Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ଡେପୁଟେସନ୍ ରଦ୍ଦ ଦାବୀ: ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ମାରିଲେ ଅଭିଭାବକ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷା କର୍ମାଚାରୀ ମାନଙ୍କୁ ଡେପୁଟେସନ୍ ରେ ପଠାଉଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭୀଭାବକମାନେ ବିଦ୍ୟାଳୟର ଫାଟକ ତଥା ଅଫିସ୍ ରେ ତାଲା ମାରି ଆନ୍ଦୋଳନ କରିଛନ୍ତି।

ଏ ସଂପର୍କରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟମନ୍ତ୍ରୀ ତଥା ୫ଟି ସଚିବଙ୍କୁ ଲିଖିତାକାରରେ ଜଣାଇଥିଲେ ମଧ୍ୟ କୈଣସି ସୁଫଳ ମିଳି ନ ଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ମାରି ଆନ୍ଦୋଳନ କରିଛନ୍ତି। ଦୁଇ ଦିନ ହେଲା ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ବସି ରହିଥିବା ବେଳେ କୌଣସି ଅଧିକାରୀ ମଧ୍ୟ ଆନ୍ଦୋଳନ ଚଳାଇଥିବା ଆନ୍ଦୋଳନ କାରୀଙ୍କ ପାଖକୁ ଆସି ନାହାନ୍ତି।

ସରକାର ଏହି ବିଦ୍ୟାଳୟକୁ ମଡେଲ୍ ବିଦ୍ୟାଳୟ ଭାବରେ ମନୋନୀତ କରିଛି। ତେବେ ଏହି ବିଦ୍ୟାଳୟର କୋଠା ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆଗାମୀ ନଭେମ୍ବର ମାସରେ ମଡେଲ୍ ସ୍କୁଲ୍ ଭାବରେ ଉଦ୍ଘାଟନ କରିବାର ଯୋଜନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏହା ସତ୍ତ୍ୱେ ବାପୁଜୀ ହାଇସ୍କୁଲରେ ଶିକ୍ଷକ ଅଭାବଦେଖା ଦେଇଥିବା ବେଳେ ଶିକ୍ଷକ ଅଭାବରୁ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଥିବା ଅଭୀଭାବକ ମାନେ ଅଭିଯୋଗ ମଧ୍ୟ କରିଛନ୍ତି। ବିଦ୍ୟାଳୟରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ୨୮୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବାରମ୍ବାର ବିଦ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ ପୂର୍ବରୁ କରାଯାଇଥିବା ବେଳେ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା।

ସୂଚନା ଥାଉକି ଏଠାରେ ଥିବା କିରାଣୀ ମଦନ ମୋହନ ପ୍ରଧାନଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନାକଟିଦେଉଳକୁ ଡେପୁଟେସନ୍ ରେ ବହୁ ବର୍ଷ ହେଲା ପଠାଯାଇଥିବା ବେଳେ, ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ବର୍ଷେ ଭିତରେ ବାରବାଙ୍କ ଓ ପରେ ପରେ ଚାଟୁଣି ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ୍ ପଠାଇସାରିବା ପରେ ପୁଣି ସରକାରୀ ଶିକ୍ଷକ ମଧୁସୂଦନ ରାଉଳଙ୍କୁ ଘୋଷରାମାଳ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ୍ ରେ ପଠାଯାଇଥିବାରୁ ଅଭିଭାବକ ଓ ପରିଚାଳନା କମିଟି ଲିଖିତା କାରରେ ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ଆନ୍ଦୋଳନ ଚଳାଇଛନ୍ତି ପରିଚାଳନା କମିଟି ଓ ଅଭିଭାବକମାନେ।

ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ପ୍ରଧାନ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନ, ବିଜେଡି ବ୍ଲକ୍ ସଭାପତି ମୂଳୀଆ ରାଉଳ , ପ୍ରହ୍ଲାଦ ବେହେରା ବହୁ ଅଭିଭାବକ ଓ କମିଟି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ଡେପୁଟେସନ୍ ନିର୍ଦ୍ଦେଶାନାମା ରଦ୍ଦ ଦାବୀ: ସରକାର ନ ଶୁଣିଲେ ବିଦ୍ୟାଳୟରେ ତାଲା ମାରିବାକୁ ଧମକ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ଶିକ୍ଷକ ଅଭାବ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମନଇଚ୍ଛା ଶିକ୍ଷକ ମାନଙ୍କୁ ଡେପୁଟେସନରେ ପଠାଉଥିବାରୁ ବିଦ୍ୟାଳୟରେ ପାଠ ପଢାରେ ଘୋର ସମସ୍ୟା ଦେଖା ଦେଇଥିବାରୁ ଗ୍ରାମବାସୀ ପୁଣିଥରେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।

ଡଇଁଚା ବାପୁଜୀ ସରକାରୀ ବିଦ୍ୟାଳୟରେ ବର୍ତମାନ ୨୮୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଏହି ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ରହିଛି। ସରକାର ମଡେଲ୍ ସ୍କୁଲ ଭାବରେ ମଧ୍ୟ ଘୋଷଣା କରିବା ସହ ଆସନ୍ତା ନଭେନମ୍ବର ମାସରେ ଏହି ମଡେଲ୍ ସ୍କୁଲକୁ ଉଦ୍ଘାଟନ କରିବାର ଲକ୍ଷ ରଖିଛନ୍ତି। ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଅଭାବ ଥିବା ବେଳେ ବାରମ୍ବାର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯାଉଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି।

ଏଠାରେ ଥିବା କିରାଣୀ ମଦନ ମୋହନ ପ୍ରଧାନଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନାକଟିଦେଉଳକୁ ଡେପୁଟେସନ୍, ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ବାରବାଙ୍କ ଓ ପରେ ପରେ ଚାଟୁଣି ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ୍ ପଠାଇସାରିବା ପରେ ପୁଣି ସରକାରୀ ଶିକ୍ଷକ ମଧୁସୂଦନ ରାଉଳଙ୍କୁ ଘୋଷରାମାଳ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ୍ ରେ ପଠାଯାଇଥିବାରୁ ଗ୍ରାମବାସୀ ଆଗାମୀ ୩ ଦିନ ମଧ୍ୟରେ ସେମାନଙ୍କୁ ନ ଫେରାଇଲେ ଆସନ୍ତା ୨୬/୯/୨୦୨୧ ସୋମବାର ଦିନ ବିଦ୍ୟାଳୟରେ ଶିକ୍ଷା କମିଟି ତଥା ଗ୍ରାମବାସୀ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଶିକ୍ଷା କମିଟିର ସଦସ୍ୟ ଓ ଗ୍ରାମବାସୀ ଲିଖିତାକାରରେ ୫ଟି ସଚିବ , ମୁଖ୍ୟମନ୍ତ୍ରୀ , ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜଣାଇଥିବା ଜଣା ପଡିଛି।

Categories
ଆଞ୍ଚଳିକ

ଡଇଁଚା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଥିବା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କରାଯାଇଛି। ସମିତିର ସଂପାଦକ ଆର୍ତ୍ତତ୍ରାଣ ରାଉଳ ୫ ଟି ପଂଚାୟତର ସହସ୍ରାଧିକ ଚାଷୀଭାଇମାନଙ୍କୁ ମାକ୍ସବଂଟନ କରିଥିଲେ। ସାରା ଦେଶରୁ କରୋନା ମହାମାରୀକୁ କିପରି ବିନାଶ କରିବା ସେ ସଂପର୍କରେ ଚାଷୀମାନଙ୍କୁ ସଂପାଦକ ଆର୍ତ୍ତତ୍ରାଣ ରାଉଳ ସଚେତନତାର ବାର୍ତ୍ତା ଦେଇଥିଲେ। ସମସ୍ତେ ବାହାରକୁ ବାହାରିଲେ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ପ୍ରବାସୀ ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ସଂପାଦକ ଆହ୍ୱାନ ଦେଇଥିଲେ। ଅଯଥା ପ୍ରବାସୀ ମାନଙ୍କୁ ଗ୍ରାମାଂଚଳର ଲୋକମାନେ ହଇରାଣ ନ କରି ସେମାନେ ଆମର ଭାଇ ଟିଏ ବୋଲି ଆଦର କରିବା ସହ ସେମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବାକୁ ଆମେ ସମସ୍ତେ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବା ବୋଲି ପ୍ରକାଶ କରିଥିଲେ। ସମିତିର ସମସ୍ତ କର୍ମକର୍ତ୍ତା, ଚାଷୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ସରକାରୀ ଯୋଜନା କାହା ପାଇଁ: ଆଜି ବି ପଲିଥିନ୍‌ ତଳେ ବିତୁଛି ଜୀବନ

କନ୍ଦର୍ପ ବେହେରା

ରେଢାଖୋଲ: ବାସହୀନଙ୍କ ପାଇଁ ରାଜ୍ୟସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବହୁ ପ୍ରକାର ଯୋଜନା କରିଛନ୍ତି। ଗରିବଙ୍କୁ ଘରଟିଏ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯୋଜନା ଆଦି ରହିଛି। ଗରିବଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ ତଥା ସହାୟତାମୂଳକ ପଦକ୍ଷେପ ନେଉଥିବାବେଳେ ଏହାର ଲାଭ କିଏ ପାଉଛି ? ସତରେ କ’ଣ ଜଣେ ହିତାଧିକାରୀ ଏହି ସମସ୍ତ ସୁବିଧା ପାଇପାରୁଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।

ସମ୍ବଲପୁର ଜିଲ୍ଲାର ନାକ୍‌ଟିଦେଉଳ ବ୍ଲକ୍‌ ଅନ୍ତର୍ଗତ ଡଇଁଚା ଗ୍ରାମର ନିବାସୀ ହେଉଛନ୍ତି ଶେଷଦେବ ପଧାନ। ଆଜି ବି ସେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି। ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାର। ଗରିବ ଖଟିଖିଆଙ୍କ ପାଇଁ ସରକାରଙ୍କ ତରଫରୁ ପୁଞ୍ଜା ପୁଞ୍ଜା ଯୋଜନା ରହିଥିବାବେଳେ ଶେଷଦେବଙ୍କ ପାଇଁ ଏସବୁ ସ୍ବପ୍ନ ପାଲଟିଛି। ପକ୍କା ଘରଟିଏ ପାଇବା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଅନୁରୋଧ କରି ଚିଠି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିପାରିନାହିଁ। ତାଙ୍କ କହିବାନୁସାରେ ୪ରୁ ୫ ବର୍ଷ ହେବ ତାଙ୍କ ନାମ ଘର ହେବା ପାଇଁ ଅର୍ଡର ଆସୁଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପାଖରେ ଏହା ପହଞ୍ଚିପାରୁନାହିଁ। ଅସହାୟ ଭାବରେ ଜୀବନ ବିତାଉଥିବା ଶେଷଦେବ ଦିନରେ ଖରା, ରାତ୍ରିରେ ଜହ୍ନ ଏପରିକି ବର୍ଷାରେ ଜଳ ଭିତରେ ବୁଡି ରହୁଥିବାବେଳେ ସରକାରୀ ଯୋଜନାର ବଞ୍ଚିତ ଶେଷଦେବଙ୍କୁ ନ୍ୟାୟ ମିଳିବ କେବେ? ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତାମାନଙ୍କର ଏନେଇ କୌଣସି ନିଘା ନାହିଁ। ଘର ପାଇବାରୁ ବଞ୍ଚିତ ହୋଇ କ୍ଷୋଭ ପ୍ରକାଶ କରି ଶେଷଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଚିଠି ଲେଖିବି।  ଯଦି ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଦୁଃଖ ନ ଶୁଣନ୍ତି ତେବେ ସେ ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଅନଶନ କରିବେ।

ସରକାର ଯୋଜନାଗୁଡ଼ିକ ପ୍ରଣୟନ କରିଦେଉଛନ୍ତି ସତ, କିନ୍ତୁ ଏହା ସତରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତା’ର ତଦାରଖ କରିବା ମଧ୍ୟ ସରକାରଙ୍କର। ଏଦିଗରେ ସରକାର ଟିକେ ଦୃଷ୍ଟି ଦେଲେ ଶେଷଦେବଙ୍କ ପରି ବହୁ ଖଟିଖିଆ ଗରିବ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇପାରନ୍ତେ।