Categories
ଆଜିର ଖବର ଜାତୀୟ ଖବର

୨୦୨୫-୨୬ ବିପଣନ ବର୍ଷରେ ଝୋଟ ଚାଷୀଙ୍କ ପାଇଁ ଏମଏସପି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫-୨୬ ବିପଣନ ବର୍ଷ ପାଇଁ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)କୁ ଅନୁମୋଦନ କରିଛି।

୨୦୨୫-୨୬ ଉତ୍ପାଦନ ଋତୁ ପାଇଁ ଝୋଟ (ଟିଡି-୩ ଗ୍ରେଡ୍)ର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଦ୍ୱାରା ସର୍ବଭାରତୀୟ ସ୍ତରରେ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ୬୬.୮ ପ୍ରତିଶତ ଲାଭ ସୁନିଶ୍ଚିତ ହୋଇଛି। ୨୦୧୮-୧୯ ବଜେଟ୍‍ ଘୋଷଣା ଅନୁସାରେ ଝୋଟ ବିପଣନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ  ସର୍ବ ଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ହେବା ଆବଶ୍ୟକ। ଏହି ନୀତି ଅନୁସାରେ ୨୦୨୫-୨୬ ବିପଣନ ଋତୁ ପାଇଁ  ଏମ୍‍ଏସ୍‍ପି ଅନୁମୋଦିତ ହୋଇଛି।

ବିପଣନ ବର୍ଷ ୨୦୨୫-୨୬ ପାଇଁ ଝୋଟର ଏମଏସପି ପୂର୍ବ ୨୦୨୪-୨୫ ବିପଣନ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୧୫ ଟଙ୍କା ବୃଦ୍ଧି ପାଇଛି। ଭାରତ ସରକାର ୨୦୧୪-୧୫ରେ ଝୋଟର ଏମଏସପି କୁଇଣ୍ଟାଲ ପିଛା ୨୪୦୦ ଟଙ୍କା ପ୍ରଦାନ କରୁଥିଲେ। ୨୦୨୫-୨୬ରେ କ୍ୱିଣ୍ଟାଲ ପିଛା ଏହି ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ୨୦୨୪-୨୫ ବିପଣନ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୨୫୦ ଟଙ୍କା (୨.୩୫ ଗୁଣ) ଅଧିକ। ଏହା ସ୍ୱୟଂ ଏକ ରେକର୍ଡ ସୃଷ୍ଟି କରିଛି।

ପ୍ରତିବର୍ଷ ଭାରତ ସରକାରଙ୍କ ପକ୍ଷରୁ ଝୋଟ ଚାଷୀଙ୍କୁ ପ୍ରଦାନ କରାଯାଉଥିବା  ସର୍ବନିମ୍ନ ସହାୟକ ମୂଲ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ,  ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ୪୪୧ କୋଟି ଟଙ୍କା  ସହାୟତା ରାଶି ପ୍ରଦାନ କରାଯାଇଛି। ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ଝୋଟ ଉତ୍ପାଦନକାରୀଙ୍କୁ ଏମଏସପି ରାଶି ଭାବେ ୧୩୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ଆମ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦ ଲକ୍ଷ ଚାଷୀ ପରିବାର  ଜୀବିକା ଭାବେ ଝୋଟ ଶିଳ୍ପ ଉପରେ ନିର୍ଭର କରନ୍ତି। ପ୍ରାୟ ୪ ଲକ୍ଷ ଶ୍ରମିକ ଝୋଟ ମିଲଗୁଡ଼ିକରେ ସିଧାସଳଖ ନିଯୁକ୍ତି ପାଇଛନ୍ତି ଏବଂ ବ୍ୟବସାୟ କରନ୍ତି।  ଗତବର୍ଷ ୧ ଲକ୍ଷ ୭୦ ହଜାର ଚାଷୀଙ୍କଠାରୁ ଝୋଟ କିଣାଯାଇଥିଲା। ଝୋଟ ଚାଷୀଙ୍କ ମଧ୍ୟରୁ ୮୨% ପଶ୍ଚିମବଙ୍ଗର ହୋଇଥିବା ବେଳେ  ଆସାମ ଓ ବିହାରରେ ଦେଶର ଅନ୍ୟ ୧୮ ପ୍ରତିଶତ ଅର୍ଥାତ୍‍ ୯% ଲେଖାଏଁ ଚାଷୀ  ଝୋଟ ଚାଷ ସହ ସମ୍ପୃକ୍ତ ରହିଛନ୍ତି।

ଝୋଟ ଚାଷ କ୍ଷେତ୍ରରେ ସହାୟକ ମୂଲ୍ୟ କାର୍ଯ୍ୟ ସହ ଯଦି କିଛି ଚାଷୀଙ୍କ କ୍ଷୟକ୍ଷତି ହୁଏ ତାହା ପରିଚାଳନା ଲାଗି

ଭାରତୀୟ ଝୋଟ ନିଗମ (ଜେସିଆଇ) କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିଆସୁଛି।  ଏହି ଏଜେନ୍ସି ମାଧ୍ୟମରେ ଚାଷୀଙ୍କୁ ସହାୟତା ଓ ତାଙ୍କର କ୍ଷତିଭରଣା କେନ୍ଦ୍ର ସରକାର କରିଥାଆନ୍ତି।