Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା: ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଝାରସୁଗୁଡାର ୧୯ ନମ୍ବର ୱାର୍ଡର ଗୁଜୁରାଟୀ କଲୋନୀର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି। ଏଥିସହିତ ସେ ଅଧିକ ସଂଖ୍ୟାରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଖରା ସତ୍ବେ ଭୋଟରମାନେ ସେମାନଙ୍କର ମତଦାନ ଦେବାରେ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

Categories
ବିଶେଷ ଖବର

ବିଜେଡ଼ି କର୍ମୀଙ୍କୁ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କ ଆକ୍ରମଣ ଅଭିଯୋଗ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଦିନ ବାକି ଥିବାବେଳେ ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇଉଠିଛି। କେତେବେଳେ ବିଜେପି ପ୍ରାର୍ଥୀ ରାତିଅଧରେ ପ୍ରଚାର ନାଁରେ ଗାଁ ଗାଁରେ ପଶି ଲୋକଙ୍କୁ ଭୟଭୀତ କରୁଛନ୍ତି ତ ଆଉ କେତେବେଳେ ବିଜେଡି କର୍ମୀଙ୍କୁ ଧମକଚମକ ଦେଇ ଓ ଆକ୍ରମଣ କରି ଲହୁଲୁହାଣ କରି ଦେଉଛନ୍ତି। ନିକଟରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ବିଳମ୍ବିତ ରାତିରେ ଜଣେ ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଆଜି ଏ ନେଇ ବିଜେଡିର ଏକ ପ୍ରତିନିଧିଦଳ ଭୁବନେଶ୍ୱର ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେବା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଏହା ପୂର୍ବରୁ ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜେଡି କର୍ମୀ ଓ ସମର୍ଥକଙ୍କୁ ଟାର୍ଗେଟ କରି କିଭଳି ନିର୍ବାଚନୀ ହିଂସା କରିଥିଲା, ତାହା ଆମେ ଦେଖିଥିଲୁ। ଏବେ ଝାରସୁଗୁଡ଼ାରେ ମଧ୍ୟ ପରାଜୟ ଆଶଙ୍କାରେ ବିଜେପି ଠିକ୍ ସମାନ ଢଙ୍ଗରେ ହିଂସାକାଣ୍ଡ ଘଟାଉଛି। ଗତ ୫ ତାରିଖ ରାତି ପ୍ରାୟ ୨ଟାବେଳେ ବିଜେଡି କର୍ମୀ ଶୁଭମ୍ ସୋନକର ଏକ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିବାବେଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ।

ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀ କିପରି ରାତିଅଧରେ ନିର୍ବାଚନ ପ୍ରଚାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ଗତକାଲି ତାହା ଆମେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏଭଳି ରାତିଅଧିଆ ନିର୍ବାଚନ ପ୍ରଚାର ସାରି ଫେରିଲା ବେଳେ ହିଁ ସେମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଶ୍ରୀ ସୋନକର ଏ ନେଇ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଛି। ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ରହିଥିବାବେଳେ ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କା କରି ସେ ଓ ତାଙ୍କ ସମର୍ଥକମାନେ ବାରମ୍ବାର ବିଜେଡି କର୍ମୀଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ଜାରି ରଖିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ନିର୍ବାଚନ କମିସନଙ୍କ ପ୍ରତି ଶ୍ରୀ ତ୍ରିପାଠୀ ଏବଂ ତାଙ୍କ ଦଳର ସମର୍ଥକମାନଙ୍କ କୌଣସି ସମ୍ମାନ ନାହିଁ। ଏଭଳି ସ୍ଥିତିରେ ଝାରସୁଗୁଡ଼ାରେ କିଭଳି ଆଉ ଅଧିକ ନିର୍ବାଚନୀ ହିଂସା ନ ଘଟିବ, ସେଥିଲାଗି ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛୁ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ପ୍ରିୟବ୍ରତ ମାଝୀ, ଇପସିତା ସାହୁ, ଲୋରା ମହାପାତ୍ର ଓ ମଧୁସ୍ମିତା ନାୟକ ପ୍ରମୁଖ ଏହି ପ୍ରତିନିଧିଦଳରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ରହିଛି ହତ୍ୟା ଉଦ୍ୟମ ସହ ୧୨ଟି ମାମଲା: ବିଜେଡି

ଭୁବନେଶ୍ୱର: ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଏବଂ ୪.୫ କୋଟି ଓଡିଆ ହେଉଛନ୍ତି ଅତ୍ୟନ୍ତ ଶାନ୍ତିପ୍ରିୟ ଲୋକ। ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି। ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ।

ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବା ବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି। ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ। ପଦମପୁର ଉପନିର୍ବାଚନରେ ଓଡିଶା ବିଜେପି ପ୍ରାର୍ଥୀ କରିଥିବା ଶ୍ରୀ ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ଶ୍ରୀ ଇରାସିସ୍ ଆଚାର୍ଯ୍ୟଙ୍କ କଥା ସମସ୍ତଙ୍କୁ ଜଣା ଏବଂ ହତ୍ୟା ମାମଲା ସମେତ ତାଙ୍କ ବିରୋଧରେ ୧୪ ଟି ମାମଲା ବିଚାରାଧୀନ ଅଛି। ସେହିଭଳି ଓଡିଶା ବିଜେପିର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଟ୍ରାକ୍ ରେକର୍ଡ ବି ସମସ୍ତଙ୍କୁ ଜଣା। ତାଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ ଟି ଅପରାଧିକ ମାମଲା ରହିଛି।

ଯେତେବେଳେ ଏହାର ନେତାଙ୍କ ବିରୋଧରେ ଏତେଗୁଡ଼ିଏ ଅପରାଧିକ ମାମଲା ରହିଛି, ସେତେବେଳେ ଓଡ଼ିଶା ବିଜେପି କିନ୍ତୁ ଓଡିଶାବାସୀଙ୍କ ସମ୍ମାନହାନୀ କରିବା ପାଇଁ ସେମାନଙ୍କୁ ଆଇନହୀନ ବୋଲି କହିବା ଜାରି ରଖିଛି। କିଏ ବେଆଇନ୍‍ କାର୍ଯ୍ୟ କରୁଛି ଏବଂ ଅପରାଧୀଙ୍କୁ କିଏ ସମର୍ଥନ କରୁଛି ତାହା ଓଡିଶାର ଲୋକମାନେ ଦେଖୁଛନ୍ତି। ସେମାନେ ଏହାର ଉପଯୁକ୍ତ ଉତ୍ତର ଦେଉଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଉପଯୁକ୍ତ ଉତ୍ତର ଦେବା ଜାରି ରଖିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଝାରସୁଗୁଡା ଉପନିର୍ବାଚନରେ ଓଡିଶା ବିଜେପି ନିଜର ଆସନ୍ନ ପରାଜୟକୁ ଦେଖି ବିଜୁ ଜନତା ଦଳର ନେତା ତଥା କର୍ମୀଙ୍କ ଉପରେ ନିର୍ବାଚନ ହିଂସା ଆରମ୍ଭ କରିଦେଇଛି। ଆମେ ଦେଖିଲୁ ଯେ ପଦମପୁର ଏବଂ ବିଜେପୁର ଉପନିର୍ବାଚନରେ ଏବଂ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନରେ ପରାଜୟକୁ ଭୟ କରି ସେମାନେ ପୁଣି ଏଭଳି କାଣ୍ଡ ଆରମ୍ଭ କରିଛନ୍ତି।

ମଇ ୨ତାରିଖରେ ଓଡିଶା ବିଜେପି କର୍ମୀ ବିପ୍ର ବାଞ୍ଚୋରଙ୍କ ସମେତ ଓଡିଶା ବିଜେପିର ବହୁ ସମର୍ଥକ ବିଜେଡି କର୍ମୀ ଶ୍ରୀ ଗୋବିନ୍ଦ ଝରାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ। ଝାରସୁଗୁଡା ବିଧାନସଭା ନିର୍ବାଚନୀ କ୍ଷେତ୍ରର ଗୌରପଡା, ଧୁବେନବୁଡା, କୁଲିହାମଲ, କୋଲାବିରା ବ୍ଲକରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଜେଡି କର୍ମୀ ଶ୍ରୀ ଗୋବିନ୍ଦ ଝରା ଗୁରୁତର ଭାବେ ଆହତ ହୋଇଛନ୍ତି।

ମଇ ୩ ତାରିଖ ସନ୍ଧ୍ୟାରେ ବିଜେପି ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ସମେତ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡିଶା ବିଜେପିର ଶ୍ରୀ ଟଙ୍କଧର ତ୍ରିପାଠୀ ତାଙ୍କର ଦଳ ବଳ ସହିତ ଲୋଇକେରା ବ୍ଲକର ନିକିଟିମାଳ ଠାରେ ପହଞ୍ଚିଥିଲେ ଯେଉଁଠାରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା।

ଯେତେବେଳେ ସେମାନେ ବିଜେଡି କର୍ମୀମାନେ ପ୍ରଚାର କରୁଥିବା ଦେଖିଲେ, ସେମାନେ ବିଜୁ ଜନତା ଦଳ କର୍ମୀଙ୍କୁ ପ୍ରଚାର ବନ୍ଦ କରିବାକୁ ଏବଂ ସେମାନଙ୍କ ସହ ଯିବାକୁ କହିଥିଲେ । ଯେତେବେଳେ ବିଜେଡି କର୍ମୀମାନେ ତାହା କରିନଥିଲେ, ସେତେବେଳେ ଓଡିଶା ବିଜେପିର ଜଣେ କର୍ମୀ ଲାଇକେରା ବ୍ଲକ ନିକିଟିମାଳର ସ୍ୱର୍ଗତ କାଲୋ ପ୍ରଧାନଙ୍କ ପୁଅ ଶ୍ରୀ ଦିଲ୍ଲୀପ ପ୍ରଧାନଙ୍କ ମୋଟରସାଇକେଲକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ।

ବିଜେଡି କର୍ମୀମାନେ ସେଠାରେ ଥିବା ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ଏହି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରିବାରୁ ଓଡିଶା ବିଜେପି ନେତାମାନେ ବିଜେଡି କର୍ମୀଙ୍କୁ ଦୁର୍ବ୍ୟବହାର ଆରମ୍ଭ କରିଦେଇଥିଲେ। ଯେତେବେଳେ ଓଡିଶା ବିଜେପି ନେତାଙ୍କ ଏପରି ଆଚରଣରେ ଗ୍ରାମବାସୀ ଅଶ୍ଚର୍ଯ୍ୟ ପ୍ରକଟ କରିଥିଲେ ସେତେବେଳେ ଓଡିଶା ବିଜେପିର ନେତା ଓ କର୍ମୀମାନେ ଗାଁ ଛାଡି ପଳାଇଥିଲେ।

ଓଡିଶା ବିଜେପି ନେତାଙ୍କ ଅପରାଧିକ ମାମଲା ତଥା ଝାରସୁଗୁଡା ଉପନିର୍ବାଚନରେ ନିର୍ବାଚନୀ ହିଂସା ତଥା ପଦମପୁର ଏବଂ ବିଜେପୁର ଉପନିର୍ବାଚନର ସମସ୍ତ ଉଦାହରଣ ଦର୍ଶାଉଛି ଯେ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓଡିଶା ବିଜେପି କିପରି ଉତ୍ସାହିତ କରୁଛି ଏବଂ ଯେତେବେଳେ ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖୁଛି ମୁଖଲଜା ବଞ୍ଚାଇବାକୁ ଏଭଳି ହିଂସାକାଣ୍ଡ ଭିଆଉଛି।

ଏଥିପାଇଁ ଓଡିଶାର ଲୋକମାନେ ଓଡିଶା ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଝାରସୁଗୁଡା ଉପର୍ନିବାଚନରେ ମଧ୍ୟ ଓଡିଶା ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମତୀ ଲୋରା ମହାପାତ୍ର ଏବଂ ମଧୁସ୍ମିତା ସାହୁ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା/ଭୁବନେଶ୍ୱର : ଆସନ୍ତା ମେ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଉପନିର୍ବାଚନ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏହି ଶୋଭାଯାତ୍ରାରେ ପ୍ରାୟ ୧୦ହଜାରୁ ଅଧିକ ଜନତା ସାମିଲ ଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକେ ଆଜି ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ବାରୀ ହୋଇପଡୁଛି। ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼ୁଛନ୍ତି ଓ ଲଢ଼ିବେ ଏବଂ ନ୍ୟାୟର ବିଜୟ ହେବ। ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଦୀର୍ଘ ୨୪ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ରହି ମଧ୍ୟ ନିର୍ବାଚନ ମଣ୍ଡଳୀର ସଠିକ୍ ବିକାଶ ହୋଇପାରିଲା ନାହିଁ। ଏ ଲଢ଼େଇ ଝାରସୁଗୁଡାବାସୀଙ୍କର, ମୁଁ ନିମିତ ମାତ୍ର ବୋଲି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେଭି ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଡ. ବୁଧାନ ମୁର୍ମୁ ସାମିଲ ହୋଇଥିଲେ।

ସେହିପରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ମଙ୍ଗଳ ସାହୁ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାଏକ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ବିଂରଚି ନାରାୟଣ ତ୍ରିପାଠୀ, ଠାକୁର ରଞ୍ଜିତ ଦାସ, ମନୋଜ ମହାପାତ୍ର, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ସମେତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରା, କିର୍ମିରା, କୋଲାବିରା, ଝାରସୁଗୁଡା ବ୍ଲକ ଓ ମ୍ୟୁନିସପାଲଟିରୁ ୧୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Categories
ବିଶେଷ ଖବର

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ଵର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଂକର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିକୋଣରୁ ଝାରସୁଗୁଡା ଜିଲ୍ଲା ଗୋଟିଏ ସମୃଦ୍ଧଶୀଳ ଜିଲ୍ଲା। ତଥାପି ବିକାଶ ପହଂଚିପାରିନାହିଁ। ଜିଲ୍ଲାରେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବାବେଳେ ପ୍ରଦୁଷଣ ବର୍ତମାନ ଚିନ୍ତାର କାରଣ ସାଜିଛି। ଏହି କାରଣରୁ ଝାରସୁଗୁଡା ଜିଲ୍ଲା ବର୍ତମାନ ରାଜ୍ୟ ତଥା ଦେଶର ଉତପ୍ତ ଜିଲ୍ଲା ଭାବେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ଜଣେ ଛୋଟ ପିଲାକୁ ଦିନଦ୍ୱିପହରରେ ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ହେଉଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଆଉ ଏକ ନଗ୍ନ ଉଦାହରଣ। ସେହିପରି ଓଡ଼ିଶାର ଅନ୍ୟତମ ପ୍ରଦୂଷିତ ଜିଲ୍ଲା ହେଉଛି ଝାରସୁଗୁଡା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲ୍ୟାଣ ପାଣ୍ଠୀରୁ ଅର୍ଥ ଯୋଗାଯାଉଛି, କିନ୍ତୁ ତାକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି। ଫଳରେ ରାଜ୍ୟ ସରକାର ପ୍ରଦୂର୍ଷଣ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି । ସେହିପରି ଝାରସୁଗୁଡାରେ ଜଳସେଚନ ବଡ ସମସ୍ୟା ହୋଇଛି। ଜିଲ୍ଲାର ଗ୍ରାମାଂଚଳରେ ଆଜି ବି ଶୁଦ୍ଧ ପାନୀୟ ଜଳ ପାଇଁ ସ୍ଥାନୀୟବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଏଭଳି ଅନେକ ସମସ୍ୟା ଘେରରେ ଝାରସୁଗୁଡା ଜିଲ୍ଲା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ସମ୍ଭାଳିବା ଶିଳ୍ପ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାରେ ବିମାନ ସେବା ଆରମ୍ଭ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମାତ୍ର ରାଜ୍ୟ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପାଇଁ ଜିଲ୍ଲାର ବିକାଶମୁଳକ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଣ୍ଠି ଜରିଆରେ ଜିଲ୍ଲାକୁ ୯୦୦ଶହ କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି। ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୦୨୦ ଭିତରେ ସମସ୍ତ ପ୍ରକଳ୍ପ କାମ ଶେଷ ହେବାର ଧାର୍ଯ୍ୟ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ଆସିଛି ବିଜେଡିର ଧନୀ ନେତାମାନେ ବାପା, ମା ଓ ସ୍ତ୍ରୀ ନାଁ ବଦଳାଇ ପାଂଚ ପାଂଚଟି ଘର ହାତେଇବାର ଚକ୍ରାନ୍ତ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କ ପାଖରେ ଆବାସ ପଂହଚି ପାରୁନାହିଁ। ବିସ୍ଥାପିତଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ। ସେହିପରି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। ଏଥି ପାଇଁ ବିଜେଡି ସରକାର ଦାୟୀ। ଝାରସୁଗୁଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ପ୍ରେମସେନ୍ ରାୟ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତ୍ ମଗର୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ର ପ୍ରାର୍ଥୀ ହେଲେ ଯୁବନେତା ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର: ବିଜେଡ଼ି ଆଉ କଂଗ୍ରେସ ପରେ ଏବେ ବିଜେପି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ରାଜ୍ୟ ବିିଜେପି ର ସୁପାରିଶ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ ମିଳିଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ତେବେ ଏହା ପୂର୍ବରୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦିବଙ୍ଗତ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର କିଏ ହେବ ଝାରସୁଗୁଡା ପ୍ରାର୍ଥୀ, ଦୁଇ ଜଣଙ୍କୁ ନେଇ ଦୁଇ ଗୋଷ୍ଠୀର ଚାଲିଛି ବଳକଷା

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଖେଲାଣି। ଯଥେଷ୍ଠ ପୂର୍ବରୁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରି ସାରିଛି। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳ ଦାସ ହୋଇଛନ୍ତି ପ୍ରାର୍ଥୀ। ତେବେ ଏ ପର୍ଯ୍ୟନ୍ତ ପ୍ରମୁଖ ବିରୋଧୀ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କିଛି ନିଷ୍ପତି ହୋଇପାରୁ ନାହିଁ। ଫଳରେ ପ୍ରାର୍ଥୀ ଘୋଷଣା ଲଟକି ରହିଛି।

ଖବର ଅନୁସାରେ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିର ଦୁଇଜଣ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ପୂର୍ବଥର ବିଜେପିର ପ୍ରାର୍ଥୀ ହୋଇଥିବା ଦୀନେଶ ଜୈନ ଏବଂ ଯୁବ ନେତା ତଥା ବିଜେପିର ସାଧାରଣ ସଂପାଦକ ଟଙ୍କଧର ତ୍ରିପାଠୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଟଙ୍କଧରଙ୍କ ନାମ କୁଆଡେ ଆଗରେ ଅଛି ବୋଲି ଆଲୋଚନା ହେଉଛି।

କାରଣ ହେଲା ତାଙ୍କ ପାଇଁ ବିଜେପିର ଏକ ଶକ୍ତିଶାଳି ଗୋଷ୍ଠୀ ଲବି କରୁଛନ୍ତି। ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପ୍ରୟୋଗ ମଧ୍ୟ କରୁଛନ୍ତି। ସେହି ଗୋଷ୍ଠୀର ଦିଲ୍ଲୀରେ ରହିଛି ବେଶ ଦବଦବା। ସେଥିପାଇଁ ଅନେକ ଭାବି ନେଇଛନ୍ତି ଯେ ବୋଧହୁଏ ଟଙ୍କଙ୍କ ପଲା ଭାରୀ ହେବ।

ସେହିପରି ଦୀନେଶଙ୍କ ପାଇଁ ପଶ୍ଚିମ ଓଡିଶା ଏବଂ ରାଜ୍ୟର ବହୁ ବିଜେପି ନେତା ଲବି କରୁଛନ୍ତି। ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ସେମାନେ ଦିଲ୍ଲୀରେ ବିଭିନ୍ନ ଯୁକ୍ତି ବାଢିବାରେ ଲାଗିଛନ୍ତି। ଏମାନେ ମଧ୍ୟ ବିଭିନ୍ନ ନେତାଙ୍କୁ ଭେଟି ତାଙ୍କ ପାଇଁ ଚାପ ସୃଷ୍ଟି କରୁଛନ୍ତି। ହେଲେ ଶକ୍ତିଶାଳି ଗୋଷ୍ଠୀର ଦବଦବା ଯୋଗୁଁ ଦୀନେଶଙ୍କ ଭାଗ୍ୟ ଏ ପର୍ଯ୍ୟନ୍ତ ଫିଟିପାରୁ ନାହିଁ।

ଦୀନେଶ ଜୈନଙ୍କ ଗୋଷ୍ଠୀର ଦାବୀ ହେଲା ଯେ, ସେ ଗତ ନିର୍ବାଚନରେ ଭଲ ଭୋଟ ହାସଲ କରିଥିଲେ। ଏଥିସହିତ ସେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ନେତା। ହେଲେ ଟଙ୍କଧର ସୁନ୍ଦରଗଡ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଟିକେଟ ଦିଆ ନ ଯାଉ ବୋଲି ସେମାନେ କହୁଛନ୍ତି। ଫଳରେ ଦୁଇ ଗୋଷ୍ଠୀର ଏପରି ବଳ କଷାକଷି ଭିତରେ ଦିଲ୍ଲୀ ନେତାମାନେ କିଛି ନିଷ୍ପତି ନେବା କଷ୍ଟକର ବ୍ୟାପାର ହୋଇପଡିଲାଣି।

ପ୍ରକୃତରେ ଦେଖିବାକୁ ଗଲେ ଗତ ବିଧାନସଭା ନିର୍ବାଚନରେ ଦୀନେଶ ଜୈନ ନବ ଦାସଙ୍କଠାରୁ ହାରିଥିଲେ ସତ ହେଲେ ଭଲ ଭୋଟ ପାଇଥିଲେ। ନବ ଦାସଙ୍କୁ ୯୮ ହଜାର ୬୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ଦୀନେଶ ଜୈନ ପାଇଥିଲେ ୫୨ ହଜାର ୯୨୨ ଖଣ୍ଡ ଭୋଟ। ଅର୍ଥାତ ଦୀନେଶ ୪୫ ହଜାର ୬୯୮ ଖଣ୍ଡ ଭୋଟରେ ହାରିଥିଲେ। ସେତେବେଳେ କଂଗ୍ରେସର ମହେନ୍ଦ୍ର ନାୟକ ପାଇଥିଲେ ୧୮ ହଜାର ୮୨୩ ଖଣ୍ଡ ଭୋଟ। ତେଣୁ ଦୀନେଶଙ୍କ ଗୋଷ୍ଠୀର ଯୁକ୍ତ ଯଥାର୍ତତା ରହିଛି।

ତେବେ ସବୁଠାରୁ ଯାହା ବଡ କଥା ହେବ ତାହା ହେଲା ଏହି ଝାରସୁଗୁଡା ଉପନିର୍ବାଚନ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। କାରଣ ନିକଟରେ ସେ ସଭାପତି ହେବା ପରେ ଏହି ଉପନିର୍ବାଚନ ତାଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଲଢାଯିବ। ହେଲେ ଘରେ ନ ପଶୁଣୁ, ଚାଳ ବାଜିଲା ପରି ବର୍ତ୍ତମାନ ପ୍ରାର୍ଥୀ ଚୟନ ନେଇ ମନମୋହନ କୁଆଡେ ଲହୁଲୁହାଣ ହୋଇ ସାରିଲେଣି ବୋଲି ଚର୍ଚ୍ଚା ଚାଲିଛି।