Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମର ବାହାର କରିବାରେ ସମ୍ମମ୍‌ର ସର୍ଜନ ସଫଳ

ଭୁବନେଶ୍ୱର: ଏକ ୮ ବର୍ଷର ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମରକୁ ନାକ ବାଟେ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜିକାଲ ଟିମ୍।

ଯାଜପୁର ଅଂଚଳର ଆୟୁଷ କୁମାର ସାହୁ ନାମକ ବାଳକଟି ଦୀର୍ଘ ୬ ମାସ ଧରି ନାକ ବନ୍ଦ ହୋଇଯିବା, ପାଟି ବାଟେ ନିଃଶ୍ୱାସ ନେବା, ନାକରୁ ରକ୍ତ ସ୍ରାବ ହେବା ଏବଂ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ।

ଯଦିଓ ବାଳକଟିର ପରିବାର ସଦସ୍ୟ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ହସ୍ପିଟାଲ୍‌ରେ ଏହି ସମସ୍ୟା ନେଇ ପରାମର୍ଶ କରିଥିଲେ କିନ୍ତୁ ରୋଗର ଉପଯୁକ୍ତ ପରୀକ୍ଷଣ କରାଯାଇ ପାରି ନଥିଲା।

ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ବାଳକଟିର ଚିକିତ୍ସା ଆରମ୍ଭ କରିବା ସହ ତା’ର ବିଭିନ୍ନ ରେଡିଓଲୋଜି ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ବାଳକଟିର ମସ୍ତିଷ୍କରୁ ନାକ ପର୍ଯ୍ୟନ୍ତ ଏକ ୮ ସେମିର କୋଷିକା ଉତ୍ପନ୍ନ ହୋଇଥିବା ଜଣାପଡ଼ିଥିଲା। ଏହାକୁ ଡାକ୍ତରୀ ଭାଷାରେ ମେନିନ୍‌ଗୋଏନ୍‌ସିଫାଲୋସିଲ୍ ବୋଲି କୁହାଯାଇଥାଏ। ବାଳକଟିର ମୁହଁକୁ କଟା ନ ଯାଇ ଏଣ୍ଡୋସ୍କୋପିକ୍ ପଦ୍ଧତିେରେ କୋଷିକାଟିକୁ ବାହାର କରାଯାଇଥିଲା।

ଏଭଳି କ୍ଷେତ୍ରରେ ଖପୁରୀରୁ ନାକ ପର୍ଯ୍ୟନ୍ତ ଏହି କୋଷିକାଟି ଲମ୍ବି ଥାଏ ଏବଂ ନାକ ଏବଂ ପାଟିର ଦ୍ୱାରକୁ ଅନେକ କ୍ଷେତ୍ରରେ ବନ୍ଦ କରି ରଖିଥାଏ। ଏଭଳି କାରଣ ଯୋଗୁଁ ବାଳକଟିର ବିଭିନ୍ନ ସମସ୍ୟା ଦେଖାଦେଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁଙ୍କ ସମେତ ତାଙ୍କ ଟିମ୍ ଯିଏ କି ଏହି ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ଖପୁରୀରେ ଉପୁଜିଥିବା ତୃଟିକୁ ସୁଧାରିଥିଲେ ସେମାନେ ହେଲେ ସିନିୟର୍ ଆନେସଥେସିଷ୍ଟ ଡାକ୍ତର ରଞ୍ଜିତ ପତି ଓ ଇଏନ୍‌ଟି ସର୍ଜନ୍ ଡାକ୍ତର ପୁଜା ଲାଖୋଟିଆ।

ଅପରେସନ୍ ପରେ ବାଳକଟିର ଯେଭଳି ମେନିନ୍‌ଜାଇଟିସ୍ ସମସ୍ୟା ନ ଉପୁଜେ ସେଥି ନିମନ୍ତେ ଶିଶୁରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଦୀପ କୁମାର ଦେ ଓ ତାଙ୍କ ଟିମ୍‌ଙ୍କ ତତ୍ୱାବଧାନରେ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଅପରେସନ୍‌ର ଏକ ମାସ ପରେ ବାଳକଟି ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ତା’ର କୌଣସି ସମସ୍ୟା ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି।

ଏଣ୍ଡୋସ୍କୋପିକ୍ ସ୍କଲବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ସର୍ଜରୀ ପ୍ରକ୍ରିୟା ଏବଂ ଭାରତର ମାତ୍ର କେତୋଟି ହାତଗଣତି ସ୍ୱାସ୍ଥ୍ର‌୍ୟ ଅନୁଷ୍ଠାନ ମଧ୍ୟରୁ ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ବିଭାଗ ହେଉଛି ଅନ୍ୟତମ ଯେଉଁଠାରେ ଏହି ପ୍ରକ୍ରିୟାରେ ସର୍ଜରୀ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ପାଇଲେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ବାଲୁଗାଁର ପ୍ରମୋଦ ବିଶ୍ଵାଳ (୪୦) ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ପରେ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ। ଟ୍ୟୁମରଟି ବଡ ଆକାରର ହୋଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ପରବର୍ତ୍ତୀ ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରୋଗୀଙ୍କ ଆର୍ଥିକ ଅବସ୍ଥା ଭଲନଥିବାରୁ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା କରିବା ପାଇଁ ଚେଷ୍ଟା କରୁଥିଲେ। ଅନେକ ହସ୍ପିଟାଲରେ ବୁଝାସୁଝା କରିବା ପରେ ଚିକିତ୍ସା ସେବା ମିଳିପାରିନଥିଲା।

ତେବେ ରୋଗୀଙ୍କ ସମ୍ପର୍କୀୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ଡା. ନାୟକଙ୍କ ହସ୍ତକ୍ଷେପ ପରେ ଆଜି ରୋଗୀଙ୍କୁ ଆପୋଲୋ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା ସେବା ପାଇଥିବାରୁ ଆଜି ରୋଗୀଙ୍କ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ୫-ଟି ସଚିବ ଭି.କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ର ପୁଣି ଏକ ସଫଳତା: ଯୁବତୀଙ୍କ ଛାତିରୁ ୩ କେଜିର ଟ୍ୟୁମର ବାହାର କଲେ ଡାକ୍ତର

ଭୁବନେଶ୍ୱର: “ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି। ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି”। ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍‌ରୁ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ। ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ।

ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍‌ର ଡାକ୍ତର ଓ କର୍ତୃପକ୍ଷ। ଛାତିରେ ଟ୍ୟୁମର ଥିବା ଯୋଗୁଁ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ନେଇ ସୋନାଲୀ ଅନେକ ଡାକ୍ତରଖାନା ବୁଲିବା ପରେ ଶେଷରେ ସମ୍ ହସ୍ପିଟାଲ୍ ଆସିଥିଲେ। ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡାଙ୍କ ଅଧିନରେ ଚିକିତ୍ସା ଆରମ୍ଭ କରାଯାଇ ତାଙ୍କ ଛାତିରେ ଏକ ବଡ ଟ୍ୟୁମର ଥିବାର ଜଣାପଡ଼ିଥିଲା ଯାହାକି ହୃତ୍‌ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣପଟକୁ ଠେଲି ରଖିଥିଲା ଓ ବାମପାଶ୍ୱର୍ ଫୁସ୍‌ଫୁସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା। ଏହା ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିଲା ଓ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ।

ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍‌ସରସ ନଥିଲା ଓ ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା। ଏଥି ସହିତ ତାଙ୍କ ମୁହଁ ଏବଂ ହାତରେ ଅନେକ ଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା।

ଡାକ୍ତର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିବାକୁ ନିଷ୍ପତି ନେଇଥିଲେ। ରୋଗୀଟିର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଏତେ ବଡ ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା । ତେବେ କାର୍ଡିଆକ୍ ଆନେସ୍‌ଥେଟିଷ୍ଟ ଡାକ୍ତର ସୁଶାନ୍ତ କୁମାର ଭୋଇଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସମ୍ଭବପର ହୋଇଥିଲା।

କ୍ଲାମ୍‌ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍‌ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅସ୍ତ୍ରୋପଚାର ଓ ପରବର୍ତୀ ଚିକିତ୍ସା କରିଥିବା ଟିମ୍‌ରେ ଡାକ୍ତର ସାହୁ ଓ ଡାକ୍ତର ଭୋଇଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତିବେଦାନ୍ତ ମିଶ୍ର ଓ ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ।

ଅସ୍ତ୍ରୋପଚାର ପରେ ରୋଗୀଙ୍କର ସୁସ୍ଥ ହେବା ଗରୁତ୍ୱପୂର୍ଣ୍ଣ ଥିବା ବେଳେ ପ୍ରାୟ ଏକ ମାସ ଧରି ଆଇସିୟୁରେ ତାଙ୍କର ଯତ୍ନ ନିଆଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି । ସେହିପରି ଅପରେସନ୍ ପରେ ଛାତିର କସ୍‌ମେଟିକ୍ ରିପେୟାର କରିଥିଲେ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର।

ବିଏସ୍‌କେୱାଇ ଯୋଜନାରେ ଏହି ଯୁବତୀଙ୍କର ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଇଥିଲା ବୋଲି ସମ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଥିଲେ।

ଏହା ଏକ ଡାକ୍ତରୀ ଟିମ୍‌ର ସଫଳତା। ସିଟିଭିଏସ୍‌, କ୍ରିଟିକାଲ କେୟାର, ଥୋରାସିକ୍‌, ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅସ୍ତ୍ରେପଚାର ସଫଳ ହୋଇପାରିଥିବା ମେଡିସିନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଝିଅଟି ସୁସ୍ଥ ହେବା ପରେ ସମ୍ ହସ୍ପିଟାଲ ଓ ଡାକ୍ତର ସାହୁଙ୍କ ସମେତ ସମ୍ପୂର୍ଣ୍ଣ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ସୋନାଲୀଙ୍କ ମା ଓ ତାଙ୍କ ସମ୍ପର୍କୀୟ ଡାକ୍ତର ଏଲ୍‌.ଏନ୍ ପଣ୍ଡା। ବିଏସ୍‌କେୱାଇ ଯୋଜନାରେ ଏହି ଚିକିତ୍ସା ସମ୍ଭବପର ହୋଇପାରିଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଡାକ୍ତର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର

ସମ୍ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ଭୁବନେଶ୍ୱର: ଜଣେ ମହିଳାଙ୍କ ପେଟରୁ ୧୦.୫ କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ସର୍ଜନ। କଳାହାଣ୍ଡି ଅଂଚଳର ୫୦ ବର୍ଷିୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସଫଳତାର ସହ ଏହାକୁ ବାହାର କରିପାରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍।

ଦୀର୍ଘ ଦୁଇ ବର୍ଷ ଧରି ମହିଳା ଜଣଙ୍କର ପେଟ ଅସ୍ୱାଭାବିକ ଭାବେ ଫୁଲି ରହିଥିବା ବେଳେ ସେ ଠିକ୍ ଭାବରେ ଚଲାବୁଲା ମଧ୍ୟ କରି ପାରୁନଥିଲେ। ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇ ନିରାଶ ହେବା ପରେ ଶେଷରେ ସମ୍‌ ହସ୍ପିଟାଲକୁ ଆସି ଡାକ୍ତର ପଣ୍ଡାଙ୍କ ନିକଟରେ ଏହି ମହିଳା ଜଣକ ଚିକିତ୍ସା ଆରମ୍ଭ କରିଥିଲେ।

ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିବାର ଜଣାପଡିଥିଲା ଏବଂ ତାଙ୍କ ତଳିପେଟରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବା ଜଣାପଡିଥିଲା। ଏପରି ସମସ୍ୟାକୁ ଲିୟୋମାୟୋସାରକୋମା କୁହାଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଏହା ଏକ ବଡ ଟ୍ୟୁମର ଥିଲା ଏବଂ ପେଟ ଭିତରେ ଅନ୍ୟ ଅଙ୍ଗ ଗୁଡିକ ସହ ମଧ୍ୟ ଏହା ଯୋଡ଼ି ହୋଇ ରହିଥଲା। ତେଣୁ ଟ୍ୟୁମରଟିକୁ ଅନ୍ୟ ଅଙ୍ଗ ଗୁଡିକ ଠାରୁ ଅଲଗା କରି ଅସ୍ତ୍ରୋପଚାର ଜରିଆରେ ବାହାର କରିବା ଖୁବ୍‌ କଷ୍ଟକର ଥିଲା। ତେବୁ ଅତ୍ୟନ୍ତ ଯତ୍ନ ଓ ସତର୍କତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଏଭଳି ସମସ୍ୟା ଆରମ୍ଭରୁ ଜଣାପଡେ ନାହିଁ ଏବଂ ପରବର୍ତୀ ଅବସ୍ଥାରେ ଏହା ଗୁରୁତର ହୋଇ ଉଠିଥାଏ। ତେଣୁ ଆମେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଛୁ ଏବଂ ରୋଗୀ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅସ୍ତ୍ରୋପଚାର କରାଯାଇଛି। ଡାକ୍ତର ପଣ୍ଡାଙ୍କ ସମେତ ଅସ୍ତ୍ରୋପଚାର ଟିମରେ ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଶାଶ୍ୱତ ପଟ୍ଟନାୟକ ଓ ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସି. ପ୍ରଥମେଶ ଏବଂ ଡାକ୍ତର କେ. ବିକାଶ ପ୍ରମୁଖ ସାମିଲ୍ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ଥର ମହିଳାଙ୍କ ପେଟରୁ ୧୦.୫ କେଜି ଟ୍ୟୁମର ବାହାର କଲେ ସମ୍ ହସ୍ପିଟାଲର ସର୍ଜନ

ଭୁବନେଶ୍ୱର: ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ହ ସ୍ପିଟାଲ୍‌ର ସର୍ଜନ। ଗୁରୁବାର ଏହି ଅସ୍ତ୍ରୋପଚାର କରାଯାଇଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ମଧୁସ୍ମିତା ଦାନୀ ନାମକ ଏହି ମହିଳାଙ୍କର ୨୦୧୨ ଏବଂ ୨୦୧୬ରେ ଅନୁରୂପ ଭାବେ ସମ୍‌ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇ ପେଟରୁ ଟ୍ୟୁମର ବାହାର କରାଯାଇଥିଲା। ରେଟ୍ରୋପେରିଟୋନିଆଲ ଲାଇପୋସାରକୋମା ଭଳି କର୍କଟ ରୋଗରେ ଏହି ମହିଳା ଜଣକ ପିଡ଼ିତ ଥିବା ଜଣାପଡ଼ିଥିଲା। ମାତ୍ର ଏହି କର୍କଟ ରୋଗରେ
କେମୋଥେରାପି କିମ୍ବା ରେଡିଓଥେରାପି ଚିକିତ୍ସା ଦ୍ୱାରା ସୁଫଳ ମିଳି ନଥାଏ। ଅସ୍ତ୍ରୋପଚାର ହିଁ ଏହି ରୋଗର ଚିକିତ୍ସାର ଏକମାତ୍ର ଉପାୟ ବୋଲି ଚିକିତ୍ସା କରିଥିବା ସର୍ଜନ କହିଛନ୍ତି।

ଶ୍ରୀମତୀ ଦାନୀ ଗତ ଡିସେମ୍ବର ୨୧ ତାରିଖ ଦିନ ସମ୍ ହସ୍ପିଟାଲ୍‌ରେ ସର୍ଜରୀ ବିଭାଗ ପ୍ରଫେସର ପ୍ରକାଶ କୁମାର ସାହୁଙ୍କ ଅଧିନରେ ଆଡମିସନ୍ ନେଇଥିଲେ। ତାଙ୍କର ସିଟି ସ୍କାନ କରାଯିବା ପରେ ତାଙ୍କ ତଳି ପେଟରେ ଏକ ବଡ଼ ଟ୍ୟୁମର ରହିଥିବା ଜଣାପଡିଥିଲା। ଯାହାକି କିଡ୍‌ନୀ, ୟୁଟେରସ୍ ଏବଂ ଭେନାକାଭା ଇତ୍ୟାଦିକୁ ସଙ୍କୁଚିତ କରି ରଖୁଥିଲା। ଏପରିକି ହୃତପିଣ୍ଡରୁ ଅମ୍ଳଜାନ ବହନ କରୁଥିବା ବଡ ଶିରା ଓ ଅନ୍ତନଳୀକୁ ମଧ୍ୟ ଗୋଟିଏ ପଟକୁ ଠେଲି ରଖୁଛି ବୋଲି ଜଣାପଡ଼ିଥିଲା। ଶ୍ରୀମତୀ ଦାନୀଙ୍କର ପୂର୍ବରୁ ଦୁଇ ଦୁଇଟି ଅସ୍ତ୍ରୋପଚାର କରିଥିବା ପ୍ରଫେସର ସାହୁ ଏହି ସୂଚନା ଦେଇଛନ୍ତି।

୨୦୧୨ ମସିହାରେ ସଂପୃକ୍ତ ମହିଳାଙ୍କ ପେଟରେ ୧୫ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସମ୍ ହସ୍ପିଟାଲ୍‌ରେ ତାଙ୍କର ପ୍ରଥମ ଅସ୍ତ୍ରୋପଚାର କରାଯାଇ ଟ୍ୟୁମରଟି କଢ଼ାଯାଇଥିଲା। ସେହିପରି ପୁର୍ନବାର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସେ ଅସ୍ତ୍ରୋପଚାର ନିମନ୍ତେ ଅନ୍ୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ବିଭିନ୍ନ ସମସ୍ୟା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇନଥିଲା।

ସେହିପରି ୨୦୧୬ ମସିହାରେ ପୁଣିଥରେ ତାଙ୍କ ଶରୀରରେ ସାଢ଼େ ୭ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ଟ୍ୟୁମର ସମେତ ତାଙ୍କର ୟୁଟେରସ୍ ଓ ଓଭାରୀ କୁ ମଧ୍ୟ ଅସ୍ତ୍ରୋପଚାର କରାଯାଇ କଢ଼ାଯାଇଥିଲା।

ଗତ ଗୁରୁବାର ଦିନ ଶ୍ରୀମତୀ ଦାନୀଙ୍କର ଶରୀରରେ ସୃଷ୍ଟି ହୋଇଥିବା ୧୦.୫ କେଜିର ଟ୍ୟୁମର କାଢ଼ିବା ନିମନ୍ତେ ପାଞ୍ଚ ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏହି ଟିମ୍‌ରେ ପ୍ରଫେସର ସାହୁଙ୍କ ସମେତ ୟୁରୋଲୋଜି ବିଭାଗର ପ୍ରଫେସର ସୁରେନ୍ ଦାଶ, ଅଙ୍କୋସର୍ଜରୀ ବିଭାଗର ପ୍ରଫେସର ଅମିତାଭ ଜେନା, ଡଃ ସୁମନ୍ ସୌରଭ ରାଉତ, ଡଃ ଅକ୍ଷୟ ବେହେରା ଏବଂ ଆନେସ୍‌ଥେସିଷ୍ଟ ଡଃ ରୋହନ ନାୟକ ଏବଂ ଡଃ ସୁରଭି ସାମନ୍ତ ସାମିଲ ଥିଲେ। ଅସ୍ତ୍ରୋପଚାର ପରେ ରୋଗୀଜଣକ ସୁସ୍ଥ ଅଛନ୍ତି ଏବଂ ତତ୍ୱାବଧାନ ନିମନ୍ତେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ପ୍ରଫେସର ସାହୁ କହିଛନ୍ତି।