Categories
ଆଜିର ଖବର ଜାତୀୟ ଖବର

‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ପ୍ରଦାନ କରୁଛି ପ୍ରୟାଗରାଜର ଡିଜିଟାଲ ପ୍ରଦର୍ଶନୀ

ପ୍ରୟାଗରାଜ: ଭାରତ ସରକାରଙ୍କ ବିଭିନ୍ନ ଯୋଜନା କେମିତି ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରୁଛି, ତାହା ଦର୍ଶାଉଛି ହାକୁମ୍ଭ ୨୦୨୫ର ଡିଜିଟାଲ ପ୍ରଦର୍ଶନୀ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଏହି ଡିଜିଟାଲ ପ୍ରଦର୍ଶନୀ ଦେଖିବାକୁ ବହୁତ ଲୋକ ଆସୁଛନ୍ତି।

ଗୋଟିଏ ଦେଶ ଗୋଟିଏ କର, ଗୋଟିଏ ଦେଶ ଗୋଟିଏ ପାଓ୍ୱାର ଗ୍ରୀଡ, ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ‘ବିବିଧତା ମଧ୍ୟରେ ଏକତା’ କୁ ଅନୁଭବ କରାଯାଉଛି। ଦେଶର ଏକତାକୁ ଆହୁରି ମଜଭୁତ କରୁଥିବା ଏହି ସବୁ କାର୍ଯ୍ୟକ୍ରମ ସଂପର୍କରେ ପ୍ରୟାଗରାଜ ମହାକୁମ୍ଭର ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଡିଜିଟାଲ ପ୍ରଦର୍ଶନୀରେ ଦର୍ଶକଙ୍କୁ ସୂଚନା ପ୍ରଦାନ କରାଯାଉଛି। ଜାତୀୟ ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଏକ ପ୍ରତିମୂର୍ତ୍ତିର ଏକ ଚିତ୍ର ମଧ୍ୟ ଏଠାରେ ସ୍ଥାନ ପାଇଛି ଯାହାକି ଏକତାର ବାର୍ତ୍ତା ବହନ କରୁଛି।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ପୂରଣ ହୋଇଛି ‘ଗୋଟିଏ ଦେଶ ଗୋଟିଏ ସମ୍ୱିଧାନ’ର ସଂକଳ୍ପ। ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଓ ‘ଗୋଟିଏ ଦେଶ ଗୋଟିଏ ନାଗିରକ ସଂହିତା’ ପାଇଁ ଜୋରସୋରରେ ପ୍ରୟାସ କରାଯାଉଛି। ପ୍ରଦର୍ଶନୀରେ ଆକର୍ଷଣୀୟ ଶୈଳୀରେ ଏହା ପ୍ରଦର୍ଶିତ ହୋଇଛି।

ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ସଫଳତାକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀରେ ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତିର ପ୍ରୋତ୍ସାହନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମୁଦ୍ରା ଯୋଜନା, ପିଏମ୍ ବିଶ୍ୱକର୍ମା ଯୋଜନା, ପିଏମଇଜିପି ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ପରି ଯୋଜନା ଜରିଆରେ ସମ୍ଭବ ହୋଇ ପାରିଛି ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତି।

ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀକୁ ବହୁ ଲୋକ ଆସିଛନ୍ତି। ଦୃଶ୍ୟ-ଶ୍ରାବ୍ୟ ମିଡିଆ ଜରିଆରେ ସେମାନେ ବିକାଶ ଓ ଐତିହ୍ୟ ସଂପର୍କରେ ଅନେକ କଥା ଜାଣିପାରୁଛନ୍ତି। ଏଲଇଡି ପରଦାରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ସରକାରୀ ଯୋଜନା ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ଏହା ସହିତ ସେମାନେ ସେଲଫି ମଧ୍ୟ ନେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭନଗରରେ ଡିଜିଟାଲ ପ୍ରଦର୍ଶନୀ ବୁଲିଲେ ଦର୍ଶକ 

ପ୍ରୟାଗରାଜ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରୟାଗରାଜ ମହାକୁମ୍ଭନଗରରେ ପଡିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ଅନେକ ଦର୍ଶକ। ଏହି ପ୍ରଦର୍ଶନୀକୁ ଉଭୟ ଦର୍ଶକ ଓ ଶ୍ରଦ୍ଧାଳୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅଧିକ ଶିକ୍ଷଣୀୟ ହୋଇ ପାରିଥିବା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଦର୍ଶନୀର ସେଲଫି ପଏଂଟରେ ମହିଳା ଓ ଶିଶୁମାନେ ବିଭିନ୍ନ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ପ୍ରତୀକାତ୍ମକ ସମୁଦ୍ର ମନ୍ଥନ ପ୍ରତିକୃତିକୁ ପ୍ରଶଂସା କରି ଅନେକ ଦର୍ଶକ ଏହି ସ୍ଥାନରେ ସେଲଫି ଉଠାଇଥିବା ବି ଦେଖିବାକୁ ମିଳିଥିଲା।

ତ୍ରିବେଣୀ ରାସ୍ତାର ପରେଡ ଗ୍ରାଉଣ୍ଡରେ ଉଭୟ ଶ୍ରଦ୍ଧାଳୁ ଓ ସାଧାରଣ ଦର୍ଶକଙ୍କ ପାଇଁ ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଥିବା ଏହି ମହାକୁମ୍ଭ ମେଳାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। ଏହି ମେଳାରେ ଗତ ଦଶବର୍ଷ ଭିତରେ ସରକାର କରିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପଡିଥିବା ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରଧାନମନ୍ତ୍ରୀ ଇଂଟରନସିପ ଯୋଜନା, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସମ୍ପର୍କିତ ଡିଜିଟାଲ ପ୍ରଦର୍ଶନୀରୁ ବହୁ ଉପାଦେୟ ତଥ୍ୟ ଦର୍ଶକ ଜାଣିପାଉଥିବା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଡ୍ରୋନ ଦିଦି, ଲକ୍ଷପତି ଦିଦି, ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟାଞ୍ଜଳି, ଆତ୍ମନିର୍ଭର ଭାରତ, ସ୍କିଲ ଇଣ୍ଡିଆ, ଏକ ଭାରତ ଶ୍ରେଷ୍ଠ ଭାରତ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ହର ଘର ଜଲ ଯୋଜନା, ପ୍ରଧାନମନ୍ତ୍ରୀ କୌଶଲ ବିକାଶ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ମହିଳା ସଶକ୍ତିକରଣ ଯୋଜନା ଉପରେ ସାଧାରଣ ଜନତା ଏହି ଡିଜିଚାଲ ପ୍ରଦର୍ଶନୀ ମାଧ୍ୟମରେ ଅନେକ କଥା ଜାଣିବାକୁ ପାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ମହିଳା ସଶକ୍ତୀକରଣ ସମ୍ପର୍କରେ ପ୍ରଦର୍ଶନୀ

ନୂଆଦିଲ୍ଲୀ: ‘ମହିଳା ସଶକ୍ତୀକରଣ ହେଉଛି ରାଷ୍ଟ୍ରର ଉନ୍ନତି’ ନୀତିକୁ ଅନୁସରଣ କରି ଭାରତ ସରକାର ମହିଳାଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ପାଇଁ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ମହାକୁମ୍ଭ ସମୟରେ ପ୍ରୟାଗରାଜର ତ୍ରିବେଣୀ ମାର୍ଗ ପ୍ରଦର୍ଶନୀ ଅଞ୍ଚଳରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଡିଜିଟାଲ ପ୍ରଦର୍ଶନୀ ମାଧ୍ୟମରେ ଏହି ଯୋଜନା, ନୀତି ଏବଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଉଛି।

ଏହି ପ୍ରଦର୍ଶନୀରେ ନାରୀ ଶକ୍ତି ବନ୍ଦନ ଆଇନ ଏବଂ  ନମୋ ଡ୍ରୋନ ଦିଦି ଯୋଜନା ଭଳି ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଛି, ଯାହା ମହିଳା ସଶକ୍ତୀକରଣ ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ଜୀବନ୍ତ କରୁଛି । ଡିଜିଟାଲ ପ୍ରଦର୍ଶନୀରେ ଦର୍ଶାଯାଇଛି ଯେ, ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ଲୋକସଭା ଓ ବିଧାନସଭାର ୩୩% ଆସନ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବର୍ତ୍ତମାନ ସୁଦ୍ଧା ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ୧ କୋଟିରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି । ଆହୁରି ୨ କୋଟି ମହିଳା ଲଖପତି ଦିଦିଙ୍କୁ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ନାରୀ ସମ୍ମାନ  କାର୍ଯ୍ୟକ୍ରମ ଅଧୀନରେ ପିଏମ୍ ଆବାସ ଯୋଜନାରେ ନିର୍ମିତ ଗୃହଗୁଡ଼ିକ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଥାଏ।

ନମୋ ଡ୍ରୋନ୍ ଦିଦି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖାଯାଇଛି। ହଜାରେ ନମୋ ଡ୍ରୋନ୍ ଦିଦିଙ୍କୁ ଡ୍ରୋନ୍ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ୪ କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି  ଆକାଉଣ୍ଟ ଖୋଲାଯାଇଛି, ଯେଉଁଥିରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଜମା ରହିଛି, ଯାହା କି ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିଛି ।

ସେହିପରି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରାୟ ୬୮ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିଥିବା ବେଳେ ୩୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି। ଆୟୁଷ୍ମାନ ବୟ ବନ୍ଦନ କାର୍ଡ  ଦ୍ୱାରା ୭୦ ବର୍ଷ ରୁ ଅଧିକ ବୟସର ୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେଉଛନ୍ତି । ମେଡିକାଲ ସିଟ୍ ସଂଖ୍ୟା ୨୦୧୪ରେ ୫୧ ହଜାର ଥିବା ବେଳେ ଏବେ ତାହା ଦ୍ୱିଗୁଣିତ ହୋଇ ୧ ଲକ୍ଷ ୧୮ ହଜାରରେ ପହଞ୍ଚିଛି। ୧୪ ହଜାରରୁ ଅଧିକ ଜନଔଷଧି କେନ୍ଦ୍ର ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ଶିଶୁ ଓ ମହିଳାଙ୍କ ପାଇଁ ନିୟମିତ ଟିକାକରଣ ରେକର୍ଡ ରଖିବା ପାଇଁ ଏକ ୟୁ-ୱିନ୍ ପୋର୍ଟାଲ ଆରମ୍ଭ କରାଯାଇଛି।

ପ୍ରୟାଗରାଜର ମହାକୁମ୍ଭରେ ଏକତା ଉପରେ କେନ୍ଦ୍ରିତ ଏହି ଦିବ୍ୟ ଏବଂ ଭବ୍ୟ ଡିଜିଟାଲ ପ୍ରଦର୍ଶନୀ ଜନସାଧାରଣଙ୍କୁ ଏହି ସୂଚନା ପ୍ରଦାନ କରୁଛି। ଏହି ପ୍ରଦର୍ଶନୀକୁ ନିୟମିତ ଶହ ଶହ ଲୋକ ପରିଦର୍ଶନ କରୁଛନ୍ତି ଏବଂ ସରକାରୀ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଏହାକୁ ପ୍ରଶଂସା କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ନଗରରେ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ପ୍ରଦର୍ଶନୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି। ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଇଛି ଏହି ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀରେ ଏନାମର୍ଫିକ କାନ୍ଥ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି କାନ୍ଥ ଓ ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଦର୍ଶିତ ହୋଇଛି।

ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, ବିଭିନ୍ନ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କେମିତି ଛାତ୍ରଛାତ୍ରୀମାନେ ଏହି ଇଣ୍ଟର୍ନସିପ୍ ପାଇବେ, ସେ ସଂପର୍କରେ ସାଧାରଣ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ, ପ୍ରବଳ ଶୀତ, ଜଙ୍ଗଲୀ ନିଆଁ ପରି ପ୍ରାକୃତିକ ବିପର୍ଯ୍ୟୟ ଓ ମଣିଷକୃତ୍ୟ ବିପତ୍ତିକୁ ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଉଛି। ଡିଜିଟାଲ ମାଧ୍ୟମରେ ଏସବୁ ପ୍ରଦର୍ଶିତ ହୋଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗର ଷ୍ଟଲରେ ସ୍ଥାନ ପାଇଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲେଖା ଯାଇଥିବା ବହି ଓ ମହାପୁରୁଷଙ୍କ ଜୀବନୀ ଉପରେ ଲେଖା ଯାଇଥିବା ପୁସ୍ତକ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଷ୍ଟଲରେ ମିଳୁଛି ବିଭିନ୍ନ ପ୍ରକାର ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ବିହନ।

ମହାକୁମ୍ଭକୁ ଆସୁଥିବା ହଜାର ହଜାର ଲୋକ ଏହି ସବୁ ଜିନିଷ ଓ ଅନ୍ୟ ଷ୍ଟଲ ବୁଲି ଦେଖୁଛନ୍ତି। ବିଭିନ୍ନ ପ୍ରକାର ଚିତ୍ର, ଫିଲ୍ମ ଜରିଆରେ ଲୋକଙ୍କୁ ଯେଉଁ ସୂଚନା ପ୍ରଦାନ କରାଯାଉଛି, ତାକୁ ସେମାନେ ପ୍ରଶଂସା କରୁଛନ୍ତି। ସେମାନେ କହୁଛନ୍ତି, ଏହି ଡିଜିଟାଲ ପ୍ରଦର୍ଶନୀ ବହୁତ ସୂଚନା ଦେଉଛି ଓ ଏହା ଶିକ୍ଷଣୀୟ ମଧ୍ୟ।

ମହାକୁମ୍ଭ ନଗର ତ୍ରିବେଣୀ ମାର୍ଗର ପ୍ରଦର୍ଶନୀ କଂପ୍ଲେକ୍ସ ରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଲୋକେ ମାଗଣାରେ ଦେଖିପାରିବେ। ଏହା ୨୬ ଫେବ୍ରୁଆରି ୨୦୨୫ ଯାଏ ଖୋଲା ରହିବ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ନମାମି ଗଙ୍ଗେ ମଞ୍ଚରେ ହୋଇଥିବା ଡିଜିଟାଲ ପ୍ରଦର୍ଶନୀ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ର ଅଂଶବିଶେଷ ଭାବେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ନମାମି ଗଙ୍ଗେ ମିଶନ ଏକ ଭବ୍ୟ, ବିରାଟ ଓ ଆକର୍ଷଣୀୟ ନମାମି ଗଙ୍ଗେ ମଞ୍ଚ ସ୍ଥାପନ କରିଛି। ଗଙ୍ଗା ନଦୀର ସଂରକ୍ଷଣ ଓ ସଫେଇ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନିଆରା ମାଧ୍ୟମ ପାଲଟିଛି ଏହି ମଞ୍ଚ। ଅତ୍ୟାଧୁନିକ ଟେକ୍ନୋଲଜି, ସୃଜନଶୀଳତା, ଶିକ୍ଷଣୀୟ ଉପାଦାନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମଞ୍ଚ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ ପାଲଟିଛି ଆକର୍ଷଣ।

ମୁଖ୍ୟ ଆକର୍ଷଣ: ପାରସ୍ପରିକ ଭାବ ଆଦାନପ୍ରଦାନ କରୁଥିବା ଜୈବ ବିବିଧତାର ସୁଡ଼ଙ୍ଗ

ନମାମି ଗଙ୍ଗେ ମଞ୍ଚରେ ପ୍ରବେଶ କରୁଥିବା ଦର୍ଶକ ପ୍ରଥମେ ପାରସ୍ପରିକ ଭାବର ଆଦାନପ୍ରଦାନ କରୁଥିବା ଏହି ଜୈବ ବିବିଧତାର ସୁଡ଼ଙ୍ଗ ଦେଇ ଯିବେ। ଗଙ୍ଗା ନଦୀର କୂଳରେ ଦେଖା ଯାଉଥିବା ପକ୍ଷୀଙ୍କ କିଚିରି ମିଚିରି ଓ ଜୈବ ବିବିଧତାକୁ ଆଧୁନିକ ପ୍ରକ୍ଷେପଣ ଟେକ୍ନୋଲଜି ଜରିଆରେ ଏହି ସୁଡ଼ଙ୍ଗରେ ପ୍ରଦର୍ଶିତ କରାଯାଇଛି। ଏହି ସୁଡ଼ଙ୍ଗ କେବଳ ପରିବେଶର ସୌନ୍ଦର୍ଯ୍ୟ ପ୍ରତିପାଦନ କରୁନାହିଁ ତହା ନୁହେଁ, ବରଂ ଗଙ୍ଗାକୁ ସ୍ୱଚ୍ଛ ଓ ଜୀବନଧାରକ ଭାବେ ରଖିବାର ମହତ୍ତ୍ୱକୁ ପ୍ରଦର୍ଶିତ କରିବାକୁ ଏହା  ଚେଷ୍ଟା କରୁଛି। ଗଙ୍ଗା ନଦୀର ସଫେଇ ଓ ଏହାକୁ ସଂରକ୍ଷଣ ରଖିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ସେସବୁକୁ ନେଇ ଏହି ମଞ୍ଚରେ ଆୟୋଜିତ ହୋଇଛି ଏକ ଡିଜିଟାଲ ପ୍ରଦର୍ଶନୀ।

ଏହି ପ୍ରଦର୍ଶନୀର ଏକ ପ୍ରମୁଖ ଅଂଶ ହେଉଛି ପ୍ରୟାଗ ମଞ୍ଚ। ଯକୌଣସି ସମୟରେ ଗଙ୍ଗା, ଯମୁନା ଓ ଏହି ଦୁଇ ନଦୀର ଶାଖା ନଦୀଗୁଡ଼ିକର ବିଶ୍ଳେଷଣ କରିବାକୁ ଏହି ପ୍ରୟାଗ ମଞ୍ଚ ଡିଜାଇନ୍ କରାଯାଇଛି। ନଦୀଗୁଡ଼ିକର ଜଳ ପତ୍ତନ, ସ୍ୱଚ୍ଛତା ଓ ପ୍ରଦୂଷଣର ସ୍ତର ସଂପର୍କରେ ସୂଚନା ଦେଇଥାଏ ଏହି ମଞ୍ଚ। ଗଙ୍ଗା ନଦୀର ସମ୍ମୁଖରେ କରାଯାଉଥିବା ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଏହା ସବିଶେଷ ସୂଚନା ଦେଇଥାଏ। ଗଙ୍ଗା ନଦୀରେ ମିଶୁଥିବା ପାଣିକୁ ସଫା କରିବା ପାଇଁ ପ୍ରତିଷ୍ଠା କରାଯାଇଥିବା ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପର ଗଠନ ଓ କାର୍ଯ୍ୟ ସଂପର୍କରେ ଏହା ସୂଚନା ପ୍ରଦାନ କରିଥାଏ। ସ୍ୱଚ୍ଛତା ଓ ଜଳ ସଂରକ୍ଷଣର ବାର୍ତ୍ତା ପ୍ରଦାନ କରିବା ପାଇଁ ଭଗବାନ ଗଣେଶଙ୍କ ଏକ ସୁନ୍ଦର  ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହା ଗଙ୍ଗା ନଦୀର ପବିତ୍ରତା ଓ ସ୍ୱଚ୍ଛତାର ସନ୍ଦେଶ ପ୍ରଦାନ କରିଥାଏ।

ଗଙ୍ଗା ନଦୀରେ ଯେଉଁ ସବୁ ପ୍ରାଣୀ ଦେଖା ଯାଆନ୍ତି, ସେମାନଙ୍କର ପ୍ରତିକୃତି ମଧ୍ୟ ଏହି ମଞ୍ଚରେ ପ୍ରଦର୍ଶିତ କରାଯାଇଛି। ଏଥିରେ ରହିଛନ୍ତି ଡଲଫିନ, କଇଁଛ ଓ କୁମ୍ଭୀର। ଗଙ୍ଗା ନଦୀରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର ମାଛ ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି। ଶିଶୁ ଓ ଯୁବବର୍ଗଙ୍କ ପାଇଁ ଏହା ବହୁତ ଶିକ୍ଷଣୀୟ ହୋଇଛି। ନଦୀର ଜୈବ ବିବିଧତା ଓ ଏହାର ସଂରକ୍ଷଣ କେତେ ଗୁରୁତ୍ୱପୂର୍ଣ୍ଣ, ତାର ଶିକ୍ଷା ପ୍ରଦାନ କରୁଛି ଏହି  ପ୍ରଦର୍ଶନୀ।

ଏହି ପ୍ରଦର୍ଶନୀରେ ଜାତୀୟ ପୁସ୍ତକ ଟ୍ରଷ୍ଟ ( ଏନବିଟି) ତରଫରୁ ଏକ ସ୍ୱତନ୍ତ୍ର ରିଡିଂ କର୍ଣ୍ଣର ମଧ୍ୟ କରାଯାଇଛି। ଗଙ୍ଗା, କୁମ୍ଭ ମେଳା, ସାମାଜିକ ନୀତି ଓ ଜାତୀୟ ଗୌରବ ସଂପର୍କିତ ବହି ରହିଛି ଏଠାରେ। ଯେଉଁମାନେ ବହି ପଢ଼ିବାକୁ ଭଲ ପାଆନ୍ତି, ଗଙ୍ଗା ନଦୀର ସାଂସ୍କୃତିକ ଓ ଐତିହାସିକ ପୃଷ୍ଠଭୂମି ସଂପର୍କରେ ଜାଣିବାକୁ ଇଚ୍ଛା କରୁଥିବା ପରିଦର୍ଶକଙ୍କ ପାଇଁ ଏହି ରିଡିଂ କର୍ଣ୍ଣର ଏକ ଆକର୍ଷଣ ପାଲଟିଛି।

ଧୀରେ ଧୀରେ ଲୋପ ପାଇ ଯାଉଥିବା ବିଭିନ୍ନ ପ୍ରଜାତିର ସଂରକ୍ଷଣ ସଂପର୍କରେ ସୂଚନା, ଜନ ସଚେତନତା ଓ ଆବର୍ଜନା ପରିଚାଳନା ସଂପର୍କିତ ସୂଚନା ମଧ୍ୟ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ, ଗଙ୍ଗା ଟାକ୍ସଫୋର୍ସ ଓ ଆଇଆଇଟି ଦିଲ୍ଲୀ ତରଫରୁ ପ୍ରଦାନ କରାଯାଉଛି । ଗଙ୍ଗା ନଦୀର ମହତ୍ୱ ଓ ଏହାର ସ୍ୱଚ୍ଛତା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

ନମାମି ଗଙ୍ଗେ ମଞ୍ଚ କେବଳ ଗଙ୍ଗା ନଦୀର ଜୈବ ବିବିଧତା ଓ ସଫେଇର ମହତ୍ୱକୁ ଦର୍ଶାଇନଥାଏ, ଏହା ମଧ୍ୟ ନଦୀ ସହିତ ଲୋକଙ୍କୁ ଭାବଗତ ଭାବେ ଓ ସାଂସ୍କୃତିକ ଭାବେ ଯୋଡ଼ି ଥାଏ। ଅତ୍ୟାଧୁନିକ ଟେକ୍ନୋଲଜି ଓ ସୃଜନଶୀଳତା ଯୋଗୁଁ ଏହି ମଞ୍ଚ ମହାକୁମ୍ଭ ୨୦୨୫ର ଏକ ପ୍ରମୁଖ ଆକର୍ଷଣ ପାଲଟିଛି।

ଗଙ୍ଗା ନଦୀର ସ୍ୱଚ୍ଛତା ଓ ସଂରକ୍ଷଣ ସଂପର୍କରେ ସଚେତନ ହେବାକୁ ଆହ୍ୱାନ ଦେଉଛି ମହାକୁମ୍ଭ ୨୦୨୫ର ନମାମି ଗଙ୍ଗେ ମିଶନ। ଗଙ୍ଗା କେବଳ ଏକ ନଦୀ ନୁହେଁ, ଏହା ହେଉଛି ଭାରତର ସଂସ୍କୃତି, ଇତିହାସ ଓ ଅର୍ଥନୈତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ ସ୍ୱଚ୍ଛ ରଖିବା ଓ ସଂରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।