Categories
ଆଜିର ଖବର ଜାତୀୟ ଖବର

ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ସ୍ୱ-ଘୋଷଣାପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା/ ବିଜ୍ଞାପନ ଏଜେନ୍ସି ‘ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍’ ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ ଏଏନଆର ବନାମ ୟୁଓଆଇ ଆଣ୍ଡ ଅନ୍ୟାନ୍ୟଙ୍କ ମାମଲାରେ ୦୭.୦୫.୨୦୨୪ ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ଏବଂ ପ୍ରିଣ୍ଟ ଓ ଡିଜିଟାଲ/ଇଣ୍ଟରନେଟ୍ ବିଜ୍ଞାପନ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୋର୍ଟାଲରେ ଏକ ନୂଆ ଫିଚର ବା ବୈଶିଷ୍ଟ୍ୟ ଆରମ୍ଭ କରିଛି। ବିଜ୍ଞାପନଦାତା/ବିଜ୍ଞାପନ ଏଜେନ୍ସିର ଜଣେ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମାଣପତ୍ର ଏହି ପୋର୍ଟାଲ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ।

ଏହି ପୋର୍ଟାଲ ୪ ଜୁନ୍ ୨୦୨୪ରେ କାର୍ଯ୍ୟକ୍ଷମ ହେବ। ୧୮ ଜୁନ୍, ୨୦୨୪ କିମ୍ବା ତା’ପରେ ଜାରି/ପ୍ରସାରଣ/ପ୍ରକାଶିତ ହେବାକୁ ଥିବା ସମସ୍ତ ନୂତନ ବିଜ୍ଞାପନ ପାଇଁ ସମସ୍ତ ବିଜ୍ଞାପନଦାତା ଏବଂ ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣା ପ୍ରମାଣପତ୍ର ପ୍ରାପ୍ତ କରିବା ଆବଶ୍ୟକ। ସମସ୍ତ ଅଂଶୀଦାରଙ୍କୁ ସ୍ୱ-ପ୍ରମାଣପତ୍ର ପ୍ରକ୍ରିୟା ସହିତ ପରିଚିତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ପାଇଁ ଦୁଇ ସପ୍ତାହର ବଫର ଅବଧି ରଖାଯାଇଛି। ଜାରି ରହିଥିବା ବିଜ୍ଞାପନରେ ବର୍ତ୍ତମାନ ସ୍ୱ- ଘୋଷଣା ପ୍ରମାଣପତ୍ର ର ଆବଶ୍ୟକତା ନାହିଁ।

ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ନାହିଁ, ଏବଂ (ii) କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ ର ନିୟମ ୭ ଏବଂ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ସଂହିତା ସମେତ ସମସ୍ତ ପ୍ରାସଙ୍ଗିକ ନିୟାମକ ନିର୍ଦ୍ଦେଶାବଳୀକୁ ବିଜ୍ଞାପନରେ ପାଳନ କରାଯାଇଛି ବୋଲି ଦର୍ଶାଇବା ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲର ଉଦ୍ଦେଶ୍ୟ। ସମ୍ପୃକ୍ତ ପ୍ରସାରଣକାରୀ, ମୁଦ୍ରାକର (ପ୍ରିଣ୍ଟର୍), ପ୍ରକାଶକ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ରେକର୍ଡ ପାଇଁ ବିଜ୍ଞାପନଦାତା ସ୍ୱ-ଘୋଷଣା ପ୍ରମାଣପତ୍ର ଅପଲୋଡ୍ କରିବାର ପ୍ରମାଣ ପ୍ରଦାନ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୈଧ ସ୍ୱ-ଘୋଷଣା ପ୍ରମାଣପତ୍ର ବିନା ଟେଲିଭିଜନ, ପ୍ରିଣ୍ଟ ମିଡିଆ କିମ୍ବା ଇଣ୍ଟରନେଟରେ କୌଣସି ବିଜ୍ଞାପନ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସ୍ୱଚ୍ଛତା, ଉପଭୋକ୍ତା ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ବିଜ୍ଞାପନ ଅଭ୍ୟାସ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ବିଜ୍ଞାପନଦାତା, ପ୍ରସାରଣକାରୀ ଏବଂ ପ୍ରକାଶକମାନଙ୍କୁ ଏହି ନିର୍ଦ୍ଦେଶନାମାକୁ ନିଷ୍ଠାର ସହ ପାଳନ କରିବାକୁ ଅନୁରୋଧ କରିଛି।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ପାଇଁ ଭାରତ ଏବଂ ଭିଏତନାମ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭିଏତନାମ ସରକାରଙ୍କ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରୀ ନୁଏନ ମନ୍ ହଙ୍ଗଙ୍କ ସହ ଏକ ବୁଝାମଣା ପତ୍ର (ଲେଟର ଅଫ ଇଣ୍ଟେଣ୍ଟ (ଏଲ୍‌ଓଆଇ)) ରେ ସ୍ୱାକ୍ଷର କରିଛନ୍ତି।

ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱାର୍କ କ୍ଷେତ୍ରରେ ନୀତି ଓ  ନିୟାମକ ପ୍ରତିଷ୍ଠା ଏବଂ ଦୁଇ ଦେଶର ଗଣ ଯୋଗାଯୋଗ କ୍ଷେତ୍ରର ପେଶାଦାର ଓ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ ଓ  ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ତଥା ସୂଚନା ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରିବାରେ  ଏହି ବୁଝାମଣା ସହାୟକ ହେବ।

ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା ସମ୍ପର୍କର ଉଷ୍ମତା ଶ୍ରୀ ଠାକୁରଙ୍କ ବାସଭବନରେ ଦୁଇ ମାନ୍ୟବର ମନ୍ତ୍ରୀଙ୍କ ମଧ୍ୟରେ ଆନ୍ତରିକ ଆଲୋଚନା ସମୟରେ ପ୍ରତିଫଳିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଭିଏତନାମ ମଧ୍ୟରେ ଗଭୀର ସମ୍ପର୍କକୁ ଅଧିକ ସୁଦୃଢ଼ କରାଯାଇଛି ଏବଂ ନିକଟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଏତନାମ ଗସ୍ତରେ ଯାଇଛନ୍ତି। ଆଜିର ଏହି ବୈଠକରେ ନୂତନ ଜ୍ଞାନକୌଶଳ ଏବଂ ଆହ୍ୱାନ, ଯେପରିକି ଇନଫୋଡେମିକ୍, ଯାହା ସମସ୍ତ ଦେଶ କୋଭିଡ-୧୯ ମହାମାରୀ ସମୟରେ ମୁକାବିଲା କରୁଛନ୍ତି ସେ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଢାଞ୍ଚା ଦେବ। ଶ୍ରୀ ଠାକୁର ତାଙ୍କର ଭିଏତନାମ ପ୍ରତିପକ୍ଷଙ୍କୁ ଫେବୃଅ।ରୀ ୨୦୨୧ ପରଠାରୁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌ ବିଷୟରେ ସୂଚନା ଦେଇଛନ୍ତି।

ଶ୍ରୀ ଠାକୁରଙ୍କୁ ଶ୍ରୀ ହଙ୍ଗ ଭିଏତନାମ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ସଫଳତାର କାହାଣୀ ପ୍ରସାର କରିବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦୁଇ ରାଷ୍ଟ୍ରର ସାମାଜିକ-ଅର୍ଥନୈତିକ ବିକାଶ ବିଷୟରେ ସୂଚନା ପାଇବାକୁ ଉଭୟ ଦେଶର ସାମ୍ବାଦିକଙ୍କୁ ସକ୍ଷମ କରିବା ବିଷୟରେ ଆଲୋଚନା କରିଥିଲେ।

ଏହି ବୈଠକରେ ପ୍ରସାର ଭାରତୀ ସିଇଓ ଶଶି ଶେଖର ଭେମ୍ପତି; ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟନାଗର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟଙ୍କ ସମେତ ଭାରତ ଏବଂ ଭିଏତନାମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଚଳିତ ବର୍ଷ ଭାରତ ଏବଂ ଭିଏତନାମ ମଧ୍ୟରେ ପାଞ୍ଚବର୍ଷର “ବିସ୍ତୃତ ରଣନୀତିକ ଭାଗିଦାରୀ’ ସମାପ୍ତ ହୋଇଛି ଏବଂ ୨୦୨୨ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ପଚାଶ ବର୍ଷ ପୂରଣ ହେବ।