Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର: ଏକଦା ଓଡ଼ିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣିରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡ଼ରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବାବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଉପାନ୍ତ କୋରାପୁଟ ଜିଲ୍ଲାରେ ପ୍ରୟାସ ଆରମ୍ଭ କରାଯାଇ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଏହି କ୍ରମରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ପଦ୍ମପୁର ଗ୍ରାମରେ ଏକ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ୧୦୮ ଜଣ ମହିଳା ନିଜ ନିଜ ଗୃହ ସମ୍ମୁଖରେ ସୁଦୃଶ ଝୋଟି ଆଙ୍କିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏକ ବିଚାରକ ମଣ୍ଡଳୀ ଦ୍ୱାରା ଏସବୁ ଝୋଟିର ମନୋନୟନ କରାଯାଇ ଶ୍ରେଷ୍ଠ ବିବେଚିତ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।

ଏଥିରେ ପ୍ରଥମ ମନସ୍ୱିନୀ ବିଶ୍ୱାଳ, ଦ୍ୱିତୀୟ ଶାନ୍ତିଲତା ଖେମୁଣ୍ଡୁ ଓ ତୃତୀୟ ଅନ୍ନପୂର୍ଣ୍ଣା ଖେମୁଣ୍ଡୁ ହୋଇଥିବାବେଳେ ଆରତୀ ମହାନ୍ତି, ଶିବାନୀ ମହାନ୍ତି ଓ ରୀନା ଉପାପାଡ଼ିିଆ ଏପରି ତିନିଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବାବେଳେ ଜନସାଧାରଣଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଥିବା ଦେଖାଯାଇଥିଲା ।

ଏହି ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେଦଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମାଧମ ପାଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲ ଏବଂ ପଦ୍ମପୁର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ହଞ୍ଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।