Categories
ଆଜିର ଖବର ଜାତୀୟ ଖବର

ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ (ଓଏନ୍ଓଏସ୍)କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ  ଅନୁମୋଦନ ମିଳିଛି। ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ। ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ।

ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ଏକ ଦେଶ ଏକ ସବସ୍କ୍ରିପ୍ସନ ପାଇଁ ସମୁଦାୟ ପ୍ରାୟ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷାର ସର୍ବାଧିକ ଉପଲବ୍ଧତା ନିମନ୍ତେ ଶିକ୍ଷା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଏବଂ ପହଞ୍ଚକୁ ଆହୁରି ବୃଦ୍ଧି କରିବ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ। ଏହା ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାରଗୁଡିକରେ ଗବେଷଣା ଏବଂ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏଏନଆରଏଫ୍ ପଦକ୍ଷେପକୁ ସମର୍ଥନ କରିବ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଓ ପାଠାଗାର ନେଟୱାର୍କ (ଆଇଏନଏଫଏଲଆଇବିଇଟି) ନାମକ ଏକ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମନ୍ୱିତ ଜାତୀୟ ସବସ୍କ୍ରିପ୍ସନ ମାଧ୍ୟମରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ଅନୁଷ୍ଠାନର ପରିଚାଳନା ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ ଯୋଜନାର ଲାଭ ପ୍ରଦାନ କରାଯିବ। ଏହି ତାଲିକାରେ ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କୁ ମିଶାଇ ୬,୩୦୦ରୁ ଅଧିକ ଅନୁଷ୍ଠାନ କୁ ସାମିଲ କରାଯାଇଛି, ଯେଉଁମାନେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନର ଲାଭ ଉଠାଇବାରେ ସକ୍ଷମ ହେବେ।

ଏହା ୨୦୪୭ ସୁଦ୍ଧା ବିକଶିତ ଭାରତ, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏବଂ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନଆରଏଫ)ର ଲକ୍ଷ୍ୟ ଅନୁରୂପ ଅଟେ। ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ସହର ସମେତ ସମସ୍ତ ବିଭାଗର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକମାନଙ୍କ ନିକଟରେ ଗବେଷଣାଧର୍ମୀ ପତ୍ରିକା ଉପଲବ୍ଧ ହେବ, ଯାହା ଦ୍ୱାରା ଦେଶରେ ମୌଳିକ ତଥା ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ।

ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ ‘‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ’’ ରହିବ, ଯାହା ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ପତ୍ରିକାଗୁଡ଼ିକୁ ଆକସେସ୍ କରିବାରେ ସକ୍ଷମ ହେବେ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ। ଉଚ୍ଚ ଶିକ୍ଷା ବିଭାଗ ଏବଂ ଅନ୍ୟମନ୍ତ୍ରଣାଳୟଗୁଡ଼ିକ ସେମାନଙ୍କ ପରିଚାଳନା ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଗବେଷକମାନଙ୍କ ମଧ୍ୟରେ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନର ଉପଲବ୍ଧତା ଏବଂ ଯୋଗାଣ ପଦ୍ଧତି ବିଷୟରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ସକ୍ରିୟ ଭାବରେ ପରିଚାଳନା କରିବେ, ଯାହାଫଳରେ ସମଗ୍ର ଦେଶରେ ଏହି ସୁବିଧାର ଉନ୍ନତ ବ୍ୟବହାର ହେବ। ସମସ୍ତ ସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରା ଏହି ଅନନ୍ୟ ସୁବିଧାର ଅଧିକରୁ ଅଧିକ ଉପଯୋଗ ପାଇଁ ନିଜ ନିଜ ସ୍ତରରେ ଅଭିଯାନ ଚଳାଇବାକୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର। ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ ବୋଲି  ଆଜି ଆଇଆଇଟି ଦିଲ୍ଲୀରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ସବୁ ଆଇଆଇଟି- ଆର୍ ଆଣ୍ଡ୍ ଡି ପ୍ରଦର୍ଶନୀ ଇନଭେନଟିଭ୍ ୨୦୨୨କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  

ବିଶ୍ୱର ଅନେକ ଦେଶ ଆଇଆଇଟି କ୍ୟାମ୍ପସ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ହିଁ ଆମ ଆଇଆଇଟିର ଜ୍ଞାନ ଓ ଗୁଣବତ୍ତାକୁ ପରିଚୟ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନର ନାରା ଦେଇଛନ୍ତି। ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ଇନଭେନଟିଭ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଆଗକୁ ନେଉଛି। ସେହିପରି ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଭାବନ କରାଯାଉଛି। ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଅଛି। ଏହି ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ଏକ ମାର୍ଗଦର୍ଶିକା ଭାବରେ ଆସ୍ଥାଭାଜନ ହୋଇପାରିଛି। ସଫ୍ଟଓୟାର୍ ଡେଭଲପମେଣ୍ଟ, ଫାଇନାନ୍ସ ମ୍ୟାନେଜମେଣ୍ଟ, ମେଡିସନ ଏବଂ ଲିଗାଲ୍ ଆନାଲିଟିକ୍ସ ଭଳି କ୍ଷେତ୍ରରେ ଭାରତ ଅଗ୍ରଣୀ ନେତୃତ୍ୱ ନେଉଛି। ଦେଶବାସୀଙ୍କ ମଧ୍ୟରେ ଥିବା ବୌଦ୍ଧିକ କ୍ଷମତା ଭାରତକୁ ନୂଆ ବୈଶ୍ୱିକ ଦୃଶ୍ୟପଟ୍ଟରେ ଶିଖରରେ ପହଞ୍ଚାଇବାର କ୍ଷମତା ରଖିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମକୁ ଗବେଷଣା ଆଧାରିତ ଉଦ୍ୟମତା ବିକଶିତ କରିବାକୁ ହେବ। ଭାରତର ପ୍ରତିଭା, ଡିଜିଟାଲ କାରବାର, ବଜାର, କିଣିବା କ୍ଷମତା ଏବଂ ବଢୁଥିବା ଆକାଂକ୍ଷା ଭାରତକୁ ଦ୍ରୁତ ଗତିରେ ଆଗକୁ ନେଉଛି। ଆଇଆଇଟି ଗୁଡିକ ଏହି ସୁଯୋଗର ବ୍ୟବହାର କରିବାର କରିବା ଉଚିତ୍। ଏହାବ୍ୟତିତ ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ହେବ। ଦେଶରେ ସୃଷ୍ଟି ହେଉଥିବା ଜୈବ ବର୍ଜ୍ୟବସ୍ତୁର ସଠିକ୍ ଉପଯୋଗ କରାଗଲେ ଅର୍ଥନୀତିକୁ ସହାୟକ ହେବ। ଆଇଆଇଟି ଇଞ୍ଜିନିୟର କଲେଜ ଠାରୁ ଉର୍ଦ୍ଧ୍ୱରେ ରହିବାକୁ ହେବ। ନବସୃଜନ, ନିଯୁକ୍ତିଦାତା ସୃଷ୍ଟି କରିବା ଭଳି ବିଷୟକୁ ନେଇ ଆଇଆଇଟି ଗୁଡ଼ିକର ନୂଆ ମାପଦଣ୍ଡ ସ୍ଥିର କରିବାକୁ ହେବ। 

ପ୍ରଯୁକ୍ତିବିଦ୍ୟା, ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ଏବଂ ଏଥିରେ ଆଇଟି ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଶୀର୍ଷ ତାଲିକାରେ ରହିବ। ବିଶ୍ୱ ଭାରତରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛୁକ ଅଛି ଏବଂ ଆମର ଛାତ୍ରଛାତ୍ରୀ ଓ ଇନୋଭେସନ ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ରହିବାର କ୍ଷମତା ରଖିଛନ୍ତି। ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଭଳି ସବୁଠୁ ବଡ଼ ସଂସ୍କାର ପ୍ରଣୟନ କରାଯାଉଛି । ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ଆଇଆଇଟି ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଇନଭେନଟିଭ୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ୭୫ଟି ଇନୋଭେସନ ଆମର ଆଇଆଇଟିର ଗବଷେଣା ଓ ବିକାଶର କ୍ଷମତାକୁ ଦର୍ଶାଇଛି। ଜଟିଳ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ଦିଗରେ ଇନଭେନଟିଭ୍ କାର୍ଯ୍ୟକ୍ରମ ସମାଧାନର ରାସ୍ତା ବାହାର କରିବ।   

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ଦିଲ୍ଲୀ ପରିସରରେ ଥିବା ଭାରତୀ ସ୍କୁଲ୍ ଅଫ୍ ଟେଲିକମ୍ୟୁନିକେସନ ଆଣ୍ଡ୍ ମ୍ୟାନଜମେଣ୍ଟ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଇନଭେନଟିଭ୍  କାର୍ଯ୍ୟକ୍ରମରେ ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ, ଇନସ୍ପେଶର ଚେୟାରମ୍ୟାନ ପଓ୍ୱନ ଗୋଏଙ୍କା, ସାଏଣ୍ଟ ପ୍ରତିଷ୍ଠାତା ବିଭିଆର ମୋହନ ରେଡ୍ଡୀ, ସମସ୍ତ ୨୩ଟି ଆଇଆଇଟିର ନିର୍ଦ୍ଦେଶକ, ପ୍ରଫେସର, ଶିଳ୍ପ ନେତୃତ୍ୱ, ଇନୋଭେଟର ଓ ଆଇଆଇଟି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।