Categories
ଆଜିର ଖବର ରାଜ୍ୟ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଏମ୍‌ବିବିଏସ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଶନିବାର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗରେ ୨୦୧୫, ୨୦୧୬ ଓ ୨୦୧୭ ଶିକ୍ଷା ବର୍ଷରେ ଅଧ୍ୟୟନ ଆରମ୍ଭ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଥିଲା।

ସେହିପରି ୨୦୧୮, ୨୦୧୯ ଓ ୨୦୨୦ ଶିକ୍ଷା ବର୍ଷରେ ବିଭିନ୍ନ ବିଭାଗରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷା ଆରମ୍ଭ କରି ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି। ଏଥି ସହିତ ୨୦୨୦ ବ୍ୟାଚର ସୁପର ସ୍ପେଶିଆଲିଟି ବିଭାଗରେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କ କଠିନ ପରିଶ୍ରମର ଫଳ ସେମାନେ ଏହି ଡିଗ୍ରୀ ମାଧ୍ୟମରେ ପାଇଥିବା କହିଥିଲେ। ପ୍ରଫେସର ନନ୍ଦ କହିଥିଲେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଅନୁଯାୟୀ ଛାତ୍ରଛାତ୍ରୀମାନେ ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜରୁ ଶିକ୍ଷା ସମାପ୍ତ କରିଛନ୍ତି। ତେଣୁ ବିଶ୍ୱବିଦ୍ୟାଳୟର ସମ୍ମାନ ସେମାନେ ନିଶ୍ଚିତ ଭାବେ ବଜାୟ ରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଛାତ୍ରଛାତ୍ରୀମାନେ ଶିକ୍ଷା ସମାପ୍ତ କରି ଡାକ୍ତର ଭାବେ ରୋଗୀ ସେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ନିମନ୍ତେ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିିଲେ। ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଅଜୟ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋ-ଭାଇସ୍ ଚ୍ୟାନସେଲର ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସମସ୍ତ ବିଭାଗର ମୁଖ୍ୟ ଓ ଏକାଡେମିକ୍ କାଉନ୍‌ସିଲ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକ ଉପାଧି ପ୍ରଦାନ କଲା ସୋଆ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି।

ଆଇଟିଇଆରର ସିଭିଲ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଭଳି ୭ଟି ବିଭାଗରେ ୨୦୧୯-୨୦୨୩ ମଧ୍ୟରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତବ ସମାରୋହରେ ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସୋଆ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ସହ ସହଭାଗିତା କରିଛି ଓ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି ବୋଲି ପ୍ରକାଶ କରି ଏହା ଛାତ୍ରଛାତ୍ରୀମାନଙ୍କୁ ସହାୟକ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ।

କୁଳପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ୨୦୨୩ ମସିହାରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି। ଏଠାରୁ ଯେଉଁ ଶିକ୍ଷା ଗ୍ରହଣ କରିଛ ତାହା ଦେଶ ନିମନ୍ତେ ଉପଯୋଗୀ ହେବା ବିଷୟରେ ମୁଁ ଆଶାବାଦୀ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ସଂପୃକ୍ତ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ
ପ୍ରଦାନ କରିଥିଲେ।

୧୯୯୬ ମସିହାରେ ମାତ୍ର ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଆଇଟିଇଆର୍ ୨୭ ବର୍ଷ ମଧ୍ୟରେ ଦେଶର ୨୭ ତମ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ନିଜ ସ୍ଥାନ ବଜାୟ ରଖିପାରିଛି ବୋଲି
ପ୍ରଫେସର ସାହୁ କହିଥିଲେ। ଏନ୍‌ବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଇଟିଇଆର୍‌ରେ ବର୍ତମାନ ୩୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ୭ଟି ବିଭାଗ ଯଥା ସିଏସ୍‌ଇର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ସିଭିଲ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଦ୍ୟାଧର ବାସା, ମେକାନିକାଲ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ସିଏସ୍‌ଆଇଟିର ମୁଖ୍ୟ ପ୍ରଫେସର ଅଜୀତ କୁମାର ନାୟକ, ଇଇଇର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇସିଇର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି ଏବଂ ଇଇର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ନାତକ ଉପାଧି ଗ୍ରହଣ କରିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଏକ ଶପଥ ପାଠ କରିଥିଲେ। ଶେଷରେ ପ୍ରଫେସର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।