Categories
ଆଜିର ଖବର ଜାତୀୟ ଖବର

ଯେକୌଣସି ବଡ଼ ନେଟୱର୍କ ଆଉଟେଜ୍‌ ସମ୍ପର୍କରେ ସୂଚନା ଦେବେ ସବୁ ଦୂରସଞ୍ଚାର ସେବା ପ୍ରଦାନକାରୀ

ନୂଆଦିଲ୍ଲୀ: ବୈଷୟିକ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦୂରସଞ୍ଚାର ନେଟୱର୍କର ପ୍ରମୁଖ ଦୂରସଞ୍ଚାର ନେଟୱର୍କର ସଂଯୋଗ ବିଚ୍ଛିନ୍ନ ହେବା (ଆଉଟେଜ୍‌) ସମ୍ପର୍କରେ ଦୂରସଞ୍ଚାର ସେବା ପ୍ରଦାନକାରୀମାନେ ଭାରତୀୟ ଟେଲିଫୋନ ନିୟାମକ ପ୍ରାଧିକରଣ (ଟ୍ରାଇ)କୁ ସୂଚନା ଦେଉନଥିବା ଦେଖିବାକୁ ମିଳୁଛି। ଦୀର୍ଘ ସମୟ ଧରି ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ପ୍ରତିକୂଳ ପ୍ରଭାବ ବିଶେଷ କରି ସୀମାବର୍ତ୍ତୀ କ୍ଷେତ୍ର ଓ ପାର୍ବତ୍ୟାଞ୍ଚଳ ଉପରେ ପଡ଼ିଥାଏ। ଏହାଦ୍ୱାରା ପ୍ରଭାବିତ କ୍ଷେତ୍ରରେ ଦୂରସଞ୍ଚାର ସେବାର ଗୁଣବତ୍ତା ବାଧାପ୍ରାପ୍ତ ହୋଇଥାଏ।

ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣକୁ ବୁଝିବା ଓ ଆବଶ୍ୟକତା ପଡ଼ିବା କ୍ଷେତ୍ରରେ ସେବା ପ୍ରଦାନକାରୀମାନଙ୍କୁ ସ୍ଥାନୀୟ ଅଧିକାରୀମାନଙ୍କ ଠାରୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରରେ ଏଭଳି କୌଣସି ଆଉଟେଜ୍‌ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି।

ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ଦୂରସଞ୍ଚାର ଆକ୍ସେସ ସେବା ପ୍ରଦାନକାରୀଙ୍କୁ ନିମ୍ନଲିଖିତ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି:

କୌଣସି ଜିଲ୍ଲା (କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ପରିଭାଷିତ ରାଜସ୍ୱ ଜିଲ୍ଲା)ର ସମସ୍ତ ଉପଭୋକ୍ତାମାନଙ୍କୁ ନିରନ୍ତର ଚାରି ଘଣ୍ଟାରୁ ଅଧିକ ସମୟ ପାଇଁ ଦୂରସଞ୍ଚାର ସେବାକୁ ପ୍ରଭାବିତ କରୁଥିବା ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ସମସ୍ତ ଘଟଣା ସମ୍ପର୍କରେ ୨୪ ଘଣ୍ଟା ମଧ୍ୟରେ ସୂଚନା ଦେବେ। ଏଥିପାଇଁ ନିର୍ଦ୍ଦିଷ୍ଟ କରାଯାଇଥିବା ଫର୍ମାଟରେ ରିପୋର୍ଟ କରିବା ଲାଗି କୁହାଯାଇଛି।

ଏଭଳି ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣ ଏବଂ ୭୨ ଘଣ୍ଟା ମଧ୍ୟରେ ପୁନର୍ବାର ନେଟୱର୍କ ସଂଯୋଗର ପୁନରୁଦ୍ଧାର କରାଯିବା ସମ୍ପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ଟ୍ରାଇ ନିକଟରେ ରିପୋର୍ଟ ଦାଖଲ କରାଯିବ।

ଏହି ନିର୍ଦ୍ଦେଶନାମା ତତ୍କାଳ ପ୍ରଭାବରେ ଲାଗୁ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ସମେତ ଦେଶର ୧୫ଟି ସହର ଏବଂ ଆଖପାଖ କ୍ଷେତ୍ରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ

ଭୁବନେଶ୍ବର: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି। ଏସବୁ ସ୍ଥାନ ହେଲା – ଜଳନ୍ଧର, ଅମ୍ବାଲା, ଆଇଜଲ, କୋଣ୍ଟାଇ, ଇମ୍ଫାଲ, କିଷନଗଞ୍ଜ, ପୋର୍ଟ ବ୍ଲେୟାର, ବିଳାସପୁର, ଗ୍ବାଲିୟର, ମେରଟ, ଅହମ୍ମଦନଗର, ଚିକମଙ୍ଗଲୁର, ୱାରଙ୍ଗଲ, କଟକ, କୋୟମ୍ବାଟରୁ, ଦୁଇଟି ରାଜପଥ ମେରଠ-ଆଗ୍ରା, ଗ୍ବାଲିୟର-ଗୁନା ଏବଂ ଗୋଟିଏ ରେଳ ମାର୍ଗ- ରାୟଗଡ଼ରୁ ଡୋଙ୍ଗରଗଡ଼ ପର୍ଯ୍ୟନ୍ତ ଡ୍ରାଇଭ ଟେଷ୍ଟ କରାଯାଇଥିଲା। ଜୁନ୍‌ ୨୦୨୨ରେ ଶେଷ ହୋଇଥିବା ତ୍ରୈମାସ ସମୟରେ ଏହି ପରୀକ୍ଷଣ କରାଯାଇଥିଲା।

ସେଲୁଲାର ମୋବାଇଲ ଟେଲିଫୋନ ସେବା ପ୍ରଦାନକାରୀମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ ପାଇଁ ଏହି ଟେଷ୍ଟ କରାଯାଇଥିଲା। ଏହି ଡ୍ରାଇଭ ଟେଷ୍ଟର ବିବରଣୀ ନିମ୍ନରେ ଦିଆଗଲା।

ଏହି ଅଞ୍ଚଳରେ କାର୍ଯ୍ୟକ୍ଷମ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ନେଟୱର୍କକୁ ଆକଳନ ପାଇଁ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)କୁ ଅନୁଧ୍ୟାନ କରାଯାଇଥିଲା । ଭଏସ ସେବା ପାଇଁ କେପିଆଇଗୁଡ଼ିକ ମଧ୍ୟରେ କଭରେଜ, କଲ ସେଟଅପ ସଫଳତା ହାର (ସିଏସଏସଆର); ଡ୍ରପ କଲ୍‌ ହାର; ବ୍ଲକ୍‌ କରାଯାଇଥିବା କଲ ହାର, ହ୍ୟାଣ୍ଡଓଭର ସଫଳତା ହାର; ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା। ସେହିପରି ଡାଟା ପାଇଁ କେପିଆଇ ମଧ୍ୟରେ ଡାଉନଲୋଡ ଏବଂ ଅପଲୋଡ୍‌ ଥ୍ରୁପୁଟ୍ସ, ୱେବ ବ୍ରାଉଜିଂ ବିଳମ୍ବତା, ଭିଡିଓ ଷ୍ଟ୍ରିମିଂ ବିଳମ୍ବ ହେବା ଆଦି ଯାଞ୍ଚ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଆଧିପତ୍ୟ ଅପରିବର୍ତ୍ତିତ ରଖିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଜାରି ମାର୍ଚ୍ଚ ମାସର ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୧.୨ ଏମବିପିଏସ୍‍ ପରିମାପ କରାଯାଇଛି। ଫେବୃଆରୀ ମାସ ତୁଳନାରେ ଏଥିରେ ୦.୫ ଏମବିପିଏସ୍‍ ବୃଦ୍ଧି ପରିଲକ୍ଷିତ ହୋଇଛି। ଫେବୃଆରୀ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୦.୬ ଏମବିପିଏସ୍‍ ରହିଥିଲା । ଜିଓ ବ୍ୟତୀତ ମାର୍ଚ୍ଚ ମାସରେ କେବଳ ବିଏସଏନଏଲର ସ୍ପିଡରେ ବୃଦ୍ଧି ଘଟିଛି। ଫେବୃଆରୀରେ ୪.୮ ଏମ୍‍ବିପିଏସ୍‍ ତୁଳନାରେ ମାର୍ଚ୍ଚ ମାସରେ ବିଏସଏନଏଲର ୪ଜି ଡାଉନଲୋଡ ସ୍ପିଡ୍‍ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି।

ଏହି ତଥ୍ୟ ପ୍ରଦର୍ଶିତ କରୁଛି ଯେ ଦୂରସଂଚାର କ୍ଷେତ୍ରରେ ପ୍ରତିଷ୍ଠିତ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ (ଭିଆଇ)ର ୪ଜି ଡାଉନଲୋଡ୍‍ ସ୍ପିଡ୍‍ ମାର୍ଚ୍ଚ ମାସରେ ହ୍ରାସପାଇଛି। ସବୁଠାରୁ କ୍ଷତି ଏୟାରେଟଲ୍‍ର ହୋଇଛି, ଫେବୃଆରୀ ମାସ ତୁଳନାରେ ମାର୍ଚ୍ଚ ମାସରେ ଏହାର ୪ଜି ଡାଉନଲୋଡ୍‍ ସ୍ପିଡ ୧.୩ ଏମବିପିଏସ୍‍ ହ୍ରାସପାଇଛି। ସେହି ସ୍ପିଡ୍‍ କ୍ଷେତ୍ରରେ ଭୋଡାଫୋନ ଆଇଡିଆର ମଧ୍ୟ ୦.୫ ଏମବିପିଏସ୍‍ ହ୍ରାସ ଘଟିଛି। ଏୟାରଟେଲ ସ୍ପିଡ୍‍ ୧୩.୭ ଏମବିପିଏସ୍‍ ରହିଥିବାବେଳେ ଭୋଡାଫୋନ ଆଇଡିଆର ସ୍ପିଡ ୧୭.୯ ଏମବିପିଏସ୍‍ ରହିଥିଲା।

ପ୍ରତିଥର ଭଳି ଏଥର ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ କ୍ଷେତ୍ରରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ପଛରେ ପକାଇ ଦେଇଛି । ମାର୍ଚ୍ଚ ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ୍‍ ଏୟାରଟେଲ୍‍ ଠାରୁ ୭.୪ ଏମବିପିଏସ୍‍ ଏବଂ ଭୋଡାଫୋନ ଆଇଡିଆ ଠାରୁ ୩.୨ ଏମବିପିଏସ୍‍ ଅଧିକ ରହିଥିଲା। ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରି ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏକ ନମ୍ବର ସ୍ଥାନ ଦଖଲ କରିଆସୁଛି। ଭୋଡାଫୋନ୍‍ ଆଇଡିଆ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବାବେଳେ ଭାରତୀ ଏୟାରଟେଲ୍‍କୁ ଏହା ତୃତୀୟ ସ୍ଥାନକୁ ଖସାଇ ଦେଇଛି।

ଡାଉନଲୋଡ ଭଳି ହାରାହାରି ୪ଜି ଅପ୍‍ଲୋଡ ସ୍ପିଡରେ ମଧ୍ୟ ଭାରତୀ ଏୟାରଟେଲ ତୃତୀୟ ସ୍ଥାନରେ ରହିଛି। ମାର୍ଚ୍ଚ ମାସରେ କମ୍ପାନୀର ହାରାହାରି ଅପ୍‍ଲୋଡ ସ୍ପିଡ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି। ୮.୨ ଏମ୍‍ବିପିଏସ୍‍ ସହିତ ଭୋଡାଫୋନ ଆଇଡିଆ ହାରାହାରି ୪ଜି ଅପଲୋଡ ସ୍ପିଡରେ ମାର୍ଚ୍ଚ ମାସରେ ସବୁଠାରୁ ଆଗରେ ରହିଛି। ଦ୍ୱିତୀୟ ସ୍ଥାନ ରିଲାଏନ୍ସ ଜିଓ ଦଖଲ କରିଥିବାବେଳେ ଏହାର ଅପଲୋଡ ସ୍ପିଡ୍‍ ୭.୩ ଏମ୍‍ବିପିଏସ ରହିଛି। ବିଏସଏନଏଲର ହାରାହାରି ଅପଲୋଡ ସ୍ପିଡ ୫.୧ ଏମବିପିଏସ ରହିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଟ୍ରାଇ ଦ୍ୱାରା ହାରାହାରି ସ୍ପିଡ ଗଣନା ମାଇଁସ୍ପିଡ୍‍ ଆପ୍ଲିକେସନ ସହାୟତାରେ ଏକତ୍ର ବାସ୍ତବ ସମୟ ଭିତ୍ତିକ ତଥ୍ୟ ଆଧାରରେ କରାଯାଇଥାଏ।

ସେହିଭଳି ଓଡ଼ିଶାରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓର ଆଧିପତ୍ୟ ଜାରି ରହିଛି। ଟ୍ରାଇ ଦ୍ୱାରା ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ହାରାହାରି ସ୍ପିଡ୍‍ ଗଣନା ମୁତାବକ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ସର୍ବାଧିକ ୪୫.୫ ଏମବିପିଏସ୍‍ ପରିମାପ କରାଯାଇଛି। ଏୟାରଟେଲର ସ୍ପିଡ୍‍ ୧୪.୭ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆର ସ୍ପିଡ୍‍ ୧୨.୯ ଏମବିପିଏସ ରହିଛି। ହାରାହାରି ୪ଜି ଅପଲୋଡ ସ୍ପିଡରେ ୯.୫ ଏମ୍‍ବିପିଏସ ସହିତ ଭୋଡାଫୋନ ଆଇଡିଆ ସାରଣୀରେ ସବୁଠାରୁ ଉପରେ ରହିଛି। ଦ୍ୱିତୀୟ ସ୍ଥାନରେ ରିଲାଏନ୍ସ ଜିଓର ଅପ୍‍ଲୋଡ ସ୍ପିଡ ୭.୯ ଏମ୍‍ବିପିଏସ୍‍ ରହିଥିବାବେଳେ ତୃତୀୟ ସ୍ଥାନରେ ଏୟାରଟେଲର ହାରାହାରି ଅପଲୋଡ ସ୍ପିଡ ୪.୬ ଏମ୍‍ବିପିଏସ୍‍ ପରିମାପ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅର୍ଚଳଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।