Categories
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ମିଥ୍ୟା ସୂଚନା ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ

ନୂଆଦିଲ୍ଲୀ: ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ, ୩ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ସମାଚାର ୱେବସାଇଟ୍‌କୁ ବ୍ଲକ୍‌ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଆଇଟି ନିୟମାବଳୀ ୨୦୨୧ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବ୍ଲକ୍‌ ହୋଇଥିବା ୟୁଟ୍ୟୁବ୍‌ ଚ୍ୟାନେଲକୁ ପାଖାପାଖି ୨୬୦ କୋଟି ଦର୍ଶକ ଦେଖିଥିଲେ। ଏଗୁଡ଼ିକୁ ମିଛ ଖବର ପ୍ରସାରଣ ପାଇଁ ଉପଯୋଗ କରାଯାଉଥିଲା। ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ଖବର ପ୍ରସାରଣ କରାଯାଇ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା।

ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରଥମ ଥର ପାଇଁ ଭାରତରୁ ପରିଚାଳିତ ୟୁଟ୍ୟୁବ ନ୍ୟୁଜ୍‌ (ସମାଚାର) ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ବର୍ଷ ପେବୃଆରୀରେ ଆଇଟି ନିୟମାବଳୀ, ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆ ଆଦେଶରେ ଭାରତରୁ ପରିଚାଳିତ ହେଉଥିବା ୧୮ଟି ଏବଂ ପାକିସ୍ତାନରୁ ପରିଚାଳିତ ହେଉଥିବା ୪ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି।

ବିଷୟବସ୍ତୁର ବିଶ୍ଳେଷଣ

ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଛ ଖବର ପ୍ରସାରିତ ହେଉଥିଲା। ପାକିସ୍ତାନରୁ ସଂଯୋଜିତ ଢଙ୍ଗରେ ପରିଚାଳିତ ହେଉଥିବା ଏକାଧିକ ସୋସିଆଲ ମିଡିଆଗୁଡ଼ିକରୁ ଭାରତ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରାଯାଉଥିଲା ଯାହାକି ଏସବୁ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ହେଉଥିଲା। ଏହି କାରଣରୁ ଏସବୁ ଚ୍ୟାନେଲକୁ ବ୍ଲକ୍‌ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ୟୁକ୍ରେନ ପ୍ରସଙ୍ଗ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଭାରତରେ ପରିଚାଳିତ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ଅନେକ ମିଛ ବିଷୟବସ୍ତୁ ପ୍ରସାରଣ କରାଯାଉଥିବା ବିଶ୍ଳେଷଣରୁ ଜଣାପଡ଼ିଛି।

ଅପରାଧିକ ଉଦ୍ଦେଶ୍ୟ

ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ କେତେକ ଟିଭି ନ୍ୟୁଜ୍‌ ଚ୍ୟାନେଲର ନକଲି ଟେମ୍ପଲେଟ୍‌ ଏବଂ ଲୋଗୋ ବ୍ୟବହାର କରୁଥିଲେ। ଏପରିକି ମିଛ ଖବରକୁ ସତ ବୋଲି ପ୍ରମାଣିତ କରିବା ଲାଗି ନ୍ୟୁଜ୍‌ ଉପସ୍ଥାପକ (ଆଙ୍କର୍‌)ମାନଙ୍କର ଫଟୋ ମଧ୍ୟ ବ୍ୟବହାର କରୁଥିଲେ। ନକଲି ଥମ୍ବନେଲ ବ୍ୟବହାର କରିବା ସହିତ ଥମ୍ବନେଲ୍‌ ଓ ଟାଇଟଲକୁ ବାରମ୍ବାର ପରିବର୍ତ୍ତନ କରାଯାଇ ଏସବୁ ମିଛ ଖବରକୁ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ (ଭାଇରାଲ୍‌) କରିବା ପାଇଁ ଉଦ୍ୟମ କରାଯାଉଥିଲା। କେତେକ କ୍ଷେତ୍ରରେ, ଭାରତ-ବିରୋଧୀ ମିଛ ଖବରର ଉତ୍ସ ପାକିସ୍ତାନରୁ ହିଁ ସୃଷ୍ଟି ହେଉଥିବା ତଦନ୍ତରୁ ଜଣାପଡ଼ିଛି।

ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ଜାତୀୟ ସୁରକ୍ଷା, ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ସାର୍ବଜନୀନ ଆଇନ ଶୃଙ୍ଖଳା ବ୍ୟବସ୍ଥା ଆଦିକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରୁଥିବା ୭୮ଟି ୟୁଟ୍ୟୁବ ନ୍ୟୁଜ୍‌ ଚ୍ୟାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି।

ପ୍ରାମାଣିକ, ବିଶ୍ବସନୀୟ ଏବଂ ନିରାପଦ ଅନଲାଇନ୍‌ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ । ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବ, ଜାତୀୟ ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ପ୍ରତି  ବିପଦ ସୃଷ୍ଟି କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ ରେ ଆକାଉଣ୍ଟ ଖୋଲିଲେ ନାଇଜେରିଆ ସରକାର

ନୂଆଦିଲ୍ଲୀ, ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବା ପରେ ନାଇଜେରିଆ ସରକାର ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆର ଏହି ପଦକ୍ଷେପକୁ ‘କୁ’ ର ସହ ପ୍ରତିଷ୍ଠାତା ଅପ୍ରମୟ ରାଧାକୃଷ୍ଣଙ୍କ କହିଛନ୍ତି – @kooindia ରେ ନାଇଜେରିଆ ସରକାରଙ୍କ ସରକାରୀ ଆକାଉଣ୍ଟ ଖୋଲିଥିବାରୁ ତାହାକୁ ସ୍ବାଗତ କରୁଛୁ।

ବିଚ୍ଛିନ୍ନତାବାଦୀଙ୍କୁ ଦଣ୍ଡିତ କରିବାକୁ ଧମକ ଦେଇ ରାଷ୍ଟ୍ରପତି ମହମ୍ମଦୁ ବୁଖାରୀଙ୍କ ଟ୍ୱିଟକୁ ଟ୍ବିଟର ହଟାଇ ଦେବା ପରେ ବିବାଦ ଆରମ୍ଭ ହୋଇଛି। ଏହା ପରେ ନାଇଜେରିଆ ଏହି ସୋସିଆଲ ମିଡିଆ କମ୍ପାନୀକୁ ଜୁନ୍ 5 ତାରିଖରେ ନିଷିଧ ଘୋଷଣା କରିଛନ୍ତି।

1967-70 ମସିହାର ଗୃହଯୁଦ୍ଧ ବିଷୟରେ ରାଷ୍ଟ୍ରପତି ବଖାରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ। ଏହା ଦ୍ବାରା ସାଂପ୍ରଦାୟିକବାଦ ନାମରେ ଟୁଇଟର ବୁଖାରୀଙ୍କ ଟ୍ବିଟରକୁ ଡିଲିଟ କରିଦେଇଛି।

ଟୁଇଟରର ବିକଳ୍ପ ଭାବେ ଭାରତୀୟ ‘କୁ’ ଆଫ୍ରିକୀୟ ଦେଶରେ ସଂପ୍ରସାରଣ କରିବାକୁ ଯୋଜନା ଚାଲିଛି। ରାଧାକୃଷ୍ଣ ଟ୍ୱିଟରରେ କହିଛନ୍ତି ଯେ ‘କୁ’ ରେ ସ୍ଥାନୀୟ ଭାଷା ବ୍ୟବହାର କରିବାକୁ ମଧ୍ୟ ଚିନ୍ତା କରାଯାଉଛି।

ଭାରତରେ ସୋସିଆଲ ମିଡିଆ କମ୍ପାନୀର ନୂତନ ନିୟମକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଅନେକ କେନ୍ଦ୍ର ମନ୍ତ୍ରୀ ‘କୁ’ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ‘କୁ’ ହେଉଛି ସୋସିଆଲ ମିଡିଆ କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ ଯାହାକି ନୂତନ ନିୟମ ମାନିବାକୁ ଘୋଷଣା କରିଛି।

ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଟ୍ୱିଟର ମଧ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି ଏବଂ ଅନୁପାଳନ ଅଧିକାରୀ ନିଯୁକ୍ତ କରିବା ଭଳି ଇଚ୍ଛାକୃତ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବାକୁ ଏକ ସପ୍ତାହ ସମୟ ମାଗିଛି। ଏହା ଭିତରେ ଧିରେ ଧିରେ ‘କୁ’ ର ଗ୍ରାହକ ସଂଖ୍ୟା ବଢିବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର

କୃଷି ଆନ୍ଦୋଳନ ସମୟରେ ବ୍ୟବହୃତ ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କଲା ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କରିଦେଇଛି। ଏହି ଆକାଉଣ୍ଟଗୁଡିକ ଉପରେ ନକଲି ଏବଂ ଉତ୍ତେଜିତ କାରିବା ଭଳି ଟୁଇଟିସ୍ ଏବଂ ହାସଟ୍ୟାଗ କରିବା ଅଭିଯୋଗ ହୋଇଛି। କୃଷି ଆନ୍ଦୋଳନରେ  #ModiPlanningFarmerGenocide ନାମରେ ହାସଟ୍ୟାଗ ଚଲା ଯାଇଥିଲା। ଏହି ହାସଟ୍ୟାଗର ଅର୍ଥ ଥିଲା, “ମୋଦୀ ସରକାର କୃଷକମାନକର ଜନସଂହାରର ପ୍ରସ୍ତୁତ କରୁଛି”। ଗୃହ ମନ୍ତ୍ରାଳୟ ଏବଂ ସୁରକ୍ଷା ଏଜେନ୍ସିଙ୍କ ସୂଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏହା ଆନ୍ଦୋଳନ ସମୟରେ ବହୁ ସମସ୍ୟା ସୃଷ୍ଟି କରିବ ଏବଂ ଦେଶର ସୁରକ୍ଷା ପାଇଁ ବିପଦ ଅଛି। ଏହି ଆକାଉଣ୍ଟରୁ ଜାନୁୟାରୀ ୩୦ରେ ଭ୍ରମ ଏବଂ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଟୁଇଟସ କରାଯାଉଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ପରେ ମୋଦି ହେଲେ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା

ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। କାରଣ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ବିଶ୍ବରେ ସର୍ବାଧିକ ୟୁଜରସ ଫଲୋ କରୁଥିଲେ। ଏହାପରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ତାଙ୍କର ଫଲୋଅର ସଂଖ୍ୟା 88.7 ମିଲିୟନ ଅର୍ଥାତ 8 କୋଟି 87 ଲକ୍ଷ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର 64.7 ମିଲିୟନ ବା 6 କୋଟି 47 ଲକ୍ଷ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ପରେ ମୋଦି ଟୁଇଟର ରାଷ୍ଟ୍ରାଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି।