ଧୁ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ଶିକ୍ଷା ଅନୁଷ୍ଠାନ ପଞ୍ଚାଶଖା ସ୍ମୃତି ସଂସଦ, ପୂଣ୍ୟ ଉତ୍କଳ ଫାଉଣ୍ଡେସନ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଫରେଷ୍ଟ ପାର୍କ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ରାଜ୍ୟସ୍ତରୀୟ ୧୪୪ତମ ଗୋପବନ୍ଧୁ ଜୟନ୍ତୀ ସମାରୋହ-୨୦୨୧ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ନିରଞ୍ଜନ ସାହୁ, ମାନ୍ୟବର ସଦସ୍ୟ, ଓଡ଼ିଶା ଲୋକସେବା ଆୟୋଗ ତଥା ପୂର୍ବତନ ପଶ୍ଚିମାଞ୍ଚଳ ରାଜସ୍ୱ ମଣ୍ଡଳ, ମୁଖ୍ୟ ଅତିଥି ଭାବେ ରବିନାରାୟଣ ସେନାପତି, ମାନ୍ୟବର ପୂର୍ବତନ ନିର୍ବାଚନ ଆୟୁକ୍ତ, ଓଡ଼ିଶା, ମୁଖ୍ୟବକ୍ତା ଭାବେ ମନୋରଞ୍ଜନ ମହାପାତ୍ର, ଅଧ୍ୟକ୍ଷ, ପୂଣ୍ୟ ଉତ୍କଳ ତଥା ସମ୍ପାଦକ ସାଇଦର୍ଶନ, ବିଶିଷ୍ଟ ଅତିଥି ଭାବେ ଗୋପବନ୍ଧୁ ମଲ୍ଲିକ, ପୂର୍ବତନ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ଅତିଥି ଭାବେ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବରିଷ୍ଠ ପ୍ରଶାସକ ତଥା ମୁଖ୍ୟ ସଂଯୋଜକ, ସମାଜ, ସଭାପତି ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଭାରତ ବେହେରାଙ୍କୁ ରାଜ୍ୟସ୍ତରୀୟ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅତିଥିମାନେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଜନ୍ମ ମାଟିରେ ପାଇକ କବି କୃଷ୍ଣଚନ୍ଦ୍ରଙ୍କ ଜୟନ୍ତୀ ସମାରୋହ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ଅତିବଡ଼ି ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୦ତମ ଜୟନ୍ତୀ ଜନ୍ମମାଟି ଭୀମପୁର ଠାରେ କୋଭିଡ ନିୟମକୁ ସଂମ୍ମାନ ଜଣାଇ ପାଳିତ ହୋଇଯାଇଛି।

କୃଷ୍ଣଚନ୍ଦ୍ର ପାଠାଗାର ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋପୀନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ଼. ନନ୍ଦକିଶୋର ତ୍ରିପାଠୀ, ମୁଖ୍ୟବକ୍ତା ରୂପେ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ସଂମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ୍ ବିଭୁତି ଭୂଷଣ ନନ୍ଦ ଯୋଗ ଦେଇ କବିଙ୍କ କାଳଜୟୀ ମାନବ ଧର୍ମୀ କବିତା ଓଡ଼ିଶାର ଜନମାନସକୁ ସବୁବେଳେ ଉଦବେଳିତ କରୁଥିବ ବୋଲି ପ୍ରକାଶ କରିଥିଲେ।

ପାଠାଗାର ସମ୍ପାଦକ ମଧୁସୂଦନ ନନ୍ଦ ବିବରଣୀ ପାଠ କରିଥିବା ବେଳେ, କବି ଅଶୋକ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାତଃ ସମୟରେ ଭୀମପୁର ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବହୁ ଅନୁଷ୍ଠାନ କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜାନକୀବଲ୍ଲଭ ନନ୍ଦ, ମାଧବ ଚନ୍ଦ୍ର ବାରିକି, ନାରାୟଣ ମହାନ୍ତି, ଆନନ୍ଦ ଚନ୍ଦ୍ର ସେନାପତି, ସୁରେଶ ଚନ୍ଦ୍ର ନାୟକ, ବଦ୍ରିକାନାଥ ନନ୍ଦ, ପଦ୍ମଚରଣ ସାହୁ ଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।