Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ବିମାନବନ୍ଦରରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦର ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷୀୟାନ୍‍ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ୱର୍ଗତ ପ୍ରଧାନଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ବର ଆସି ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦର ଠାରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ବିମାନବନ୍ଦର ଠାରେ ଡାକ୍ତର ପ୍ରଧାନଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ ମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକବୃନ୍ଦ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ରାଜନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍‍ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନଙ୍କର ଅଗ୍ରଣୀ ଭୂମିକା ରହିଥିଲା। ୧୯୯୯ ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଭାବେ ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟ ବିଜେପିର ବିଭିନ୍ନ ପଦ ତଥା ସଭାପତି ଭାବେ ଡାକ୍ତର ପ୍ରଧାନ ଦୃଢ଼ ନେତୃତ୍ୱ ଦେଇ ପାର୍ଟିର ସ୍ଥିତିକୁ ଓଡ଼ିଶାରେ ମଜବୁତ କରିଥିଲେ। ସ୍ୱର୍ଗତ ପ୍ରଧାନ ସେବା ଓ ସଂକଳ୍ପ ମନୋଭାବ ନେଇ ରାଜ୍ୟର ବିକାଶ ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ସମାଜର କଲ୍ୟାଣ ଓ ବିକାଶ ପାଇଁ ପ୍ରତିବଦ୍ଧତା ରଖିଥିବା ଏହି ବର୍ଷୀୟାନ୍‍ ରାଜନେତାଙ୍କ ବିୟୋଗ, ରାଜ୍ୟ ତଥା ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ସେ ରହୁଥିଲେ। ସେହିଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବହୁ ନେତା ଓ ମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି।

ସେହିପରି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅତୁଳନୀୟ ସାଙ୍ଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ତଥା ଲୋକପ୍ରିୟ ରାଜନେତାଙ୍କୁ ହରାଇଲା। ଏପରି ଦୁଃଖଦ ସମୟରେ ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥୀବ ଶରୀର, ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ

ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର। ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରରେ ଅଣାଯାଇଛି। ବିମାନବନ୍ଦରରେ ମରଶୀରରକୁ ଗାର୍ଡ ଅଫ ଅନର ଦିଆ ଯାଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ।

ଭୁବନେଶ୍ଵର ବିମାନବନ୍ଦରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ସିଧା ଦଳୀୟ କାର୍ଯ୍ୟାଳୟକୁ ନିଆଯିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ।

ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ। ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପାଙ୍କ ପରଲୋକ, ସପତ୍ନୀକ ଶେଷ ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ଆଜି ଧର୍ମେନ୍ଦ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ ମଧ୍ୟ କରିଛନ୍ତି।

ଅମିତ ଶାହ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ସାରା ଜୀବନ ରାଷ୍ଟ୍ରସେବା ପାଇଁ ସମର୍ପିତ ଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦେଶରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ହେଉ ବା ଓଡ଼ିଶାରେ ବିଜେପିର ରାଜ୍ୟ ସଭାପତି ଭାବେ ସଙ୍ଗଠନକୁ ସୁଦୃଢ କରିବା ହେଉ, ସେ ସର୍ବଦା ନିଜର କର୍ତ୍ତବ୍ୟ ପ୍ରତିବଦ୍ଧତାର ସହ ସୂଚାରୁରୂପେ ନିର୍ବାହ କରି ଉଦାହରଣ ସୃଷ୍ଟି କରିଥିଲେ।

ଆଜି ନୂଆଦିଲ୍ଲୀ ଠାରେ ତାଙ୍କର ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସୁପୁତ୍ର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛି। ଇଶ୍ଵର ଦିବଂଗତ ପୁଣ୍ୟାତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ। ଓଁ ଶାନ୍ତି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଏପରି କଥା

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦର୍ଶନ କରିଛନ୍ତି।

ସେ କହିଛନ୍ତି ଯେ, ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜୀ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଡ଼ିଶାରେ ବିଜେପିକୁ ମଜବୁତ କରିବା ପାଇଁ ସେ ଅନେକ ପ୍ରୟାସ କରିଥିଲେ। ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଜଣେ ସାଂସଦ ଏବଂ ମନ୍ତ୍ରୀ ଭାବେ ତାଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ। ତାଙ୍କ ବିୟୋଗରେ ମୁଁ ଶୋକାଭିଭୂତ। ମୁଁ ତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଲି। ଓଁ ଶାନ୍ତି।