Categories
ଆଜିର ଖବର ରାଜ୍ୟ ଖବର

ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ ଏକ ଆକର୍ଷଣୀୟ ପଦ୍ଧତି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଜି ଆୟୋଜିତ ଜାତୀୟ ସମ୍ପାନରେ ଇଂରାଜୀ ଭାଷାର ବିଶିଷ୍ଟ ଭାଷା ବିଶାରଦମାନେ ଯୋଗ ଦେଇ ସାମ୍ପ୍ରତିକ ଡିଜିଟାଲ ଯୁଗରେ ଭାଷା ସାହିତ୍ୟର ନୂତନ ଧାରା ଓ ଶୈକ୍ଷିକ ପଦ୍ଧତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ଆଲୋଚନା ଚକ୍ରରେ ପଶ୍ଚିମବଙ୍ଗର ବିଶିଷ୍ଟ ଭାଷାବିତ ପ୍ରଫେସର ସୈରିନ୍ଧୀ ସେନ ମୁଖ୍ୟ ଅତିଥି, ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ଇଂରାଜୀ ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ, ମୁଖ୍ୟବକ୍ତା ଓ ଆନ୍ଧ୍ରପ୍ରଦେଶସ୍ଥିତ ଆଦିତ୍ୟ ଯାନ୍ତ୍ରିକ ଓ ବୈଷୟିକ ପ୍ରତିଷ୍ଠାନର ପ୍ରଫେସର ଏମ ପାପୀନାଇଡୁ, କେ ପ୍ରକାଶମ ଏବଂ ଭୁବନେଶ୍ୱରସ୍ଥିତ ଟ୍ରାଇଡେଣ୍ଟ ଏକାଡେମୀର ଡକ୍ଟର ନମିତା ମହାନ୍ତି, ବାଲୁଗାଁ କଲେଜର ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଭାଷା ସାହିତ୍ୟ ଶିକ୍ଷା ଡିଜିଟାଲ ମାଧ୍ୟମରେ କିପରି ଅଧିକ ଆକର୍ଷଣୀୟ, ସ୍ଥାୟୀ ଓ ଗ୍ରହଣଯୋଗ୍ୟ ହୋଇପାରୁଛି, ସେ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ହୋଇଥିବା ବିଭିନ୍ନ ଗବେଷଣାର ନିର୍ଯାସ ସମ୍ପର୍କରେ ବକ୍ତା ମାନେ କହିଲେ ଯେ ଇଂରାଜୀ ଭାଷାର ଦକ୍ଷତା ଓ କୌଶଳ ଗୁଡିକୁ ଆପଣାଇବାକୁ ହେଲେ ବିଭିନ୍ନ ଡିଜିଟାଲ ପଦ୍ଧତି ସବୁଠୁଁ ସହଜ ମାର୍ଗ। ସମ୍ପ୍ରତି ଛୋଟ ଛୋଟ ଶିଶୁମାନେ ଡିଜିଟାଲ ମାଧ୍ୟମରେ ଖୁଵ କମ ସମୟରେ ବିଭିନ୍ନ ଭାଷାର ଶ୍ରବଣ,କଥନ, ଲିଖନ ଓ ପଠନ ଦକ୍ଷତା ହାସଲ କରି ପିତାମାତାଙ୍କୁ ସହାୟତା ପ୍ରଦାନ କରିପାରୁଛନ୍ତି। ଯେ କୌଣସି ଅନ ଲାଇନ ଡିଗ୍ରୀ ହାସଲ କରିବାର ଏହା ଏକ ସହଜ ପଦ୍ଧତି। ଭାଷା ଦକ୍ଷତା ହାସଲ କରି ଅର୍ଥ ମଧ୍ୟ ରୋଜଗାର କରିପାରୁଛନ୍ତି।

ଏହି ଜାତୀୟ ଆଲୋଚନାଚକ୍ରର ଆବାହିକା ତଥା ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ କରିଥିବା ବେଳେ ଇଂରାଜୀ ବିଭାଗ ସେମିନାର ସଂଯୋଜକ ଅଧ୍ୟାପକ ପତିତପାବନ ପଣ୍ଡା ଥିମ ପେପର ଉପସ୍ଥାପନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ।

ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଭାଷାବିତ ଯୋଗଦେଇ ନିବନ୍ଧ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ସ୍ୱାତୀ ସ୍ଵାଗତିକା ସାହୁ, ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଓ ବିଭାଗର ଛାତ୍ର ଛାତ୍ରୀ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଭାରତର ଜି-୨୦ ଟାସ୍କଫୋର୍ସର ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ: ‘ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଆଧାରିତ ଭାରତର ଜି-୨୦ ଟାସ୍କ ଫୋର୍ସ’ର ଚୂଡ଼ାନ୍ତ ରିପୋର୍ଟ ନୂଆଦିଲ୍ଲୀରେ ପ୍ରକାଶ ପାଇଛି। ଅର୍ଥନୈତିକ ପରିବର୍ତ୍ତନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ବିକାଶ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଭାରତର ଜି-୨୦ ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ଏହି ଏହି ଟାସ୍କ ଫୋର୍ସର ନେତୃତ୍ୱ ନେଇଥିଲେ ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ ଏବଂ ଇନ୍‌ଫୋସିସର ସହ-ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ତଥା ୟୁଆଇଡିଏଆଇ (ଆଧାର)ର ପ୍ରତିଷ୍ଠାତା ଅଧ୍ୟକ୍ଷ ନନ୍ଦନ ନିଲେକାନି।

ଏହି ଟାସ୍କ ଫୋର୍ସର କାର୍ଯ୍ୟ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ)ର ସଂଜ୍ଞା ଓ ଢାଞ୍ଚାକୁ ଗ୍ରହଣ କରିଥିଲା ଏବଂ ବ୍ରାଜିଲ ତଥା ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତା ସମୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଅତ୍ୟନ୍ତ ସଫଳ ଜି-୨୦ ଅଧ୍ୟକ୍ଷତା ପରେ ଏବଂ ଏହାର କାର୍ଯ୍ୟକାଳ ଶେଷ ହେବା ପରେ, ଟାସ୍କ ଫୋର୍ସର ରିପୋର୍ଟ ବିଶ୍ୱବ୍ୟାପୀ ଡିପିଆଇର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ୱେବସାଇଟରେ ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ ଅଛି:

https://dea.gov.in/sites/default/files/Report%20of%20Indias%20G20%20Task%20Force%20On%20Digital%20Public%20Infrastructure.pdf

ରିପୋର୍ଟ ଉନ୍ମୋଚନ ଅବସରରେ ଭାରତର ଜି-୨୦ ସେର୍ପା ଶ୍ରୀ ଅମିତାଭ କାନ୍ତ କହିଛନ୍ତି, ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚରରେ ଭାରତ ଏକ ଅବିଶ୍ୱସନୀୟ ପୋଲ ଭଲ୍ଟ କରିଛି। ବିନା ଡିପିଆଇରେ ଯାହା ୫୦ ବର୍ଷ ଲାଗିଥାନ୍ତା ତାହା ଆମେ ୯ ବର୍ଷରେ ହାସଲ କରିଥିଲୁ। ଆଜି ଭାରତରେ ୟୁପିଆଇ ରାସ୍ତାକଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲ୍ ପର୍ଯ୍ୟନ୍ତ ସବୁ ସ୍ତରରେ ବ୍ୟବହୃତ ହେଉଛି, ଯେଉଁଥିରେ ବିଶ୍ୱସ୍ତରରେ ସର୍ବାଧିକ ଡିଜିଟାଲ୍ କାରବାର ହେଉଛି, ଯାହାର ଅଂଶ ପ୍ରାୟ ୪୬% ରହିଛି। ୧୬୦ ନିୟୁତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪.୫ ବିଲିୟନ ଡଲାର ଟ୍ରାନ୍ସଫର ହେଉ କିମ୍ବା ମୋବାଇଲରେ ଡିଜିଟାଲ ଟିକା ସାର୍ଟିଫିକେଟ ସହ ଦୁଇ ବର୍ଷ ମଧ୍ୟରେ ୨.୫ ନିୟୁତ ଟିକା ବଣ୍ଟନ ସୁବିଧା ହେଉ, ଏସବୁ କୋଭିଡ୍-୧୯ ମହାମାରୀରୁ ମୁକୁଳିବା ପାଇଁ ଭାରତ ପାଇଁ ସହାୟକ ହୋଇଛି। ଡିଜିଟାଇଜେସନ୍ କ୍ଷେତ୍ରରେ ଆମେ ବହୁତ ଉନ୍ନତ ଏବଂ ମୋର ବିଶ୍ୱାସ, ଏହି ରିପୋର୍ଟ ବିଶ୍ୱ ପାଇଁ ମାର୍ଗଦର୍ଶକ ହେବ।

ଏହି ଅବସରରେ ଟାସ୍କ ଫୋର୍ସର ସହ-ଅଧ୍ୟକ୍ଷ ଶ୍ରୀ ନନ୍ଦନ ନିଲେକାନି କହିଲେ, ସାରା ବିଶ୍ୱର ସରକାର ଏବଂ ବ୍ୟବସାୟୀମାନେ କ୍ରମାଗତ ଭାବରେ ଅନୁଭବ କରୁଛନ୍ତି ଯେ ଯଦି ସେମାନେ ପ୍ରକୃତରେ ଏସଡିଜି ଏବଂ ସାମାଜିକ ଲକ୍ଷ୍ୟ ଯଥା ସମାବେଶୀ ଅଭିବୃଦ୍ଧି ହାସଲ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ସମ୍ଭବ କରିବା ପାଇଁ ଏହାର ଅନ୍ତର୍ନିହିତ ଡିପିଆଇ ରହିବା ଆବଶ୍ୟକ । ନାଗରିକମାନଙ୍କ ଜୀବନରେ ନାଟକୀୟ ଉନ୍ନତି ଆଣିବା ଏବଂ ଶାସନରେ ପରିବର୍ତ୍ତନ ଆଣିବାର କ୍ଷମତା ଡିପିଆଇ ପାଖରେ ଅଛି । ଏହା ଭାରତରେ ଘଟିଛି ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଧାର ଆଇଡି ସିଷ୍ଟମରୁ ଆରମ୍ଭ ହୋଇଛି । ବର୍ତ୍ତମାନ ପ୍ରାୟ ୧.୩ ବିଲିୟନ ଭାରତୀୟଙ୍କ ପାଖରେ ଏହି ଡିଜିଟାଲ ଆଇଡି ରହିଛି ଏବଂ ଆଧାର ମାଧ୍ୟମରେ ଦୈନିକ ହାରାହାରି ୧୦ ନିୟୁତ ଇକେୱାଇସି ସୁବିଧା କରାଯାଉଛି । ଇତିମଧ୍ୟରେ, ୟୁପିଆଇ ମାସିକ ୧୩ ବିଲିୟନ କାରବାରକୁ ସୁଗମ କରିଥାଏ, ପ୍ରାୟ ୩୫୦ ନିୟୁତ ବ୍ୟକ୍ତି ଏବଂ ୫୦ ନିୟୁତ ବ୍ୟବସାୟୀଙ୍କୁ ସେବା ଯୋଗାଇଥାଏ ଏବଂ ଡିପିଆଇ ସକ୍ଷମ ସିଧାସଳଖ ହସ୍ତାନ୍ତର କେନ୍ଦ୍ର ସରକାରଙ୍କ ଯୋଜନାରେ ୪୧ ବିଲିୟନ ଡଲାର ସଞ୍ଚୟ କରିଛି । ତେଣୁ, ଏହା ଆଉ ଏକ ବିକଳ୍ପ କିମ୍ବା ବିଳାସ ନୁହେଁ, ଆମେ ଯେଉଁଠାରେ ଚାହୁଁଛୁ ସେଠାକୁ ଯିବା ପାଇଁ ଡିପିଆଇ ଜରୁରୀ। ସମଗ୍ର ବିଶ୍ୱରେ ଡିପିଆଇ ଆଭିମୁଖ୍ୟ ଏବଂ କାର୍ଯ୍ୟର ଭବିଷ୍ୟତ ଗତିପଥ ନିର୍ଦ୍ଧାରଣ କରିବାରେ ଏହି ରିପୋର୍ଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରମୁଖ ଅର୍ଥନୈତିକ ଏବଂ ବିକାଶମୂଳକ ଏଜେଣ୍ଡା ଉପରେ ବୈଶ୍ୱିକ ନୀତି ଆଲୋଚନାକୁ ସ୍ଥିର ଏବଂ ଚଳାଇବାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ଲୋକଙ୍କ ବିକାଶ ଏବଂ ସଶକ୍ତୀକରଣ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସକ୍ଷମ ହେଉଛି ବୈଷୟିକ ଉଦ୍ଭାବନ ଏବଂ ପ୍ରଯୁକ୍ତି ଭିତ୍ତିକ ଅର୍ଥନୈତିକ ପରିବର୍ତ୍ତନ । ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) – ଡିଜିଟାଲ ପରିଚୟ, ଦ୍ରୁତ ଦେୟ ବ୍ୟବସ୍ଥା ସହିତ ସହମତି ଭିତ୍ତିକ ଡାଟା ଆଦାନପ୍ରଦାନ – ଦର୍ଶାଇଛି ଯେ କିପରି ୧.୪ ବିଲିୟନ ବ୍ୟକ୍ତି ଆର୍ଥିକ, ସ୍ୱାସ୍ଥ୍ୟ, ଶିକ୍ଷା, ଇ-ଗଭର୍ଣ୍ଣାନ୍ସ, ଟିକସ, ଦକ୍ଷତା ଇତ୍ୟାଦି କ୍ଷେତ୍ରରେ ସାମାଜିକ-ଅର୍ଥନୈତିକ ଗୁରୁତ୍ୱପୂର୍ଣ୍ଣ ସେବା ଉପଲବ୍ଧ ହୋଇପାରିବେ । ଏହି ଭିତ୍ତିଭୂମି ସରକାରୀ ଏବଂ ବେସରକାରୀ କ୍ଷେତ୍ର ମଧ୍ୟରେ ଦୃଢ଼ ଭାଗିଦାରୀର ପରିଣାମ, ଭାରତୀୟ ଜନସଂଖ୍ୟାର ଆକାର ଏବଂ ବିବିଧତାକୁ ଦୂର କରିବା ପାଇଁ ସହାୟକ ହେବ । ଏଭଳି ଡିଜିଟାଲ ବ୍ୟବସ୍ଥା ଉଭୟ ଉନ୍ନତ ତଥା ଉଦୀୟମାନ ଅର୍ଥନୀତିରେ ଘରୋଇ ଏବଂ ସରକାରୀ କ୍ଷେତ୍ରର ଉତ୍ପାଦକତା ରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିବ ଏବଂ ଉଚ୍ଚ ଏବଂ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବା ପାଇଁ ସମଗ୍ର ବିଶ୍ୱର ନାଗରିକମାନଙ୍କୁ ଉପକୃତ କରିପାରିବ । ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଡିପିଆଇ କ୍ଷେତ୍ରରେ ଭାରତର ସଫଳତା ପ୍ରଦର୍ଶନ କରି ଏକ ଦୃଢ଼ ଡିଜିଟାଲ ଏଜେଣ୍ଡା ଚଳାଇପାରିବ ଏବଂ ଉଭୟ ଫାଇନାନ୍ସ ଟ୍ରାକ୍ ଏବଂ ସେର୍ପା ଟ୍ରାକ୍ ଅଧୀନରେ ଡିପିଆଇ ସମ୍ବନ୍ଧୀୟ ରିପୋର୍ଟ ଏବଂ ବିତରଣ ଉପରେ ସମସ୍ତ ଜି-୨୦ ସଦସ୍ୟଙ୍କ ସର୍ବସମ୍ମତ ସମର୍ଥନ ହାସଲ କରିପାରିବ।

ଡିପିଆଇ ଉପରେ ଭାରତର ଜି-୨୦ ଟାସ୍କଫୋର୍ସ ର ରିପୋର୍ଟ ବିଷୟରେ

ଏହି ରିପୋର୍ଟରେ ତିନୋଟି ଅତ୍ୟାବଶ୍ୟକ ଅଂଶ କୁ ଅନ୍ତର୍ଭୁକ୍ତ କରାଯାଇଛି ଯାହା ସାମୂହିକ ଭାବରେ ବିଶ୍ୱସ୍ତରୀୟ ଡିପିଆଇ ଉନ୍ନତି ଏବଂ ଗ୍ରହଣ ପାଇଁ ଆଭିମୁଖ୍ୟକୁ ଉନ୍ମୋଚନ କରେ । ଭାଗ ୧ ରେ, ଡିପିଆଇ ଆଭିମୁଖ୍ୟ ଏକ ପରିବର୍ତନକାରୀ ପାରାଡାଇମ୍ ଭାବରେ ଉଭା ହୋଇଛି ଯାହା ଅଭିନବ ବୈଷୟିକ ସମାଧାନ ମାଧ୍ୟମରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରେ । ରିପୋର୍ଟର ଦ୍ୱିତୀୟ ଭାଗରେ ଭାରତ କିପରି ନିଜର ଡିପିଆଇ ଏଜେଣ୍ଡାକୁ ଆଗକୁ ବଢ଼ାଇଛି, ବିଶେଷକରି ୨୦୨୩ ରେ ଜି-୨୦ ଅଧ୍ୟକ୍ଷତା ସମୟରେ ଫାଇନାନ୍ସ ଟ୍ରାକ୍ର ଗ୍ଲୋବାଲ ପାର୍ଟନରସିପ୍ ଫର୍ ଫାଇନାନ୍ସିଆଲ ଇନକ୍ଲୁଜେସନ୍ (ଜିପିଏଫ୍ଆଇ) ଏବଂ ଶେର୍ପା ଟ୍ରାକ୍ର ଡିଜିଟାଲ୍ ଇକୋନୋମି ୱାର୍କିଂ ଗ୍ରୁପ୍ (ଡିଇଡବ୍ଲ୍ୟୁଜି) ସମେତ ଏହାର ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀ ଅଧୀନରେ ରହିଛି। ରିପୋର୍ଟର ୩ୟ ଭାଗରେ ଏକ ଆଗୁଆ ଦୃଷ୍ଟିକୋଣ ଉପସ୍ଥାପିତ କରାଯାଇଛି, ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ଡିପିଆଇକୁ ଉନ୍ନତ କରିବା ପାଇଁ ଏକ ରଣନୈତିକ ବ୍ଲୁପ୍ରିଣ୍ଟ ଏବଂ ଏହାର ବିଭିନ୍ନ ନୀତି ସୁପାରିସ ମାଧ୍ୟମରେ ବିଶ୍ୱସ୍ତରରେ ରୂପରେଖ ପ୍ରସ୍ତୁତ କରାଯାଇଛି ।

ବିଭିନ୍ନ ଅଞ୍ଚଳ ଏବଂ ଦେଶ ବିଶେଷ କରି ଗ୍ଲୋବାଲ ସାଉଥ୍ ଦେଶମାନଙ୍କରେ ଡିପିଆଇ ଇକୋସିଷ୍ଟମକୁ ପ୍ରୋତ୍ସାହିତ ଏବଂ ଉପଯୋଗ କରିବା ପାଇଁ ବହୁରାଷ୍ଟ୍ରୀୟ ଉପସ୍ଥିତିର ପରିସର ସହିତ ବିଶ୍ୱସ୍ତରୀୟ ମାନର ଏକ ବିଦ୍ୟମାନ ସଂସ୍ଥାକୁ ଚିହ୍ନଟ କରିବାର ଆବଶ୍ୟକତା ଉପରେ ମଧ୍ୟ ରିପୋର୍ଟରେ ଆଲୋକପାତ କରାଯାଇଛି। ବିଶ୍ୱର ଅନେକ ଦେଶ ସେମାନଙ୍କର ଜାତୀୟ ଡିଜିଟାଲ ଭିତ୍ତିଭୂମିକୁ କିପରି ବିକଶିତ କରି ସରକାରୀ ସେବା ଯୋଗାଣରେ ବ୍ୟାପକ ଉନ୍ନତି ମାଧ୍ୟମରେ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିପାରିବେ ଏବଂ ସ୍ୱଚ୍ଛତା ରେ ଉନ୍ନତି ଆଣି ଏବଂ ଦୂରତା ହ୍ରାସ କରି ଲୋକ ଏବଂ ଅନୁଷ୍ଠାନ ମଧ୍ୟରେ ବିଶ୍ୱାସ କୁ ପ୍ରୋତ୍ସାହିତ କରିବେ ତାହା ଉପରେ ବିଚାର କରୁଛନ୍ତି । ସମଗ୍ର ବିଶ୍ୱରେ, ବିଶେଷକରି ଗ୍ଲୋବାଲ ସାଉଥରେ କାର୍ଯ୍ୟକାରୀ କରିବା ପାଇଁ ଡିପିଆଇ ଆଭିମୁଖ୍ୟ ଏବଂ କାର୍ଯ୍ୟର ଭବିଷ୍ୟତ ଗତିପଥ ନିର୍ଦ୍ଧାରଣ କରିବାରେ ଏହି ରିପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଟାସ୍କ ଫୋର୍ସ ବିଷୟରେ

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ଭାରତର ଜି-୨୦ ପ୍ରେସିଡେନ୍ସି ଏଜେଣ୍ଡା ଏବଂ ପ୍ରାଥମିକତା ହାସଲ କରିବା ର ତଦାରଖ ଏବଂ ସୁବିଧା ପାଇଁ ଜାନୁଆରୀ ୨୦୨୩ରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜି ଏବଂ ଡିପିଆଇ ଗ୍ରହଣ କରି ଜି-୨୦ ସଦସ୍ୟ ରାଷ୍ଟ୍ରମାନେ କିପରି ଉତ୍ପାଦକତା ବୃଦ୍ଧି କରିପାରିବେ ଏବଂ ସରକାରଙ୍କ ଡିଜିଟାଲ ଅର୍ଥନୀତି ନୀତି ଏବଂ ନିୟମାବଳୀରେ ସାହାଯ୍ୟ କରିପାରିବେ ସେ ବିଷୟରେ ଟାସ୍କ ଫୋର୍ସ ଅନୁଧ୍ୟାନ କରିଥିଲା। ଟାସ୍କ ଫୋର୍ସର ଗଠନ ନିମ୍ନରେ ଦିଆଯାଇଛି ।

‘ଅର୍ଥନୈତିକ ପରିବର୍ତ୍ତନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ବିକାଶ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଭାରତର ଜି-୨୦ ଟାସ୍କଫୋର୍ସ’ର ଗଠନ ନିମ୍ନଲିଖିତ:

ସହ-ଅଧ୍ୟକ୍ଷ

୧. ଶ୍ରୀ ଅମିତାଭ କାନ୍ତ (ଭାରତର ଜି-୨୦ ସେର୍ପା)

୨. ଶ୍ରୀ ନନ୍ଦନ ନିଲେକାଣୀ

ସଦସ୍ୟମାନେ

୩. ଅର୍ଥନୈତିକ ବ୍ୟାପାର ସଚିବ(ଡିଇଏ), ସଦସ୍ୟ ସଂଯୋଜକ

୪. ସଚିବ, ଫାଇନାନ୍ସିଆଲ ସର୍ଭିସେସ୍ (ଡିଇଏ) ବିଭାଗ

୫. ସଚିବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା (ଏମ୍ଇଆଇଟିୱାଇ)

୬. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ

୭. ଡେପୁଟି ଗଭର୍ଣ୍ଣର, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)

୮. ସିଇଓ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି ଆୟୋଗ)

୯. ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ଅର୍ଥନୈତିକ ବ୍ୟାପାର ବିଭାଗ (ଡିଇଏ)

୧୦. ସିଇଓ, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)

୧୧. ଏମଡି, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)

Categories
ବିଶେଷ ଖବର

ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ବିଶ୍ୱ ସର୍ବେକ୍ଷଣରେ ଭାରତର ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ପ୍ରଦାନରେ ନିଜର ପ୍ରତିବଦ୍ଧତା ଜାରି ରଖିଛି । ଯାହାର ପରିଣାମ ସ୍ୱରୂପ ନିକଟରେ ପ୍ରକାଶ ପାଇଥିବା ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ‘ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ଆୟୋଗ (ୟୁନେସ୍‌କ୍ୟାପ)ର ସର୍ବେକ୍ଷଣରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି । ୨୦୨୩ ବର୍ଷ ପାଇଁ କରାଯାଇଥିବା ଏହି ସର୍ବେକ୍ଷରେ ୧୪୦ରୁ ଅଧିକ ଅର୍ଥବ୍ୟବସ୍ଥାକୁ ସାମିଲ କରାଯିବା ସହିତ ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ମୂଲ୍ୟାୟନ କରାଯାଇଥିଲା । ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସ ପାଇଁ ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ଭାରତ ଏହି ସର୍ବେକ୍ଷଣରେ ଅଗ୍ରଣୀ ଥିବା ଦର୍ଶାଯାଇଛି ।

ବିଭିନ୍ନ ଉପ ସୂଚକାଙ୍କରେ ଭାରତ ଅସାଧାରଣ ପ୍ରଗତି ହାସଲ କରିଥିବା ୨୦୨୩ ସର୍ବେକ୍ଷଣରେ କୁହାଯାଇଛି । ପାରଦର୍ଶିତା, ଔପଚାରିକତା, ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ ଏବଂ କାଗଜମୁକ୍ତ ବାଣିଜ୍ୟ ଭଳି ଚାରିଟି ପ୍ରମୁଖ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ୧୦୦% ସ୍କୋର ହାସଲ କରିଛି । ବ୍ୟବସାୟିକ ପ୍ରକ୍ରିୟାକୁ ବାଧାମୁକ୍ତ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବଢ଼ାଇବା କ୍ଷେତ୍ରରେ ଭାରତ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛି ତାହାର ପ୍ରମାଣ ଏହି ସର୍ବେକ୍ଷଣରେ ପ୍ରତିଫଳିତ ହୋଇଛି । ଟୁରାଣ୍ଟ କଷ୍ଟମ୍ସ, ବାଣିଜ୍ୟ ସୁବିଧା ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ ଇଣ୍ଟରଫେସ୍ (ସ୍ୱିଫ୍ଟ), ତଥ୍ୟ ପ୍ରକ୍ରିୟାକରଣର ପ୍ରାକ୍ ଆଗମନ, ଇ-ସଞ୍ଚିତ୍, ସମନ୍ୱିତ ସୀମା ପରିଚାଳନା ଆଦି ଭାରତର କେତେକ ଅଭିନବ ତଥା ଫଳପ୍ରଦ ଡିଜିଟାଲ ପଦକ୍ଷେପ। ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି’’ ପାଇଁ ଭାରତର ସ୍କୋରରେ କ୍ରମାଗତ ଉନ୍ନତି ଦେଖିବାକୁ ମିଳିଛି । ଏହା ୨୦୨୧ରେ ୬୬.୭% ଥିବା ବେଳେ ୨୦୨୩ରେ ୭୭.୮%କୁ ବୃଦ୍ଧି ପାଇଛି । ଏଥିରୁ ବ୍ୟବସାୟ କ୍ଷେତ୍ରରେ ଲିଙ୍ଗଗତ ସମାବେଶିତା ଓ ସୁଧାରର ପ୍ରତିବଦ୍ଧତା ପ୍ରମାଣିତ ହେଉଛି।

ଦକ୍ଷିଣ ଏସିଆ କ୍ଷେତ୍ରରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶ ହୋଇପାରିଛି । କାନାଡା, ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀ ସମେତ ବହୁ ବିକଶିତ ରାଷ୍ଟ୍ର ତୁଳନାରେ ଭାରତର ସାମଗ୍ରିକ ସ୍କୋର ଅଧିକ ରହିଛି।

ନିମ୍ନରେ ଦିଆଯାଇଥିବା ଗ୍ରାଫରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ଯେ, ଭାରତର ସାମଗ୍ରିକ ସ୍କୋର ବର୍ଷ ପରେ ବର୍ଷ ସୁଧୁରିବାରେ ଲାଗିଛି । ବାଣିଜ୍ୟ ସୁବିଧା ପଦକ୍ଷେପ ଗ୍ରହଣ କରିବା ଜରିଆରେ ବ୍ୟବସାୟିକ ସୁଗମତାକୁ ଆହୁରି ବଢ଼ାଇବା ଲାଗି ଦୃଢ଼ ପ୍ରତିବଦ୍ଧତା ଏଥିରୁ ପ୍ରମାଣିତ ହେଉଛି।

ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ୟୁନେସକ୍ୟାପ୍ ଦ୍ୱାରା କରାଯାଇଥିବା ବିଶ୍ୱ ସର୍ବେକ୍ଷଣରେ  ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ବାଣିଜ୍ୟ ସୁବିଧା ରାଜିନାମା (ଟିଏଫଏ)କୁ ସାମିଲ କରାଯିବା ସହିତ ପାଖାପାଖି ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ୧୧ଟି ଉପବର୍ଗରେ ବର୍ଗୀକୃତ କରାଯାଇଥିଲା । ସେଗୁଡ଼ିକ ହେଲା : ପାରଦର୍ଶିତା; ଔପଚାରିକତା; ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ; ପରିବହନ ସୁବିଧା; କାଗଜମୁକ୍ତ ବାଣିଜ୍ୟ; ସୀମାପାର କାଗଜମୁକ୍ତ ବାଣିଜ୍ୟ; ଏସଏମଇଗୁଡ଼ିକ ପାଇଁ ବାଣିଜ୍ୟ ସୁବିଧା; କୃଷି ବାଣିଜ୍ୟ ସୁବିଧା; ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି; ବ୍ୟବସାୟିକ ସୁବିଧା ପାଇଁ ବାଣିଜ୍ୟିକ ଅର୍ଥଲଗାଣ ଏବଂ ସଂକଟ ସମୟରେ ବ୍ୟବସାୟିକ ସୁବିଧା ପ୍ରଦାନ । ଧାରଣା ଆଧାରିତ ପରିବର୍ତ୍ତେ ତଥ୍ୟ ଆଧାରରେ ଏହି ସର୍ବେକ୍ଷଣ କରାଯାଇଛି । ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ସର୍ବେକ୍ଷଣ ପାଇଁ ୬ ମାସ ଲାଗିଥାଏ । ତିନୋଟି ପର୍ଯ୍ୟାୟ ଆଭିମୁଖ୍ୟ ନେଇ ପ୍ରଥମେ ତଥ୍ୟ ସଂଗ୍ରହ କରାଯାଏ ଏବଂ ପରେ ଏହାକୁ ପ୍ରମାଣିକରଣ ଓ କାର୍ଯ୍ୟକାରୀ କରାଯାଇଥାଏ।

ଭାରତୀୟ ସୀମାଶୁଳ୍କ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଟୁରାଣ୍ଟ କଷ୍ଟମ୍ସ ଭଳି ସାକ୍ଷାତମୁକ୍ତ (ଫେସଲେସ୍‌), କାଗଜମୁକ୍ତ (ପେପର୍‌ଲେସ୍‌) ଏବଂ ସ୍ପର୍ଶମୁକ୍ତ (କଣ୍ଟାକ୍ଟଲେସ୍‌) ବର୍ହିଶୁଳ୍କ ସୁବିଧା ଭାରତରେ ବ୍ୟବସାୟିକ ସୁଗମତା ବାତାବରଣକୁ ବଢ଼ାଇବା ସହିତ ଦେଶରେ ବାଣିଜ୍ୟ ସୁବିଧା ପ୍ରଦାନ ପରିବେଶକୁ ପ୍ରୋତ୍ସାହିତ କରୁଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏବିଡିଏମ୍‌ ଅଧୀନରେ ନାଗରିକ ମାନଙ୍କର ଡିଜିଟାଲ ହେଲା ୪ କୋଟିରୁ ଅଧିକ ସ୍ୱାସ୍ଥ୍ୟ ରେକର୍ଡ

ଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଦେଶ ପାଇଁ ଏକ ବ୍ୟାପକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିର୍ମାଣରେ ନିରନ୍ତର ଭାବେ ଅଗ୍ରଗତି କରୁଛି। ଲୋକ ମାନଙ୍କର ଏବିଏଚ୍‌ଏ  ଆକାଉଂଟ ସହିତ ୪ କୋଟିରୁ ଅଧିକ ଡିଜିଟାଲ୍ ସ୍ୱାସ୍ଥ୍ୟ ରେକର୍ଡ ଯୋଡି ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି। ୨୯ କୋଟିରୁ ଅଧିକ ନାଗରିକ ଏପର୍ଯ୍ୟନ୍ତ ସେମାନଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟସ (ଏବିଏଚ୍‌ଏ) ଖୋଲିଛନ୍ତି।

ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ସେମାନଙ୍କର ଏବିଏଚ୍‌ଏ ଆକାଉଂଟ ସହିତ ଡିଜିଟାଲ୍ ଭାବେ ସଂଯୁକ୍ତ, ନାଗରିକମାନେ ନିଜର ସୁବିଧା ଅନୁଯାୟୀ ଏହି ରେକର୍ଡ ଗୁଡିକୁ ଦେଖି ପାରିବେ ଏବଂ ପରିଚାଳନା କରିବାରେ ସମର୍ଥ ହେବେ। ଏହା ନାଗରିକ ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମାନଙ୍କ ମଧ୍ୟରେ ଏକ ବ୍ୟାପକ ଚିକିତ୍ସା ଇତିହାସ ସୃଷ୍ଟି କରିବାକୁ ସକ୍ଷମ କରିଥାଏ। ଯାହା ଦ୍ୱାରା ଚିକିତ୍ସା ସମ୍ପର୍କିତ ନିଷ୍ପତ୍ତି ନେବାରେ ଉନ୍ନତି ହୋଇଥାଏ। ଅଧିକନ୍ତୁ, ନାଗରିକମାନେ ଡିଜିଟାଲ୍ ଭାବରେ ଏବିଡିଏମ୍ ପଞ୍ଜିକୃତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମାନଙ୍କ ସହିତ ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ରେକର୍ଡ ମଧ୍ୟ ବାଂଟି ପାରିବେ।

ସ୍ୱାସ୍ଥ୍ୟ ରେକର୍ଡକୁ ଡିଜିଟାଲକରଣ କରିବାରେ ଏବିଡିଏମ୍‌ର ଭୂମିକା ବିଷୟରେ ବର୍ଣ୍ଣନା କରି ଏନ୍‌ଏଚ୍‌ଏର ସିଇଓ ଡକ୍ଟର ଆର ଏସ୍ ଶର୍ମା କହିଛନ୍ତି – “ଏବିଡିଏମ୍ ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ, ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବିଭିନ୍ନ ହିତାଧିକାରୀ ମାନଙ୍କଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛି ଯାହା ଦ୍ୱାରା ଡିଜିଟାଲ୍ ସ୍ୱାସ୍ଥ୍ୟ ସେବାର ଲାଭ ଅଧିକରୁ ଅଧିକ ନାଗରିକ ମାନଙ୍କୁ ମିଳି ପାରିବ। ନାଗରିକ ସ୍ୱାସ୍ଥ୍ୟ ରେକର୍ଡ ଗୁଡିକର ଡିଜିଟାଲୀକରଣକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆମେ ଅନେକ ସ୍ୱାସ୍ଥ୍ୟ ସୁବିଧା ଯଥା ହସ୍ପିଟାଲ୍‌, କ୍ଲିନିକ୍‌, ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ଇତ୍ୟାଦି ପାଇଁ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛୁ । ଆମେ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ଲକର ଆପ୍ଲିକେସନ୍ ଗୁଡ଼ିକୁ ଏବିଡିଏମ୍ ସହିତ ଏକୀକୃତ କରିବାକୁ ଉତ୍ସାହିତ କରୁଛୁ ଯାହା ଦ୍ୱାରା ନାଗରିକମାନେ ସେମାନଙ୍କର ଡିଜିଟାଲ୍ ରେକର୍ଡ ସଂରକ୍ଷଣ ଏବଂ ପରିଚାଳନା ପାଇଁ ଅଧିକ ବିକଳ୍ପ ପାଇ ପାରିବେ। ”

ଆହୁରି ମଧ୍ୟ ସେ କହିଛନ୍ତି ଯେ – “ସ୍ୱାସ୍ଥ୍ୟ ରେକର୍ଡର ଡିଜିଟାଲୀକରଣ ଉପରେ ନିରନ୍ତର ଧ୍ୟାନ ଦେବା ସହିତ, ଆମେ କାଗଜରହିତ ଚିକିତ୍ସା ପରାମର୍ଶ ହାସଲ କରିବା ଏବଂ ଏହା ଦ୍ୱାରା ରୋଗୀ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ପ୍ରତ୍ୟେକ କାରବାରରେ ଅଧିକ ସଠିକତା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ।”

ରାଜ୍ୟ ସରକାରଙ୍କ ସହଯୋଗରେ ଏବିଏଚ୍‌ଏ ସହିତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡ ଗୁଡିକର ଏହି ଡିଜିଟାଲ୍ ସଂଯୋଗ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ବ୍ୟାପକ ଭାବରେ ଚାଲିଛି। ଏବିଏଚ୍‌ଏ ସହିତ ସଂଯୁକ୍ତ ସ୍ୱାସ୍ଥ୍ୟ ରେକର୍ଡରେ ଅଗ୍ରଣୀ ଯୋଗଦାନକାରୀ ମାନଙ୍କ ମଧ୍ୟରେ  ଆନ୍ଧ୍ରପ୍ରଦେଶ ସରକାର, ଆୟୁଷ୍ମାନ ଭାରତ ପିଏମ୍ – ଜେଏୱାଇ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ (ଆର୍‌ସିଏଚ୍‌) ଯୋଜନା, ଇ ହସ୍ପିଟାଲ ଏବଂ କୋଇନ୍ ଅନ୍ତର୍ଭୁକ୍ତ।