Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ପ୍ରଥମ ତ୍ରୟମାସ ନିଟ୍ ଲାଭ ୪୫ ପ୍ରତିଶତ ବୃଦ୍ଧି ପାଇ ୩୬୫୧ କୋଟି ଟଙ୍କା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତର ପ୍ରଥମ ତ୍ରୟମାସରେ ନିଟ୍ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି ଟଙ୍କା ନିଟ୍ ଲାଭ ହାସଲ କରିଥିବା କଂପାନି ପକ୍ଷରୁ ଆଜି ଘୋଷଣା କରାଯାଇଥିବା ତ୍ରୟମାସିକ ଆର୍ଥିକ ଫଳାଫଳରୁ ଜଣାପଡ଼ିଛି। ଗତବର୍ଷର ପ୍ରଥମ ତ୍ରୟମାସରେ କଂପାନି ୨୫୧୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା।

ଯୋଗାଯୋଗ (କନେକ୍ଟିଭିଟି) ବ୍ୟବସାୟରେ ଗ୍ରାହକ ଯୋଡ଼ି ହେବା ଜାରି ରହିଥିବାରୁ ଆଇୟୁସି ସମାୟୋଜିତ ୧୯% ଅଭିବୃଦ୍ଧି ସହ ତ୍ରୟମାସିକ ରାଜସ୍ୱ ୧୮,୯୫୨ କୋଟି ଟଙ୍କା (୨.୫ ବିଲିଅନ୍ ଡଲାର) ହୋଇଛି। ୨୦୨୧ ଜୁନ୍ ୩୦ ସୁଦ୍ଧା ଦେଶରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୪ କୋଟିକୁ ବୃଦ୍ଧି ପାଇଛି। ଏହି ତ୍ରୟମାସରେ ଇବିଆଇଟିଡିଏ ୮୮୯୨ କୋଟି ଟଙ୍କା (୧.୨ ବିଲିଅନ ଡଲାର) ରହିଛି ଯାହା ଗତବର୍ଷର ପ୍ରଥମ ତ୍ରୟମାସ ଇବିଆଇଟିଡିଏ ତୁଳନାରେ ୨୧.୩% ଅଧିକ। ଏହି ତ୍ରୟମାସରେ ଗ୍ରାହକ ପିଛା ହାରାହାରି ରାଜସ୍ୱ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ୧୩୮.୪ ଟଙ୍କା ରହିଛି।

ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ୩୮.୫% ବୃଦ୍ଧି ପାଇଛି ଏବଂ ଏହି ତ୍ରୟମାସରେ ତାହା ୨୦.୩ ବିଲିଅନ ଜିବି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଡାଟା ବ୍ୟବହାର ୧୫.୬ ଜିବିକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଭଏସ୍ ଉପଯୋଗିତା ୮୧୮ ମିନିଟ୍ ରହିଛି। ଏହି ତ୍ରୟମାସରେ କୋଭିଡ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଭାବକୁ ହ୍ରାସ କରିବା ଲାଗି ଜିଓ ତରଫରୁ ଅନେକ ଗ୍ରାହକ କୈନ୍ଦ୍ରୀକ ସେବା ଶୁଭାରମ୍ଭ କରାଯାଇଥିଲା ଯେଉଁଥିରେ ସାମିଲ ରହିଛି ଜିଓଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ମାଗଣା ଅଫର, ଜରୁରୀକାଳୀନ ଡାଟା ଲୋନ, ହ୍ୱାଟସ୍‌ଆପ୍ ରିଚାର୍ଜ ସୁବିଧା ଏବଂ କୌଣସି ଦୈନିକ ସୀମା ନଥିବା ଫ୍ରିଡମ୍ ପ୍ଲାନ୍। କ୍ଷେତ୍ର ଭିତିରେ କାର୍ଯ୍ୟ କରିବାର ଆହ୍ୱାନ ରହିଥିବା ସତ୍ତ୍ୱେ ନିକଟ ମାସଗୁଡ଼ିକରେ ଗ୍ରାହକ ଯୋଡ଼ିବାରେ ଉନ୍ନତ ଧାରା ଜାରି ରହିଥିବାରୁ ଜିଓଫାଇବର୍‌ର ଏବେ ୩ ନିୟୁତରୁ ଅଧିକ ଘରକୁ ସଂଯୋଗ କରିପାରିଛି।

ଏହି ତ୍ରୟମାସିକ ଫଳାଫଳ ସମ୍ପର୍କରେ ମୁକେଶ ଧିରୁଭାଇି ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁଁ ପରିଚାଳନା ପରିବେଶରେ ଅତ୍ୟଧିକ ଆହ୍ୱାନକୁ ସାମ୍ନା କରିବା ସତ୍ୱେ କଂପାନି ଦୃଢ଼ ଅଭିବୃଦ୍ଧି ପ୍ରଦାନ କରିଥିବାରୁ ମୁଁ ଆନନ୍ଦିତ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଫଳାଫଳ ରିଲାଏନ୍ସର ବିବିଧ ବ୍ୟବସାୟ ପୋର୍ଟଫୋଲିଓର ସବୁ ସମୟରେ ସହନଶୀଳତାକୁ ପ୍ରତିଫଳିତ କରୁଛି।

ଜିଓ ଟେଲିକମ୍ ଓ ଡିଜିଟାଲ୍ ଶିଳ୍ପର ଅଗ୍ରଣୀ ପରିଚାଳନା ସୂଚୀ ସହ ଆଉ ଏକ ରେକର୍ଡ ତ୍ରୟମାସ ପ୍ରଦର୍ଶନ କରିଛି। ମୁଁ ଜିଓ ପରିବାରର ବିଶ୍ୱସ୍ତ ଗ୍ରାହକମାନଙ୍କ ପ୍ରତି କୃତଜ୍ଞ ଯେଉଁମାନଙ୍କ ସଂଖ୍ୟା ଏହି ତ୍ରୟମାସରେ ଆହୁରି ବୃଦ୍ଧି ପାଇଛି, ଏବଂ ଯାହା ଭାରତର ଏକ ନମ୍ବର ଡିଜିଟାଲ୍ ସଂଯୋଗ ଓ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିଛି। ଉତ୍କୃଷ୍ଟ ସେବା ମାନର ସ୍ତରରେ ଉନ୍ନତି ଆଣିବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ସେମାନେ ପସନ୍ଦ କରୁଛନ୍ତି।

ଆମର ଓ୨ସି (ଅଏଲ୍ ଟୁ କେମିକାଲ୍ସ) ବ୍ୟବସାୟରେ ରହିଥିବା ସମନ୍ୱିତ ପୋର୍ଟଫୋଲିଓ ଓ ଉତ୍କୃଷ୍ଟ ଉତ୍ପାଦ ଉପସ୍ଥାପନ ଦକ୍ଷତା ଜରିଆରେ ଆମେ ଆୟ ଦୃଢ଼ କରିପାରିଛୁ। ଆମର ସହଯୋଗୀ ବିପି ସହିତ ଆମେ କେଜି ଡି୬ ରେ ସାଟେଲାଇଟ୍ କ୍ଲଷ୍ଟର କାର୍ଯ୍ୟକ୍ଷମ କରିଛୁ ଓ ଉତ୍ପାଦନରେ ବୃଦ୍ଧି ଜାରି ରଖି ଭାରତର ଗ୍ୟାସ୍ ଉତ୍ପାଦନକୁ ୨୦% ଅବଦାନ ପ୍ରଦାନ କରିଛୁ। ଦେଶର ଉଜ୍ୱର୍ା ସୁରକ୍ଷାରେ ଏହା ହେଉଛି ଏକ ପ୍ରମୁଖ ଯୋଗଦାନ।’’