Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଚଳିତ ବର୍ଷ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍, ହୋଣ୍ଡା କାରସ, ଦୁବାଇର ଏମରିଲ ଗ୍ରୁପ୍ ଏବଂ ଗ୍ରୀନ ଟ୍ରେଣ୍ଡସ୍ ଭଳି ପ୍ରତିଷ୍ଠିତ କମ୍ପାନି ଓଡ଼ିଶା ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି।
ଚଳିତ ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ପ୍ରଥମ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିଲେ। ତା’ ଭିତରେ ୨୦୨୨-୨୩ ବ୍ୟାଚର ୩୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୦୨୧-୨୨ର ୬ ଜଣ ନିଯୁକ୍ତି ପାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତର ‘ଷ୍ଟିଲ୍ ମ୍ୟାନ୍’ ଜାମସେଦ ଜେ ଇରାନୀଙ୍କ ୮୫ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଟାଟା ଷ୍ଟିଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଭାରତର ‘ଷ୍ଟିଲ ମ୍ୟାନ୍’ ଭାବରେ ଜଣାଶୁଣା ଜାମସେଦ ଜେ ଇରାନୀଙ୍କ ସୋମବାର ବିଳମ୍ବିତ ରାତିରେ ଜାମସେଦପୁରରେ ମୃତ୍ୟୁ ଘଟିଛି। ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଇରାନୀଙ୍କ ମୃତ୍ୟୁ ବିଷୟରେ ଟାଟା ଷ୍ଟିଲ ସୂଚନା ଦେଇଛି। ଇରାନୀ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଟାଟା ଷ୍ଟିଲ ସହିତ ଜଡିତ ଥିଲେ। ସେ ୪୩ ବର୍ଷର ଉତ୍ତରାଧିକାରୀ ଛାଡି ଜୁନ୍ ୨୦୧୧ରେ ଟାଟା ଷ୍ଟିଲ୍ ବୋର୍ଡରୁ ଅବସର ନେଇଥିଲେ।

ବିଦେଶରେ ଶିକ୍ଷା କରିବା ଏବଂ ଏକ ବୃତ୍ତିଗତ ଜୀବନ ଆରମ୍ଭ କରିବା ପରେ ଇରାନୀ ୧୯୬୮ ମସିହାରେ ଟାଟା ଆଇରନ୍ ଏବଂ ଷ୍ଟିଲ୍ କମ୍ପାନୀ (ବର୍ତ୍ତମାନ ଟାଟା ଷ୍ଟିଲ୍) ରେ ଯୋଗଦେବା ପାଇଁ ଭାରତ ଫେରିଥିଲେ। ଗବେଷଣା ଏବଂ ବିକାଶ ଦାୟିତ୍ୱରେ ଥିବା ନିର୍ଦ୍ଦେଶକଙ୍କ ସହକାରୀ ଭାବେ ସେ କମ୍ପାନୀରେ ଯୋଗ ଦେଇଥିଲେ।

ଟାଟା ଷ୍ଟିଲ ଏବଂ ଟାଟା ସନ୍ସଙ୍କ ବ୍ୟତୀତ ଡକ୍ଟର ଇରାନୀ ଟାଟା ମୋଟର୍ସ ଏବଂ ଟାଟା ଟେଲି ସର୍ଭିସେସ୍ ସହିତ ଅନେକ ଟାଟା ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଇରାନୀଙ୍କ ପତ୍ନୀ ଡେଜି ଇରାନୀ ଏବଂ ସେମାନଙ୍କର ତିନି ସନ୍ତାନ ଜୁବିନ୍, ନିଲୋଫର ଏବଂ ତନାଜ ଅଛନ୍ତି।