Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ।ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉତ୍ପଳା ଧାରୁଆ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଦ୍ୟୁତ୍‌ପ୍ରଭା ଜୋଷୀ, ପ୍ରେମାନନ୍ଦ ବ୍ରିହେଡ, ଆଶିଷ କୁମାର ପଣ୍ଡା, ସୁରେଶୀନୀ ଓରାମ, ବିରେନ୍ଦ୍ର ରାଉତ, ଓମପ୍ରକାଶ ସା ଓ ଅନିରୁଦ୍ଧ ମାଝୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବେ, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଖୋଲାସା କଲା ବିଜେଡି

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ଏକ ଖୋଲାସା କରିଛନ୍ତି। ତାହା ହେଲା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ବିଜେପିରେ ମିଶିବେ। ସେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଛି। ହେଲେ ସେହିପରି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଫୁଲମାଳ ଦେଇ କୋଳେଇ ନେବାକୁ ବସିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଭୁବନେଶ୍ବରରେ ବିରୋଧ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସକ କଳ ଏହାର ଷଢଯନ୍ତ୍ର କରିଛି ବୋଲି କହିଛନ୍ତି। ସେହିପରି ଉପନିର୍ବାଚନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କଳାପ ପରିଲକ୍ଷିତ ହେଉଛି। ଏହା ବିଜେଡିର ଗୋଟିଏ ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହାତାହା କରିବା ଗଣତନ୍ତ୍ରରେ ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହାର ଜବାବ ଦେବାକୁ ଯାଇ ସସ୍ମିତ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନଥିଲା। ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା।

ସସ୍ମିତ ପାତ୍ର ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର, ୨୦୨୧ ରେ ବାଲୁଗାଁ ଠାରେ ଆକ୍ରମଣ କରିଥିଲେ।

ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ କାରଣ ଶ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ।

ତେବେ ସେହି ଶ୍ରୀ ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି? ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସସ୍ମିତ ଆହୁରି କହିଛନ୍ତି ଯେ, ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକଦେଖାଣିଆ ବୋଲି ଓଡିଶାବାସୀ ଜାଣିଥିବା ଡକ୍ଟର ପାତ୍ର କହିଛନ୍ତି।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ସ୍ପଷ୍ଟ କରିଛି ଯେ, ଚିଲିକା ବିଧାୟକ ଖୁବ ଶିଘ୍ର ବିଜେପିରେ ମିଶୁଛନ୍ତି। ଏହି ଖବର ବିଜେଡି ପାଖରେ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଖୋଲାସା କରାଯାଇଛି। ସେଥିପାଇଁ ବିଜେଡି ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ନେତା ଓ କର୍ମିମାନଙ୍କୁ ଦୂରେଇ ଦେଇଛି। ପ୍ରଶାନ୍ତ ପୁଣି ଥରେ ବିଜେଡିକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବର୍ତ୍ତମାନ ଭଟ୍ଟା ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ସାମାଜିକ ସୁରକ୍ଷା ଭତ୍ତାକୁ ରାଜ୍ୟ ସରକାର ନଗଦ ଆକାରରେ ହିତାଧିକାରୀ ଘରେ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତିକୁ ପୁନଃବିଚାର କରିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନଗଦ ନ ଦେଇ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅନୁରୋଧ ଆଶ୍ଚର୍ଯ୍ୟ କରିଛି।ସେ ବୋଧହୁଏ ତୃଣମୂଳ ସ୍ତରରେ କଣ ଘଟୁଛି ସେ ସଂପର୍କରେ ଅବଗତ ନାହାଁନ୍ତି। ଭତ୍ତା ଟଙ୍କା ପାଇବା ପାଇଁ ହିତାଧିକାରୀମାନେ 20-30 କିଲୋମିଟର ରାସ୍ତା ଚାଲିଚାଲି ଯାଉଛନ୍ତି। ତାଙ୍କ ପ୍ରତି ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କର ସାମାନ୍ୟତମ ସମ୍ମାନବୋଧ ନାହିଁ।

ଯଦି କେନ୍ଦ୍ର ସରକାର ପ୍ରତି ଗାଁରେ ବ୍ୟାଙ୍କ ବ୍ୟବସ୍ଥା କରାଇପାରନ୍ତେ ତେବେ ଏପରି ଅସୁବିଧା ହୁଅନ୍ତା ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀ ସେହି କଥା ନ କହି ଏପରି ଭଲ କାର୍ଯ୍ୟକୁ ବିରୋଧ କରିବା ହାସ୍ୟସ୍ପଦ ବୋଲି ସସ୍ମିତ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ବିଜେଡି ଖୋଲିଲା ମୁହଁ

ନୂଆଦିଲ୍ଲୀ : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ପାଇଁ ‘ବ୍ଲାଙ୍କ୍‍ ଚେକ୍‍’ ଦେବା ସତ୍ତ୍ୱେ କେନ୍ଦ୍ର କାହିଁକି ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ କ୍ରମେ ଏଥିପାଇଁ ସ୍ଥାନ ଚିହ୍ନଟ ନିମନ୍ତେ ଆଗଭର ହେଉନାହିଁ ତାହା ଆଶ୍ଚର୍ଯ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି।

ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିପାରିବ।

ଯେତେବେଳେ ବି ନିର୍ବାଚନ ଆସେ ସେତେବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦେ ଏବଂ ନିର୍ବାଚନ ସରିଗଲେ ସେମାନେ ଏହାକୁ ଭୁଲିଯାଆନ୍ତି।

ଭାରତୀୟ ସଂସଦ ମାଧ୍ୟମରେ କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ଥିବା କ୍ଷମତାକୁ ବ୍ୟବହାର କରି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ କିଏ ଅଟକାଉଛି ବିଜେପି କେନ୍ଦ୍ରରେ କ୍ଷମତାରେ ଥିବା ନିଜ ଦଳର ସରକାରଙ୍କୁ ସେ ସଂକ୍ରାନ୍ତରେ ପଚାରିବା ଉଚିତ୍‍।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି କାହିଁକି ବିଭ୍ରାନ୍ତିକର ଏବଂ ମିଛ ପ୍ରଚାର କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଅଭିଯୋଗ, କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ ମହାଲିଙ୍ଗ କଲେଜ ଚଳାଉଥିବା ଟ୍ରଷ୍ଟର ପ୍ରତିଷ୍ଠାତା

ଭୁବନେଶ୍ୱର : ବିଗତ ଦୁଇ ଦିନର ସାମ୍ବାଦିକ ସମ୍ମିଳନୀରେ ଆମେ କହିଥିଲୁ ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶା କଂଗ୍ରେସ କିମ୍ବା ଓଡିଶା ବିଜେପି କେହି ଏହାକୁ ଖଣ୍ଡନ କରିନାହାଁନ୍ତି। ସେମାନଙ୍କର ନିରବତା ଆମର ବିବୃତ୍ତିକୁ ପ୍ରମାଣ କରୁଛି ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍ ଏବଂ କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ଓଡିଶା କଂଗ୍ରେସ ଦ୍ୱାରା ବି-ଟିମ୍‍ ଉଦ୍ୟମର ଏକ ନିୟମିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଟ୍ରଷ୍ଟ୍ ଦଲିଲ ଉପସ୍ଥାପନ କରାଯାଇଛି ସେଥିରୁ ଜଣାପଡୁଛି ଯେ ଶ୍ରୀ ଭକ୍ତ ଚରଣ ଦାସଙ୍କ ପୁଅ କ୍ରାନ୍ତି ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ଟ୍ରଷ୍ଟି ଏବଂ ସଭାପତି ଏବଂ ଅଧ୍ୟକ୍ଷ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମିଶି ଏହାକୁ ଚଳାଉଥିଲେ। ପ୍ରଶ୍ନ ପଚାରିବା ପୂର୍ବରୁ ସେ ଦେଖାଉଥିବା ଦଲିଲ ଅସଲି କି ନୁହେଁ ଶ୍ରୀ ଭକ୍ତ ଚରଣ ଦାସ ତାହାର ଉତ୍ତର ଦେବା ଉଚିତ। ତାଙ୍କ ପୁଅ ମହାଲିଙ୍ଗ କଲେଜ ଚଳାଉଥିବା ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ଥିଲେ କି ନାହିଁ ଏବଂ ଯେତେବେଳେ ଶ୍ରୀ ଭକ୍ତ ଦାସଙ୍କ ପୁଅ ଏହି ଟ୍ରଷ୍ଟ୍‌ର ସଭାପତି ଥିଲେ ସେତେବେଳେ ଅଧ୍ୟକ୍ଷ ଭାବରେ ଗୋବିନ୍ଦ ସାହୁ ଥିଲେ କି ନାହିଁ ।

ଓଡିଶା କଂଗ୍ରେସ ନିଜ ଦଳର ନେତା ଶ୍ରୀ ଭକ୍ତ ଚରଣ ଦାସଙ୍କୁ ଏ ସଂକ୍ରାନ୍ତରେ ପଚାରିବା ଉଚିତ୍‍ । ଅଭିଯୁକ୍ତ ଏବଂ ପୀଡିତାଙ୍କ ସହିତ ଶ୍ରୀ ଦାସଙ୍କର ଯେଉଁ ଫଟୋଗ୍ରାଫ ରହିଛି ତାହା ୨୦୨୦ରେ ଏକ ଉଦ୍‍ଘାଟନ କାର୍ଯ୍ୟକ୍ରମ ସମୟର କି ? ଯଦି କାଗଜପତ୍ର ପ୍ରମାଣ, ଫଟୋ ଏବଂ ଭିଡିଓ ଏକ ଅପରାଧ ସହିତ ଜଡିତ ହେବାର ପ୍ରମାଣ, ତେବେ ଆମେ ଆପଣଙ୍କ ଆଗରେ କାଗଜପତ୍ରର ପ୍ରମାଣ ରଖିଛୁ ଯେଉଁଥିରେ ଶ୍ରୀ ଭକ୍ତ ଚରଣ ଦାସ ମହାଲିଙ୍ଗ କଲେଜ ଏବଂ ଅଭିଯୁକ୍ତଙ୍କ ନିକଟତର ରହିଛନ୍ତି ।

ଯଦି ଜଣେ ମନ୍ତ୍ରୀ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦେଖାଯାଉଛନ୍ତି ଏବଂ ଅଭିଯୁକ୍ତ କରିଥିବା ଅପରାଧ ସହ ଜଡିତ ହେବାର ପ୍ରମାଣ ହେଉଛି, ତେବେ ସମାନ ତର୍କ ଦ୍ୱାରା ଶ୍ରୀ ଭକ୍ତ ଦାସ ମଧ୍ୟ ବହୁତ ବଡ ଅପରାଧୀ । ଶ୍ରୀ ଭକ୍ତ ଦାସ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ସାଂସଦ ହାତପାଣ୍ଠିରୁ ମହାଲିଙ୍ଗ କଲେଜକୁ ବାରମ୍ବାର ଅର୍ଥ ପ୍ରଦାନ କରିଛନ୍ତି, କଲେଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ଯାହା ଆମେ ଦେଖାଉଛୁ ।

ଶ୍ରୀ ଦାସଙ୍କ ଯୁକ୍ତି ଆଧାରରେ ତାଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ୍‍ । ଆଇନ୍‌ର ଶାସନ ବୋଲି ଏ ଦେଶରେ କିଛି ଅଛି ଯାହା ସବୁବେଳେ ତଥ୍ୟ ପ୍ରମାଣ ଆବଶ୍ୟକ କରେ ଯାହା ଶ୍ରୀ ଭକ୍ତ ଦାସଙ୍କ ପାଖରେ ନାହିଁ ଏବଂ ସେଥିପାଇଁ ସେ ମିଥ୍ୟା ଏବଂ ଭିତ୍ତିହୀନ କଥା କହୁଛନ୍ତି । ଏସବୁ ବ୍ୟତୀତ, ତାଙ୍କ ଦୁର୍ନୀତି ଇତିହାସକୁ ଆସିବା । ତାଙ୍କ ଦୁର୍ନୀତିର ପ୍ରଥମ ସୂଚନାଟି ୨୦୧୮ରେ ତେଲେଙ୍ଗାନାରୁ ଆସିଥିଲା ।

ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି କିଆମା ମାଲେଶ ଅଡିଓ ଟେପ୍ ଜାରି କରି କହିଥିଲେ ଯେ ଶ୍ରୀ ଭକ୍ତ ଦାସ ୨୦୧୮ରେ ଇବ୍ରାହିମପାଟନମ୍ ବିଧାନସଭା ଆସନ ଟିକେଟ୍ ପାଇଁ ତାଙ୍କ ଠାରୁ ୩ କୋଟି ଟଙ୍କା ଦାବି କରିଥିଲେ । ଏହା ଦର୍ଶାଏ ଯେ ତାଙ୍କ ଦଳର ନେତାମାନେ ଭାବନ୍ତି ଯେ ଶ୍ରୀ ଭକ୍ତ ଦାସ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯିଏ ଦଳୀୟ ଟିକେଟ ବିକ୍ରି କରନ୍ତି । ତେଲେଙ୍ଗାନାରେ କଂଗ୍ରେସର ଆଶାକୁ ସଫଳତାର ସହିତ ଧ୍ୱଂସ କରିବା ପରେ କଂଗ୍ରେସ ଦଳ ତାଙ୍କୁ ତେଲେଙ୍ଗାନାରୁ ବାହାର କରିଦେଇଥିଲା ।
ଏବେ ବିହାରକୁ ଆସିବା ଏବଂ ଦେଖିବା ସେ କ’ଣ କରିଛନ୍ତି ।

ଅକ୍ଟୋବର, ୨୦୨୧ରେ ବିହାର କଂଗ୍ରେସ ଦଳର ଶତାଧିକ ସଦସ୍ୟ ଏବଂ ସମର୍ଥକ ପାଟ୍‌ନାରେ ଶ୍ରୀ ଦାସଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଗତ ମାସରେ ବିହାର ଉପନିର୍ବାଚନରେ ସେ ଟିକେଟ୍ ବିକ୍ରି କରୁଥିବା ଏବଂ ଟଙ୍କା ସଂଗ୍ରହ କରୁଥିବାରୁ ତାଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ । ଶ୍ରୀ ଭକ୍ତ ଦାସ ଆଉ ଏକ ପାଦ ଆଗକୁ ଯାଇ ବିହାରରେ ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରି ଆରଜେଡି-କଂଗ୍ରେସ ମହାମେଣ୍ଟକୁ ଭାଙ୍ଗିବା କାର୍ଯ୍ୟ କରିଥିଲେ । ବିହାରରେ ବିଜେପି ତାଙ୍କୁ ସଫଳତାର ସହ ବ୍ୟବହାର କରିବା ପରେ ଓଡିଶା ବିଜେପି ବର୍ତ୍ତମାନ ତାଙ୍କୁ କାଳାହାଣ୍ଡିରେ ଏହାର ରାଜନୈତିକ ଏଜେଣ୍ଟ ଭାବରେ ବ୍ୟବହାର କରୁଛି ।

ଯେହେତୁ ଶ୍ରୀ ଭକ୍ତ ଦାସ ମହାଲିଙ୍ଗ କଲେଜର ଜଣେ ଛାୟା ମାଲିକ ଥିଲେ, ସେ ମହାଲିଙ୍ଗ କଲେଜ ସହ ଜଡିତ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିବା ଉଚିତ । ଯଦି ତାଙ୍କ ନିକଟରେ କିଛି ପ୍ରମାଣ ଅଛି, ତେବେ ସେ ମହାଲିଙ୍ଗ କଲେଜର ମାଲିକ ହୋଇଥିବାରୁ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରନ୍ତୁ ଏବଂ ମାନ୍ୟବର କୋର୍ଟଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ଦିଅନ୍ତୁ । ତାଙ୍କର ଭିତ୍ତିହୀନ ଓ ବିଭ୍ରାନ୍ତକାରୀ ପ୍ରକୃତି ଯୋଗୁଁ ୨୦୧୯ ସଂସଦ ନିର୍ବାଚନରେ କଳାହାଣ୍ଡି ଲୋକେ ଶ୍ରୀ ଦାସଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଥିଲେ । ଆଜି ପୁଣିଥରେ କଳାହାଣ୍ଡି ଓ ଓଡିଶାବାସୀଙ୍କ ସମ୍ମୁଖରେ ତାଙ୍କର ମୁଖା ଖୋଲିଯାଇଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ହରତାଳ ସଂପୂର୍ଣ୍ଣ ବିଫଳ, ଏହା ଉଭୟ ବିରୋଧୀ ଦଳ ପାଇଁ ସତର୍କ ଘଣ୍ଟି; ବିଜେଡି

ଭୁବନେଶ୍ୱର : ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

କଂଗ୍ରେସର ହରତାଳକୁ ଜବାବ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ପୀଡିତାଙ୍କ ପିତା ହାତ ଯୋଡି ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଏବଂ ସେମାନଙ୍କ ଘରକୁ ନଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ଏହାକୁ ସମ୍ମାନ ଦେଇନାହାନ୍ତି । ଯଦି ଏହି ରାଜନୈତିକ ଦଳ ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଇ ଏହାକୁ ଦାଖଲ କରନ୍ତୁ ଏବଂ ଆଇନ୍‍ ତାହା ଉପରେ ନିଷ୍ପତ୍ତି ନେବ।

କଂଗ୍ରେସ ଦଳର କାଁ ଭାଁ କର୍ମୀ ଆଜିର ହରତାଳ ପାଇଁ ବାହାରକୁ ଆସିଥିଲେ । ଏଥିରୁ ଜଣାପଡୁଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କିମ୍ବା ହରତାଳରେ ଖୁସି ନାହାନ୍ତି । କଂଗ୍ରେସ ଏଥିରୁ କୌଣସି ଶିକ୍ଷା ଗ୍ରହଣ କରି ନାହିଁ ଏବଂ ମହିଳାଙ୍କ ସହ ଜଡିତ ଜଘନ୍ୟ ଅପରାଧ ଉପରେ ରାଜନୀତି ଜାରି ରଖିଛି । ଏଥିପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ନାପସନ୍ଦ କରିବା ସହିତ ଲଗାତାର ଭାବେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଛନ୍ତି।

ଓଡିଶାବାସୀ ବିଜେପି ପ୍ରାୟୋଜିତ ଓଡିଶା କଂଗ୍ରେସର ହରତାଳକୁ ସମର୍ଥନ କରିନାହାଁନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହା ଦେଖା ଯାଇଛି ଯେ ଓଡିଶା କଂଗ୍ରେସର ସ୍ଥିତି ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କାରଣ ଏହା ଲୋକମାନଙ୍କ ସମସ୍ୟାକୁ ନେଇ ନୁହେଁ ବରଂ ବିଜେପିର ବି-ଟିମ୍ ଭାବରେ କାର୍ଯ୍ୟ କରୁଛି । ୧୩୬ ବର୍ଷର ପୁରୁଣା କଂଗ୍ରେସ ଦଳ ଏତେ ତଳକୁ ଖସିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଏହା ଉଭୟ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ପାଇଁ ଏକ ସତର୍କ ଘଣ୍ଟି ହୋଇଛି ଯେ ଯଦି ଆପଣ ମହିଳାଙ୍କ ସହ ଜଡିତ ସମ୍ବେଦନଶୀଳ ଅପରାଧ ଘଟଣାକୁ ନେଇ ରାଜନୀତି ଜାରି ରଖନ୍ତି, ତେବେ ଓଡିଶାର ଲୋକମାନେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବେ । ଯେତେବେଳେ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀର ସମଗ୍ର କଂଗ୍ରେସ ନେତୃତ୍ୱ ଇନ୍ଧନ ମୂଲ୍ୟ ବୃଦ୍ଧି, ଏଲ୍‌ପିଜି ରନ୍ଧନ ଗ୍ୟାସ, କୃଷକ ପ୍ରସଙ୍ଗ ଆଦି ଉପରେ ଚିତ୍କାର କରୁଛନ୍ତି, ସେତେବେଳେ ଓଡିଶା ବିଜେପି ପ୍ରାୟୋଜକ ଥିବାରୁ ଓଡିଶା କଂଗ୍ରେସ କିନ୍ତୁ ଏହି ସବୁ ପ୍ରସଙ୍ଗରେ ନିରବ ଥିବା ଜଣାପଡୁଛି ।

ଆଜି ହରତାଳର ବିଫଳତା ପ୍ରମାଣ କରିଛି ଯେ ଓଡିଶା କଂଗ୍ରେସ ଓଡିଶା ଲୋକଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡିଛି । ଓଡିଶା କଂଗ୍ରେସ ମଧ୍ୟରେ ଅନେକ ଗୋଷ୍ଠୀ ଅଛନ୍ତି ଏବଂ ପ୍ରତ୍ୟେକ ଗୋଷ୍ଠୀ ଓଡିଶା ବିଜେପି ଦ୍ୱାରା ଅଲଗା ଅଲଗା ଭାବେ ପ୍ରାୟୋଜିତ ହୋଇଥିବା ଜଣାପଡିଛି । ଏହା ନ୍ୟାୟ ପାଇଁ ସଂଗ୍ରାମ ନୁହେଁ; ପିସିସି ସଭାପତି ପଦବୀ ପାଇଁ ଏହା ଓଡିଶା କଂଗ୍ରେସ ମଧ୍ୟରେ ହେଉଥିବା ଲଢେଇ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଶ୍ରୀମତୀ ଏଲିନା ଦାସ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ଦ ଡାକରାକୁ ବିଜେଡିର ବିରୋଧ, ବିଜେପିର ଇସାରରେ କଂଗ୍ରେସ ନାଚୁଛି ବୋଲି କଲେ ସମାଲୋଚନା

ଭୁବନେଶ୍ୱର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବୀ କରି ଓଡିଶା ବନ୍ଦ ଡାକରା ଦେଇଥିବା ପ୍ରଦେଶ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି। କଂଗ୍ରେସ ବିଜେପିର ବି ଟିମ ଭାବେ କାର୍ଯ୍ୟ କରୁଛି ଏବଂ ତାଙ୍କ ଇସାରାରେ ନାଚୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ସସ୍ମିତ କହିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି। ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି ଏବଂ ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନ କରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି ।

ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ, କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା କଂଗ୍ରେସ ଓଡ଼ିଶା ବିଜେପିର ଇସାରାରେ ନାଚୁଛି ।

ଓଡ଼ିଶା କଂଗ୍ରେସ ଆଉ ଲୋକଙ୍କ ପ୍ରସଙ୍ଗ ଯେପରିକି ମୂଲ୍ୟ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ ଇତ୍ୟାଦି ଉଠାଇବାକୁ ଚାହୁଁନାହିଁ । ଓଡିଶା ବିଜେପି ଯାହା କରିବାକୁ କହୁଛି ତାହା ଏମାନେ କରୁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ପୀଡିତାଙ୍କ ପାଇଁ ନ୍ୟାୟ ନୁହେଁ ବରଂ ସେମାନଙ୍କ ଦଳ ପ୍ରାସଙ୍ଗିକ ରହିବା ସହିତ ଓଡିଶା ବିଜେପିର ଭଲ ନଜରରେ ରହିବ ଯାହା ଦ୍ୱାରା ଏହା ଓଡିଶା କଂଗ୍ରେସକୁ ସହାୟତା ମିଳିପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଓଡିଶା ବିଜେପିର ଏକ ବି-ଟିମ୍ ଭାବରେ ନ ରୁହନ୍ତୁ ଏବଂ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହାର କରନ୍ତୁ । ଓଡ଼ିଶାର ଲୋକମାନେ ବନ୍ଦ ଚାହାନ୍ତି ନାହିଁ । ସେମାନେ କାମକୁ ଯାଇ ନିଜର ରୋଜଗାର କରିବାକୁ ଚାହୁଁଛନ୍ତି । ଓଡ଼ିଶା କଂଗ୍ରେସ ଓଡ଼ିଶାର ଲୋକଙ୍କୁ ରୋଜଗାର କରିବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ । ରୋଜଗାର ହରାଇବା ଦ୍ୱାରା ଓଡିଶାବାସୀଙ୍କ ଜୀବନ ଦୁର୍ବିସହ ହେବ ଯେଉଁଥିପାଇଁ ରାଜ୍ୟବାସୀ କଦାପି ଓଡିଶା କଂଗ୍ରେସକୁ କ୍ଷମା କରିବେ ନାହିଁ ଏବଂ ବନ୍ଦର ପ୍ରାୟୋଜକ ସାଜିଥିବା କଂଗ୍ରେସର ଏ-ଟିମ୍‍ ଓଡିଶା ବିଜେପିକୁ ଲୋକେ ଠିକଣା ସମୟରେ ଉଚିତ୍‍ ଜବାବ ଦେବେ ।

ଓଡ଼ିଶାର ଲୋକମାନେ ଉଭୟ ଓଡ଼ିଶା କଂଗ୍ରେସ ଓ ଓଡିଶା ବିଜେପିର କଳୁଷିତ ରାଜନୀତିକୁ ଦେଖିଛନ୍ତି । ତଥାପି ଓଡ଼ିଶା କଂଗ୍ରେସ ଏଥିରୁ କିଛି ଶିଖିଲା ନାହିଁ, ଯେଉଁଥିପାଇଁ ଓଡିଶା ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇଛି । ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଆପଣ କୋର୍ଟକୁ ଯାଆନ୍ତୁ ବୋଲି ସସ୍ମିତ ଆହ୍ବାନ ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ଜାଣୁ ଆପଣ କୋର୍ଟକୁ ଯିବେ ନାହିଁ କାରଣ ଆପଣଙ୍କ ନିକଟରେ କୌଣସି ପ୍ରମାଣ ନାହିଁ, କିନ୍ତୁ ଆପଣ ଏହି ହୀନ ରାଜନୀତିରେ ଲିପ୍ତ ରହିବେ । ବିଗତ ଦେଢ ବର୍ଷଧରି କୋଭିଡ ମହାମାରୀ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ସାଧାରଣ ଲୋକଙ୍କ ପାଇଁ କିଛି ସହାନୁଭୂତି ଦେଖାନ୍ତୁ, ନଚେତ ଓଡିଶାବାସୀ ଆପଣଙ୍କୁ ଭୁଲିବେ ନାହିଁ କି କ୍ଷମା ବି କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜୁ ଜନତା ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାଗ ନେବ: ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ବର: ଆସନ୍ତାକାଲି ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ହେଲେ ତିନି କୃଷି ବିଲକୁ ନେଇ ବିରୋଧୀ ଦଳ ଏକଜୁଟ୍ ହୋଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଉପସ୍ଥିତ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିଜୁ ଜନତା ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଦଳ ଉଭୟ ଗୃହରେ ରାଜ୍ୟ ପ୍ରସଙ୍ଗ ଉଠାଇବ। ଏନେଇ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ସିପିଆଇଏମଏଲ, ସିପିଆଇ, ସମାଜବାଦୀ ପାର୍ଟି, ଜେକେଏନସି, ଡିଏମକେ, ଏଆଇଟିସି, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ।