Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଟେଣ୍ଡର କାର୍ଯ୍ୟରେ ଅନିୟମିତତାକୁ ନେଇ ତାତିଲେ ଜନତା: ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ରେ ୨୫ଟି କାର୍ଯ୍ୟାଦେଶର ସୂଚୀ ଜାରିକରଯାଇଥିଲା। କାର୍ଯ୍ୟାଦେଶରେ ଏନ.ଏ.ସିର ବିଭିନ୍ନ ୱାର୍ଡର ଉନ୍ନତିକରଣକୁ ଉପେକ୍ଷା କରାଯାଇଥିବାବେଳେ ଯେତିକି କାର୍ଯ୍ୟାଦେଶ ଜାରି ହୋଇଛି ସେ ସବୁର ଅଟକଳ ପ୍ରାୟତଃ ମୂଳ ଆନୁମାନିକ ମୂଲ୍ୟରୁ ଦୁଇ ଗୁଣ ଅଧିକା ହୋଇଥିବା ସୂଚନା ରହିଛି। ଏହାସହିତ ସ୍ଥାନୀୟ କିଛି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସବୁ କାର୍ଯ୍ୟାଦେଶ କେତେକ ନିର୍ଦ୍ଦିଷ୍ଟ ଠିକାଦାର ପାଇବାକୁ ଯାଉଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଗତକାଲି ପୂର୍ବାହ୍ନରେ ଶତାଧିକ ଅଞ୍ଚଳବାସି ଏନଏସି କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟନିର୍ବାହୀ ଅଧକାରୀଣି ଆକୃତି ଗୋଏଙ୍କାଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନଏସି ଅଞ୍ଚଳବାସିଙ୍କ ଅଭିଯୋଗ ଅନୁଯାୟୀ କୌଣସି ୱାର୍ଡର ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟକୁ ସଠିକ ଭାବେ ତଦାରଖ କରା ନଯାଇ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର କେତେକ ରାଜନୈତିକ ନେତାଙ୍କ ପ୍ରରୋଚନାରେ କାର୍ଯ୍ୟାଦେଶ ଜାରି କରିଛନ୍ତି। କେତେକ ୱାର୍ଡକୁ ପକ୍ଷପାତିତା କରିବା ସହ ଅଧିକାଶଂ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ନ ଥାଇ ଅର୍ଥତୋଷରପାତଃ କରିବା ଉଦ୍ଦେଶ୍ୟରେ ଟେଣ୍ଡର କରାଯାଇଛି। ଶ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ପୂର୍ବରୁ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କାର୍ଯ୍ୟ ସମାପ୍ତିର ୬ ମାସ ନ ପୁରୁଣୁ ସେ ସବୁ ନଷ୍ଟ ହେଇଯାଉଛି। ଅଧିକାଂଶ ୱାର୍ଡ ରେ ରାସ୍ତା ନିର୍ମାଣ ଆବଶ୍ୟକତା ଥିବାସତ୍ତ୍ୱେ ତାହାକୁ ଟେଣ୍ଡର ରେ ଗୁରୁତ୍ୱ ଦିଆଯାଇନାହିଁ। ଅଧିକାଂଶ ଭଲ ରାସ୍ତାକୁ ନବୀକରଣ ଆଳରେ ଅର୍ଥ ତୋଷାରପାତ ପାଇଁ ପୁଣି ଟେଣ୍ଡର କରାଯାଇଛି।

ତେଣୁ ଜାରି କରାଯାଇଥିବା ସମସ୍ତ ଟେଣ୍ଡରଗୁଡିକୁ ବାତିଲ କରି ପୁନଶ୍ଚ ପ୍ରତ୍ୟେକ ୱାର୍ଡରେ ପୁଙ୍ଖାନୁପୁଙ୍ଖ ତଦାରଖ କରି ଆବଶ୍ୟକତା ଅନୁଯାୟୀ ଟେଣ୍ଡର କରିବା ଏବଂ ଦୁର୍ନୀତିଖୋର କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଅଞ୍ଚଳବାସୀ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ନିକଟରେ ଦାବି କରିବା ସହ ଉକ୍ତ ଦାବିପତ୍ରର ଏକକିତା ନକଲ ଏନ.ଏ.ସିର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ହେଲେ ଏ ବିଷୟ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଦାବିପତ୍ରଟି ଅଞ୍ଚଳବାସୀଙ୍କ ଠାରୁ ପାଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି।