Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ତ୍ଵାବଧାନରେ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଅଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ଦାବିକୁ ବିଚାର ବିମର୍ଷକରି ସାଂସଦ ଶ୍ରୀ ପଣ୍ଡା ଦେଶର ବିଭିନ୍ନ ଅଗ୍ରଣୀ ପ୍ରମୁଖ ଅନୁଷ୍ଠାନ ମାନଙ୍କ ସହିତ ଗତ ୨ ବର୍ଷ ଧରି ଯୋଗାଯୋଗରେ ଥିଲେ। ଶେଷରେ ଶ୍ରୀ ପଣ୍ଡାଙ୍କ ଅନୁରୋଧକ୍ରମେ ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟ କେନ୍ଦ୍ରାପଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଷାଲିଷ୍ଟ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ପରେ କେନ୍ଦ୍ରାପଡ଼ା ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ଗତ ଏପ୍ରିଲ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟର ଓଡ଼ିଶାରେ ଏହା ପ୍ରଥମ ଚିକିତ୍ସାଳୟ ହେବାକୁ ଥିଲାବେଳେ ଏଥିପାଇଁ ଆବଶ୍ୟକୀୟ ୧୦ ଏକର ଜମି ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ସ୍ଥିତ ଡେରାବିଶ ବ୍ଲକ ଠାରେ ଚିହ୍ନଟ କରିସାରିଛନ୍ତି।

ଏହି ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା ପାଇବା ସହିତ ପ୍ରାଥମିକ ସ୍ତରରେ ଏହି ଅନୁଷ୍ଠାନ ଆନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଓପିଡି ଖୋଲାଯିବା ସହ ବିଭିନ୍ନ ବିଭାଗର ଅନୁନ୍ୟ ୧୦ ଜଣ ଅଭିଜ୍ଞ ଡାକ୍ତରଙ୍କ ସହଯୋଗରେ ରୋଗୀସେବା ଯୋଗାଇଦେବା ପାଇଁ ନିକଟରେ ଦିଆଯାଇଥିବା ପ୍ରସ୍ତାବଟିରେ ଜିଲ୍ଲା ପ୍ରଶାସନ ସହମତି ପ୍ରକାଶ କରିଛନ୍ତି।

ଗତକାଲି ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ସହଯୋଗରେ ସହିତ ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟର ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ କରିବା ସହ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିଛନ୍ତି ଏବଂ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିସ୍ତୃତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଏହି ଚିକିତ୍ସାଳୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୬୨ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶସୀ କୌଶଲ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସାରାଦେଶରେ ଗୁଣାତ୍ମକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିଛି। ବିଦ୍ୟାଳୟରୁ ଉତୀର୍ଣ ଛାତ୍ରଛାତ୍ରୀ ମାନେ ବିଭିନ୍ନକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଲାଭ କରି ବିଦ୍ୟାଳୟର ସମୃଦ୍ଧ ପରମ୍ପରାକୁ ରୁଦ୍ଧିମନ୍ତ କରିଛନ୍ତି। ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ମତପ୍ରକାଶ ପାଇଥିଲା।

ବିଦ୍ୟାଳୟରେ ପ୍ରଚଳିତ ଜାତୀୟ ଶିକ୍ଷାନୀତି ଦ୍ୱରା ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳୀ ଆଉ ଏକ ସଫଳ ସୋପାନ ଅତିକ୍ରମ କରିଛି। ଚାପମୁକ୍ତ ହୋଇ ବିଭିନ୍ନ ଅନ୍ତର୍ନିହିତ ପ୍ରତିଭା ବିକଶିତ କରି ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଆତ୍ମନିର୍ଭର ହେବା ପାଇଁ ଆଗଭର ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ପ୍ରସ୍ତୁତ ଦେଶାତ୍ମବୋଧକ ସଂଗୀତ ପରିବେଶଣ,ରାଜ୍ୟର ପାରମ୍ପରିକ ସାଂସ୍କୃତିକ ନୃତ୍ୟ,କବିତା ଆବୃତି,ସଂଗୀତ ପରିବେଶଣ,ଆଧୁନିକ ବିଚିତ୍ରା ଆଦି କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।

ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜେଜ ବାପା ଜେଜ ମା ଦିବସ (ଗ୍ରାଣ୍ଡ ପ୍ୟାରେଂଟସ ଡେ)ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପାଠ ପଢୁଥିବା କୁନି କୁନି ପିଲାମାନେ ଉପସ୍ଥିତ ଥିବା ବୟସ୍କ ଜେଜବାପା, ଜେଜ ମା ମାନଙ୍କୁ ପୂଜାର୍ଚନା କରିଥିଲେ।

ଏକ ସୁସ୍ଥ ସାମାଜିକ ଜୀବନ ନିର୍ବାହନ ବେଳେ ଜେଜବାପା ତଥା ଜେଜ ମାଙ୍କ କିପରି ସକ୍ରିୟ ଭୁମିକା ରହିଛି ସେ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନୈତିକ ଜ୍ଞାନ ଆହରଣ କରିଥିଲେ। ସେହିପରି ବିଦ୍ୟାଳୟରେ ଚାଲିଛି ବ୍ୟାଗଲେସ ଦିବସ। ଅର୍ଥାତ ଛାତ୍ରଛାତ୍ରୀମାନଙ୍କୁ ୧୦ ଦିନ ପାଇଁ ବହିବସ୍ତାନୀ ମୁକ୍ତ ପରିବେଶରେ ଧନ୍ଦାମୁଳକ ବାସ୍ତବିକ ଜ୍ଞାନ ଆହରଣ କରାଇବା ପାଇଁ ଜାତୀୟ ଶିକ୍ଷା ନୀତି ଅନୁସାରେ ତାଲିମ ପ୍ରଦାନ କରାଯାଉଛି। ମହମବତୀ ପ୍ରସ୍ତୁତ କରିବା ସହ ସାଇବର ସୁରକ୍ଷା ଶିକ୍ଷା ଲାଭ ,ମାଟିଦ୍ୱରା ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା,ଚିତ୍ରାଙ୍କନ ତଥା ବୈଦ୍ୟୁତିକ ସାମଗ୍ରୀର ଉପଯୋଗ ସଂପର୍କୀତ ଧନ୍ଦାମୁଳକ ତାଲିମ ଏହି ଅବସରରେ ଛାତଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି।

ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ ନିଜର ଅନ୍ତଃର୍ନିହତ ପ୍ରତିଭାର କିପରି ସଦୁପଯୋଗ କରି ଆତ୍ମନିର୍ଭର ହୋଇପାରିବେ ତଥା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେବ ଏହାହିଁ ଏଭଳି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଲକ୍ଷ ବୋଲି ସୂଚନା ଦିଆଯାଇଥିଲା।

ଏହି ଅବସରରେ କ୍ଷୁଦ୍ର ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମୁଖ୍ୟ ଅଧ୍ୟାପକ ଶିବରଂଜନ ସାହୁ,ଅନୀଲ ସାର,ଇଦରିଶ ଅଲୀ ତଥା ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ।