Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ ଭଗବତୀଙ୍କ ମନ୍ଦିର

ସୀତାରାମ ଅଗ୍ରୱାଲ

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ଙ୍କ ମନ୍ଦିର ବେଢ଼ା। ମା ଭଗବତୀ ରଜ ମହୋତ୍ସବର ପ୍ରଥମସଂଧ୍ୟାରେ ଭୁବନେଶ୍ଵରର ମମତା ଶତପଥି ଓ ସାଥିଙ୍କ ଗଣେଶ ବନ୍ଦନା, ମଙ୍ଗଳାଚରଣ, ଦଶମହାବିଦ୍ୟା, ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ରଜ ଦୋଳି ଓ ଛୋଟ ମୋର ଗାଁଟି ପରି ପଲ୍ଲୀ ନୃତ୍ୟ ପରିବେଶଣରେ ବିଭୋର ଦର୍ଶକଙ୍କ ମନ ମୋହିଲା ପହିଲି ରଜ।

ପହିଲି ରଜରେ ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ହଳଦୀ ଚୁଆ ଚନ୍ଦନ କର୍ପୁର ଅଗରୁ ଅତର ମିଶ୍ରିତ ସୁବାସିତ ଜଳରେ ଅଙ୍ଗରାଗ ପରେ ବାରରଂଗୀ ପାଟ ପତନୀ ପିନ୍ଦି, ନାନାଦି ଅଳଙ୍କାରରେ ରଜସଜ ହୋଇ ରଜପାଳିଲେ ମା’ ଭଗବତୀ। ଶେଷ ରଜଯାଏ ଅଗାଧୁଆ ଏକ ବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ପରେ ବସୁମତି ସ୍ନାନରେ ପୁଣି ଗାଧୋଇ ରାଜରାଜେଶ୍ଵରୀ ବେଶରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’।

ଏହି ତିନିଦିନ ମହିଳାମାନେ ମା’ଙ୍କ ପାଖକୁ ଯିବା ମନା। ଏଣ୍ଡୁରି, କାକରା, ଖଜା, ସରପୁଳି, ମାଠ ପୁଳି, ଛେନପଣାର ବାସ୍ନାରେ ଫାଟି ପଡୁଥିଲା ମନ୍ଦିର ବେଢା। ସକାଳେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର କୁଞ୍ଜ ବିହାରୀ ବଡ ଜେନା ମା’ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ମା’ଙ୍କ ଆଜ୍ଞାମାଳ ଆଣି ଫଟୋଚିତ୍ରକୁ ବେତ ଦୋଳିରେ ରଖି ପୂଜା ଅର୍ଚ୍ଚନା ପରେ ମା’ଙ୍କ ମୁଖ୍ୟ ପୂଜକ ପରିଛା ସାମନ୍ତଙ୍କ ପରିବାରର ଝିଅମାନେ ହୁଳହୁଳି ଦେଇ ମା’ଙ୍କୁ ଝୁଲାଇବାର ଦୃଶ୍ୟ ଅତ୍ୟନ୍ତ ଆବେଗମୟ ଥିଲା।

କାରଣ ମା’ ଭଗବତୀ ପରିଛା ଘରର ଝିଅ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି। ପରେ ପରେ କୁନିକୁନି ଝିଅ ମାନଙ୍କ ରଜ ଦୋଳି ଖେଳ ପରିବେଶକୁ ଉତ୍ସବମୁଖର କରି ରଖିଥିଲା।

ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସେବକ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଡ଼କୂଳ: ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଦ୍ଵିତୀୟ ଦିବସରେ ଝୁମିଲେ ଦର୍ଶକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଅନ୍ତର୍ଗତ ବଡ଼କୂଳରେ ଅବସ୍ଥିତ ଓଡ଼ିଆର୍ଟ ସେଣ୍ଟରଠାରେ ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଆଜି ଦ୍ଵିତୀୟ ଦିବସ। ଏହି ଅବସରରେ ଆଜି ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ପ୍ରସନ କୁମାର ଦାସ ଉଦଘାଟିତ କରିଥିଲେ।

ଓଡ଼ିଆର୍ଟ ସେଣ୍ଟରର ପୂର୍ବାସା ଫୋକ ଆଣ୍ଡ ଟ୍ରାଇବାଲ ଆର୍ଟ ମ୍ୟୁଜିୟମ ଠାରେ ଗତକାଲି ୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପାଞ୍ଚ ଦିନ ପର୍ଯ୍ୟନ୍ତ ଉକ୍ତ ଉତ୍ସବ ଜାରି ରହିବ। ଆଜିର କାର୍ଯ୍ୟକ୍ରମ ଦିବା ୧୧ ଘଟିକାରେ ଗଞ୍ଜାମ ସାଂସ୍କୃତିକ ସେମିନାରରୁ ଆରମ୍ଭ ହୋଇଥିଲା। ଏହାପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି ଓ ସେସନ ୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଧୁଡୁକି ନୃତ୍ୟ, ଦାସକାଠିଆ, ସାନ୍ତାଳୀ, ପୁରୁଲିଆ ଛଉ ନୃତ୍ୟରେ ଝୁମିଥିଲେ ଦର୍ଶକ। ଝାରଖଣ୍ଡ ଆଦିବାସୀ ଛଉ ନୃତ୍ୟ ଓ ଆସାମୀ ବିହୁ ନୃତ୍ୟକୁ ମଧ୍ୟ ଉପଭୋଗ କରିଥିଲେ ଦର୍ଶକ।  ପରିଶେଷରେ ଭାରତ ନୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଜୁରୀ ସଦସ୍ୟ ସୁରେନ୍ଦ୍ର କୁମାର ରୟ, ମାନସ ରଞ୍ଜନ ପଟ୍ଟନାୟକ ଓ ଜ଼ାହୀଦ ଅଖତର ଆଦି ପରିଚାଳନା କରିଥିବାବେଳେ ସୁଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ।

ତେବେ ଦର୍ଶକମାନେ ଉକ୍ତ କାର୍ଯ୍ୟକ୍ରମକୁ ନିଃଶୁଳରେ ଉପଭୋଗ କରିପାରିବେ। ପାଞ୍ଚଦିନ ବ୍ୟାପି ଉକ୍ତ ଉତ୍ସବର ସମୟସୀମା ସକାଳ ୧୧ ଘଟିକାରୁ ରାତି ୮.୩୦ ପର୍ଯ୍ୟନ୍ତ ରହିଛି।  କିନ୍ତୁ ମ୍ୟୁଜିୟମ ଭିତରେ ଥିବା ଆର୍ଟ ଗ୍ୟାଲେରୀକୁ ଦେଖିବାକୁ ହେଲେ ଦର୍ଶକଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଉକ୍ତ ଉତ୍ସବ ଜାରି ରହିଛି।