Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ତୁମୁରାପୁଟ ଡିଲରଙ୍କ ଲାଇସେନ୍ସ ଋଦ୍ଦ କଲେ ଉପ ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାସନ ସାମଗ୍ରୀ ବିତରକ (ପିଡିଏସ୍‌ ଡିଲର)ଙ୍କୁ ନିଲମ୍ବନ କରାଯାଇଛି। ରାସନ କାର୍ଡ ଏବଂ ରାସନ ସାମଗ୍ରୀ ପ୍ରଦାନରେ କରାଯାଇଥିବା ଦୁର୍ନୀତି କାରଣରୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ତୁମୁରାପୁଟ ପିଡିଏସ୍‌ ରିଟେଲରଙ୍କ ଲାଇସେନ୍ସ ଋଦ୍ଦ କରିଛନ୍ତି। ତୁମୁରାପୁଟ ଅନ୍ତର୍ଗତ ରାଣୀପଡାର ଡିଲର ବାବୁଲା ବେହେରାଙ୍କ ଲାଇସେନ୍ସକୁ ଉପ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି। ଓପିଡିଏସ୍‌ ନିୟମ ୨୦୧୬ ର ଧାରା ୧୭(୪) ଅନୁଯାୟୀ ଡିଲରଙ୍କ ଲାଇସନ୍ସ ଋଦ୍ଦ କରାଯିବା ସହିତ ପଞ୍ଚାୟତକୁ ବିକଳ୍ପ ବ୍ୟବସ୍ଥାରେ ରାସନ ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାସନ କାର୍ଡକୁ ନେଇ ଘଟିଥିବା ଏହି ମହାଦୁର୍ନୀତି ସମ୍ପର୍କରେ ମେ ୨୨ ତାରିଖରେ ସମୀକ୍ଷା ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଥିଲା। ରାସନ କାର୍ଡ ରହିଥିବା ସତ୍ତ୍ବେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଚିଲିକା ରିପୋର୍ଟସ ଆସୋସିଏନ୍‌ ମଧ୍ୟ ଏହି ଦୁର୍ନୀତିର ପର୍ଦ୍ଦାଫାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଘଟଣା ସମ୍ମୁଖକୁ ଆସିବା ପରେ ଏନେଇ ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁ, ବିଡିଓ ଶିବାନଦ ସ୍ଵାଇଁ, ସହକାରୀ ଯୋଗାଣ ଅଧିକାରୀ ଖୋର୍ଦ୍ଧା ଅଜୟ କୁମାର ରଥଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତୁରନ୍ତ ଏହି ମାମଲାର ତଦନ୍ତ ରିପୋର୍ଟ ପାଇଁ ବିଡିଓ ଶିବାନଦ ସ୍ଵାଇଁଙ୍କ ପକ୍ଷରୁ ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୋଗାଣ ନିରୀକ୍ଷକ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ବିଡିଓଙ୍କ ଜରିଆରେ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଆଜି ଉପ ଜିଲ୍ଲାପାଳ ଡିଲରଙ୍କ ଲାଇସେନ୍ସ ଋଦ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି।