Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ବାଣପୁରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଣପୁର ବିଷରପାଟଣା ଛକରୁ ବାହାରି ମା’ ଭଗବତୀ ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ମା’ ଙ୍କ ନିକଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଗୋଟି ଦୀପ ଦାନ କରାଯାଇଥିଲା।

ଅତିଥି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ପାତ୍ର ପ୍ରଥମ ଦୀପଦାନ କରିଥିଲେ। ଏହାପରେ ଶୋଭାଯାତ୍ରା ସମଗ୍ର ବାଣପୁର ସହର ପରିକ୍ରମା କରି ପଲଟନ ପଡିଆଠାରେ ଶେଷ ହୋଇଥିଲା।

ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ ଏବଂ ସହିଦ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁରର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଣପୁର ସହର ପ୍ରକମ୍ପିତ ହୋଇଉଠିଥିଲା।

ତେବେ ଶୋଭାଯାତ୍ରା କିଛି ବାଟ ଅତିକ୍ରମ କଲା ପରେ ପ୍ରବଳ ବର୍ଷା ହୋଇଥିବା ସତ୍ତ୍ୱେ ସମସ୍ତେ ଦେଶପ୍ରମକୁ ଉଜ୍ଜୀବିତ କରି ବର୍ଷାରେ ଭିଜି ନିରନ୍ତର ତ୍ରିରଙ୍ଗା ଯାତ୍ରା କରିଚାଲିଥିଲେ। ଶୋଭାଯାତ୍ରା ଶେଷ ହେବା ପରେ ପଲଟନ ପଡିଆ ନିକଟରେ ବାଲୁଗାଁସ୍ଥିତ କାଳିଜାଇ କଳା ନିକେତନ ପକ୍ଷରୁ ଚିତାକର୍ଷକ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଣପୁର ଖଣ୍ଡ ପରିଚାଳିତ କରିଥିଲା। ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।