Categories
ଆଜିର ଖବର ଜାତୀୟ ଖବର

ସାରର ଉପଲବ୍ଧତା ଏବଂ ବ୍ୟବହାର ସମ୍ପର୍କରେ ରାଜ୍ୟ /କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ଆଜି ଦେଶରେ ସାରର ଉପଲବ୍ଧତା ଏବଂ ଏହାର ବ୍ୟବହାର ଉପରେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ସେ ନାନୋ ୟୁରିଆ, ନାନୋ ଡିଏପିର ଅଗ୍ରଗତି ଏବଂ କ୍ଷେତ୍ର ସ୍ତରରେ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଏହି ଦିଗରେ ରାଜ୍ୟ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିଥିଲେ ।

ପ୍ରାରମ୍ଭରେ ଡଃ ମାଣ୍ଡଭୀୟ ସମସ୍ତ ରାଜ୍ୟକୁ ଅବଗତ କରାଇଥିଲେ ଯେ, ଦେଶରେ ବର୍ତ୍ତମାନ ୧୫୦ ଏଲ୍‌ଏମ୍‌ଟି ସାରର ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି । ଏହି ମହଜୁଦ ଥିବା ସାର ଚଳିତ ଖରିଫ ଋତୁର ଧ୍ୟାନ ରଖିବା ସହିତ ଆଗାମୀ ରବି ଋତୁର ପ୍ରାରମ୍ଭିକ ବ୍ୟବହାରର ଚାହିଦା ପୂରଣ କରିବାକୁ ସୁନିଶ୍ଚିତ କରିବ ।

ମୃତ୍ତିକାକୁ ସୁରକ୍ଷିତ ରଖିବା ପାଇଁ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ହ୍ରାସ କରିବାର ଆବଶ୍ୟକତା ଉପରେ ଡଃ ମାଣ୍ଡଭୀୟ ମଧ୍ୟ ଆଲୋକପାତ କରିଥିଲେ । ପିଏମ୍ ପ୍ରଣାମ ଯୋଜନା ଆକାରରେ କେନ୍ଦ୍ର ସରକାର ଏକ ପଦକ୍ଷେପ ନେଇ ସାରିଛନ୍ତି ବୋଲି ସେ ଦୋହରାଇଥିଲେ । ମାଟି ମାଆକୁ ସୁରକ୍ଷିତ ରଖିବା ପାଇଁ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଧିମା ଗତି ସମ୍ପନ୍ନ ସଲଫର କୋଟେଡ୍ ୟୁରିଆ (ୟୁରିଆ ଗୋଲ୍ଡ), ନାନୋ ୟୁରିଆ, ନାନୋ ଡିଏପି ଇତ୍ୟାଦି ପ୍ରଚଳନ କରିବା ନିମନ୍ତେ ମଧ୍ୟ ପ୍ରୟାସ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ରାଜ୍ୟ ସରକାର ଏହି ସଂକଳ୍ପରେ ସକ୍ରିୟ ଅଂଶୀଦାର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ସମଗ୍ର ଦେଶରେ କାର୍ଯ୍ୟକ୍ଷମ ପିଏମକେଏସକେର ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ଯାହା ଗୋଟିଏ ସ୍ଥାନରେ କୃଷକ ମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରୁଥିବା ୱାନ୍‌-ଷ୍ଟପ୍‌-ସପ୍ ଭାବରେ କାର୍ଯ୍ୟ କରୁଛି । ଏହି ପିଏମ୍‌କେଏସ୍‌କେ ଗୁଡ଼ିକୁ ନିୟମିତ ପରିଦର୍ଶନ କରିବା ଏବଂ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କୁ ନିବେଦନ କରିଛନ୍ତି ।

କୃଷି ବ୍ୟତୀତ ଅନ୍ୟାନ୍ୟ ଉଦ୍ଦେଶ୍ୟରେ କୃଷି ନିମନ୍ତେ ଉଦ୍ଦିଷ୍ଟ ୟୁରିଆର ଅପବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ମାନ୍ୟବର ମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ନିବେଦନ କରିଥିଲେ । ଏଥିସହ କୃଷି ନିମନ୍ତେ ଉଦ୍ଦିଷ୍ଟ ୟୁରିଆରକୁ ନେଇ ସମ୍ଭାବ୍ୟ ବିଭ୍ରାଟକୁ ହ୍ରାସ କରିବା ସହ ଖିଲାପକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ସଚେତନତା ଅଭିଯାନ ଚଳାଇବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସାର ଫ୍ଲାଇଂ ସ୍କ୍ୱାଡ୍ ଏବଂ ବିଭିନ୍ନ ରାଜ୍ୟ କୃଷି ବିଭାଗର ମିଳିତ ଯାଞ୍ଚ ଆଧାରରେ ରାଜ୍ୟ ସରକାର ୟୁରିଆ ବ୍ୟବହାର ୟୁନିଟ୍ ଖିଲାପୀଙ୍କ ବିରୋଧରେ ୪୫ଟି ଏଫ୍‌ଆଇଆର୍ ରୁଜୁ କରିଛନ୍ତି, ୩୨ଟି ମିଶ୍ରଣ ୟୁନିଟ୍‌ର ଲାଇସେନ୍ସ ରଦ୍ଦ କରିଛନ୍ତି ଏବଂ ୭୯ଟି ମିଶ୍ରଣ ୟୁନିଟ୍‌କୁ ଅଚଳ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଏବଂ କଳାବଜାରୀ ନିବାରଣ ଆଇନ ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏଭଳି ଦୋଷୀ ମାନଙ୍କ ବିରୋଧରେ ଜିରୋ ଟଲରେନ୍ସ (ଶୁନ୍ୟ ସହନଶୀଳତା) ର ଭାବନା ପ୍ରକାଶ କରିଛନ୍ତି ।

ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ, ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ହ୍ରାସ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ଆଲୋଚନା ସହିତ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ସହ ବୈଠକ ଶେଷ ହୋଇଥିଲା । ନିକଟରେ ଆରମ୍ଭ ହୋଇଥିବା ପିଏମ୍ – ପ୍ରଣାମ , ୟୁରିଆ ଗୋଲ୍ଡ, ନାନୋ – ୟୁରିଆ, ନାନୋ – ଡିଏପି ଭଳି ପଦକ୍ଷେପ ଗୁଡିକୁ କୃଷକ ସମୁଦାୟର ବୃହତ୍ତର ସ୍ୱାର୍ଥରେ ଆଶାନୁରୂପ ଫଳାଫଳ ହାସଲ କରିବା ପାଇଁ ସମାନ ସଂକଳ୍ପ ନେଇ କାର୍ଯ୍ୟ କରିବା ଉପରେ ରାଜ୍ୟଗୁଡ଼ିକ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ବୈଠକରେ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ରାଜ୍ୟ ସରକାର ମାନଙ୍କର ବରିଷ୍ଠ ଅଧିକାରୀ ଏବଂ ସାର ବିଭାଗ ଓ କୃଷି ଓ କୃଷକ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ

ନୂଆଦିଲ୍ଲୀ: “ଭାରତର ଜି – ୨୦ ଅଧ୍ୟକ୍ଷତା ଦକ୍ଷିଣ ବିଶ୍ୱର ବିଭିନ୍ନ ଚିନ୍ତାକୁ ବ୍ୟାପକ କରିବା ପାଇଁ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରିଛି, ଭାରତକୁ ଏହି ଭୂମିକାରୁ ଲାଭ ମିଳିଛି, କାରଣ ଉଭୟ ପୂର୍ବବର୍ତ୍ତୀ (ଇଣ୍ଡୋନେସିଆ) ଏବଂ ପରବର୍ତ୍ତୀ (ବ୍ରାଜିଲ) ଆୟୋଜନକାରୀ ଜି- ୨୦ ଟ୍ରୋଇକାରେ ଅଛନ୍ତି। ଏହି ସ୍ଥିତି ଦକ୍ଷିଣ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକ ଉପରେ ଆଲୋକପାତ କରିବ ଏବଂ ବିଶ୍ୱ ଶାସନର ସର୍ବୋଚ୍ଚ ସ୍ତରରେ ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ। ଶନିବାର ଦକ୍ଷିଣ ଆଫ୍ରିକାର ଡର୍ବାନ ଠାରେ ଚାଲିଥିବା ବ୍ରିକ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ବୈଠକକୁ ଭର୍ଚୁଆଲ ଭାବେ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ଏହା କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ “ୟୁଏଚ୍‌ସି ୨୦୨୩ ମାର୍ଗରେ ସ୍ଥାୟୀ ସ୍ୱାସ୍ଥ୍ୟ ଉପରେ ‘ବ୍ୟବଧାନକୁ ଦୂର କରିବା” ଶୀର୍ଷକ ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତିକରଣର ଏଜେଣ୍ଡାକୁ ପ୍ରାଥମିକତା ଦେଇ ଥିବାରୁ ଦକ୍ଷିଣ ଆଫ୍ରିକାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ଦକ୍ଷିଣ ଆଫ୍ରିକାର ବ୍ରିକ୍ସ ପଦକ୍ଷେପ ଭାରତର ଜି-୨୦ ପ୍ରାଥମିକତା ସହିତ ଯୋଡ଼ି ହୋଇଛି, ଯେଉଁଥିରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିଚାଳନା, ଚିକିତ୍ସା ପରିମାପକ ପଦକ୍ଷେପ ଏବଂ ବିଶେଷ କରି ‘ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ସମାଧାନ ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ କରିବା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣରେ ଉନ୍ନତି ଆଣିବା’ ଅନ୍ତର୍ଭୁକ୍ତ।

ଡଃ ମାଣ୍ଡଭୀୟ କହିଛନ୍ତି ଯେ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦକ୍ଷିଣ ଆଫ୍ରିକାର ପଦକ୍ଷେପକୁ ଭାରତ ସମର୍ଥନ କରୁଛି, କାରଣ ଏହା ଭବିଷ୍ୟତର ସ୍ୱାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ପ୍ରସ୍ତୁତିକୁ ବୃଦ୍ଧି କରିବ । “ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ (୨୦୦୫) ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ଏହାର ପ୍ରଭାବକୁ ହ୍ରାସ କରିବା ସହିତ ସୀମାପାର ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବଶାଳୀ ହସ୍ତକ୍ଷେପ ପ୍ରସ୍ତୁତ କରିବାରେ ଏହି ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ” ବୋଲି ସେ ଉଲ୍ଲେଖ କରିଛନ୍ତି ।

ପାରମାଣବିକ ଔଷଧ କ୍ଷେତ୍ରରେ ବ୍ରିକ୍ସ ସହଯୋଗ ପାଇଁ ରୁଷିଆର ପଦକ୍ଷେପକୁ କେନ୍ଦ୍ର ମନ୍ତ୍ରୀ ସ୍ୱାଗତ କରିବା ସହ ପାରମାଣବିକ ଔଷଧ ଉପରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ମଂଚ ଗଠନ କରିବା ଉପରେ ସମର୍ଥନ ଜଣାଇଛନ୍ତି । ଏହି କ୍ଷେତ୍ରରେ ସହଯୋଗ କେବଳ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହନ ପ୍ରଦାନ କରିବ ନାହିଁ , ଏହା ସହିତ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକରେ ବୈଷୟିକ ଅଗ୍ରଗତିକୁ ମଧ୍ୟ ବୃଦ୍ଧି କରିବ ବୋଲି ସେ କହିଥିଲେ ।

ବ୍ରିକ୍ସ ଯକ୍ଷ୍ମା ଗବେଷଣା ନେଟୱର୍କ ପଦକ୍ଷେପ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇବା ସହ ଏହାର ଶୁଭାରମ୍ଭ ହେବା ପରଠାରୁ ହୋଇଥିବା ଅଗ୍ରଗତିକୁ ସ୍ୱୀକାର କରିବା ସହିତ, ଏହା ୨୦୩୦ ସୁଦ୍ଧା ଯକ୍ଷ୍ମା ରୋଗକୁ ନିର୍ମୂଳ କରିବା ଦିଗରେ ଆମର ପ୍ରୟାସକୁ ସୁଦୃଢ଼ କରିବ ବୋଲି ଡଃ. ମାଣ୍ଡଭୀୟ ପ୍ରକାଶ କରିଥିଲେ ।

ଡକ୍ଟର ମନସୁଖ ମାଣ୍ଡଭୀୟ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଜରୁରୀକାଳୀନ ଭିତ୍ତିରେ ଏବଂ ପ୍ରତିବଦ୍ଧତାର ଭାବନା ନେଇ ବୈଠକର ଫଳାଫଳ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ ଏବଂ ଗଠନମୂଳକ ଆଲୋଚନା ଆୟୋଜନ ପାଇଁ ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ମଧ୍ୟ ସେ ରୁଷିଆକୁ ଶୁଭେଚ୍ଛା ଜଣାଇଛନ୍ତି ।