Categories
ଆଜିର ଖବର ଜାତୀୟ ଖବର

ମିଥ୍ୟା ଖବରର ମୁକାବିଲା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଡିଜିଟାଲ ମିଡିଆ ଉତ୍ତରଦାୟିତ୍ୱ ନେବାକୁ ଆହ୍ୱାନ

ନୂଆଦିଲ୍ଲୀ: ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ୨୦୨୪ ଅବସରରେ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍, ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ, ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଏବଂ ବରିଷ୍ଠ ସାମ୍ବାଦିକ କୁନ୍ଦନ ରମଣଲାଲ ବ୍ୟାସ ଉପସ୍ଥିତ ଥିଲେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଏବଂ ଭର୍ଚୁଆଲ ମାଧ୍ୟମରେ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତର ଜୀବନ୍ତ ଏବଂ ବିବିଧ ଗଣମାଧ୍ୟମ ଇକୋସିଷ୍ଟମ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୩୫,୦୦୦ ପଞ୍ଜିକୃତ ଖବରକାଗଜ, ଅନେକ ନ୍ୟୁଜ୍ ଚ୍ୟାନେଲ ଏବଂ ଏକ ସୁଦୃଢ଼ ଡିଜିଟାଲ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ୪ଜି ଏବଂ ୫ଜି ନେଟୱାର୍କରେ ପୁଞ୍ଜିନିବେଶ ଭାରତକୁ ବିଶ୍ୱସ୍ତରରେ ସର୍ବନିମ୍ନ ଡାଟା ମୂଲ୍ୟ ସହିତ ଡିଜିଟାଲ ସଂଯୋଗ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ପହଞ୍ଚାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ତେବେ ଗଣମାଧ୍ୟମ ଓ ପ୍ରେସର ପରିବର୍ତ୍ତିତ ଦୃଶ୍ୟପଟ ଯୋଗୁଁ ଆମ ସମାଜ ସମ୍ମୁଖୀନ ହେଉଥିବା ୪ଟି ପ୍ରମୁଖ ଆହ୍ୱାନ ବିଷୟରେ ସେ ଉଲ୍ଲେଖ କରିଥିଲେ:

୧. ମିଥ୍ୟା ଖବର ଏବଂ ଭୁଲ ସୂଚନା

ମିଥ୍ୟା ଖବର ପ୍ରସାର ଗଣମାଧ୍ୟମ ଉପରେ ବିଶ୍ୱାସକୁ କ୍ଷୁର୍ଣ୍ଣ କରିବା ସହ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି। ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ ଡିଜିଟାଲ ମିଡିଆର ଦ୍ରୁତ ଅଭିବୃଦ୍ଧି ଏବଂ ଏହି ପ୍ଲାଟଫର୍ମରେ ପ୍ରକାଶିତ ବିଷୟବସ୍ତୁର ଦାୟିତ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ୧୯୯୦ ଦଶକରେ ବିକଶିତ ହୋଇଥିବା ସେଫ୍ ହାର୍ବରର ଧାରଣା, ଯେତେବେଳେ ଡିଜିଟାଲ ମିଡିଆର ଉପଲବ୍ଧତା ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନରେ ମନୋନୀତ ଉପଭୋକ୍ତାମାନଙ୍କ ମଧ୍ୟରେ ସୀମିତ ଥିଲା, ପ୍ଲାଟଫର୍ମଗୁଡ଼ିକୁ ଉପଭୋକ୍ତା-ଉତ୍ପାଦିତ ବିଷୟବସ୍ତୁ ପାଇଁ ଉତ୍ତରଦାୟୀ ହେବାରୁ ମୁକ୍ତି ପ୍ରଦାନ କରିଥିଲା।

ସେ ଉଲ୍ଲେଖ କରିଛନ୍ତି ଯେ ମିଥ୍ୟା ସୂଚନା, ଦଙ୍ଗା ଏବଂ ଏପରିକି ଆତଙ୍କବାଦ କାର୍ଯ୍ୟକଳାପକୁ ସକ୍ଷମ କରିବାରେ ସେଫ୍ ହାର୍ବର ବ୍ୟବସ୍ଥା ଗୁଡ଼ିକ ଏବେ ବି ଉପଯୁକ୍ତ କି ନାହିଁ ତାହାକୁ ନେଇ ବିଶ୍ୱବ୍ୟାପୀ ବିତର୍କ ତୀବ୍ର ହେବାରେ ଲାଗିଛି। ଭାରତ ଭଳି ଜଟିଳ ପରିପ୍ରେକ୍ଷୀରେ କାର୍ଯ୍ୟ କରୁଥିବା ପ୍ଲାଟଫର୍ମଗୁଡ଼ିକ ଭିନ୍ନ ଭିନ୍ନ ଦାୟିତ୍ବ ଗ୍ରହଣ କରିବା ଉଚିତ ନୁହେଁ କି? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ଏକ ନୂତନ ଢାଞ୍ଚାର ଆବଶ୍ୟକତାକୁ ସୂଚାଇଥାଏ ଯାହା ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରେ ଏବଂ ଦେଶର ସାମାଜିକ ଢାଞ୍ଚାକୁ ସୁରକ୍ଷିତ କରେ।

୨. ବିଷୟବସ୍ତୁ ନିର୍ମାତାମାନଙ୍କ ପାଇଁ ଉଚିତ କ୍ଷତିପୂରଣ

ପାରମ୍ପରିକରୁ ଡିଜିଟାଲ ମିଡିଆକୁ ପରିବର୍ତ୍ତନ ପାରମ୍ପରିକ ଗଣମାଧ୍ୟମକୁ ଆର୍ଥିକ ଭାବରେ ପ୍ରଭାବିତ କରିଛି, ଯାହା ସାମ୍ବାଦିକତା ଅଖଣ୍ଡତା ଏବଂ ସମ୍ପାଦକୀୟ ପ୍ରକ୍ରିୟାରେ ବ୍ୟାପକ ବିନିଯୋଗ କରେ । ଡିଜିଟାଲ ପ୍ଲାଟଫର୍ମ ଏବଂ ପାରମ୍ପରିକ ଗଣମାଧ୍ୟମ ମଧ୍ୟରେ ମୂଲଚାଲ କ୍ଷମତାରେ ଥିବା ଅସମାନତାକୁ ଦୂର କରି ପାରମ୍ପରିକ ବିଷୟବସ୍ତୁ ନିର୍ମାତାମାନଙ୍କ ପାଇଁ ଉଚିତ କ୍ଷତିପୂରଣର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଥିଲେ। “ବିଷୟବସ୍ତୁ ତିଆରି କରିବା ପାଇଁ ପାରମ୍ପରିକ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ପ୍ରୟାସକୁ ନିରପେକ୍ଷ ଏବଂ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଆବଶ୍ୟକ”, ସେ କହିଛନ୍ତି।

୩. ଆଲଗୋରିଦିମିକ ପକ୍ଷପାତିତା

ଡିଜିଟାଲ ପ୍ଲାଟଫର୍ମକୁ ଚଳାଇଥିବା ଆଲଗୋରିଦମ୍ ବିଷୟବସ୍ତୁକୁ ପ୍ରାଥମିକତା ଦିଏ ଯାହା ସଂପୃକ୍ତିକୁ ସର୍ବାଧିକ କରେ, ଦୃଢ଼ ପ୍ରତିକ୍ରିୟାକୁ ଉତ୍ସାହିତ କରେ ଏବଂ ଏହା ଦ୍ୱାରା ପ୍ଲାଟଫର୍ମ ପାଇଁ ରାଜସ୍ୱକୁ ବ୍ୟାଖ୍ୟା କରେ। ଏଗୁଡ଼ିକ ପ୍ରାୟତଃ ସମ୍ବେଦନଶୀଳ ବା ବିଭାଜନକାରୀ କାହାଣୀକୁ ବଢ଼ାଇଥାଏ। ଶ୍ରୀ ବୈଷ୍ଣବ ବିଶେଷକରି ଭାରତ ଭଳି ଏକ ବିବିଧ ରାଷ୍ଟ୍ରରେ ଏଭଳି ପକ୍ଷପାତର ସାମାଜିକ ପରିଣାମ ଉପରେ ଆଲୋକପାତ କରିଥିଲେ ଏବଂ ସେମାନଙ୍କ ବ୍ୟବସ୍ଥା ଆମ ସମାଜ ଉପରେ ଯେଉଁ ପ୍ରଭାବ ପକାଇଥାଏ ତାହାର ସମାଧାନ ବାହାର କରିବାକୁ ପ୍ଲାଟଫର୍ମଗୁଡ଼ିକୁ ଆହ୍ୱାନ ଦେଇଥିଲେ।

୪.ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ

ଏଆଇର ଉତ୍ଥାନ କ୍ରିଏଟର୍ସଙ୍କ ପାଇଁ ନୈତିକ ଏବଂ ଅର୍ଥନୈତିକ ଆହ୍ୱାନ ଉପସ୍ଥାପନ କରେ ଯେଉଁମାନଙ୍କ କାର୍ଯ୍ୟ ଏଆଇ ମଡେଲଗୁଡ଼ିକୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହୃତ ହୁଏ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉନ୍ନତି ଯୋଗୁଁ ସୃଜନଶୀଳ ଦୁନିଆ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ଏଆଇ ପ୍ରଣାଳୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରି ସେ ମୂଳ ନିର୍ମାତାଙ୍କ ବୌଦ୍ଧିକ ସମ୍ପତ୍ତି (ଆଇପି) ଅଧିକାରକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। “ଏଆଇ ମଡେଲଗୁଡ଼ିକ ଆଜି ସେମାନେ ପ୍ରଶିକ୍ଷିତ ବିଶାଳ ଡାଟାସେଟ୍ ଆଧାରରେ ସୃଜନଶୀଳ ବିଷୟବସ୍ତୁ ସୃଷ୍ଟି କରିପାରିବେ। କିନ୍ତୁ ସେହି ଡାଟାରେ ଯୋଗଦାନ କରିଥିବା ମୂଳ ନିର୍ମାତାଙ୍କ ଅଧିକାର ଏବଂ ସ୍ୱୀକୃତିର କ’ଣ ହେବ? ସେମାନଙ୍କ କାମ ପାଇଁ ସେମାନଙ୍କୁ କ୍ଷତିପୂରଣ ଦିଆଯାଉଛି ନା ସ୍ୱୀକୃତି ଦିଆଯାଉଛି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଏହା କେବଳ ଏକ ଅର୍ଥନୈତିକ ପ୍ରସଙ୍ଗ ନୁହେଁ, ଏହା ଏକ ନୈତିକ ପ୍ରସଙ୍ଗ ବୋଲି ସେ କହିଛନ୍ତି।

ଶ୍ରୀ ବୈଷ୍ଣବ ରାଜନୈତିକ ମତଭେଦକୁ ଅତିକ୍ରମ କରି ଏହି ଆହ୍ୱାନର ମୁକାବିଲା ପାଇଁ ଖୋଲା ବିତର୍କ ଏବଂ ସହଯୋଗୀ ପ୍ରୟାସରେ ସାମିଲ ହେବାକୁ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ। ଗଣତନ୍ତ୍ରର ଏକ ଶକ୍ତିଶାଳୀ ସ୍ତମ୍ଭ ଭାବରେ ଗଣମାଧ୍ୟମର ଭୂମିକାକୁ ବଜାୟ ରଖିବା ଏବଂ ୨୦୪୭ ସୁଦ୍ଧା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ବିକଶିତ ଭାରତ ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଡିଜିଟାଲ ଯୁଗରେ ନାଭିଗେଟିଂ: ମିଥ୍ୟା ଖବରର ମୁକାବିଲା ଏବଂ ନୈତିକ ସାମ୍ବାଦିକତାକୁ ବଜାୟ ରଖିବା

ପାରମ୍ପରିକ ପ୍ରିଣ୍ଟରୁ ସାଟେଲାଇଟ୍ ଚ୍ୟାନେଲ ଏବଂ ବର୍ତ୍ତମାନ ଡିଜିଟାଲ ଯୁଗ ପର୍ଯ୍ୟନ୍ତ ସାମ୍ବାଦିକତାର ବିକାଶ ଉପରେ ଆଲୋକପାତ କରି ଡ. ମୁରୁଗାନ୍ ଆଜି ଖବର ଜନସାଧାରଣଙ୍କ ପାଖରେ କେତେ ବେଗରେ ପହଞ୍ଚୁଛି ତାହା ଉଲ୍ଲେଖ କରିଥିଲେ। ତେବେ ଫେକ୍ ନ୍ୟୁଜର ବଢୁଥିବା ଆହ୍ୱାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହାକୁ ସେ “ଭୂତାଣୁ ଅପେକ୍ଷା ଦ୍ରୁତ ଗତିରେ ବ୍ୟାପିବା” ବୋଲି ବର୍ଣ୍ଣନା କରିଥିଲେ। ଫେକ୍ ନ୍ୟୁଜ୍ ଜାତୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି, ସେନାକୁ ଦୁର୍ବଳ କରୁଛି ଏବଂ ଭାରତୀୟ ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଛି ବୋଲି ସେ ସତର୍କ କରାଇ ଦେଇଛନ୍ତି।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ଭାବ୍ୟ ବିଷୟବସ୍ତୁ ନିର୍ମାତାରେ ପରିଣତ କରିବାରେ ସ୍ମାର୍ଟଫୋନର ଭୂମିକାକୁ ସ୍ୱୀକାର କରି ଡକ୍ଟର ମୁରୁଗାନ୍ ଭୁଲ ସୂଚନାର ମୁକାବିଲା ରେଅଧିକ ଦାୟିତ୍ୱ ଏବଂ ନିୟନ୍ତ୍ରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବିଧାନ ରେ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ସୁନିଶ୍ଚିତ ହୋଇଥିବା ବେଳେ ଏହାକୁ ସଠିକତା ଏବଂ ନୈତିକ ଦାୟିତ୍ୱ ସହିତ ବ୍ୟବହାର କରାଯିବା ଆବଶ୍ୟକ ବୋଲି ସେ ଦୋହରାଇଥିଲେ।

ଡକ୍ଟର ମୁରୁଗାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖବରକୁ ପ୍ରମାଣିତ କରିବା ଏବଂ ମିଥ୍ୟା ଖବରର ମୁକାବିଲା ପାଇଁ ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ମଧ୍ୟରେ ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ସମେତ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (ଆଇଆଇଏମସି) ଭଳି ଅନୁଷ୍ଠାନ ମାଧ୍ୟମରେ ମାନ୍ୟତା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣକାରୀ ଯୋଜନା ଏବଂଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମେତ ସାମ୍ବାଦିକମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପ୍ୟାରେଡିଅର୍ସ ଆକ୍ଟ, ୨୦୨୩ ଭଳି ସଂସ୍କାର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ, ଯାହା ଗଣମାଧ୍ୟମ ନିୟମାବଳୀକୁ ଆଧୁନିକୀକରଣ କରିଥାଏ। ନିୟମିତ ସାମ୍ବାଦିକ ସମ୍ମିଳନୀ, ୱେବ ସ୍କ୍ରିନିଂ, ସମ୍ମିଳନୀ ଇତ୍ୟାଦି ମାଧ୍ୟମରେ ସୂଚନା ଉପଲବ୍ଧତା ରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ସାମ୍ବାଦିକତାକୁ ସତ୍ୟର ପ୍ରତୀକ,ବିବିଧ ସ୍ୱରର ମଞ୍ଚ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ପାଇଁ ଉତପ୍ରରକ ଭାବରେ ବଜାୟ ରଖିବା ପାଇଁ ଏକ ନିରପେକ୍ଷ, ସ୍ୱଚ୍ଛ ଏବଂ ସ୍ଥାୟୀ ପ୍ରେସ୍ ଇକୋସିଷ୍ଟମ ଗଠନ ପାଇଁ ସାମୂହିକ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସାମ୍ବାଦିକତାର ଅଖଣ୍ଡତା ବଜାୟ ରଖିବାରେ ପିସିଆଇର ଭୂମିକା

ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ତାଙ୍କ ଅଭିଭାଷଣରେ ଆଲୋକପାତ କରି କହିଥିଲେ ଯେ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ଉପଲବ୍ଧତା ଏବଂ ଆଧ୍ୟାତ୍ମିକ ଗଣମାଧ୍ୟମ, ବ୍ଲଗ୍ ଏବଂ ପଡକାଷ୍ଟର ନିରନ୍ତର ବ୍ୟବହାର ଖବର ଏବଂ ସୂଚନାର ଉପଲବ୍ଧତାକୁ ବ୍ୟାପକ ଭାବରେ ବିସ୍ତାର କରିଛି। ଏହା କେବଳ ଜୀବନକୁ ସହଜ କରିନାହିଁ ବରଂ ଆହ୍ୱାନ ମଧ୍ୟ ଆଣିଛି ଏବଂ ଏହି ପରିପ୍ରେକ୍ଷୀରେ ସଠିକ୍ ଖବର ଠିକ୍ ସମୟରେ ଆମ ପାଖରେ ପହଞ୍ଚିବା ଆବଶ୍ୟକ।

ସେ ଉଲ୍ଲେଖ କରିଛନ୍ତି ଯେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସାମ୍ବାଦିକତାର ଅଖଣ୍ଡତା ବଜାୟ ରଖିବା, ଜନସ୍ୱାର୍ଥର ସୁରକ୍ଷା ଏବଂ ଗଣମାଧ୍ୟମ ସୂଚନା ପାଇଁ ଏକ ବିଶ୍ୱସନୀୟ ଏବଂ ନୈତିକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ନେଇଛି। ପିସିଆଇ ଦ୍ୱାରା ପରିଚାଳିତ ପୁରସ୍କାର ଏବଂ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଚଳିତ ବର୍ଷ ୧୫ ଜଣ ସାମ୍ବାଦିକଙ୍କୁ ବିଭିନ୍ନ ବର୍ଗରେ ଜାତୀୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ସାମ୍ବାଦିକତାରେ ପ୍ରତିଭା, ନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଆଶାୟୀ ସାମ୍ବାଦିକମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ସଚେତନତାକୁ ପ୍ରୋତ୍ସାହିତ କରିବା ପିସିଆଇର ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିଜିଟାଲ ମିଡିଆ ଆଚାର ସଂହିତା ନିୟମାବଳୀରେ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇନାହିଁ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୁଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଆଜି ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ।

ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଉଛି। ଏହା ଡିଜିଟାଲ ସମାଚାର ଏବଂ ସମ-ସାମୟିକ ପ୍ରସଙ୍ଗ ପ୍ରକାଶିତ କରୁଥିବା ପ୍ରକାଶକ ଏବଂ ଅନଲାଇନ ପ୍ରଦର୍ଶିତ ବିଷୟବସ୍ତୁ (ଓଟିଟି ପ୍ଲାଟଫର୍ମ)ର ପ୍ରକାଶକମାନଙ୍କ ସହ ଜଡ଼ିତ। ଏହି ପତ୍ରରେ କୁହାଯାଇଛି ଯେ ଏହି ନିୟମରେ ଏପରି ଆଚାର ସଂହିତା ଉପଲବ୍ଧ କରାଯାଇଛି ଯାହାକୁ ଡିଜିଟାଲ ସମାଚାର ପ୍ରକାଶକ ଏବଂ ଓଟିଟି ବିଷୟବସ୍ତୁ ପ୍ରକାଶକମାନେ ପାଳନ କରିବେ। ଏଥିରେ ବୟସ ଆଧାରିତ ପାଂଚ ପ୍ରକାରର ବର୍ଗୀକରଣ ମଧ୍ୟ ସାମିଲ ରହିଛି।

ଏହାବ୍ୟତୀତ, ଏସବୁ ନିୟମ ଅନୁଯାୟୀ, ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିବ ଯେଉଁଥିରେ ପ୍ରକାଶକ (ସ୍ତର-୧), ପ୍ରକାଶକମାନଙ୍କ ଦ୍ୱାରା ଗଠିତ ସ୍ୱ-ନିୟମନ ସଂସ୍ଥା(ସ୍ତର-୨) ଏବଂ ସରକାରଙ୍କ ଅନୁଧ୍ୟାନ ବ୍ୟବସ୍ଥା (ସ୍ତର-୩) ସାମିଲ ରହିବ। ଏହାଫରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ ସମାଧାନ ପାଇଁ ଏକ ବ୍ୟବସ୍ଥା ବିକଶିତ ହୋଇପାରିବ। ଶେଷରେ ଏହି ନିୟମଗୁଡ଼ିକ ଅନୁଯାୟୀ, ପ୍ରକାଶକମାନଙ୍କ ସରକାରଙ୍କ ସମ୍ମୁଖରେ ସୂଚନା ଉପସ୍ଥାପନ କରିବାକୁ ହେବ ଏବଂ ସାର୍ବଜନୀନ ପରିଧିରେ ଅଭିଯୋଗ ସମାଧାନ ସମ୍ପର୍କରେ ସୂଚନା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ହେବ।

ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅନ୍ତର୍ଗତ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନଗୁଡ଼ିକ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧କୁ ୨୫ ଫେବୃଆରୀ, ୨୦୨୧ରେ ଅଧିସୂଚୀତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

କଂଟେଟ ଉପରେ ପ୍ରତିବନ୍ଧକ ଲାଗି କରାଯାଇ ନାହିଁ କୌଣସି ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ଓଓଓର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି। କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କଂଟେଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିର୍ଦ୍ଦେଶ ଜାରି କରିପାରିବେ।

ମାତ୍ର ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ, ଏହା କୌଣସି ନୂଆ ବ୍ୟବସ୍ଥା ନୁହେଁ। ବିଗତ ୧୧ ବର୍ଷ ଧରି, ୨୦୦୯ ପରଠାରୁ, ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କୁ ମିଳୁଥିବା ସୂଚନା ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା) ନିୟମାବଳୀ, ୨୦୦୯ ଅନ୍ତର୍ଗତ ଏହି ବ୍ୟବସ୍ଥାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଚିବ କାର୍ଯ୍ୟକାରୀ କରି ଆସୁଥିଲେ।

୨୫ ଫେବୃଆରୀ, ୨୦୨୧ରେ ଜାରି ହୋଇଥିବା ନିୟମାବଳୀ ଅନ୍ତର୍ଗତ କେବଳ ଏହି ବ୍ୟବସ୍ଥାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ କ୍ଷମତା ଅଧୀନକୁ ଅଣାଯାଇଛି। କାରଣ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ।

ଏହା ପୁନଃସ୍ପଷ୍ଟ କରି ଦିଆଯାଉଛି ଯେ- ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ଅନ୍ତର୍ଗତ କଂଟେଟ ବ୍ଲକ୍ କରିବା ଲାଗି ବ୍ୟବସ୍ଥାରେ କୌଣସି ପରିବର୍ତନ କରାଯାଇ ନାହିଁ କିମ୍ବା କୌଣସି ନୂଆ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ୍‌ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ବଡ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇଟି ପ୍ଲାଟଫର୍ମ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅଧୀନରେ ଆସିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହାଦ୍ୱାରା ଏଣିକି ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ଭିଡିଓ, ଅଡିଓ, ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ବିଭାଗର ନିୟମ ଅଧୀନରେ ଆସିବ। ଯେ କେହି, ଏହି ନିୟମ ଉଲ୍ଲଂଘନ କରିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି କୁହାଯାଇଛି। ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ । କିନ୍ତୁ ଖବର ପ୍ରସାରଣ ନେଇ ଉତ୍ତରଦାୟୀ ହେବାକୁ ପଡ଼ିବ । କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ । କିଛି ଦିନ ତଳେ ସୁପ୍ରିମକୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଜାରି କରିଥିଲେ। ଅନଲାଇନ୍ ମିଡିଆକୁ ନେଇ ଖୁବଶୀଘ୍ର ଏକ ରେଗୁଲେସନ ଆଣିବାକୁ କୋର୍ଟ କହିଥିଲେ।  (ଏଜେନ୍ସି)