Categories
ଆଞ୍ଚଳିକ

ବିନା ଡ୍ରେନେଜ ବ୍ୟବସ୍ଥାରେ ରୋଡ ନିର୍ମାଣ କରିବା ପଡ଼ିଲା ମହଙ୍ଗା, ବାଣପୁର ଏନଏସିକୁ ହାଇକୋର୍ଟଙ୍କ ଛାଟ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କୁ ଓଡ଼ିଶା ହାଇକୋର୍ଟଙ୍କ ଛାଟ। ବିନା ଡ୍ରେନେଜ ବ୍ୟବସ୍ଥାରେ ପେଭର ବ୍ଲକ ରୋଡ ନିର୍ମାଣ କରିବା ମହଙ୍ଗା ପଡ଼ିଛି। ସୀମିତ ସମୟସୀମା ମଧ୍ୟରେ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର ୱାର୍ଡ ନଂ ୧୦ ରେ ଗତ ବର୍ଷ ସେପ୍ଟେମ୍ବର ମାସରେ ପେଭର ବ୍ଲକ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଉକ୍ତ ୱାର୍ଡର ଏକାଧିକ ଘର ତଳିଆ ଅଞ୍ଚଳରେ ରହିଥିବା ବେଳେ ବିନା ଡ୍ରେନେଜ ବ୍ୟବସ୍ଥାରେ ପୁରୁଣା କଂକ୍ରିଟ ରୋଡ ଉପରେ ପେଭର ବ୍ଲକ ରୋଡ ନିର୍ମାଣ କରାଯାଇଥିଲା। ଫଳରେ ଉକ୍ତ ୱାର୍ଡର ବାସିନ୍ଦା ଜନୈକ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ସମେତ ଏକାଧିକ ବାସିନ୍ଦାଙ୍କ ଘରେ ବର୍ଷାଜଳ ପ୍ରବେଶ କରିଥିଲା।

ତେବେ ଏ ନେଇ ଆଇନଜୀବୀ ଶ୍ରୀ ଅଗ୍ରୱାଲ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗକୁ ଉକ୍ତ ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏନଏସି ପ୍ରଶାସନ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ବିଫଳ ହେବାରୁ ବାଧ୍ୟହୋଇ ଗତ ବର୍ଷ ଡିସେମ୍ବର ୨୦ ତାରିଖରେ ଆଇନଜୀବି ସୀତାରାମ ଅଗ୍ରୱାଲ ଏ ନେଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ।

ଚଳିତ ମାସ ୯ ତାରିଖରେ ଉକ୍ତ ରିଟ ପିଟିସନର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁ ପ୍ରସାଦ ରାଉତରାୟ ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଜୟଦେବ ବେହେରା ଓ ସନ୍ଦୀପ କୁମାର ମହାପାତ୍ର ପରିଚାଳନା କରୁଥିଲେ।

Categories
DurgaPujaNews ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ, ଡ୍ରେନେଜ ବ୍ୟବସ୍ଥାକୁ ଦେଲେ ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ।

ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଏତଦବ୍ୟତୀତ ବାଣପୁର ଏନଏସିରେ ଡ୍ରେନେଜ ନିର୍ମାଣ ବିଷୟରେ ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ, ସେଥି ନିମନ୍ତେ ଜିଲ୍ଲାପାଳ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇସାରିଥିବା ପ୍ରକାଶ କରିଛନ୍ତି।