Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ପୁଟିନଙ୍କୁ ପିଏମ ମୋଦୀଙ୍କ “ଏହା ଯୁଦ୍ଧର ଯୁଗ ନୁହେଁ” ଉପଦେଶ: ଋଷର ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ ଅଲିପୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ “ଏହା ଯୁଦ୍ଧର ଯୁଗ ନୁହେଁ” ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମରକନ୍ଦରେ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଋଷର ନେତାଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧ ନୁହେଁ। ୟୁକ୍ରେନରେ ଶତ୍ରୁତା ସମାପ୍ତ କରିବାକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ସମ୍ପର୍କରେ ପଚରାଯାଇଥିବା ବେଳେ ଡେନିସ ଅଲିପୋଭ କହିଛନ୍ତି ଯେ, ଏହି ମନ୍ତବ୍ୟ ଭାରତର ଆଭିମୁଖ୍ୟ ସହ ମେଳ ଖାଉଛି।

ପାଶ୍ଚାତ୍ୟ ଦେଶଗୁଡିକ ଦ୍ଵାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ଋଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଏଥି ସହିତ, ଜି -୭ ଦେଶ ଏବଂ ୟୁରୋପୀୟ ୟୁନିଅନ୍ ଋଷର ଅଶୋଧିତ ଏବଂ ବିଶୋଧିତ ଉତ୍ପାଦ ଉପରେ ତୈଳ ମୂଲ୍ୟ ସୀମା ସ୍ଥିର କରି କ୍ରେମଲିନ୍ ର ରାଜସ୍ୱକୁ ସୀମିତ ରଖିଛନ୍ତି।

ରୁଷର ତୈଳ ମୂଲ୍ୟ ସୀମିତ ରଖିବା ପାଇଁ ଆମେରିକା ଭାରତକୁ ଏକ ମିଳିତ ମେଣ୍ଟରେ ଯୋଗଦେବାକୁ କହିଥିବାବେଳେ କୌଣସ ନିଷ୍ପତ୍ତି ନେବା ପୂର୍ବରୁ ଏହି ପ୍ରସ୍ତାବକୁ ଯତ୍ନର ସହ ଯାଞ୍ଚ କରାଯିବ ବୋଲି ନୂଆଦିଲ୍ଲୀ କହିଛି। ଏଥିପାଇଁ ଅଲିପୋଭ କହିଛନ୍ତି ଯେ, “ଭାରତ ଏପର୍ଯ୍ୟନ୍ତ ଏହି ଧାରଣା ପ୍ରତି ସତର୍କତା ଅବଲମ୍ବନ କରିଛି। ଏହା ଭାରତୀୟ ସ୍ୱାର୍ଥ ପାଇଁ ଲାଭଦାୟକ ହେବ ନାହିଁ।” ୟୁକ୍ରେନକୁ ପାକିସ୍ତାନ ଅସ୍ତ୍ର ହସ୍ତାନ୍ତର କରୁଥିବା ଖବର ଉପରେ ଅଲିପୋଭ କହିଛନ୍ତି ଯେ, ଯଦି ଏପରି ବିତରଣ ହୁଏ ତେବେ ଏହା ପାକିସ୍ତାନ ସହ ଋଷର ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ।