Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା। ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା।

ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା। ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ।

ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା।

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ। ଚାରି ଘଂଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା। ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା।

ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା। ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା।

ଡାକ୍ତର ପଣ୍ଡା କହିଥିଲେ ଯେ, ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା। ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ। ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁର ଛାତିରୁ ୫୦୦ ଗ୍ରାମ୍‌ର ଟ୍ୟୁମର୍ ବାହାର କଲେ ସମ୍ ସର୍ଜନ

ଭୁବନେଶ୍ୱର: ୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ। ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍ ରୋଗିଣା ଦେଖାଯାଉଥିଲା ଏବଂ ତା’ର ଶରୀରର ଅମ୍ଳଜାନର ସ୍ତର ମଧ୍ୟ କମିବାରେ ଲାଗିଥିଲା ଯାହାକି ଶିଶୁର ପରିବାରର ଚିନ୍ତା ବଢ଼ାଇ
ଦେଇଥିଲା।

ଶିଶୁଟି ଯେତେବେଳେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ପହଂଚିଥିଲା ତା’ର ଅମ୍ଳଜାନ ସ୍ତର ୯୦ ପ୍ରତିଶତରୁ କମ୍ ଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ବୋଲି ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ସର୍ଜନ ତଥା ଅପରେସନ୍ କରିଥିବା ମେଡିକାଲ୍ ଟିମ୍‌ର ସଦସ୍ୟ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି। ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ଶିଶୁଟିର ହୃଦଯନ୍ତ୍ର ସହ ଜଡିତ ହୋଇ ଛାତିରେ ୧୧ ସେମି ଆକୃତିର ଏକ ବଡ଼ ଟ୍ୟୁମର ବୃଦ୍ଧି ପାଇଛି ଯାହାକି ସମ୍ପୂର୍ଣ୍ଣ ରୂପେ ବାମ ପଟ ଫୁସ୍‌ଫୁସ୍ ଉପରେ ଚାପ ପକାଉଥିଲା।

ହସ୍ପିଟାଲ୍ ପକ୍ଷରୁ ତୁରନ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ରେଡିଓଲୋଜିଷ୍ଟ ପ୍ରଫେସର ସତ୍ୟ ଏସ୍ ମହାପାତ୍ର ଏବଂ ପ୍ରଫେସର ଆଦ୍ୟ କେ ପଣ୍ଡାଙ୍କ ତତ୍ୱାବଧାନରେ ଶିଶୁଟିର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସିଟିଭିଏସ୍ ସର୍ଜନ୍ ପ୍ରଫେସର ଦେବାଶିଷ ସାହୁଙ୍କ ନେତୃତ୍ୱରେ ଏହି ଅପରେସନ୍ କରାଯାଇଥିବା ବେଳେ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ ଡାକ୍ତରୀ ଟିମ୍‌ର ପ୍ରମୁଖ ସଦସ୍ୟ ଥିଲେ। ଛାତିକୁ କ୍ଲାମ୍‌ସେଲ୍ ଥୋରାକୋଟୋମି ପ୍ରକ୍ରିୟାରେ ଉନ୍ମୁକ୍ତ କରାଯାଇ ଏହି ବଡ଼ ଟ୍ୟୁମର୍‌କୁ ବାହାର କରାଯାଇଥିଲା।

ହୃଦଯନ୍ତ ଏବଂ ଫୁସ୍‌ଫୁସ୍ ସହ ଯୋଡି ହୋଇ ରହିଥିବା ଏହି ଟ୍ୟୁମରକୁ ସମ୍ପୂର୍ଣ୍ଣ ରୂପେ ବାହାର
କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ରକ୍ତସ୍ରାବ ହୋଇ ନଥିଲା ବୋଲି ପ୍ରଫେସର ପ୍ରଧାନ କହିଛନ୍ତି। ଅପରେସନ୍ ପରେ ଦୁଇ ଦିନ ନିମନ୍ତେ ଶିଶୁରୋଗ ଇଂଟେନ୍‌ସିଭ୍ କେୟାର ୟୁନିଟ (ପିଆଇସିୟୁ)ରେ ମେକାନିକାଲ୍ ଭେଂଟିଲେସନ୍‌ରେ ପ୍ରଫେସର ଦେବସ୍ମିତା ରଥ ଏବଂ ଡାକ୍ତର ବାସୁଦେବ ବିଶ୍ୱାଳଙ୍କ ତତ୍ୱାବଧାନରେ ଶିଶୁଟିକୁ ରଖାଯାଇଥିଲା। ନିଶ୍ଚେତକ ପ୍ରକ୍ରିୟାରେ ସର୍ଜରୀ କରାଯାଇଥିବା ବେଳେ ଏହି ଟିମ୍‌ରେ ସାମିଲ୍ ଥିଲେ ପ୍ରଫେସର ସୌମ୍ୟା ସାମଲ୍‌, ପ୍ରଫେସର ସୁଲୋଚନା ଦାଶ, ଡାକ୍ତର ନୁପୁର ମୋଡା, ଡାକ୍ତର ମଧୁସ୍ମିତା ପାତ୍ର, ଡାକ୍ତର ସୁଦୀପ୍ ମହାପାତ୍ର ଏବଂ ଡାକ୍ତର ରମ୍ୟା।

ଫାର୍ମାସିଷ୍ଟ ସସ୍ମିତା ସାହୁ, ପ୍ରଣତି ପରିଡା, ରାଧେ ଏବଂ ନର୍ସ ଓ ଓଟି ଆସିଷ୍ଟାଂଟ ବିଶ୍ୱ ରଞ୍ଜନ ପରିଡା, ପୁଷ୍ପଲତା ସାହୁ, ବିଜୟ, ସ୍ମୃତିରେଖା, ରୋଜାଲିନ୍‌, ତପନ୍ ଏବଂ ବିବେକ ମହାରଣା ଟିମ୍‌ରେ ସାମିଲ୍ ହୋଇ ଅପରେସନ୍‌ରେ ସାହାଯ୍ୟ କରିବା ସହ ଶିଶୁଟିର ଚିକିତ୍ସାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।