Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି ।

ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି।

ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତିଙ୍କ ଭର୍ଚୁଆଲ ବୈଠକ

ଭୁବନେଶ୍ୱର, ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତି ଡ. ଓମ୍‌ ବିର୍ଲା ଏକ ଭର୍ଚୁଆଲ୍‌ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ଲୋକସଭା ବାଚସ୍ପତି ସଂସଦୀୟ ଗଣତନ୍ତ୍ରର ମହାନ୍‌ ପରମ୍ପରା ବିଷୟ ଅବତାରଣା କରି ଗରୀୟାନ୍‌ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ପ୍ରକାଶ କରିଥିଲେ ।

କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ଦିଗରେ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଜନସାଧାରଣଙ୍କ ସକି୍ରୟ ସହଯୋଗର ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ ଅଂଶଗ୍ରହଣ କରି ଓଡ଼ିଶା ବିଧାନସଭା ତରଫରୁ ବର୍ଷକୁ ଅନ୍ତତଃ ୬୦ ଦିନ ବୈଠକ ବସୁଥିବା ବ୍ୟବସ୍ଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିବା ପ୍ରକାଶ କରିଥିଲେ ।

ଓଡ଼ିଶା ବିଧାନସଭାର ପ୍ରତ୍ୟେକ ଆଲୋଚନାକୁ ଜନସାଧାରଣଙ୍କ ନିକଟରେ ତ୍ୱରିତ ବେଗରେ ପହଞ୍ଚାଇବା ପାଇଁ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଥିଲେ । ବର୍ତ୍ତମାନ ତାରକାଚିହ୍ନିତ ପ୍ରଶ୍ନାବଳୀକୁ ଛାଡ଼ିଦେଲେ ବିଧାନସଭାର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଓ ବିବରଣୀ ବିନା କାଗଜରେ ସଂପନ୍ନ ହେଉଥିବା ମଧ୍ୟ ସେ କହିଛନ୍ତି ।

ନେଭା ମାଧ୍ୟମରେ ବିଧାନସଭା ସଚିବାଳୟର ସମସ୍ତ କାର୍ଯ୍ୟ ଇ-ମୋଡ୍‌ରେ ହେଉଥିବା ମଧ୍ୟ ସେ ସୂଚନା ଦେଇଥିଲେ । ସମ୍ବିଧାନର ୧୦ମ ଅନୁଚ୍ଛେଦର ସଂଶୋଧନ ପାଇଁ ଆସାମ, ଓଡ଼ିଶା ଓ ରାଜସ୍ଥାନର ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନ ହୋଇଥିବା ଏବଂ କମିଟି ତା’ର ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି । ସଂସଦୀୟ ଗଣତାନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନୂତନ ବ୍ୟବସ୍ଥା ଏବଂ ସମ୍ଭାବନାର ବୀଜବପନ କରାଯାଉଥିବା ମଧ୍ୟ ସେ କହିଛନ୍ତି ।

ଲୋକସଭା ବାଚସ୍ପତିଙ୍କ ପରାମର୍ଶ କ୍ରମେ ଗୁଜୁରାଟ, ଆସାମ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷିତ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠ ଖୋଲାଯାଇଥିବା ଏବଂ କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ହେଉଥିବା ସେ ପ୍ରକାଶ କରିଛନ୍ତି ।

ଆସନ୍ତା ମାସରେ ପାର୍ଲିଆମେଣ୍ଟ ଅଧିବେଶନ ବସୁଥିବା ଦୃଷ୍ଟିରୁ ପରିସ୍ଥିତି ଉପରେ ନଜର ରଖି ଏବଂ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରି ଓଡ଼ିଶା ବିଧାନସଭାର ମଧ୍ୟ ଅଧିବେଶନ ବସିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହାଇ-ଟେକ ହେବ ଓଡିଶା ବିଧାନସଭା, ନୂଆଦିଲ୍ଲୀ ଗସ୍ତ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର, ଓଡ଼ିଶା ବିଧାନସଭାର ଦୈନନ୍ଦିନ ବୈଠକରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ଏହାକୁ ଇ-ବିଧାନସଭାରେ ପରିଣତ କରିବାକୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ବଜେଟକୁ ମଧ୍ୟ ଅର୍ଥମନ୍ତ୍ରୀ ବିନା କାଗଜପତ୍ରରେ ବିଧାନସଭାରେ ଆଗତ କରିଛନ୍ତି । କମ୍ପୁଟର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ହୋଇ ସୁଚାରୁରୂପେ ବିଧାନସଭାର କାର୍ଯ୍ୟବଳୀ ପରିଚାଳନା ହେବ।

ଏଥି ନିମିତ୍ତ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସୁପାରିଶ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ ହାଉସ୍ ଠାରେ ଓଡ଼ିଶା, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଆସାମ ଏବଂ ପଣ୍ଡିଚେରୀ ବାଚସ୍ପତିଙ୍କୁ ନେଇ ଏକ ସମ୍ମିଳନୀ ଫେବୃୟାରୀ ୨୫ ତାରିଖ ଦିନ ଅନୁଷ୍ଠିତ ହେଉଛି ।

ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିମାନ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଷୋଡ଼ଶ ବିଧାନସଭାର ଚଳିତ ଷଷ୍ଠ ଅଧିବେଶନକୁ ବାଚସ୍ପତି ଡ଼ଃ. ପାତ୍ରଙ୍କ ଅଧ୍ୟକ୍ଷତାରେ ଇ-ବିଧାନସବାରେ ପରିଣତ କରାଯାଇପାରିଛି।