Categories
ଆଞ୍ଚଳିକ

ବାଣପୁରରେ ବଢୁଛି ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ: ପ୍ରଶାସନ ନୀରବଦ୍ରଷ୍ଟା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାଣପୁର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା। ଏଥିନିମନ୍ତେ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସହ। ଗାଁ ଗାଁ ଉତ୍ସବମୁଖର। ସାରା ବାଲୁଗାଁ ବାଣପୁର ଓ ଚିଲିକାବାସୀ ପଞ୍ଚଦୋଳ ଏବଂ ନଈରୀ ଦଶଦୋଳ ଉତ୍ସବକୁ ପାଳନ କରିବା ପାଇଁ ସଜବାଜ ହେଉଛନ୍ତି।

ଅପରପକ୍ଷରେ ଉକ୍ତ ସବୁ ଅଞ୍ଚଳରେ ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି। ବାଣପୁରର ବିଭିନ୍ନ ଗ୍ରାମରେ ଜୁଆଡ଼ିମାନେ ଦିନରାତି ତାସ ପସରା ମେଲାଉଛନ୍ତି ଏବଂ ହଜାର ହଜାର ଟଙ୍କା ବାଜି ଲଗାଉଛନ୍ତି। ଏପରିକି ସକାଳ ୯ ରୁ ସନ୍ଧ୍ୟା ୮ ଯାଏଁ ଜୁଆ ବେପାର ଚାଲୁଥିବା ଅଭିଯୋଗ ହେଉଛି।

ଅନୁରୂପ ଭାବେ ଉକ୍ତ ସବୁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ବୁଦ୍ଧିଜିବୀଙ୍କ ଚିନ୍ତା ବଢ଼ାଇଦେଇଛି। ମଦ ବେପାର ବଢିବା ଦ୍ୱାରା ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ଘରେ ଘରେ ପାରିବାରିକ କଳହ ବୃଦ୍ଧି ପାଉଛି। ଆଗକୁ ପଞ୍ଚଦୋଳ ଥିବା ବେଳେ ବେଆଇନ ମଦ ବେପାରୀଙ୍କ ପାଇଁ ଏହା ସତେ ଯେମିତି ସୁବର୍ଣ୍ଣ ସୁଯୋଗ। ଅବକାରୀ ବିଭାଗର ନିଷ୍କ୍ରିୟତା ଲାଗି ଅବାଧ ବେଆଇନ ମଦ ବିକ୍ରି ଉପରେ ରୋକ ଲଗପାରୁନି।

ବାଣପୁର ବାଲୁଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଅବକାରୀ କାର୍ଯ୍ୟାଳୟ ଥିଲେ ସୁଦ୍ଧା କର୍ମଚାରୀ ମାନେ ଚଢାଉ କରିବାକୁ କଣ ପାଇଁ କୁଣ୍ଠିତ ହେଉଛନ୍ତି, ତାହା ଏବେ ସନ୍ଦେହଘେରରେ ଅଛି। ଯାତ୍ରା ପୁର୍ବରୁ ଯଦି ବାଣପୁର ଓ ଚିଲିକା ଅଞ୍ଚଳରେ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରାନଯାଏ, ତେବେ ଯାତ୍ରା ସମୟରେ ଅସାମାଜିକ ପ୍ରାଦୁର୍ଭାବ ବଢିବ ବୋଲି ବୁଦ୍ଧିଜିବୀମାନେ ସନ୍ଦେହ ପ୍ରକଟ କରିଛନ୍ତି।

ଅନୁରୂପ ଭାବେ ଜୁଆ ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି।