Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବଢିଚାଲିଛି ଅବାଧ ପକ୍ଷୀ ଶିକାର: ଶିକାରୀଙ୍କୁ ଧରିବାରେ ବନ୍ୟ ପ୍ରାଣୀ ବିଭାଗ ବିଫଳ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଚିଲିକାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ବ୍ୟାପକ ବିଦେଶୀ ପକ୍ଷୀ ଶୀକାର ହେଉଥିବା ଅଭିଯୋଗ ହେଉଛି। ଶୀକାରୀମାନେ ଚିଲିକାରେ ଅବାଧ ଶିକାର କରୁଥିବା ଦେଖାଯାଉଛି।  ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ପକ୍ଷୀ ଶିକାର କମିବାର ନାଁ ନେଉନାହିଁ।  ଆଜି ସକାଳୁ ସକାଳୁ ରାସ୍ତା କଡରେ ପଡି ରହିଛି ଶତାଧିକ ମୃତ ବିଦେଶୀ ପକ୍ଷୀର ମୃତଦେହ।

ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପଡିଛି ଶତାଧିକ ମୃତ ବିଦେଶୀ ପକ୍ଷୀ। ଶୀକାରୀ ବିଷ ଦେଇ ଶୀକାର କରିବା ପରେ ପକ୍ଷୀଙ୍କ ମୃତ ଶରୀର ପଚି ଯିବାରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଆଜି ଭୋର୍ ସମୟରେ ଏକ ଟାଟା ଏସି ଗାଡିରେ ମୃତ ବିଦେଶୀ ପକ୍ଷୀଙ୍କ ଶବକୁ ଫୋପଡ଼ାଯାଇଥିବା ଥିବା ଜଣାପଡିଛି।

ଗୋଟେପଟେ ବନ୍ୟପ୍ରାଣୀ ବିଭାଗ ରାତିରେ ରାସ୍ତା କଡ ଢାବା ଗୁଡିକରେ ଚଢ଼ାଉ କରୁଥିବା ବେଳେ ଅନ୍ୟପଟେ ଶତାଧିକ ନୀରିହ ବିଦେଶୀ ପକ୍ଷୀ ଶିକାରୀଙ୍କ କବଳରେ ପଡି ପ୍ରାଣ ହରାଉଛନ୍ତି। ଆଗକୁ ନୁଆବର୍ଷ ଆସୁଥିବାରୁ ଲୋକେ ଚିଲିକା ପକ୍ଷୀ ମାଂସ ପ୍ରତି ବେଶ୍ ଆଗ୍ରହ ଦେଖାଉଛନ୍ତି। ଗୋଟାଏ ପକ୍ଷୀ ମାଂସ ୪ ଶହ ରୁ ୫ ଶହ ଟଙ୍କାରେ ବିକ୍ରି ହେଉଥିବା କୁହାଯାଉଛି। ଫଳରେ ଲୋଭରେ ପଡି ଶିକାରୀ ପକ୍ଷୀ ମାଂସ ଚାଲାଣ କରୁଛନ୍ତି।

ଏଭଳି ଚୋରାଚାଲାଣକାରୀଙ୍କୁ ସାବାଡ କରିବାରେ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ଅସମର୍ଥ ହୋଇପଡିଥିବା ମନେ ହେଉଛି। ତେବେ ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁଙ୍କୁ ପଚାରିବାରୁ ସେ ମାତ୍ର ୩୦ ଗୋଟି ମୃତ ପକ୍ଷୀଙ୍କ ଶବ ପଡିଥିବାର କହିଛନ୍ତି। ଏବଂ ଘଟଣାର ତଦନ୍ତ ଜାରିରହିଥିବାର ସେ କହିଛନ୍ତି।