Categories
ଆଜିର ଖବର ଜାତୀୟ ଖବର

ଟେଲିଭିଜନ୍‌ ରେଟିଂ ଲାଗି ଏକାଧିକ ସଂସ୍ଥାକୁ ଅନୁମତି ଦେବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଉଚ୍ଛେଦ

ନୂଆଦିଲ୍ଲୀ: ଭାରତରେ ଟିଭି ଦେଖିବା ଅଭ୍ୟାସ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବେ ଦଳିଛି। ଦର୍ଶକମାନେ ଏବେ କେବଳ କେବୁଲ ଏବଂ ଡିଟିଏଚ୍‌ ପ୍ଲାଟଫର୍ମ ମାଧ୍ୟମରେ ନୁହେଁ ବରଂ ସ୍ମାର୍ଟ ଟିଭି, ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖୁଛନ୍ତି। ତଥାପି, ଦର୍ଶକଙ୍କ ସଂଖ୍ୟା ହିସାବ କରିବା ପାଇଁ ପ୍ରଚଳିତ ବ୍ୟବସ୍ଥା ବା ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଏହି ପରିବର୍ତ୍ତିତ ଢାଞ୍ଚାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସାମିଲ କରିପାରିନାହିଁ।

ଏହାକୁ ଦୃଷ୍ଟିରେ ରଖି, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୦୧୪ ମସିହାରେ ଜାରି ହୋଇଥିବା ଟେଲିଭିଜନ ରେଟିଂ ଏଜେନ୍ସିଗୁଡ଼ିକ ପାଇଁ ନୀତିଗତ ମାର୍ଗଦର୍ଶିକାରେ ସଂଶୋଧନ ପ୍ରସ୍ତାବ ଦେଇଛି। ୨ ଜୁଲାଇ, ୨୦୨୫ରେ ପ୍ରକାଶିତ ପ୍ରସ୍ତାବିତ ଚିଠା ମାର୍ଗଦର୍ଶିକାରେ ଭାରତରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ହିସାବ କରିବାର ବ୍ୟବସ୍ଥାକୁ ସାର୍ବଜନୀନ ଏବଂ ଆଧୁନିକୀକରଣ କରିବା ପାଇଁ ବର୍ତ୍ତମାନର ବିଏଆରସି ବ୍ୟତୀତ ଅଧିକ ସଂସ୍ଥାଙ୍କୁ ଅନୁମତି ଦେବା ଲାଗି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ କେତେକ ପ୍ରତିବନ୍ଧକ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।

ମନ୍ତ୍ରଣାଳୟ ନୀତିଗତ ଚିଠା ଜାରି ହେବାର ୩୦ ଦିନ ମଧ୍ୟରେ ଅଂଶୀଦାର ଏବଂ ସାଧାରଣ ଜନତାଙ୍କଠାରୁ ମତାମତ ଆମନ୍ତ୍ରଣ କରିଛି। ପ୍ରସ୍ତାବିତ ସଂସ୍କାରଗୁଡ଼ିକର ଲକ୍ଷ୍ୟ ହେଉଛି ନିରପେକ୍ଷ ପ୍ରତିଯୋଗିତାକୁ ସକ୍ଷମ କରିବା, ଅଧିକ ସଠିକ୍ ଓ ପ୍ରତିନିଧିତ୍ୱପୂର୍ଣ୍ଣ ତଥ୍ୟ ସୃଷ୍ଟି କରିବା ଏବଂ ଟିଆରପି ବ୍ୟବସ୍ଥା ଯେପରି ସାରା ଦେଶରେ ଦର୍ଶକଙ୍କ ବିବିଧ ଓ ପରିବର୍ତ୍ତିତ ଗଣମାଧ୍ୟମ ଉପଭୋଗ ଅଭ୍ୟାସକୁ ପ୍ରତିଫଳିତ କରିବ ତାହା ସୁନିଶ୍ଚିତ କରିବା।

ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ଆଧୁନିକ ଟିଆରପି ବ୍ୟବସ୍ଥାର ଆବଶ୍ୟକତା

ଭାରତରେ ବର୍ତ୍ତମାନ ପ୍ରାୟ ୨୩ କୋଟି ଟେଲିଭିଜନ ଦର୍ଶକ ପରିବାର ଅଛନ୍ତି। ତଥାପି, ଦର୍ଶକଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ବର୍ତ୍ତମାନ ପ୍ରାୟ ୫୮,୦୦୦ ଲୋକଙ୍କ ମିଟରକୁ ନମୁନା ରୂପେ ବ୍ୟବହାର କରାଯାଉଛି। ଏହା ମୋଟ ଟିଭି ଦର୍ଶକ ପରିବାର ମାତ୍ର ୦.୦୨୫% ପ୍ରତିନିଧିତ୍ୱ କରେ। ତୁଳନାତ୍ମକ ଭାବେ ସୀମିତ ଏହି ନମୁନା ଆକାର ବିଭିନ୍ନ ଅଞ୍ଚଳ ଏବଂ ଜନସଂଖ୍ୟା ମଧ୍ୟରେ ବିବିଧ ଟିଭି ଦେଖିବା ପସନ୍ଦକୁ ପର୍ଯ୍ୟାପ୍ତ ଭାବରେ ପ୍ରତିନିଧିତ୍ୱ କରିପାରୁନାହିଁ।

ଏହା ବ୍ୟତୀତ, ବର୍ତ୍ତମାନ ଦର୍ଶକଙ୍କ ସଂଖ୍ୟା ଗଣନା ହିସାବ ପ୍ରଯୁକ୍ତିବିଦ୍ୟା ସ୍ମାର୍ଟ ଟିଭି, ଷ୍ଟ୍ରିମିଂ ଡିଭାଇସ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ଭଳି ପରିବର୍ତ୍ତିତ ପ୍ଲାଟଫର୍ମରେ ଦର୍ଶକଙ୍କ ସଂଖ୍ୟାକୁ ପର୍ଯ୍ୟାପ୍ତ ଭାବରେ ଅନ୍ତର୍ଭୂକ୍ତ କରେ ନାହିଁ। ଅନ୍ୟପଟେ ଦର୍ଶକଙ୍କ ମଧ୍ୟରେ ଏସବୁ ପ୍ଲାଟଫର୍ମକୁ ବର୍ଦ୍ଧିତ ଭାବେ ଗ୍ରହଣ କରୁଥିବା ଦେଖାଯାଉଛି। ଦର୍ଶକଙ୍କ ଟିଭି ଦେଖିବା ଢାଞ୍ଚାରେ ପରିବର୍ତ୍ତନ ଏବଂ ବର୍ତ୍ତମାନର ହିସାବ ଢାଞ୍ଚା ମଧ୍ୟରେ ରହିଥିବା ଏହି ପାର୍ଥକ୍ୟ ମୂଲ୍ୟାଙ୍କନର ସଠିକତାକୁ ପ୍ରଭାବିତ କରିପାରେ। ଫଳସ୍ୱରୂପ ଏହା ପ୍ରସାରକଙ୍କ ପାଇଁ ରାଜସ୍ୱ ଯୋଜନା ଏବଂ ବ୍ରାଣ୍ଡ ଲାଗି ବିଜ୍ଞାପନ ରଣନୀତିକୁ ପ୍ରଭାବିତ କରିପାରେ।

ଏସବୁ ଘଟଣାକ୍ରମକୁ ସ୍ୱୀକାର କରି, ଏକ ପରିବର୍ତ୍ତିତ ମିଡିଆ ପରିବେଶରେ ସମସାମୟିକ ବିଷୟବସ୍ତୁ ବ୍ୟବହାର ଅଭ୍ୟାସକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଟେଲିଭିଜନ ମୂଲ୍ୟାଙ୍କନ ବ୍ୟବସ୍ଥାକୁ ସୁଦୃଢ଼ ​​କରିବାର ଆବଶ୍ୟକତା ରହିଛି।

ବର୍ତ୍ତମାନର ଟିଆରପି ବ୍ୟବସ୍ଥାରେ ଥିବା ସମସ୍ୟା

  • ବିଏଆରସି(ପ୍ରସାରଣଦର୍ଶକ ଗବେଷଣା ପରିଷଦ) ବର୍ତ୍ତମାନ ଟିଭି ମୂଲ୍ୟାଙ୍କନ ପ୍ରଦାନ କରୁଥିବା ଏକମାତ୍ର ଏଜେନ୍ସି।
  • ଏକ ପ୍ରମୁଖ ଧାରା ହୋଇଥିବା ସତ୍ତ୍ୱେ ସଂଯୁକ୍ତ ଟିଭି ଡିଭାଇସ୍ ଦର୍ଶକଙ୍କୁ ଏହା ଟ୍ରାକ୍ କରେ ନାହିଁ।
  • ପ୍ରଚଳିତନୀତିଗୁଡ଼ିକରେ ପ୍ରବେଶ ପ୍ରତିବନ୍ଧକ ଥିଲା ଯାହା ନୂତନ ସଂସ୍ଥାମାନଙ୍କୁ ଟିଭି ମୂଲ୍ୟାଙ୍କନ କ୍ଷେତ୍ରରେ ପ୍ରବେଶ କରିବାକୁ ନିରୁତ୍ସାହିତ କରୁଥିଲା।
  • କ୍ରସ୍-ହୋଲ୍ଡିଂ ପ୍ରତିବନ୍ଧକ ପ୍ରସାରକ କିମ୍ବା ବିଜ୍ଞାପନଦାତାମାନଙ୍କୁ ମୂଲ୍ୟାଙ୍କନ ଏଜେନ୍ସିଗୁଡ଼ିକରେ ନିବେଶ କରିବାରୁ ବାଧା ଦେଇଥିଲା।

ନୂଆ ପ୍ରସ୍ତାବ

ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ, ମନ୍ତ୍ରଣାଳୟ ପ୍ରଚଳିତ ମାର୍ଗଦର୍ଶିକାରେ ପ୍ରମୁଖ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି:

 କମ୍ପାନୀର ମେମୋରାଣ୍ଡମ୍ ଅଫ୍ ଆସୋସିଏସନ୍ (ଏମଓଏ)ରେ ପରାମର୍ଶ କିମ୍ବା ପରାମର୍ଶଦାତା ସେବା ଭଳି କୌଣସି କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପୂର୍ବ ଆବଶ୍ୟକତାକୁ ପରିବର୍ତ୍ତନ କରିବା ଧାରା୧.୪ରେ ସଂଶୋଧନ କରାଯାଇଛି । ଏଥିରେ ଏକ ସହଜ ଅନୁପାଳନ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି, ତାହା ହେଲା- ‘‘କମ୍ପାନିର ପରାମର୍ଶ କିମ୍ବା ଏପରି କୌଣସି ପରାମର୍ଶଦାତା ଭୂମିକା ଗ୍ରହଣ କରିବ ନାହିଁ, ଯାହା ଏହାର ମୂଲ୍ୟାଙ୍କନର ମୁଖ୍ୟ ଉଦ୍ଦେଶ୍ୟ ସହିତ ସ୍ୱାର୍ଥର ସମ୍ଭାବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ।’’

ପ୍ରବେଶ ପାଇଁ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରୁଥିବା ପ୍ରତିବନ୍ଧକ ଧାରା (୧.୫ ଏବଂ ୧.୭) କୁ ହଟାଇବା।

ପ୍ରସ୍ତାବିତ ସଂଶୋଧନଗୁଡ଼ିକର ଲକ୍ଷ୍ୟ ହେଉଛି ଏକାଧିକ ଏଜେନ୍ସିଗୁଡ଼ିକୁ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା, ନୂତନ ପ୍ରଯୁକ୍ତିବିଦ୍ୟା ଆଣିବା ଏବଂ ବିଶେଷକରି ସଂଯୁକ୍ତ ଟିଭି ପ୍ଲାଟଫର୍ମ ପାଇଁ ଅଧିକ ନିର୍ଭରଯୋଗ୍ୟ ଓ ପ୍ରତିନିଧିତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା। ଟିଭି ଦେଖିବା ଅଭ୍ୟାସ ବଦଳିବା ସହିତ, ଆମେ ସେଗୁଡ଼ିକୁ ମାପିବା ମଧ୍ୟ ଉଚିତ। ଏହି ସଂଶୋଧନଗୁଡ଼ିକ ରେଟିଂ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ପ୍ରସାରକ, ବିଜ୍ଞାପନଦାତା ଓ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ଅଧିକ ନିବେଶକୁ ମଧ୍ୟ ସକ୍ଷମ କରିବ। ଏହି ସଂସ୍କାରଗୁଡ଼ିକ ସହିତ, ଭାରତ ଏକ ଅଧିକ ସ୍ୱଚ୍ଛ, ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ଟିଭି ରେଟିଂ ଇକୋସିଷ୍ଟମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଓଡିଆ ନ୍ୟୁଜ ଚ୍ୟାନେଲର ଟିଆରପି, ଜାଣନ୍ତୁ କାହାର ତାକତ୍ କେତେ

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ନ୍ୟୁଜ ଟିଆରପି ଶେଷରେ ପ୍ରକାଶ ପାଇଛି। ଏକାଥରେ ଚାରୋଟି ସପ୍ତାହର ଟିଆରପି ରିପୋର୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଶେଷ 10ମ ସପ୍ତାହ ରିପୋର୍ଟ ଅନୁସାରେ ଓଟିଭି ପ୍ରଥମ ଥିବା ବେଳେ ତା ପଛକୁ ରହିଛି କନକ ନ୍ୟୁଜ। ସେହିପରି ତୃତୀୟରେ ଜୀ ଓଡିଶା ଏବଂ ଚତୁର୍ଥରେ ରହିଛି ଟିଭି18 ଓଡିଆ। ତେବେ ଏହି ରିପୋର୍ଟ ଅନୁସାରେ ଅର୍ଗସ ଟିଭି ସବୁଠାରୁ ପଛରେ ରହିଛି।

WEEK10

OTV—————97

Kanak TV—–    34

Zee Odisha——18

News18Odia—-17

Kalinga TV——-16

News7————12

Nandighosha—-11

Argus————-05

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟିଭି ରେଟିଂ ସ୍କାମ, ଆଜି ଥାନାରେ ହାଜର ହେବେ ରିପ୍ଲବିକ ଟିଭିର ସିଏଫଓ

ମୁମ୍ବାଇ: ଟିଭି ରେଟିଂ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ୍ ଟିଭିର ସିଏଫ୍ଓଙ୍କୁ ଡାକିଛନ୍ତି। ଗତ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ ଏହି ମାମଲାରେ ରିପବ୍ଲିକ ଟିଭି ସମେତ ତିନି ଚ୍ୟାନେଲ ବିରୋଧରେ ମାମଲା କରାଯିବ ବୋଲି କୁହିଥିଲେ। ଏହି ତିନି ଚ୍ୟାନେଲ ସେମାନଙ୍କ ଟିଆରପି ବଢାଇବା ପାଇଁ ଦର୍ଶକଙ୍କୁ ଲାଞ୍ଚ ଦେଉଥିଲେ।

Categories
ଜାତୀୟ ଖବର ବିଶେଷ ଖବର ମତାମତ

ଟିଆରପି ଦୌଡରେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡକ ଦର୍ଶକଙ୍କ ବିଶ୍ବସନୀୟତା ହରେଇଲେଣି କି ?

ଭୁବନେଶ୍ବର, ସମୟ ଥିଲା ଯେତେବେଳେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡିକର ଖବର ଉପରେ ଦର୍ଶକଙ୍କର ପ୍ରଗାଢ ବିଶ୍ବାସ ରହିଥିଲା। କାରଣ ହେଲା ସେତେବେଳେ ଦର୍ଶକଙ୍କ ସାମନାକୁ ଏକ ଖବର ଆଣିବାକୁ ହେଲେ ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରସାରଣ କରାଯାଉଥିଲା। ଫଳରେ ଭାରତୀୟ ଦର୍ଶକଙ୍କର ନ୍ୟୁଜ ଚ୍ୟାନେଲରେ ଖବର ଦେଖିବାକୁ ଆଗ୍ରହ ସୃଷ୍ଟି ହେଉଥିଲା। ହେଲେ ବିଗତ କିଛି ବର୍ଷ ଧରି ଖବର ପ୍ରସାରଣ ନାମରେ ଯେପରି ଚ୍ୟାନେଲଗୁଡିକରେ ଭାଣ୍ଡାମୀ ଚାଲିଛି ତାହା ଅନେକ ଦର୍ଶକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି।

ଏହି ଭାଣ୍ଡାମୀ ଭିତରେ ବର୍ତ୍ତମାନ ନ୍ୟୁଜ ଚ୍ୟାନେଲର ଟିଆରପି ଟ୍ୟାମ୍ପରିଂ ଖୁଲାସା ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ନିଜ ଚ୍ୟାନେଲର ଲୋକପ୍ରିୟତା ବା ଟିଆରପି ବଢାଇବା ପାଇଁ ଭାରତର ନାମକରା ନ୍ୟୁଜ ଚ୍ୟାନେଲ ରିପ୍ଲବିକ ଟିଭି ପଇସା ଖର୍ଚ୍ଚ କରିଛି। ଏହା କହିଛନ୍ତି ଖୋଦ୍ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ରିପ୍ଲିବକ ଟିଭି ସହିତ ଆଉ ଦୁଇଟି ଚ୍ୟାନେଲ ଟିଆରପି ଟ୍ୟାମ୍ପରିଂ କରିଛନ୍ତି। ସେମାନେ ଦର୍ଶକଙ୍କୁ ମାସିକିଆ ଭଡାରେ ନେଇ ତାଙ୍କ ଚ୍ୟାନେଲ ଦେଖିବା ପାଇଁ ନିଯୁକ୍ତ କରିଛନ୍ତି।

ରିପ୍ଲବିକ ଟିଭି ବିରୋଧରେ ଏପରି ଏକ ଅଭିଯୋଗକୁ ଅନ୍ୟ ନ୍ୟୁଜ୍ ଚ୍ୟାନେଲ ପାଇଁ ଏକ ବଡ ଖୋରାକ ମିଳିଗଲା। ଏପରି ଖବର ସବୁ ନ୍ୟୁଜ ଚ୍ୟାନେଲରେ ବିଗ୍ ବ୍ରେକିଙ୍ଗି କରି ପ୍ରସାରଣ କଲେ। ହେଲେ ରିପ୍ଲବିକ ଟିଭି କିନ୍ତୁ ଓଲଟା ପ୍ରସାରଣ କରିଥିଲା। ତାହାର ଅଭିଯୋଗ ଥିଲା ଯେ, ତାଙ୍କ ଚ୍ୟାନେଲ ନୁହେଁ, ଇଣ୍ଡିଆ ଟୁଡେ ନ୍ୟୁଜ ଚ୍ୟାନେଲ ଏହି ଟ୍ୟାମ୍ପରିଂ କରିଛି। ପ୍ରମାଣ ସ୍ବରୂପ ସେମାନେ ଏକ ଏଫଆଇଆର କପି ମଧ୍ୟ ପରଦାରେ ଦେଖାଇଥିଲେ। ହେଲେ ମୁମ୍ବାଇ ପୋଲିସ କମିଶନର ମିଛରେ ତାଙ୍କ ଟିଭିର ନାମ ନେଇଛି ବୋଲି ରିପ୍ଲବିକ ପ୍ରସାରଣ କଲା।

ରିପ୍ଲିବକ ଟିଭିର ଯେପରି ତଥ୍ୟ ପ୍ରମାଣ ସହିତ ଇଣ୍ଡିଆ ଟୁଡେ ଟିଭିର ନାମ ନେଲେ ତାହା ପୋଲିସ କମିସନରଙ୍କ ତଥ୍ୟକୁ ଗୋଳମାଳ କରି ଦେଇଛି। ଏହି ଖବରକୁ ଯେଉଁମାନେ ଦେଖିଥିବେ ସେମାନେ ସତ କଣ ତାହା ଜାଣିବା ସମ୍ଭବ ହୋଇ ନ ଥିଲା। ଅନେକ ଭାବି ନେଇଛନ୍ତି ଯେ, ରିପ୍ଲବିକ ଟିଭି ମୁମ୍ବାଇ ପୋଲିସ ବିରୋଧରେ ବିଷଦଗାର କରୁଥିବାରୁ ଏପରି ଏକ ନାଟକ କରାଯାଇଛି। ହେଲେ ଖବର ଦେଖିବା ପାଇଁ ଅପେକ୍ଷା କରିଥିବା ଦର୍ଶକ ପ୍ରକୃତ ଖବର କଣ ତାହା ଜାଣିବା ସମ୍ଭବ ହୋଇ ନ ଥିଲା। ସତ କଣ ଜାଣିବା ପାଇଁ ଅପେକ୍ଷା କରୁଥିବା ବିଚରା ଦର୍ଶକ ବର୍ତ୍ତମାନ ନ୍ୟୁଜ ଚ୍ୟାନେଲ ଦେଖି ଦ୍ବନ୍ଦରେ ପଡୁଛି।

ସେହିପରି ରିପବ୍ଲିକ ଟିଭି ଏବଂ ଇଣ୍ଡିଆ ଟୁଡେ ଟିଭି ଉଭୟ ତାଙ୍କ ଚ୍ୟାନେଲ ନମ୍ବର ୱାନ ବୋଲି ପ୍ରତିପାଦ କରୁଛନ୍ତି। ବାରମ୍ବାର ଆକର୍ଷଣୀୟ ପ୍ରମୋ କରି ଚ୍ୟାନେଲରେ ପ୍ରସାର କରୁଛନ୍ତି। ଟିଆରପି ମାପ କରୁଥିବା ବାର୍କ ସଂସ୍ଥାର ନାମ ନେଇ ସେମାନେ ଏକ ନମ୍ବର ବୋଲି ଦାବୀ କରୁଛନ୍ତି। ଏକ ନମ୍ବର ସ୍ଥାନରେ ଜଣେ ରହିବ, ହେଲେ ଦୁଇଟି ଚ୍ୟାନେଲ ଏକ ନମ୍ବର କିପରି ହେଲେ ତାହାକୁ ନେଇ ମଧ୍ୟ ଦର୍ଶକ ଦ୍ବନ୍ଦରେ।

ଏବେ ନୁହେଁ ଯଦି କିଛି ମାସ ଧରି ଯେଉଁମାନେ ନ୍ୟୁଜ ଚ୍ୟାନେଲ ଦେଖି ଆସୁଛନ୍ତି ସେମାନେ ଖବରରୁ ସତ କଣ ମିଛ କଣ ଜାଣିବା ସମ୍ଭବ ହେଉ ନାହିଁ। ଭାରତୀୟ ନ୍ୟୁଜ ଚ୍ୟାନେଲରେ ଏପରି ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଅନେକ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦାୟୀ କରୁଛନ୍ତି। କାରଣ ଖବର ନାମରେ ସେ ନାଟକବାଜୀ କରିବାରେ ଲାଗିଛନ୍ତି।

କିଛି ମାସ ତଳେ ଅର୍ଣ୍ଣବ ଭାରତରେ ଇଂରାଜୀ ଓ ହିନ୍ଦି ଭାଷାର ଦୁଇଟି ଚ୍ୟାନେଲ ଆରମ୍ଭ କରି ଟିଆରପିରେ ଏକ ନମ୍ବର ହୋଇ ଯାଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏବଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନିଶା କାରାବାରକୁ ନେଇ ଏହି ଚ୍ୟାନେଲ ଧାରାବାହିକ ଭାବେ ନାଟକୀୟ ଢଙ୍ଗରେ ଖବର ପ୍ରସାରଣ କରି ଆସୁଛି। ଏହା କୁଆଡେ ରିପ୍ଲବିକ ଟିଭିକୁ ଲୋକପ୍ରିୟତା ଦେଲା ବୋଲି ସେହି ମିଡିଆ ହାଉସ ଦାବୀ କରୁଛି।

ଏହି ଟିଆରପି ନିଶାରେ ଭାରତର ଅନ୍ୟତମ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ‘ଇଣ୍ଡିଆ ଟୁଡେ’ ମଧ୍ୟ ନିଜକୁ ଗୋଳମାଳିଆ କରି ପକାଇଛି। ସୁଶାନ୍ତି ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବଂ ରିୟା ଚକ୍ରବର୍ତ୍ତି ଘଟଣାକୁ ଯେପରି ଉପସ୍ଥାପନା କଲେ ତାହା ତାଙ୍କୁ ଭାଣ୍ଡିଆ କରିଦେଇଛି। ଖବର ପରିବର୍ତ୍ତେ ସେମାନେ ରିପ୍ଲବିକ ଚ୍ୟାନେଲ ବିରୋଧରେ ବିଶଦଗାର କରିବାକୁ ଲାଗିଲେ। ଏହି ଚ୍ୟାନେଲ ଅନ୍ୟତମ ସାମ୍ବାଦିକ ରାଜଦୀପ ସରଦେଶାଇ ଅର୍ଣ୍ଣବଙ୍କ ଚ୍ୟାନେଲକୁ କଦଳୀ ଚ୍ୟାନେଲ ବୋଲି କହିବାକୁ ପଛେଇଲେ ନାହିଁ।

ଯେଉଁମାନଙ୍କ ଉପରେ ଦର୍ଶକ ଭରସା କରି ଖବର ଜାଣିବା ପାଇଁ ଆଗ୍ରହ ରଖିଥାନ୍ତି ସେହିମାନଙ୍କ ମଧ୍ୟରେ ଏପରି ଲଢେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅବଶ୍ୟ ଏହି ଦୁଇ ଚ୍ୟାନେଲର ଲଢେଇ ଅନେକ ଦର୍ଶକଙ୍କୁ ବେଶ୍ ଆମୋଦିତ ମଧ୍ୟ କରିଛି। ହେଲେ ପ୍ରକୃତ ଖବର ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକ ଚ୍ୟାନେଲ ଯୁଦ୍ଧ ଦେଖି ବିରକ୍ତି ପ୍ରକାଶ କରିବା ଛଡା ଅନ୍ୟଗତି କିଛି ନାହିଁ।

ଯେଉଁମାନଙ୍କର ଖବର ଜାଣିବାରେ ଆଗ୍ରହ ଅଛି ସେମାନଙ୍କ ପାଇଁ ବର୍ତ୍ତମାନ ଚ୍ୟାନେଲ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବର୍ତ୍ତମାନ ଚ୍ୟାନେଲଗୁଡିକ ପ୍ରକୃତ ଖବର ପ୍ରସାରଣ କରିବାରେ ବିଫଳ ହୋଇଛନ୍ତି। ନିଜ ନିଜ ଭିତରେ ଲଢେଇ ଏବଂ ଅଧିକ ଟିଆରପି ହାସଲ କରିବାର କ୍ଷୁଧ୍ୟା ସେମାନଙ୍କୁ ବିଚଳିତ କରିଦେଇଛି।

ଅଧିକାଂଶ ନ୍ୟୁଜ ଚ୍ୟାନେଲ ସେମାନଙ୍କର ଲକ୍ଷ୍ୟପଥରୁ ହଟି କେବଳ ନାଟକବାଜି କରିବାରେ ଲାଗିଛନ୍ତି। ସେଥିପାଇଁ ନ୍ୟୁଜ ଚ୍ୟାନେଲଗୁଡିକ ସେମାନଙ୍କର ବିଶ୍ବସନୀୟତା ହରାଇବାରେ ଲାଗିଛନ୍ତି। ଫଳରେ ଭାରତର ଗଣତନ୍ତ୍ରରେ ଏହି ନ୍ୟୁଜ ଚ୍ୟାନେଲର ଭବିଷ୍ୟତ କଣ ହେବ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।