Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ ଓ କଟକଣା?

ଭୁବନେଶ୍ଵର: ଆସନ୍ତା ଡିସେମ୍ବର ୪ ତାରିଖ ଦିନ ପୁରୀ ରାଜ ଭବନ ନିକଟସ୍ଥ ବ୍ଲୁ ଫ୍ଲାଗ୍‌ ବିଚ୍‌ ବେଳାଭୂମିଠାରେ ନୌସେନା ଦିବସ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ନୌସେନା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତାକର୍ଷକ ଏୟାର ସୋ ଅନୁଷ୍ଠିତ ହେବ। ଜଳ ଜାହଜ ଏବଂ ଆକାଶ ମାର୍ଗରେ ଦୁଃସାହସିକ ବିମାନ ଉଡାଣ କୌଶଳକୁ ମଧ୍ୟ ପ୍ରଦର୍ଶନ କରାଯିବ।

ବିମାନ ଉଡାଣ ସମୟରେ ଏହି କ୍ଷେତ୍ରରେ ପକ୍ଷୀମାନେ ଉଡିବା ଦ୍ବାରା ବିମାନ ଚାଳନା ପାଇଁ ଅସୁବିଧା ହେବାର ଆଶଙ୍କା ଥିବାରୁ ନଭେମ୍ବର ୨୮ ତାରିଖଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ, ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ ବାହାରେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ନ ପକାଇବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ଡିସେମ୍ବର ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି ଚିତାକର୍ଷକ କାର୍ଯ୍ୟକ୍ରମକୁ ପେଣ୍ଠକଟା ସମୁଦ୍ର କୂଳଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ଉପସ୍ଥିତ ରହି ଉପଭୋଗ କରିପାରିବେ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବେଳାଭୂମିରେ ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

ଭୁବନେଶ୍ଵର: ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍‌’ ବା ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତି କରିଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ, ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ।

ପ୍ରାଚୀନ ବ୍ଲୁ ଫ୍ଲାଗ୍‌ ବେଳାଭୂମିର ପରିଦୃଶ୍ୟରେ ଆୟୋଜିତ ହେବାକୁ ଥିବା ପରିଚାଳନାଗତ ପ୍ରଦର୍ଶନ ଭାରତୀୟ ନୌସେନା ଏବଂ ଓଡ଼ିଶା ରାଜ୍ୟର ସାମୁଦ୍ରିକ ଐତିହ୍ୟ ମଧ୍ୟରେ ସମ୍ପର୍କର ପ୍ରତୀକ।

ଭାରତୀୟ ନୌସେନା ଏହି ଆୟୋଜନକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ଓଡ଼ିଶା ରାଜ୍ୟ ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛି। ଏହି ଆୟୋଜନରେ ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ସମସ୍ତଙ୍କୁ ସମୁଦ୍ର ଉପକୂଳରୁ ପ୍ରତ୍ୟକ୍ଷ ଭାବେ ନୌସେନାର ସାମର୍ଥ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନ ଚାନେଲରେ ସିଧା ପ୍ରସାରଣ ମଧ୍ୟ କରାଯିବ ଏବଂ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଲାଗି ଏହାକୁ ଭାରତୀୟ ନୌସେନାର ୟୁଟ୍ୟୁବ୍‌ ଚାନେଲରେ ମଧ୍ୟ ସିଧା ପ୍ରସାରଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୪ ରୁ ସଂସଦର ଶୀତକାଳୀନ ଅଧିବେଶନ: ମହୁଆ ମୋଇତ୍ରାଙ୍କ ବିରୋଧରେ ଆଗତ ହେବ ରିପୋର୍ଟ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଯୋଶୀ କହିଛନ୍ତି ଯେ, ଏହି ଅଧିବେଶନରେ ୧୯ ଦିନ ଧରି ୧୫ଟି ବୈଠକ ଅନୁଷ୍ଠିତ ହେବ। ଅମୃତ କାଳ ମଧ୍ୟରେ ମୁଁ ଅଧିବେଶନରେ ଆଇନ ପ୍ରଣୟନ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ମହୁଆ ଉପରେ ରିପୋର୍ଟ ଉପସ୍ଥାପନ କରାଯିବ

ଏହି ଅଧିବେଶନରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ‘ଟଙ୍କା ନେଇ ପ୍ରଶ୍ନ ପଚାରିବା’ ଅଭିଯୋଗରେ ଲୋକସଭାର ନୈତିକତା କମିଟିର ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହେବ। କମିଟି ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିସ କରିଛି।

ଏହି ଅଧିବେଶନରେ ପ୍ରମୁଖ ଅପରାଧିକ ଆଇନ ବଦଳରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ନିକଟରେ ଗୃହ ବ୍ୟାପାର ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ୩ଟି ବିଲ୍ ଉପରେ ନିଜର ରିପୋର୍ଟ ପ୍ରଦାନ କରିଛି। ସଂସଦରେ ବିଚାରାଧୀନ ଥିବା ଅନ୍ୟ ଏକ ପ୍ରମୁଖ ବିଲ୍ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ସହ ଜଡ଼ିତ। ମୌସୁମୀ ଅଧିବେଶନରେ ଆଗତ ହୋଇଥିବା ଏହି ବିଲ୍‌କୁ ବିରୋଧୀ ଏବଂ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପାରିତ କରିବାକୁ ସରକାର ଚାପ ପକାଇ ନ ଥିଲେ।

ଏହି ବିଲ୍ ଜରିଆରେ ସରକାର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ପାହ୍ୟାକୁ କ୍ୟାବିନେଟ୍ ସଚିବଙ୍କ ସମକକ୍ଷ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ବିଚାରପତି ପାହ୍ୟା ପାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡିସେମ୍ବର ୪ ରୁ ଭାରତର ବାଂଲାଦେଶ ଗସ୍ତ, ଜାଣନ୍ତୁ ଦିନିକିଆ ଏବଂ ଟେଷ୍ଟ ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ଅଭିମୁଖେ ଯାତ୍ରା କରିବାକୁ ଯାଉଛି। ଡିସେମ୍ବର ୪ ତାରିଖରୁ ଭାରତୀୟ ଦଳ ବାଂଲାଦେଶରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ଯାତ୍ରା ଦିନିକିଆ ସିରିଜ୍ ସହିତ ଆରମ୍ଭ ହେବ। ଯାହାର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ ତାରିଖ ରବିବାର ଦିନ ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ ସମସ୍ତ ଖେଳାଳି ଟିମ୍ ଇଣ୍ଡିଆରେ ସାମିଲ ହେଉଛନ୍ତି। ସେପଟେ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ଏହି ଭ୍ରମଣରୁ ଦୂରେଇ ରଖାଯାଇଛି। ପ୍ରକାଶ ଥାଉ କି ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବିଶ୍ରାମ ନେଇଥିଲେ।

କାର୍ଯ୍ୟସୂଚୀ:

ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ ତାରିଖରେ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୭ ତାରିଖରେ ଖେଳାଯିବ। ଏଥି ସହିତ, ଏହି ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୦ ତାରିଖରେ ଖେଳାଯିବ। ଢାକାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଭାରତ-ବାଂଲାଦେଶ ସିରିଜର ଦୁଇଟି ଦିନିକିଆ ଖେଳାଯିବ ଏବଂ ତୃତୀୟ ମ୍ୟାଚ୍ ଚଟଗାଓଁର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ଚଟଗାଓଁର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ ଢକାରେ ଖେଳାଯିବ।

ବାଂଲାଦେଶ ଯାତ୍ରା ପାଇଁ ଭାରତୀୟ ଦଳ:

ଭାରତ ଏକଦିବସୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ଯଶ ଦୟାଲ।

ବାଂଲାଦେଶ ଗସ୍ତ ପାଇଁ ଭାରତର ଟେଷ୍ଟ ଦଳ:

ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର୍ ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହାମ୍ମଦ ସିରାଜ, ଉମେଶ ଯାଦବ।