Categories
ବିଶେଷ ଖବର

ଝାଡଖଣ୍ଡରେ ସରକାର ଗଢିବେ ଜେଏମଏମ-କଂଗ୍ରେସ ଓ ଆରଜେଡି ମେଣ୍ଟ: ଏକଜିଟ୍ ପୁଲ ଫଳାଫଳ

ନୂଆଦିଲ୍ଲୀ: ଝାଡଖଣ୍ଡରେ ସରକାର ଗଢିବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ। ବିଭିନ୍ନ ନ୍ୟୁଜ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ୍ ପୁଲରୁ ଏହା ସ୍ପଷ୍ଟ ହୋଇଛି। ଆଜି ଝାଡଖଣ୍ଡର 81ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା। ଏହି ନିର୍ବାଚନ ସରିବା ପରେ ବିଭିନ୍ନ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ ପୁଲର ଫଳାଫଳ ପ୍ରକାଶ କରାଯାଇଥିଲା। ଏଥିରେ ଚ୍ୟାନେଲଗୁଡିକ ଯେଉଁ ଫଳାଫଳ ପ୍ରକାଶ କରିଥିଲେ ତାହା ହେଲା

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ

ଜେଏମଏମ-କଂଗ୍ରେସ ମେଣ୍ଟ- 38 ରୁ 50  ବିଜେପି- 22 ରୁ 32

ଖାସିସ ନ୍ୟୁଜ

ଜେଏମଏମ-କଂଗ୍ରେସ ମେଣ୍ଟ- 37 ରୁ 49   ବିଜେପି- 25 ରୁ 30

ଆଇଏଏନଏସ ସି ଭୋଟର

ଜେଏମଏମ-କଂଗ୍ରେସ ମେଣ୍ଟ- 35      ବିଜେପି-  32

ଦେଶରେ ସିଏଏଏ ନିଆଁ ଜଳୁଥିବା ବେଳେ ଝାଡଖଣ୍ଡରେ ନିର୍ବାଚନ ଚାଲିଥିଲା। ବିଜେପି ଏହାକୁ ଆଧାର କରି ନିର୍ବାଚନ ବୈଚରଣୀ ପାରି ହେବାକୁ ଚେଷ୍ଠି କରିଛି। ହେଲେ ମେଣ୍ଟ ଦଳ ସ୍ଥାନୀୟ ସମସ୍ୟାକୁ ନିର୍ବାଚନୀ ପ୍ରସଂଗ କରି ନିର୍ବାଚନ ଲଢିଥିଲା। ଆସନ୍ତା 23 ତାରିଖରେ ଝାଡଖଣ୍ଡ ନିର୍ବାଚନର ଭୋଟ ଗଣତି କରାଯିବ। (ଆଇଏଏନଏସ)

Categories
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ଏକ ଖେଳ ବୋଲି ଭାବୁଛନ୍ତି କି ?

କେଦାର ମିଶ୍ର 

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ।

ନିକଟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିଛି। ଏହାର ଫଳାଫଳ ବାହାରିବାର ମାତ୍ର ୧୦ ଦିନ ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବାର ଉଦ୍ଦେଶ୍ୟ କଣ? ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ମାନେ କଣ? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ। ଏହା ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଳମ୍ବିତ କାର୍ୟକ୍ରମ ଘୋଷଣା କରାଯାଇଥିଲା।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ। ତେବେ ଆଜିର ପୃଷ୍ଠଭୂମିରେ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଓ କାର୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି। ପ୍ରଥମତଃ ଏହାକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ସହିତ ଏକାଠି ନିର୍ବାଚନ କରାଇବାରେ କୌଣସି ଅସୁବିଧା ନଥିଲା। ବିଧାନସଭା ସମୟ ଅବଧି ସରିବାର  ୬ ମାସ ଆଗରୁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ କମିଶନ ଘୋଷଣା କରିପାରିବେ। ଏ କ୍ଷେତ୍ରରେ ଝାଡଖଣ୍ଡକୁ ଅନ୍ୟ ଦୁଇ ରାଜ୍ୟର ନିର୍ବାଚନଠାରୁ ଅଲଗା କରିବାର ଉଦ୍ଦେଶ୍ୟ କଣ? ଯଦିବା ଏହା ଅଲଗା ସମୟରେ ହେଉଛି, ମାତ୍ର ୮୧ ତ ବିଧାନସଭା ଲାଗି ୨୦ ଦିନ ବ୍ୟାପୀ ପାଞ୍ଚୋଟି ପର୍ୟାୟର ନିର୍ବାଚନ କାହିଁକି? ନିକଟରେ ମହାରାଷ୍ଟ୍ର ଭଳି ବଡ ରାଜ୍ୟ, ଯେଉଁଠି ୨୮୮ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିଲା, ତାହା ଗୋଟିଏ ଦିନରେ ସମ୍ପନ୍ନ ହୋଇଥିବା ବେଳେ ଝାଡଖଣ୍ଡ ଭଳି ଛୋଟ ରାଜ୍ୟରେ ପାଞ୍ଚ ଥାକିଆ ନିର୍ବାଚନ କାହିଁକି ?

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଝାଡଖଣ୍ଡରେ ନକ୍ସଲ ଅଞ୍ଚଳ ଓ ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ହୁଏତ ଏ ପ୍ରକାର ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇପାରେ। ତେବେ ମହାରାଷ୍ଟ୍ରର ଗଡ ଚିରୋଲି ଅଞ୍ଚଳ ନକ୍ସଲ ପ୍ରଭାବିତ ନଥିଲା କି? ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା କେମିତି? ମହାରାଷ୍ଟ୍ରର ଭୌଗୋଳିକ ବିବିଧତା ଝାଡଖଣ୍ଡ ତୁଳନାରେ ଅଧିକ ବ୍ୟାପକ। ତା ସତ୍ତ୍ୱେ ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା। ଝାଡଖଣ୍ଡରେ କଣ ଏମିତି ହେଲା ଯେ ଏଠି ମାସେ ଯାଏ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିବ? ନିର୍ବାଚନ କମିଶନଙ୍କ ଏ ପ୍ରକାର ସିଦ୍ଧାନ୍ତକୁ ନେଇ ଏବେ ସନ୍ଦେହ ଉଠୁଛି। ଉଠିବା ସ୍ଵାଭାବିକ ମଧ୍ୟ। ଭିନ୍ନ ରାଜ୍ୟ ଲାଗି ଭିନ୍ନ ନିର୍ବାଚନୀ ବ୍ୟବସ୍ଥା ଗ୍ରହଣ ପଛରେ ଠୋସ କାରଣ ନ ରହିଲେ, ନିର୍ବାଚନ କମିଶନ ପ୍ରତି ଲୋକଙ୍କ ଆସ୍ଥା କମିଯିବ। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଅନେକ ସମାଲୋଚନା ହୋଇଛି। ଏବେ ଝାଡଖଣ୍ଡ ନିର୍ବାଚନକୁ ବିଳମ୍ବିତ ଓ ପ୍ରଲମ୍ବିତ କରିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି ବୋଲି ଧାରଣା ସୃଷ୍ଟି ହୋଇଛି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।