Categories
ଆଜିର ଖବର ରାଜ୍ୟ ଖବର

ପେଟ୍ରୋଲ ପମ୍ପ ସମ୍ମୁଖରେ ତିନୋଟି ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଭୋର ୩ ଟା ସମୟରେ ରେଢ଼ାଖୋଲ ଏଚ୍ ପି ପେଟ୍ରୋଲ ପମ୍ପ ପାଖରେ ୩ଟି ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଚାଳକ ଗୁରୁତର ଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଭୋର ପାଖାପାଖି ୩ ଟା ସମୟରେ ତିନୋଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏକ କୋଇଲା ବୋଝେଇ ଟ୍ରକର ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମଳିଛି।

କୋଇଲା ବୋଝେଇ ଟ୍ରକ ସହ ବିପରୀତ ଦିଗରୁ ଏକ ଟ୍ୟାଙ୍କର ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଚପି ପେଟ୍ରୋଲ ପମ୍ପରୁ ଆସୁଥିବା ଏକ କ୍ଷୀର ବୋଝେଇ ଗାଡ଼ି ମଧ୍ୟ ଉକ୍ତ ଟ୍ରକ ମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ହୋଇରହିଥିଲା।

ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ରାସ୍ତାରୁ ଗାଡି ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ୍ ଆହତଙ୍କୁ ଉଦ୍ଧାର କରି ବୁର୍ଲା ପଠାଇଥିବା ଜଣାପଡ଼ିଛି। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।