Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଗିରିଧର ଗମାଙ୍ଗ କେବେ ?

ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ କୁମାର ପରିଡ଼ା, ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ହେମସାଗର ନନ୍ଦ, ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆ, କେନ୍ଦ୍ରାପଡ଼ାର ସମାଜସେବୀ ସିଦ୍ଧାର୍ଥ ଦାସ, ହିନ୍ଦୋଳର ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ, ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତାପାର୍ଟି ତେନ୍ତୁଳୀଖୁଂଟିର ବରିଷ୍ଠ ନେତା ମଦନ ମୋହନ ମାଝୀ, ନବ ଭତରା, ରାଜମୋହନ ଜାନି, ନବରଙ୍ଗପୁର ବ୍ଲକର ବରିଷ୍ଠ ବିଜେଡ଼ି ନେତା ସୋରଜ ମହାକୁଡ଼, ସୁନାଧର ଜାନି, ପ୍ରବିଣ କୁମାର ସିଂ, ମୁକୁର କୁମାର ମଣ୍ଡଳ, ଚନ୍ଦ୍ର ଭତରା, ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ମନିଷା ତ୍ରିପାଠୀ, ପ୍ରକାଶ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ନୂତନ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଥିବା ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, କଂଗ୍ରେସ ଦଳର ଉତରୀୟ ପ୍ରଦାନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ବରିଷ୍ଠ ନେତୃବର୍ଗ ସେମାନଙ୍କୁ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ।

ଶ୍ରୀ ଜୟରାମ ପାଙ୍ଗି ନିଜ ପ୍ରତିକ୍ରିୟାରେ କହିଥିଲେ କଂଗ୍ରେସ ଦଳ ହେଉଛି ମୋ ବାପାଙ୍କର ଦଳ, ମୁଁ ଏବେ ଆମ ଘରକୁ ଫେରିଛି। ଫେରିବାରେ ବହୁ ବିଳମ୍ବ ହୋଇଛି କିନ୍ତୁ ରାସ୍ତା ହୁଡ଼ି ନାହିଁ । କଂଗ୍ରେସ ହିଁ ଏକମାତ୍ର ଦଳ ଯେକି ଭାରତବର୍ଷର ବିବିଧତା, ଐକ୍ୟତା, ଶାନ୍ତି, ସଂହତି ରକ୍ଷାକରିବାରେ ସମର୍ଥ। କଂଗ୍ରେସ ଦଳ ହିଁ ଏକମାତ୍ର ରାଜନୈତିକ ଦଳ ଯିଏକି ଆଦିବାସୀ ବର୍ଗର ସ୍ୱାର୍ଥ ରକ୍ଷା କରିବା ପାଇଁ ସମସ୍ତ ଆଇନ କାନୁନ ସହିତ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା କରିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା, ଘୃଣା, ହିଂସା ଓ ଦ୍ୱେଷ ବଦଳରେ ପ୍ରେମକୁ ବାଂଟିବା ମଣିଷ ସମାଜକୁ ଭଲ ପାଇବା ମୋତେ ବହୁ ଭାବରେ ପ୍ରଭାବିତ କରିଛି।

ଆସନ୍ତା ଦିନରେ ରାଜ୍ୟ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବାପାଇଁ ଆମେ ସମସ୍ତେ ବହୁ ପରିଶ୍ରମ କରିବୁ। ନୂତନ ଭାବରେ ଯୋଗଦେଇଥିବା ବ୍ୟକ୍ତିମାନେ କଂଗ୍ରେସର ନୀତି ଆଦର୍ଶ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ନେତୃତ୍ୱ ପ୍ରତି ଅଗାଢ଼ ବିଶ୍ୱାସ ରଖି ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ ଶପଥ ନେଉଛୁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଫୋକସରେ କେସିଆରଙ୍କ ମହାସମାବେଶ, ଓଡିଶା ନେତାଙ୍କ ଯୋଗଦାନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା। ଏହି ନିର୍ବାଚନରେ ଚଳିତ ଥର ଶାସକ ଦଳ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ବା ବିଆରଏସ କୁ କଡ଼ା ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡିବ। କାରଣ ଏଥର ବିଜେପି ତେଲେଙ୍ଗାନା ରାଜ୍ୟକୁ ମୁଖ୍ୟ ଫୋକସରେ ରଖିଛି। ସେଥିପାଇଁ ରାଜ୍ୟରେ ରାଜନୀତି ବେଶ ଗରମ ହେବାରେ ଲାଗିଛି।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଆସନ୍ତା ଅଠର ତାରିଖରେ ଖମ୍ମା ଠାରେ ଏକ ବିଶାଳ ସମାବେଶର ଆୟୋଜନ କରୁଛନ୍ତି।  ବିଆରଏସର ଏହି ସମ୍ମିଳନୀକୁ ଜାତୀୟ ରାଜନୀତି ମଧ୍ୟ ନଜରରେ ରଖିଛି। କାରଣ କେସିଆରଙ୍କ ଏହି ମେଗା ସୋ ମାଧ୍ୟମରେ ଜାତୀୟ ରାଜନୀତିରେ ଦଳର ପ୍ରତିଷ୍ଠା ଜାହିର କରିବେ ବୋଲି କୁହାଯାଇଛି।

ସବୁଠାରୁ ବଡ କଥା ହେଲା କେସିଆରଙ୍କ ଏହି ସମ୍ମିଳନୀରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି।  କେସିଆରଙ୍କ ସହିତ ତିନି ମୁଖ୍ୟମନ୍ତ୍ରୀ – ପିନାରାଇ ଭାଇଜାନ, ଅରବିନ୍ଦ କେଜ୍ରିୱାଲ, ଏବଂ ଭଗବନ୍ତ ସିଂ ମନ୍  ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ଅନେକ ଜାତୀୟ ନେତା ମଧ୍ୟ ଯୋଗଦେବେ। ଫଳରେ ଏହା ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିବ ବୋଲି ଆଶା କରାଯାଉଛି।

ସେହିପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ ମଧ୍ୟ ଏହି ସମାବେଶରେ ଯୋଗଦେଉଛନ୍ତି ବୋଲି ଜଣାପଡିଛି। କାରଣ ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ପ୍ରଗତି ଭବନରେ କେ.ସି.ଆର ଙ୍କ ସହିତ ସେ ସାକ୍ଷାତ କରିଛନ୍ତି। ଏଥିରେ ତାଙ୍କ ପୁଅ ଶିଶିର ଗମାଙ୍ଗ ଏବଂ ଅନ୍ୟମାନେ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଓଡିଶାର ଅନ୍ୟତମ ନେତା ଜୟରାମ ପାଙ୍ଗୀ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଛନ୍ତି। ଏହି ତିନି ନେତା ଖମ୍ମାରେ ହେବାକୁ ଥିବା ସମ୍ମିଳନୀରେ ମଧ୍ୟ ଯୋଗ ଦେଉଛନ୍ତି ବୋଲି ଜଣାପଡିଛି।

ଚର୍ଚ୍ଚା ଅନୁସାରେ ଓଡିଶାର ଏହି ତିନି ନେତା ବିଜେପିରୁ ଇସ୍ତଫା ଦେଇ ସେହି ଖମ୍ମା ସମାବେଶରେ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଏ ନେଇ କେସିଆର ତିନି ନେତାଙ୍କ ସହିତ ବିସ୍ତୁତ ଆଲୋଚନା ମଧ୍ୟ କରିଛନ୍ତି। ଓଡିଶାରେ ବିଆରଏସ କୁ ସୁଦୃଢ କରିବା ପାଇଁ ଏମାନେ କେସିଆରଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଏହି ତିନି ନେତା ବିଜେପିରୁ କଣଠୋସା ହୋଇ ରହିଛନ୍ତି। ସେଥିପାଇଁ ସେମାନେ କେସିଆରଙ୍କ ସହିତ ହାତ ମିଳାଇ ପାରନ୍ତି ବୋଲି ଜଣାପଡିଛି।